ଶିକ୍ଷାରେ ବ୍ୟବସାୟ

ସହଦେବ ସାହୁ
ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ ବା ରେଡିଓରେ କମର୍ସିଆଲ୍‌ ବ୍ରେକ୍‌ ସମୟତକ ବି ସେମାନେ ନେଇନିଅନ୍ତି। ବିଜ୍ଞାପନଦାତା ଭାବିନିଏ ଦେଖଣାହାରି ବା ଶ୍ରୋତା ତାହାରି ବିଜ୍ଞାପନ ଦେଖୁଛି ବା ଶୁଣୁଛି; ମିଳାଇ ଦେଖିବାର ବା ଶୁଣିବାର ସମୟ ତା’ର ନାହିଁ। ଏ ସବୁ ବିଜ୍ଞାପନ ଅଜଣା ବା ଅଜ୍ଞାନ ଲୋକଙ୍କୁ ସୂଚନା ବା ଜ୍ଞାନ ଦେବାକୁ ନୁହେଁ ବରଂ ପାଠକକୁ ଭୁଆଁ ବୁଲାଇବାକୁ ହୋଇଥାଏ। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପାଖରେ ବଜେଟ୍‌ରେ ବିଜ୍ଞାପନ ପାଇଁ ବରାଦ ନ ଥାଏ। ଯେଉଁ ସରକାରୀ କଲେଜ ବା ବିଶ୍ୱବିଦ୍ୟାଳୟ ପିଲାମାନଙ୍କ ପଇସାରେ ପଢ଼ାଇବାର ପାଠ୍ୟକ୍ରମ (ସେଲ୍ଫ ଫାଇନାନ୍‌ସିଂ କୋର୍ସ) ଚାଲୁ କରିଛନ୍ତି ସେମାନେ ବିଜ୍ଞାପନର ସାହାଯ୍ୟ ନିଅନ୍ତି।
ଆଡ୍‌ମିସନ କମିଗଲେ ଆସନ ସଂଖ୍ୟା ଖାଲି ପଡିଯିବ, ତେଣୁ ବ୍ୟବସାୟ ମାନ୍ଦା ହେବ, ଲାଭ ହେବ ନାହିଁ। ଆଇନତଃ ଶିକ୍ଷାୟତନଗୁଡିକ ସୋସାଇଟି ବା ଟ୍ରଷ୍ଟ (ନ୍ୟାସ) ଦ୍ୱାରା ଚାଳିତ। ଲାଭ ଏହାର ଉଦ୍ଦେଶ୍ୟ ନୁହେଁ, ସାମାଜିକ ସେବା ଲକ୍ଷ୍ୟ। ଅର୍ଥାତ୍‌ ଶିକ୍ଷାୟତନକୁ ଚଳାଉଥିବା ଲୋକ (ମାଲିକ) ପଇସାଟିଏ ନିଜ ପକେଟକୁ ନେବା କଥା ନୁହେଁ। ତଥାପି କ୍ୟାପିଟେଶନ ଫି’ କାହିଁକି ନିଆଯାଉଛି? ପିଲାମାନଙ୍କଠାରୁ ସରକାରୀ ରେଟ୍‌ଠାରୁ କାହିଁକି ଅଧିକ ନିଆଯାଉଛି? ବିଭିନ୍ନ ଆଳରେ ଫି’ ନାଁ ଦେଇ ନିଆଯାଉଥିବା ଟଙ୍କାର ରସିଦ ଶିକ୍ଷାନୁଷ୍ଠାନର ଖାତାକୁ ଉଠୁନାହିଁ କାହିଁକି? ଆୟକର ବିଭାଗ ଧରିବାକୁ ଆସିଲେ ସେମାନଙ୍କୁ ଲାଞ୍ଚ (ତାଙ୍କ ପିଲାର ଆଡ୍‌ମିସନ ଆକାରରେ ହେଲେ ବି) ଦିଆଯାଉଛି କାହିଁକି? ପରିଚାଳକ ବା ମାଲିକର ଲାଭ ଲୁଚାଇବା ଲାଗି ଏ କାମ ଯେଉଁମାନେ କରୁଛନ୍ତି, ତାହା କ’ଣ ସରକାରଙ୍କୁ ଅଛପା ନା ନେତାମାନଙ୍କୁ ଅଜଣା? ଅଧିକାଂଶ ପରିଚାଳକ ତ ରାଜନୈତିକ ନେତା! ପୁଣି ଲାଭ ଏତେ ଯେ ଏକାଧିକ ଶିକ୍ଷାନୁଷ୍ଠାନ ଚଳାନ୍ତି। ଆଗକାଳରେ ଲୋକେ ଶିକ୍ଷାଳୟ ବସାଉଥିଲେ ଧର୍ମ କାମ ପାଇଁ; ଏବେ ଲୋକେ ବସାଉଛନ୍ତି ଟଙ୍କା ପାଇଁ। ଲାଭର ଅନ୍ୟ ଏକ ଦିଗ ହେଲା ଆସନ ବା ସିଟ୍‌ ଫାଙ୍କା ନ ରହୁ।
ଧନୀ ଲୋକ ତା’ର ପିଲାକୁ ଆଡ୍‌ମିସନ କରାଇବାକୁ ପରୀକ୍ଷାଫଳ ବାହାରିବା ପୂର୍ବରୁ ବି ସିଟ୍‌ ରଖିନିଏ, ସେ ପିଲାଟି ଖାଲି ଉଚ୍ଚ ମାଧ୍ୟମିକ ପାସ୍‌ କଲେ ହେଲା, ମେରିଟ୍‌ ଦରକାର ନାହିଁ। ଜେଇଇ ଭଳି ପରୀକ୍ଷାରେ ଯିଏ ପରୀକ୍ଷା ଦେଇଥିବ ସେ ଶୂନ ପାଇଥିଲେ ବି ତାକୁ ର଼୍ୟାଙ୍କ୍‌ କୁହାଯିବ ଏବଂ ପରୀକ୍ଷା ଦେଇଛି ମାନେ ଖାତାରେ କିଛି ନ ଲେଖିଥିଲେ ବି କଲେଜରେ ଆଡ୍‌ମିସନ ପାଇବାକୁ ଯୋଗ୍ୟ। ବାକିଥାଏ କେବଳ ଟଙ୍କା ଦେବାର ସାମର୍ଥ୍ୟ। ଟଙ୍କା ଦେଇ ନ ପାରିବା ହିଁ ଜେଇଇ ଫେଲ୍‌ ସଙ୍ଗେ ସମାନ। ଏଣୁ ଶିକ୍ଷାରେ ଚରିତ୍ର ଗଠନ କରାଯାଉ ନାହିଁ; ଠକାମି ଓ ପ୍ରବଞ୍ଚନାର ଢାଞ୍ଚା ପିଲାମାନଙ୍କୁ ଦେଖାଇ ଦିଆଯାଉଛି। ଉଚ୍ଚତର ମାର୍କ ପାଇବା ପାଇଁ, ଭଲ ଭାବେ ପାସ୍‌ କରିବାକୁ ଲାଞ୍ଚ ଦେବା ଅଭ୍ୟାସ ପିଲାଙ୍କୁ ଶକ୍ଷା ଦିଆଯାଏ, ଅନ୍ତତଃ ପିଲାଟି ବାପାମା’ ଲାଞ୍ଚ ଦେଉଥିବା କଥା ବି ଜାଣେ। ଦିନେ ଏମାନେ ଉପରକୁ ଉଠି ସମାଜକୁ ନିୟନ୍ତ୍ରଣ କରିବେ, ତେଣୁ ସମାଜରେ ଲାଞ୍ଚମିଛ, ଠକାମି କିପରି କମିବ? ପିଲା ତ ଲାଞ୍ଚମିଛ, ଠକାମି ଆବହାୱାରେ ପଢିଛି!
ସରକାରୀ କଲେଜ ଓ ୟୁନିଭର୍ସିିଟିରେ ପ୍ଲେସ୍‌ମେଣ୍ଟ ସେଲ୍‌ ବା ଚାକିରି ଯୋଗାଇବା କକ୍ଷ ନ ଥାଏ। ପିଲା ତା’ର ମେରିଟ୍‌ରେ ଚାକିରି ପାଏ। କିନ୍ତୁ ଘରୋଇ ବା ବେସରକାରୀ ଶିକ୍ଷା ବ୍ୟବସ୍ଥାରେ ପ୍ଲେସ୍‌ମେଣ୍ଟ ସେଲ୍‌ ଥାଏ। କମ୍ପାନୀମାନଙ୍କ ମର୍ଜି ଉପରେ ପିଲାଙ୍କୁ ନିଆଯାଏ। ପାଠପଢାର ମାନ ବଦଳରେ ଶିକ୍ଷକଙ୍କୁ ଧରି ଭଲ ଫଳ କରିଥିବା ପିଲା ଚାକିରି ପାଇଯାଏ।
ବ୍ୟବସାୟିକ ଶିକ୍ଷାନୁଷ୍ଠାନ ଗରିବବିରୋଧୀ। ସେମାନେ ସାମାଜିକ ଅସମାନତା ବଢାନ୍ତି। ଯେଉଁ କେତେକ ଗରିବ ପିଲା ଋଣ ନେଇ ପାଠ ପଢନ୍ତି, ସେମାନେ ଧନୀ ପିଲାଠାରୁ ବେଶି କଷ୍ଟ କରନ୍ତି। ଋଣ ନ ନେଇ ପଢ଼ୁଥିବା ପିଲା ନିଜେ କଲେଜ ପାଉଣା ଦିଏ ନାହିଁ। ଋଣ କରି ପଢିଥିବା ପିଲା ଚାକିରି କଲେ ଶୁଝିବ, ତାହାର ଡିଗ୍ରୀର ଦାମ୍‌ ଧନୀ ପିଲାର ଡିଗ୍ରୀଠାରୁ ବହୁଗୁଣରେ ମହଙ୍ଗା ପଡିଥାଏ। ଋଣଗ୍ରସ୍ତ ପିଲା ଚାକିରି ପାଇଲା କ୍ଷଣି ଋଣ ପରିଶୋଧ ଚିନ୍ତା ତାକୁ ମାଡିବସେ। ଯେଉଁଠି ଯେତେ ଖଟିବ ସେତେ ପଇସା ପାଇବ, ସେଇଠିକି ଗରିବ ପିଲାଟି ଯାଏ। ସଂରକ୍ଷଣ ନ ଥିବା କାରଣରୁ ଲାଭବାନ ହେଉଥିବା ପିଲାଏ ସଂରକ୍ଷଣ ବିରୋଧରେ କହିବେ। ସରକାର ଶିକ୍ଷା-ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କଲେ ଏ ପ୍ରକାର ଘଟେ ନାହିଁ। ସରକାର ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ବେଶି ଖର୍ଚ୍ଚ କରିବେ ଗରିବମାନେ ସେତେ ବେଶି ଉଠିପାରିବେ। ସୋସିଆଲ୍‌ ମୋବିଲିଟି ବଢିବ, ସମାଜରେ ଅସମାନତା ଦୂର ହେବ।
ରାଇଟ୍‌ ଟୁ ଏଜୁକେଶନ୍‌ ବା ଶିକ୍ଷା ଅଧିକାର ଆଇନ ଏକ ଲୋକଦେଖାଣିଆ ଆଇନ ହୋଇ ରହିଛି। ପିଲାଙ୍କୁ ଘରପାଖରେ ସ୍କୁଲ ନ ଯୋଗାଇ ପିଲା ହେଉନାହାନ୍ତି କହି ସରକାର ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ବନ୍ଦ କରିଦେଉଛନ୍ତି, ଯେଉଁ ରାଜ୍ୟରେ ସ୍କୁଲ ସଂଖ୍ୟା କମି କମି ଯାଉଛି ସେ ରାଜ୍ୟରେ କିପରି ଶିକ୍ଷା ପାଇବାକୁ ଏକ ଆଇନଗତ ଅଧିକାର ବୋଲି କୁହାଯିବ? ବଜେଟ ବଦଖର୍ଚ୍ଚ କମାଇବା ନାଁରେ ସରକାର ନିରକ୍ଷରତା ବଢାଉଛନ୍ତି? ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ କହିଛନ୍ତି ଯେ ୨୦୩୦ ସୁଦ୍ଧା ସବୁ ପୁଅଝିଅମାନେ ମାଗଣା ଏବଂ ସମତାଭିତ୍ତିକ ପ୍ରାଥମିକ ଶିକ୍ଷା ପାଇଁ ବ୍ୟବସ୍ଥା କରିବେ। ପ୍ରତ୍ୟେକ ପିଲା ସ୍କୁଲ ଯିବା ଦରକାର। ବିକାଶଶୀଳ ଦେଶଗୁଡ଼ିକରେ ଶିକ୍ଷକ ଉପସ୍ଥିତ ନ ଥିବା ହାର ଶତକଡା ୧୧ରୁ ୩୦ ଭାଗ। ଶିକ୍ଷକ ନ ଥିଲେ ପଢାହେବ କିପରି? ମଧ୍ୟାହ୍ନ ଭୋଜନ ଯୋଜନା କିଛି ପରିମାଣରେ ପିଲାକୁ ଉତ୍ସାହିତ କରେ; ବହି ନ ଥିବା, ଯନ୍ତ୍ରପାତି ନ ଥିବା, ବିଜୁଳି ନ ଥିବା ଗୃହରେ ଶିକ୍ଷକମାନେ କିପରି ପଢାଇବାରେ ମନ ଲଗାଇବେ? ସ୍କୁଲକୁ ଯାଉଥିବା ପିଲା ପରିବାର ଓ ସମାଜ ପାଇଁ ଭଲ। ଗବେଷଣାରୁ ଜଣାଯାଏ ସ୍କୁଲରେ ବେଶି ଦିନ ରହିଥିବା ପିଲାଙ୍କୁ ଗାଁ ଦୋକାନୀ ଚାକିରି ଦିଏ, ସ୍କୁଲ ଯାଉ ନ ଥିବା ପିଲାକୁ ନୁହେଁ। ସ୍କୁଲ ଯାଉଥିବା ଝିଅର ବିବାହ ଡେରିରେ ହେବା ଓ ପିଲା ଜନ୍ମ କରିବା ଡେରି ହେବା ସମ୍ଭାବନା ବଢିଯାଏ। ସ୍କୁଲ ୟୁନିଫର୍ମ ପିନ୍ଧୁଥିବା ଝିଅ ନିଜକୁ ବୟସ୍କ ଭାବେ ନାହିଁ, ତା’ର ଆତ୍ମସମ୍ମାନ ବେଶି। ବିବାହ-ବଜାରରେ ସେମାନଙ୍କ ଭାଉ ବଢ଼େ। ଏମାନେ ମା’ ହେଲେ ତାଙ୍କ ପିଲାମାନେ ପୁଷ୍ଟିହୀନତା ଭୋଗନ୍ତି ନାହିଁ ଏବଂ କମ୍‌ ବୟସରେ ମରନ୍ତି ନାହିଁ। ସ୍କୁଲ ଯାଉଥିବା ଝିଅ ସାଙ୍ଗମାନଙ୍କଠାରୁ ବହୁତ ଦରକାରୀ କଥା ଶିଖେ, ଯଥା କଣ୍ଟ୍ରାସେପ୍ସନ ବା ପ୍ରସବ ବନ୍ଦକରିବା ଓ ପିଲାକୁ ପାଳିବା। ସ୍କୁଲ ବନ୍ଦ କରିଦେଲେ ଗାଁଗଣ୍ଡାରେ କୁସଂସ୍କାର ବଢ଼େ।
ସରକାର କମ୍‌ ପିଲା ଥିବା ସ୍କୁଲ ବନ୍ଦ ନ କରି ପିଲା କମ୍‌ ହେବାର କାରଣ ଖୋଜନ୍ତୁ। ସ୍କୁଲରେ ଯେଉଁ ସମସ୍ୟା ଦେଖାଦିଏ ତା’ର କାରଣ ହେଲା ରାଜନୀତି, ଅର୍ଥନୀତି ନୁହେଁ। ଅଧିକାଂଶ ଶିକ୍ଷକ ଚିହ୍ନାପରିଚୟରେ ନିଯୁକ୍ତି ପାଇଥାନ୍ତି, ପଢାଇବାର ଇଚ୍ଛା ଉପରେ ନୁହେଁ। ଶିକ୍ଷକ ସଂଘ ବେଶି ଲାଗିପଡ଼େ ଖରାପ ଶିକ୍ଷକଙ୍କୁ ଚାକିରିରେ ରଖିବା ପାଇଁ, ସେମାନଙ୍କୁ ଛଟେଇ କରି ହୁଏ ନାହିଁ। ନେତାମାନେ ନୂଆ ସ୍କୁଲ୍‌ ବିଲ୍‌ଡିଂର ଫିତା କାଟିବାରେ ବ୍ୟସ୍ତ, ଫିତା କାଟି ଭିତରେ କ’ଣ ପଢ଼ା ହେଉଛି ତାହା ଦେଖିବାକୁ ଚାହାନ୍ତି ନାହିଁ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?