ହେଲା ତଲାକ୍‌

ସମ୍ପଦକୀୟ/ତଥାଗତ ସତପଥୀ
ଖୁସିର କଥା ଯେ, ଭାଜପା ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ଚାହୁଁଥିଲେ ତାହା କରାଇପାରିଲେ। ୩୦ ଜୁଲାଇ ୨୦୧୯ରେ ରାଜ୍ୟ ସଭାରେ ତିନି ତଲାକ୍‌ ବିଲ୍‌ ଗୃହୀତ ହେବା ପରେ ଏହା ଖୁବ୍‌ଶୀଘ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଯିବ। ସାମାଜିକ ଦିଗରୁ ଦେଖିଲେ ଭାରତରେ ମୁସଲମାନ ମହିଳାଙ୍କ ପ୍ରତି ହେଉଥିବା ଅବିଚାରର ଅନ୍ତ ଘଟିପାରେ ବୋଲି ଚିନ୍ତା କରିହେଉଛି। ସେହି ସମ୍ପ୍ରଦାୟ ପୁରୁଷଙ୍କର ବିବାହ ସମ୍ପର୍କରେ ଏକତରଫା ଅତ୍ୟଧିକ କ୍ଷମତା ନିଶ୍ଚିତ ଭାବେ ନାରୀ ସମାଜ ବିରୋଧୀ। ବିବାହ କରିବା ପରେ ଅତି ସହଜରେ ତିନି ଥର ‘ତଲାକ୍‌, ତଲାକ୍‌, ତଲାକ୍‌’ କହିଦେଇ ପାରିବାରିକ ବନ୍ଧନକୁ ଧ୍ୱଂସ କରିଦେବାର କ୍ଷମତା କୌଣସି ଧର୍ମ ଦ୍ୱାରା ଗୃହୀତ ହେବା ଉଚିତ ନୁହେଁ। ସେଥିପାଇଁ ମୋଦିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରାଯିବା ଉଚିତ। କିନ୍ତୁ କାହାଣୀ ସେଇଠି ଶେଷ ହେଉନାହିଁ। ପୂର୍ବରୁ ଏହି ସ୍ତମ୍ଭରେ ଅନେକଥର ଲେଖିଆସିଛୁ ଯେ, ଭାରତରେ ଉଗ୍ରବାଦୀ ଆକ୍ରମଣ ଘଟାଉଥିବା ଯୁବକମାନଙ୍କୁ ମୁସଲମାନ ସମ୍ପ୍ରଦାୟର ନେତୃବୃନ୍ଦ ସମାଲୋଚନା କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିିଲାଣି। ସେତେବେଳେ ନିଷ୍କ୍ରିୟ ରହିଥିବା ମୁସଲମାନ ସମ୍ପ୍ରଦାୟର ଆଗୁଆ ଧାଡ଼ିର ନାଗରିକମାନେ ଏବେକାର ପରିସ୍ଥିତିକୁ ଅତି ଭଲ ଭାବେ ବୁଝିପାରୁଥିବେ। ଶାହ ବାନୋ ଘଟଣାକୁ ଅତିରଞ୍ଜିତ କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉପରେ ଚାପ ପକାଇଥିବା ଇସ୍‌ଲାମୀୟ ନେତାଙ୍କ କାର୍ଯ୍ୟର କୁପ୍ରଭାବ ଏବେ ସେହି ସମ୍ପ୍ରଦାୟକୁ କେତେକାଂଶରେ ପ୍ରଭାବିତ କରୁଛି। ନିକଟ ଅତୀତରେ ଅନେକ ଘଟଣାକୁ ଦେଖିଲେ ମୁସଲମାନ ସମ୍ପ୍ରଦାୟରେ ଭୟ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ପୂର୍ବରୁ କୁହାହୋଇ ଆସିଛି ଯେ, ଅନ୍ୟାୟକୁ ନୀରବତାର ସହ ସହିନେଲେ ସେହିଭଳି ବା ତା’ଠାରୁ ବଡ଼ ଅନ୍ୟାୟ ନିଜ ଉପରେ ଘଟିବାର ସୁଯୋଗ ସୃଷ୍ଟି ହୋଇଯାଏ। ଆଜି ମୁସଲମାନ ସମ୍ପ୍ରଦାୟ ସେହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତିକରୁଛି।
ଏଭଳି ପ୍ରଚ୍ଛଦପଟରେ ଯେତେବେଳେ ସମ୍ବିଧାନର କେତୋଟି ଅନୁଚ୍ଛେଦକୁ ଦେଖାଯିବ, ସେତେବେଳେ ବୁଝାପଡୁଛି ଯେ କଶ୍ମୀର ପ୍ରତି ଏକତରଫା ସୁବିଧା ଯୋଗାଇବା ପାଇଁ ସେଗୁଡ଼ିିକ ଲେଖାଯାଇଥିଲା। କିନ୍ତୁ ତା’ର କୌଣସି ସମୟସୀମା ଉଲ୍ଲେଖ କରାଯାଇ ନ ଥିବା ହେତୁ ଏବେକାର ଶାସକମାନେ ସେହି ଦିଗକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଦେଖିବାକୁ ଗଲେ ଜମ୍ମୁ ଓ କଶ୍ମୀରକୁ ବାଦ୍‌ ପକାଇଲେ ଭାରତର ଅନ୍ୟସବୁ ଅଞ୍ଚଳ ଏବେ ମଧ୍ୟ ଅତ୍ୟନ୍ତ ଅନୁନ୍ନତ। ଏପରିକି ଦିଲ୍ଲୀ ଏବଂ ବମ୍ବେ ଭଳି ବୃହତ୍‌ ନଗରୀରେ ଶୁଦ୍ଧ ପାନୀୟ ଜଳର ଅଭାବ, ନିମ୍ନମାନର ବିଦ୍ୟୁତ୍‌ ଶକ୍ତି ସଂଯୋଗ ସେଠାକାର ନାଗରିକଙ୍କୁ ବ୍ୟତିବ୍ୟସ୍ତ କରୁଛି। ସେହିପରି ପ୍ରବଳ ବର୍ଷା ହେଲେ ସହରର ଅନେକ ଅଂଶ ବୁଡ଼ିିଯାଇ ବିଚ୍ଛିନ୍ନ ହୋଇଯାଉଛି। ଆସାମ ଏବଂ ବିହାରରେ ପ୍ରବଳ ବନ୍ୟାରେ ଲୋକଙ୍କ ପ୍ରାଣହାନି ଘଟୁଥିବା ସମୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଭଳି ରାଜ୍ୟରେ ମରୁଡ଼ିି ଓ ଜଳାଭାବ ମୁଣ୍ଡ ଟେକିଛି। ଏଠାରେ କୃଷି ସମସ୍ୟା କିମ୍ବା ଯୁବକଙ୍କ ହାତରେ କାମ କିଭଳି ଯୋଗାଇ ଦିଆଯାଇପାରିବ ସେ ନେଇ ଚିନ୍ତା କରିବାକୁ କାହାରି ମନ ବଳୁନାହିଁ। ମନେହେଉଛି ଯେପରି ସମସ୍ତେ ଏବେ ପ୍ରକୃତ ସମସ୍ୟାକୁ ଭୁଲିଯାଇ ଏକ ମରୀଚିକା ପଛରେ ଧାଉଁଛନ୍ତି। ସେହି ମରୀଚିକା ମଧ୍ୟ ଏବେ ଅବାସ୍ତବ ଲାଗିଲାଣି।
ସମଗ୍ର ପୃଥିବୀରେ ଏବେ ଏକ ବିଶାଳ ଅର୍ଥନୈତିକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତା’ର ଜ୍ୱଳନ୍ତ ପ୍ରତିଫଳନ ଦେଖିବାକୁ ମିଳିଛି ଆମେରିକା ଓ ଚାଇନା ମଧ୍ୟରେ ଘଟୁଥିବା ବାଣିଜ୍ୟ ଯୁଦ୍ଧରୁ । ପଶ୍ଚିମ ୟୁରୋପରେ ଥିବା ୟୁରୋପୀୟ ସଂଘରୁ ବ୍ରିଟେନର ବିଦାୟ (ବ୍ରେକ୍‌ଜିଟ୍‌)କୁ ନେଇ ଅନ୍ୟ ଏକ ବିରାଟକାୟ ସମସ୍ୟା ସୃଷ୍ଟି ହେଲାଣି। ଏସବୁ ଦ୍ୱନ୍ଦ୍ୱ ପଛରେ ଅର୍ଥନୈତିକ କାରଣ ଦାୟୀ। ପୃଥିବୀର ସବୁ ଦେଶରେ ଅର୍ଥନୈତିକ ଅଗ୍ରଗତିକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଭାରତରେ ଆମେ ଏକ ଭିନ୍ନ ସ୍ରୋତରେ ଭାସିବାକୁ ଚାହୁଁଛୁ। ସହରାଞ୍ଚଳର କେତେକ ବାସିନ୍ଦାଙ୍କ ସମେତ ବିଦେଶରେ ବସବାସ କରୁଥିବା ଅନେକ ଭାରତୀୟଙ୍କ ଅହଂଭାବକୁ ସନ୍ତୁଷ୍ଟ କରିବା ପାଇଁ ଆମ ସରକାର ଚନ୍ଦ୍ରୟାନ-୨ ରକେଟ୍‌ ପଠାଇ ଜହ୍ନରେ ଜଳର ସନ୍ଧାନ କରିବେ ବୋଲି କହୁଛନ୍ତି। ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ସଫଳ ପ୍ରୟାସ। ଆମର ବି ଛାତି କୁଣ୍ଢେମୋଟ ହୋଇଯାଏ ଚନ୍ଦ୍ରୟାନ ଭଳି ଖବର ଶୁଣିକରି। କିନ୍ତୁ ଦୁଇ ମିନିଟ୍‌ ନୀରବ ବସିଲେ ମନକୁ ଚିନ୍ତା ଆସେ ଏହାର ଉପକାର ଜନସାଧାରଣ କେମିତି ପାଇବେ। ଭାରତ ଭଳି ଏକ ଗରିବ ଦେଶ କେବେହେଲେ ଆବେଗିକ ସ୍ରୋତରେ ଭାସିଯିବା କଥା ନୁହେଁ। କିନ୍ତୁ ଏବେ ତାହାକୁ ସଫଳତାର ସହ କରାଇ ଦିଆଯାଇପାରୁଛି। ନିଜର ଜୀବନ ମାଟି ହୋଇଯାଉ ପଛେ ଦେଶର ଉନ୍ନତି ହେଉଛି ବୋଲି ଯାହା କୁହାଯାଉଛି ତାହା ସତ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସ୍ବୀକାର କରିବାକୁ ହେବ ଯେ, ବାସ୍ତବ ପୁଞ୍ଜିବାଦ ଚିନ୍ତାଧାରାରେ ଯାହା କୁହାଯାଏ ତାହା ସମ୍ପୂର୍ଣ୍ଣ ସତ। ପୁଞ୍ଜିବାଦର ମୌଳିକ ଆଧାର ହେଲା ସମ୍ପୂର୍ଣ୍ଣ ସ୍ବାଧୀନତା ସହିତ ବ୍ୟକ୍ତିବିଶେଷର ଆର୍ଥିକ ଉନ୍ନତି। ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ଜୀବନରେ ଅର୍ଥନୈତିକ ବିକାଶ ହୋଇପାରି ନାହିଁ, ସେ ପର୍ଯ୍ୟନ୍ତ ଦେଶର ମଙ୍ଗଳ ହେବା ସମ୍ଭବପର ନୁହେଁ। ଯେଉଁମାନେ ଦାବି କରନ୍ତି ଯେ କଷ୍ଟ ସହିଲେ ଦେଶର ପ୍ରଗତି ଘଟିବ, ସେମାନେ ଭୁଲ ଚିନ୍ତାଧାରାର ବଶବର୍ତ୍ତୀ ହୋଇଥାଆନ୍ତି। ପ୍ରତ୍ୟେକ ନାଗରିକର ଆର୍ଥିକ ସ୍ବଚ୍ଛଳତା ସହ ସାମାଜିକ ସୁରକ୍ଷା ଯୋଗାଇ ଦେଇପାରୁଥିବା ସରକାର ଉଚିତ ଢଙ୍ଗରେ ଶାସନ କରୁଛି ବୋଲି କୁହାଯାଇପାରିବ। ଆଇନ ବ୍ୟବସ୍ଥାରେ କୁହାଯାଏ ଯେ ଦଶଜଣ ଅପରାଧୀ ପଛେ ଖସିଯାଆନ୍ତୁ, କିନ୍ତୁ ଜଣେ ନିର୍ଦ୍ଦୋଷ ଦଣ୍ଡିତ ନ ହେଉ। ଆଇନର ଏହି ପରିଭାଷାକୁ ଆଜିର ଭାରତୀୟ ସମାଜରେ ଏକ ଭିନ୍ନ ଢଙ୍ଗରେ କହିହେବ। ଶହେ ଧନୀ ପଛେ କଷ୍ଟ ପାଆନ୍ତୁ, ଗୋଟିଏ ଗରିବ ଦୁଃଖୀ ନ ରହୁ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?