ଭକ୍ତିର ଋତୁ

ଦ୍ୱିତୀ ଚନ୍ଦ୍ର ସାହୁ

କୃତି ପିଠିରେ ଲାଉ ହୋଇ ଆସିବ କୁହୁଡି। ପାହାଡ଼ର ମଥା ଛୁଇଁ ହାତଠାରି ଚାଲି ଯାଉଥିବ ପାହାଡି ମେଘ। ମାଛକାତିଆ ଆକାଶରେ ନୀଳ କିଏ ଢାଳି ଦେଇଥିବା। ଧଳା ଓ ନୀଳର ମିଶ୍ରଣରେ ଚିତ୍ରକରଟିଏ ଆଙ୍କିଥିବ ଆକାଶର ସର୍ବକାଳୀନ ସୁନ୍ଦର ଚିତ୍ର ଯେମିତି। ଯାତ୍ରାକୁ ଯାଉଥିବା ଧାଙ୍ଗଡା ପରି ସଜବାଜ ହୋଇ ଠିଆହୋଇଥିବା ପାହାଡ ତଳେ ହସୁଥିବ ସବୁଜ କ୍ଷେତ। ନହ ନହକା ଧାନ କ୍ଷେତର କଷ୍ଟ ସମୟ। ପୋଖତି ସ୍ତ୍ରୀ ଲୋକଟି ପରି ଭାରି କଷ୍ଟରେ ଠିଆ ହୋଇଥିବ ଧାନ ଫସଲ ନିର୍ମଳ ଆକାଶକୁ ପ୍ରାର୍ଥନା କରି। ସବୁଜ ଓ କଳାର ଫେଣ୍ଟାଫେଣ୍ଟି ରଙ୍ଗରେ ଗାଧୋଇଥିବା ଧାନ ଗଛରେ ଗର୍ଭ ଫିଟିବାର ବେଳ। ପବନକୁ ଡରୁଥିବ ସେ। ତାକୁ ସାହସ ଦେବାକୁ ଧଳା ଚାଦର ଘୋଡେଇ ନିତି ସକାଳୁ ସକାଳୁ ଭେଟ ପଡୁଥିବ କୁହୁଡି। ପହିଲି କାକରକୁ ଧରି ଧାନ ପତ୍ର ଚଞ୍ଚଳ ପିଲାଟେ ପରି ଏପଟ ସେପଟ ହଲୁଥିବ। ସରୁ ପାଦଚଲା ରାସ୍ତା ଉପରକୁ ଲୋଟି ଆସିଥିବ ଚେରୁଆ ଘାସ। ଭୋକ ବିକଳରେ ବିଲ ହୁଡାରେ ତୁନିହୋଇ ଅପେକ୍ଷା କରିଥିବ ସାପ। ଧାନ ଗଛର ଗହଳି ଭିତରୁ ବେଙ୍ଗଟି ପଦାକୁ ଆସୁ ଆସୁ ଖପ୍‌କରି ଧରି ଦେଉଥିବ ସାପ। ପକ୍ଷୀର କାକଳିକୁ ଅତିକ୍ରମ କରି ଶୁଭୁଥିବ ସାପ ଗିଳୁଥିବା ବେଙ୍ଗର କରୁଣ ରାଗ। ହିଡ଼ରେ ଲାଗିଥିବ ଜହ୍ନି ଓ ବୋଇତାଳୁ ଫୁଲ ଲୋଭ ବଢଉଥିବ ଚାଷୀକୁ। ହିଡ଼ରୁ ହିଡ଼ ଭିତର ଦେଇ ସକାଳୁ ସକାଳୁ କଙ୍କଡା ଓ ସାପ ଗାତର ଗଳିଆକୁ ସଜାଡୁଥିବ ଚାଷୀ। ମଝିରେ ମଝିରେ ଠିଆ ହୋଇ ତୃପ୍ତିରେ ଦେଖୁଥିବ ନିଜର ସବୁଜ କ୍ଷେତକୁ। ନ ହସି ବାହାରିଥିବା ଧାନ କେଣ୍ଡାକୁ ନିରେଖି ଦେଖୁଥିବ ଚାଷୀ। ଘରକୁ ଫେରିଲା ବେଳେ ଗାମୁଛାରେ ସାଉଣ୍ଟିବ ବିଲ ହୁଡାରେ ଲଗେଇଥିବା ଗଛର ପରିବା ଓ ଛତୁ। କେବେ କେବେ ବାଟରୁ ଗୋଟେଇ ନେବ ଘରକୁ କେଉଁଟଠାରୁ ଚୂନାମାଛ।
ସ୍ବାମୀର ଗାମୁଛା ପୁଟୁଳି ଦେଖି ଅପେକ୍ଷାରତ ଘରଣୀ ଆଖିରେ ଚମକ । ମୁହଁରେ ଉଜ୍ଜ୍ୱଳ ଭାବ। ଚରମତୃପ୍ତିରେ ଆଖି ମୁଦି ଚାଷବାସ ପରେ ଗୁହାଳରେ ଆରାମ କରୁଥିବା ଗୋରୁ ସଦ୍ୟ କାଟି ଆଣିଥିବା ଛନଛନିଆ କଅଁଳ ଘାସ ପାଟିରେ ପାକୁଳେଇ ଚାଲିବ। ଗାଁ ସ୍କୁଲରେ ପଢୁଥିବା ପିଲାଙ୍କ ମନ ଉଚ୍ଛନ୍ନ ହେଉଥିବ ଆସୁଥିବା ଆଗାମୀ ଛୁଟିକୁ। ପରସ୍ପର ଭିତରେ ଅନେକ ସ୍ବପ୍ନର ଦିଆନିଆ। ଗାଁକୁ ଯିବାକୁ ସଜବାଜ ହେଉଥିବ ସହରରେ ଚାକିରି କରୁଥିବା ଗାଁର ଶିକ୍ଷିତ। ଘରର ଅନ୍ୟ ସଦସ୍ୟଙ୍କ ପାଇଁ ଚାଲିଥିବ ପୋଷାକପତ୍ର କିଣା। ଏପଟ ଘରର ବଡବଡିଆଙ୍କ ଭିତରେ ଗୋଟେ ପ୍ରାକ-ପ୍ରସ୍ତୁତି ବାହା ଯୋଗ୍ୟ ପୁଅଝିଅଙ୍କୁ ନେଇ। ଚତୁର୍ମାସ୍ୟା ସରୁ ସରୁ ପୁଅଝିଅ ଦେଖା କାମ ସାରିିବାକୁ ହେଉଥିବ ଯୋଜନାର ରୂପରେଖ। ତାରି ଭିତରେ ଚାଲିଥିବ ଫସଲ ଅମଳ ପାଇଁ ମାନସ ମନ୍ଥନ। ବେଳ ସାମାନ୍ୟ ଗଡିବା ଗଡିବା ହେଲେ ଆରମ୍ଭ ହୋଇଯାଉଥିବ ଗାଁରେ ନାଟକ ରିହରସେଲ। ନାଟକର ସଂଳାପ, କାନ୍ଦ ଓ ଅଟହାସ୍ୟ ଶୁଭିବ ଦୂରକୁ ଦୂର। ଆଖଡା ଘରକୁ ଘେରି ରହୁଥିବେ ଗାଁର ଯେତକ ହ୍ୟାଫ୍‌ ପ୍ୟାଣ୍ଟ ପିନ୍ଧା ଚିଲିରା ଦଳ । ସବୁଠି ଗୋଟେ ଆନନ୍ଦ। ପ୍ରକୃତି, ଗୋରୁ ଓ ମଣିଷ ସମସ୍ତଙ୍କ ଭିତରେ ନୂଆ ଉତ୍ସାହ, ଶାନ୍ତି, ତୃପ୍ତି ଓ ଆନନ୍ଦର ଉଚ୍ଛ୍ବାସ। ଲକ୍ଷ୍ମୀଙ୍କ ଆଗମନକୁ ନେଇ ଘରେ ଘରେ ପ୍ରସ୍ତୁତି। ଘରେ ଘରେ ଜାକଜମକ। ଠାଏ ଠାଏ ଝଡ଼ି ଯାଇ ଘା’ ଭଳି ଖଣ୍ଡିଆ ଦିଶୁଥିବା ମାଟି କାନ୍ଥରେ ମାଆ, ଝିଅ ଓ ବୋହୂ ମିଶି ଲେସି ଦେଉଥିବେ ମାଟି। ମରାମତି ହୋଇଥିବା ମାଟି କାନ୍ଥକୁ ଚୂନ ଦିଆଯାଉଥିବ। କାନ୍ଥର ତଳ ଭାଗରେ ଗେରୁଆ ମାଟିର ଧଡି। ମାଟିଚଟାଣରେ ଗୋବର ଲିପା। ପୁଣ୍ୟ ମାସ କାର୍ତ୍ତିକ ଶେଷ ବେଳକୁ ସରିଯାଇଥିବ ସମସ୍ତ ପ୍ରସ୍ତୁତି। ହବିଷ ପର୍ବ ସରୁ ସରୁ ପହିଲି ମାର୍ଗଶିର ଗୁରୁବାର ପୂର୍ବରୁ ଅଁଳା ଡାଳ, ବେଲ ଡାଳ, ଆମ୍ବ ପତ୍ର, କଦଳୀ ପତ୍ର , ଦୂବ ଘାସ, ଫୁଲଫଳ ସହ ଭଳିକି ଭଳି ପରିବା ଓ ମଞ୍ଜିମଞ୍ଜା ପାଇବା ଲାଗି ସ୍ତ୍ରୀ ଲୋକଙ୍କ ଘୂରି ବୁଲୁଥିବ ଡାହାଣା ଆଖି। ଗାଁରେ ୟାକୁ ତାକୁ କହି ବରାଦ କରିଦେଉଥିବେ କେତେ କ’ଣ ମା’ଙ୍କ ଲାଗି ଅପୂର୍ବ ସମ୍ଭାର। ଗାଁଟା ସାରା ଭାବାବେଗର ଅପୂର୍ବ ରାଗରେ ବିମୋହିତ ହେଉଥିବେ ସମସ୍ତେ। ଯିଏ ଯାହା ପାଇଲା ଅନ୍ୟକୁ ବାଣ୍ଟିକୁଣ୍ଟି ଦେଉଥିବେ ମା’ଙ୍କ ପୂଜା ପାଇଁ। ମେର୍ଦା ବା ଆଟୁରୁ ଓହ୍ଲାଇ ଆସିବ ଜଙ୍କ୍‌ ଲଗା କୋଉ ପୁରୁଣା ପେଡି। ନ ହେଲେ ଓଜନରେ ମାଡିି ହେଉ ଯାଉଥିବା କାଠର ସିନ୍ଦୁକ। ସେଥିରେ ସାଇତା ହୋଇଥିବ ମା’ ଲକ୍ଷ୍ମୀଙ୍କ ଲାଗି ଗୁଆ, ବ୍ରତ, ସ୍ବତନ୍ତ୍ର ବାସନକୁସନ ଓ ପୂଜା ସାମଗ୍ରୀ। ତେନ୍ତୁଳି ଦେଇ ଚକଚକ ହେଉଥିବ ପିତ୍ତଳ ଓ ତମ୍ବାର ସାମଗ୍ରୀ। ପଥୁରିର ବାସନ ଯେମିତି ଖୁସି ହେଉଥିବେ ଗୃହଲକ୍ଷ୍ମୀଙ୍କ ହାତର ପରଶରେ। ଝିଅମାନେ ନିଜ ଘର ଦାଣ୍ଡ ସହ ଆଖପାଖ ଘର ଦାଣ୍ଡରେ ବି ଦେଉଥିବେ ଝୋଟି ଚିତା । ଝୋଟିର କଳାରେ ଅଗଣା, କାନ୍ଥ ଓ ଗାଁ ଦାଣ୍ଡ ଝଟକୁଥିବ। ଘଡିଏ ରାତିରୁ ଉଠି ଘରେ ଘରେ ପ୍ରତି ପାଳି ଅନୁସାରେ ପ୍ରସ୍ତୁତି ହେଉଥିବ କେତେ କ’ଣ ବ୍ୟଞ୍ଜନ।
ନିଷ୍ଠା ଓ ଭକ୍ତିର ନିଦର୍ଶନରେ ପ୍ରତିଫଳିତ ହେଉଥିବ ଗ୍ରାମୀଣ ସାମାଜିକ ଜୀବନ। ଏବେ ଗାଁରେ ହେଉଥିବା ପୂଜାର ପରିଭାଷା ବି ବଦଳି ଗଲାଣି। ସବୁଘର ପକ୍କା ହେଲାଣି। ବେରଙ୍ଗ ହୋଇ ଦିଶୁଥିବ ସ୍ଥାୟୀ ରଙ୍ଗରେ କୋଉକାଳୁ ଦିଆ ହୋଇଥିବା ଝୋଟି ଚିତା। ଠାକୁରଘରେ ରଙ୍ଗିନ ଆଲୁଅ ମାଳା। ମୋବାଇଲ କି ୟୁଟ୍ୟୁବରେ ଶୁଭିବ ଲକ୍ଷ୍ମୀ ପୁରାଣ। ରାଇସ କୁକୁର, ପ୍ରେସର କୁକୁରରେ ତିଆରି ହୋଇଯିବ ଫଟାଫଟ ମା’ଙ୍କ ଲାଗି ପ୍ରସାଦ। ଭକ୍ତି କମ, ଭାବ ଅଧିକ। ପୂଜା କମ, ଚମକ ପ୍ରବଳ। ପ୍ରକୃତି ବି ଆଉ ମଣିଷ ସହ ସାଥୀ ହୋଇପାରୁନି। ହାତ ଛାଡି ଦୂରକୁ ଦୂରକୁ ଚାଲିଯାଉଛି। ବଦଳିଛି ଋତୁଙ୍କ ସମୟ। ଏବେ ଅଚାନକ ବାତ୍ୟା ନ ହେଲେ ଲଘୁଚାପ ବର୍ଷା। ଏଇ କାରଣରୁ ଗ୍ରାମୀଣ କୃଷି ଓ ଜୀବନ ଜୀବିକା ବିପର୍ଯ୍ୟସ୍ତ। କୁହୁଡି ଆସେ ଓ ଯାଏ। ଧାନ କେଣ୍ଡା ବାହାରେ ଓ ଫସଲ ଅମଳ ହୁଏ। ଅଥଚ ପୂଜାପାର୍ବଣର ପୂର୍ବ ରାଗ ମିଳେନି। ସବୁଠି ସବୁ ସମୟରେ କାମ ଚଳା କାର୍ଯ୍ୟ। ତାଳିପକା ଉଦ୍ୟମ। ବିଧ୍ୱସ୍ତ ପ୍ରକୃତି, ବେଖିଆଲି ମଣିଷ, ଦ୍ରୁତ ହ୍ରାସ ପାଉଥିବା ପ୍ରାଣୀ ସଂପଦ ଓ ଉଜୁଡା ସାମାଜିକ ଜୀବନ ଭିତରେ ପୂଜାପାର୍ବଣର ଚମକ ଓ ମହକ ଯେମିତି ଲାଗେ ଫିକା ଫିକା ।
ତଥାପି ମା’ ଲକ୍ଷ୍ମୀଙ୍କୁ ସମସ୍ତଙ୍କର ଅପେକ୍ଷା। ମାଆ ଆସିଲେ ଧରିତ୍ରୀ ହସିବ। ସବୁ ଦୁଃଖ, ରୋଗ, ଶୋକ ଓ ବିପଦ ଟଳିବ। ଆଶା ଏବର ବିଭୀଷିକାମୟ ପୃଥିବୀ ମା’ଙ୍କ ଆଗମନରେ ସ୍ବାଭାବିକ ହେବ। ଜୀବନ ଓ ଜୀବିକା ଖେଳି ଉଠିବ !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା, ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri