ଆମ ଭାଷା ଓ ଶବ୍ଦ

ଅରୁଣ ଦାସ
ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍‌ବୁକ୍‌ ଓ ହ୍ବାଟ୍ସଆପ୍‌ ପରି ସାମାଜିକ ଗଣମାଧ୍ୟମରେ ଲେଖାମାନ ଲେଖୁଥିବାର ଦେଖିବାକୁ ମିଳୁଛି। ଗଳ୍ପ, କବିତା, ପ୍ରବନ୍ଧ ଓ ଖବର ପରିବେଷଣର ମାତ୍ରା ବୃଦ୍ଧିହେବା ନିଶ୍ଚିତ ଆମ ଭାଷା ପାଇଁ ଶୁଭଙ୍କର। ଏହା ସହ ଚାରିଆଡେ କବିସମ୍ମିଳନୀ, ଲେଖକସମ୍ମିଳନୀ ଓ କବିତାପାଠୋତ୍ସବ ଇତ୍ୟାଦି ଅନୁଷ୍ଠିତ ହୋଇ ଲୋକାଦୃତ ହୋଇପାରୁଛି। କବି ଓ ଲେଖକମାନେ ପୁରସ୍କାର ସାଉଁଟି ସାମାଜିକ ପ୍ରତିଷ୍ଠା ବି ଲାଭ କରୁଛନ୍ତି। କିନ୍ତୁ ପାଠକେ ଥରେ ବିଚାର କଲେ ଏବେକାର ଏଇ ଲେଖାରେ କେତେ ମର୍ମାର୍ଥ ରହୁଛି? କବିମାନେ ନିଜ ଦର୍ଶନ ନିଜେ ହିଁ ବୁଝୁଛନ୍ତି। କବିତାଟିଏ ଯଦି ଅନ୍ୟର ବୋଧଗମ୍ୟ ହେଲା ନାହିଁ, ତେବେ ସେ କବିତା ସୃଷ୍ଟି ନିରର୍ଥକ ନୁହେଁ କି?
ଏବେ ଅନେକ ତତ୍ସମ ଶବ୍ଦ ଲୁପ୍ତ ହେବାକୁ ବସିଲେଣି। କାରଣ ଏଗୁଡ଼ିକ ଆଜିର କବି ଓ ଲେଖକମାନଙ୍କ କଲମରେ ଉତୁରୁନାହାନ୍ତି। ସୂର୍ଯ୍ୟଙ୍କୁ କେବଳ ସୂର୍ଯ୍ୟ କୁହାଯାଉଛି। ଏହା ବଦଳରେ କେହି ବି ତା’ର ପ୍ରତିଶବ୍ଦ ଦିବାକର, ଭାସ୍କର, ତପନ, ସବିତା କିମ୍ବା ରବି ବୋଲି ଆଉ ଲେଖୁନାହାନ୍ତି। ଚନ୍ଦ୍ର କେବଳ ଜହ୍ନ ଭିତରେ ସୀମିତ ରହୁଛି। କେହି ବି ଶଶୀ, ଶଶାଙ୍କ, ସୀତାଂଶୁ ପରି ଶବ୍ଦ ବ୍ୟବହାର କରୁନାହାନ୍ତି। ସେହିପରି ପୃଥିବୀ ବଦଳରେ କେହି ବି ଧରିତ୍ରୀ, ଧରଣୀ, ଧରା, ବସୁନ୍ଧରା, ବସୁଧା ଓ ମହୀ ଇତ୍ୟାଦି ନଁା ଧରୁନାହାନ୍ତି। ଆକାଶକୁ କେବଳ ଆକାଶ ଭାବେ ଲେଖା ଯାଉଥିବା ବେଳେ ନଭ, ଗଗନ ଓ ଅମ୍ବର ଆଉ କାହା ଗୋଚରରେ ରହୁନାହିଁ। ସମୁଦ୍ରକୁ ଆଉ ପୂର୍ବ ଲେଖା ପରି, ବାରିଧି, ବାରାନିଧି, ରତ୍ନାକର ରୂପରେ ନ ଲେଖାଯାଇ କେତେବେଳେ କେଉଁଠି କେବଳ ସାଗର ଓ ସିନ୍ଧୁର ସାମାନ୍ୟ ବ୍ୟବହାର କରାଯାଉଛି। ଆଜିକାର କବି ଓ ସାହିତି୍ୟକ କହୁଛନ୍ତି, ଆମେ ହେଲୁ ଆଧୁନିକ କବି ଓ ଲେଖକ, ସେ ପୁରୁଣାକାଳିଆ ଢାଞ୍ଚା ଆଉ ଚଳିବନି।
ଉଚ୍ଚକୋଟୀର ଲେଖା ସର୍ବଦା କାଳଜୟୀ ଓ ଚିରନ୍ତନ। ସେଥିରେ ପୁରୁଣାର ଗନ୍ଧ ଆସିବ କୁଆଡୁ? କବି ଗଙ୍ଗାଧର ମେହେର ବହୁବର୍ଷ ପୂର୍ବେ ତାଙ୍କ ତପସ୍ବିନୀ କାବ୍ୟରେ ଲେଖିଥିଲେ, ”ମଙ୍ଗଳେ ଅଇଲା ଉଷା, ବିକଚ ରାଜୀବଦୃଶା, ଜାନକୀଦର୍ଶନ ତୃଷା ହୃଦୟେ ବହି, କରପଲ୍ଲବେ ନୀହାର ମୁକ୍ତା ଧରି ଉପହାର ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି, କଳକଣ୍ଠ କଣ୍ଠେ କହିଲା, ଦରଶନ ଦିଅ ସତି ରାତି ପାଳିଲା।“ (ରାଗ-ଚୋଖି)। କେତେ ଅପୂର୍ବ ଲାଳିତ୍ୟପୂର୍ଣ୍ଣ ବର୍ଣ୍ଣନା ସତରେ! ଏହି ପଦ୍ୟକୁ ଆମେ କ’ଣ ପୁରୁଣାକାଳିଆ ବୋଲି କହିପାରିବା? ସେହିପରି ଚିଲିକାର ରୂପକାନ୍ତିରେ ମୁଗ୍ଧହୋଇ ରାଧାନାଥ ରାୟ ଲେଖିଥିବା ”ଉତ୍କଳ କମଳା ବିଳାସ ଦୀର୍ଘିକା, ମରାଳମାଳିନୀ ନୀଳାମ୍ବୁ ଚିଲିକା। ଉତ୍କଳର ତୁହି ଚାରୁ ଅଳଙ୍କାର, ଉତ୍କଳ ଭୁବନେ ଶୋଭାର ଭଣ୍ଡାର। ଏତେ ଛବି ଯେଣୁ ଏକାଧାରେ ଠୁଳ, ଛବିଳ ଉତ୍କଳେ ତୋ ଛବି ଅତୁଳ।“ ନିଶ୍ଚିତ ଭାବରେ କାଳଜୟୀ ହୋଇରହିଛି, ରହିଥିବ ମଧ୍ୟ। କିନ୍ତୁ ବିଡମ୍ବନା, ଆଜିର ଦିନରେ ଓଡ଼ିଆ କବିମାନଙ୍କ ପାଖରେ ଏପରି ଶବ୍ଦ ସବୁ ବ୍ୟବହାର କରିବାର ଜମାରୁ ଦେଖିବାକୁ ମିଳୁନାହିଁ। ଏମାନଙ୍କ ପାଖରେ ଉଚ୍ଚକୋଟୀର କବିତା ସୃଷ୍ଟି କରିବାର ଦକ୍ଷତା ରହିଛି। କିନ୍ତୁ ନିଜସ୍ବଶୈଳୀରେ ଅଧିକରୁ ଅଧିକ ଓଡ଼ିଆ ଭାଷାର ମାଧୁର୍ଯ୍ୟଭରା ଶବ୍ଦସବୁକୁ ଆଣି କବିତାଗୁଡ଼ିକରେ ଛନ୍ଦିଲେ ଆମ ଭାଷା ଓ ସାହିତ୍ୟ ପରିପୁଷ୍ଟ ହୁଅନ୍ତା କି ନାହିଁ? ଗୋପବନ୍ଧୁ ଲେଖିଥିଲେ- ‘ରହ ରହ କ୍ଷଣେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ।’ କିନ୍ତୁ ସେଇ ପଦ୍ୟକୁ ଏ ସମୟର ଜଣେ କବି ବୋଧହୁଏ ଏହିପରି ଲେଖିଥାଆନ୍ତେ- ‘ରହ ରହ ଟ୍ରେନ୍‌ ଟିକେ, ଦେଖିବି ମୁଁ ଚିଲିକାର ସୁନ୍ଦର ଦୃଶ୍ୟକୁ।’ ଏଥିରେ କେଉଁ ରଚନାର ଶବ୍ଦ ଅଧିକ ହୃଦୟକୁ ଛୁଉଁଛି, ଏହା ଆପଣମାନେ ଭଲ ଭାବରେ ଅନୁମାନ କରିପାରୁଥିବେ। ଧୀରେ ଧୀରେ ଏହିପରି ଶବ୍ଦ ସବୁ ଆଉ ବ୍ୟବହୃତ ନ ହୋଇ ଅଲୋଡ଼ା ହେବାକୁ ବସିଲେଣି। ହୁଏ ତ ଦିନ ଆସିବ ଏଇ ଶବ୍ଦ ସବୁ ପୂରାପୂରି ଲୋପ ପାଇଯିବେ। ବହୁ ପୁରାତନ ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏଥିନେଇ ଆମେ ଗର୍ବ କରୁଛେ। କବି ଓ ଲେଖକ ସମ୍ମିଳନୀ କରୁଛେ। କିନ୍ତୁ ଅସଲ ଉଦ୍ଦେଶ୍ୟ ରହୁଛି, ପୁରସ୍କାର କେମିତି ହାତେଇବା। ଭାଷାକୁ ସମୃଦ୍ଧ କରିବା କେବଳ ପ୍ରଚାର ପ୍ରସାରସର୍ବସ୍ବ ହେଉଛି। କିନ୍ତୁ ଅସଲରେ ଆମ ମାତୃଭାଷା ଓଡ଼ିଆର ବିକଳାଙ୍ଗ ରୂପ ଜଳ ଜଳ ହେଇ ଦିଶିବାକୁ ଲାଗିଲାଣି। କିଛି ଲୋକ ଭାବୁଛନ୍ତି କଠିନ ପରିଶ୍ରମ କରି ଅର୍ଥ ରୋଜଗାର କରିବା ଓ ସ୍ବଚ୍ଛଳ ଜୀବନ ଜିଇବା। ଭାଷା ସଂସ୍କୃତିରୁ କ’ଣ ଆମର ପେଟ ପୂରିବ! ଗୋଟିଏ ଜାତିର ଭାଷା ହିଁ ତା’ର ପରିଚୟ। ପରିଚୟ ହଜିଗଲେ ମଣିଷ ସାମାଜିକ, ଆର୍ଥିକ ସ୍ତରରେ ନିମ୍ନଗାମୀ ହୁଏ। ଧୀରେ ଧୀରେ ନିଜର ଅସ୍ତିତ୍ୱ ହଜିବା ଆରମ୍ଭ ହୁଏ। ଖ୍ରୀଷ୍ଟଜନ୍ମର ବହୁ ପୂର୍ବରୁ ଯେତେବେଳେ ଓଡ଼ିଆ ସାଧବପୁଅମାନେ ଇଣ୍ଡୋନେସିଆର ଜାଭା, ସୁମାତ୍ରା, ବାଲି ଓ ସିଂହଳ ଆଦି ଦେଶକୁ ନୌବାଣିଜ୍ୟ କରିବାକୁ ଯାଇ ମାସ ମାସ ଧରି ସମୟ ବିତାଉଥିଲେ, ସେତେବେଳେ ଆମ ଓଡ଼ିଆ ଭାଷା, ସଂସ୍କୃତି ଓ ଚଳଣିର ଛାପ ସେମାନଙ୍କ ଉପରେ ବହୁମାତ୍ରାରେ ପଡ଼ିଥିଲା। ଏବେ ବାଲିଦ୍ୱୀପର କିଛି ଅଞ୍ଚଳରେ ଲୋକ ବାପାଙ୍କୁ ବାପା ବୋଲି ଡାକିବା ଓ ଜାଭାରେ ବୋଉକୁ ବୋଉ ବୋଲି ଡାକିବା ପ୍ରଚଳିତ ହେଉଛି ବୋଲି ଗବେଷକମାନେ ମତଦିଅନ୍ତି। କିନ୍ତୁ ଦୁଃଖର କଥା ଏବେର ପିଢ଼ିି ନିଜ ଇତିହାସର ସାଧବପୁଅ ଓ ତଅପୋଇ କାହାଣୀକୁ ଭୁଲି କବିତାର ଶୀର୍ଷକ ରଖୁଛି ଷ୍ଟିକର, ଟୁଥ୍‌ପେଷ୍ଟ, କାନ୍‌ଭାସ୍‌, ଟାଇମ୍‌ ପାସ୍‌, ସେଲ୍ଫି , ଜିନ୍ଦେଗୀ, ତସ୍‌ବୀର ଓ ଫୁଲ୍‌ ମୁନ୍‌, ନିଉ ମୁନ୍‌ ଇତ୍ୟାଦି। ନିଜ ଭାଷାର ପ୍ରତିଶବ୍ଦ ସବୁ ଖୋଜି ବ୍ୟବହାର କରିବା ବଦଳରେ ଅନ୍ୟ ଭାଷାର ଶବ୍ଦ ଉପରେ ବେଶି ଦୃଷ୍ଟି ଦିଆଯାଉଛି। ଏମିତି ଭାଷା ଓ ସାହିତ୍ୟ ସାଧନାକୁ କେହି ଆଧୁନିକତା ବୋଲି କହିବେନି। ଏହା ନିଜକୁ ଓ ନିଜ ଭାଷା ସାହିତ୍ୟକୁ ଅଧୋଗତି ଆଡକୁ ଟାଣିନେବାର ମୂର୍ଖାମି ହେବ।
ପତରପଡ଼ା, ବରମୁଣ୍ଡଳୀ, ଜଗତ୍‌ସିଂହପୁର, ମୋ-୭୮୭୩୭୧୯୦୫୬


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri