ଭଗବାନ ବେଶି ସଜାଗ

ଶ୍ରୀ ସନ୍ନ୍ୟାସୀ
ସ୍ବାମୀ ସଚ୍ଚିଦାନନ୍ଦ ରାଜପୁତନାରେ ଦିନେ ଭିକ୍ଷା କଲାବେଳେ ଜଣକ ଘରେ ଛୋଟ ଝିଅଟିଏ ନିଜେ ଭିଣିଥିବା ମେଞ୍ଚାଏ ତୁଳା ଆଣି ବାବାଙ୍କୁ ଦେଲା। ବାବା କହିଲେ- ମୋର ତୁଳା କ’ଣ ହେବ? ପଟେ ଦିପଟ ରୁଟି ହୋଇଗଲେ ଆଜି ସେତକ ଖାଇ ଚଳିଯିବି। ମୋର ଏହା ଦାରକାର ନାହିଁ।
ବାବା ତୁଳା ନେବାକୁ ରାଜି ନ ହେବାରୁ ଝିଅଟି ଜୋରରେ କାନ୍ଦିବାକୁ ଆରମ୍ଭ କରିଦେଲା। ଅଗତ୍ୟା ବାବା ତୁଳାତକ ନେଇ ନିଜ ଝୁଲାରେ ରଖିଦେଲେ। କ’ଣ କରିବେ ଭାବିପାରିଲେ ନାହିଁ। ଅଳ୍ପଦିନ ପରେ ସେ ବର୍ଷ ଏମିତି ଶୀତ ପଡିଲା ଯେ, ତୁଳାଭର୍ତ୍ତି ଜାମା ନ ପିନ୍ଧିଲେ ଥଣ୍ଡାରୁ ରକ୍ଷା ପାଇବା କଷ୍ଟକର ହୋଇପଡିଲା। ଏତିକିବେଳେ ଝିଅଟି ଦେଇଥିବା ତୁଳା କଥା ବାବାଙ୍କର ମନେପଡ଼ିଲା। ତାହାକୁ ବାହାର କରି ଜଣେ ଲୋକଙ୍କୁ ସେ ଦେଲେ। ଲୋକଟି ସେହି ତୁଳାରେ ଗୋଟିଏ ଜାମା କରି ବାବାଙ୍କୁ ଦେଲେ। ସ୍ବାମୀ ସଚ୍ଚିଦାନନ୍ଦ ସେତେବେଳେ ମନକୁ ମନ କହିବାକୁ ଲାଗିଲେ- ”ମୁଁ ନିଃସଙ୍ଗ ଓ ନିଃସମ୍ବଳ ହୋଇ ଏକାକୀ ଘୂରିବୁଲେ ବୋଲି କରୁଣାମୟ ଭଗବାନ ମୋ ପାଇଁ ଆଗକୁ ଶୀତ ନିବାରଣ ଲାଗି ତୁଳାଟିକକ ମଧ୍ୟ ଯୋଗାଡ଼ କରି ରଖିଥିଲେ। ଜୟ ପ୍ରଭୁ! ଆପଣ ଆମ ପାଇଁ ଏତେ ସଜାଗ।“
ସ୍ବାମୀ ସଚ୍ଚିଦାନନ୍ଦଙ୍କ ଜୀବନର ଏଇ କ୍ଷୁଦ୍ର ଘଟଣାରୁ ଭଗବାନଙ୍କର ବିରାଟ ମହତ୍ତ୍ୱ ସହଜରେ ଜଣାପଡୁଛି। ସେ ଏ ବିଶ୍ୱକୁ କେବଳ ସୃଷ୍ଟି କରିନାହାନ୍ତି, ସେ ମଧ୍ୟ ଏହାର ପରିପାଳକ ଓ ନିୟନ୍ତ୍ରଣକର୍ତ୍ତା। ଆମକୁ ସେ ଏଇ ସଂସାରକୁ ପଠାଇଛନ୍ତି। ସେଥିପାଇଁ ସେ ଆମର ରହିବାଠାରୁ ଆରମ୍ଭ କରି ଖାଇବା ଓ ମଉଜମଜ୍‌ଲିସ୍‌ ପର୍ଯ୍ୟନ୍ତ ଯାବତୀୟ ଚିଜକୁ ତାଙ୍କର ପବିତ୍ର ସୃଷ୍ଟିରେ ଖଞ୍ଜି ରଖିଛନ୍ତି। ନବଜାତ ଶିଶୁଟିଏ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ସେ କ’ଣ ଖାଇବ, ତା’ର ତ ଦାନ୍ତ ନାହିଁ। ପାଣି ପିଇଲେ ଥଣ୍ଡା ହୋଇପାରେ। ଏହାକୁ ଆଖି ଆଗରେ ରଖି କରୁଣାମୟ ଶିଶୁଟିଏ ଜନ୍ମ ହେବାର ବହୁ ପୂର୍ବରୁ ମାତୃସ୍ତନରେ କ୍ଷୀରର ସୁବନ୍ଦୋବସ୍ତ କରିଦେଇଥାନ୍ତି। ଶିଶୁଟିଏ ଖାଇବା ପାଇଁ ଭଗବାନଙ୍କୁ ନ ମାଗିଲେ ବି ଏପରି କି କ’ଣ ଖାଇଲେ ତାହା ଶରୀରର ପରିପୁଷ୍ଟି ସାଧନ ହେବ ଏହା ବିଷୟରେ ତା’ର ସାଧାରଣଜ୍ଞାନ ନ ଥିଲେ ବି ଭଗବାନ ତାହାର ସମସ୍ତ ଦାୟିତ୍ୱ ବୁଝିଥାନ୍ତି। ଠିକ୍‌ ସେହିପରି ଏ ସଂସାରର ସମସ୍ତ ଜୀବଜନ୍ତୁଙ୍କର ସମସ୍ତ କଥାକୁ ଭଗବାନ ଅତ୍ୟନ୍ତ ଦାୟିତ୍ୱ ସହକାରେ ବୁଝିଥାନ୍ତି। ଆମ ଉପରେ ଥିବା ତାଙ୍କର ଅପାର କୃପାକୁ ହୃଦୟଙ୍ଗମ କରି ନ ପାରି ଆମେ ଅଯଥାରେ ଚିନ୍ତା କରିବସୁ। କେମିତି ନୂଆ ଘରଖଣ୍ଡେ ହେବ, କେଉଁଦିନ ଚାକିରି ହେବ, ପାଖରେ ଟଙ୍କା ନାହିଁ, ଝିଅ ବାହାଘର କେମିତି ହେବ? ଏମିତି ଦୁନିଆଯାକର ଚିନ୍ତା ମଣିଷ କରିବସେ। ହେଲେ ମଣିଷ ନିଜେ ଚିନ୍ତାକରି ସବୁ କାମ ଠିକ୍‌ଭାବରେ କରିପାରେ କି? ଜଣେ ସତ୍‌ସଙ୍ଗୀଙ୍କ ମୁହଁରୁ ଥରେ ଶୁଣିଥିଲି ତାଙ୍କ ଗୁରୁଙ୍କ ବାଣୀ- ”ଭାବଛ ବସେ କରବେ କିସେ, ଭାବବାର ତୁମି କେ? ଭାବବାର ଯିନି ଭାବଛେନ ତିନି ତୁମି ଭାବ ତାଁକେ।“
ମଣିଷ ଯେତେବେଳେ ଭଗବାନ୍‌ଙ୍କ ଚିନ୍ତା ଛାଡ଼ି ନିଜର ସମସ୍ତ ଚିନ୍ତା ଓ ଜଞ୍ଜାଳକୁ ଆବୋରି ବସେ, ସେତେବେଳେ ଭଗବାନ୍‌ ଖୁସି ହୋଇପାରନ୍ତିନି। କାରଣ ତାହାଦ୍ୱାରା ମଣିଷ ନିଜର ସମସ୍ୟାକୁ ଆହୁରି ବଢ଼ାଇତୋଳେ। କଥାରେ ଅଛି- ‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’। ଏଥିରେ ଶତ ପ୍ରତିଶତ କେବଳ ତା’ର ହିଁ କ୍ଷତି ହୁଏ। ତେଣୁ ଏସବୁରୁ ମୁକ୍ତି ପାଇବାକୁ ହେଲେ ଆମକୁ ଭଗବାନଙ୍କ ଉପରେ ଗଭୀର ଆସ୍ଥା ବା ବିଶ୍ୱାସ ସ୍ଥାପନ କରିବାକୁ ହେବ। ଆମର ଭରଣପୋଷଣ କରିବାକୁ ଆମ ଅପେକ୍ଷା ସେ ଅଧିକ ସଜାଗ। ସେ ଭଲ ଭାବରେ ଜାଣନ୍ତି କେଉଁଥିରେ ଆମର ମଙ୍ଗଳ ହେବ ଏବଂ କେଉଁଥିରେ ଅମଙ୍ଗଳ ହେବ।
ମଣିଷ ନିଜେ ଖାଇବା, ରହିବା ବା ବଞ୍ଚିବା ପାଇଁ ଯେତେ ପରିମାଣରେ ଚିନ୍ତା କରେ, ଅନ୍ୟ କୌଣସି ଇତର ପ୍ରାଣୀ ସେତେଟା ଚିନ୍ତିତ ନୁହନ୍ତି। ପଶୁପକ୍ଷୀମାନେ ଆନନ୍ଦରେ ବଣର ଫଳମୂଳ ଖାଇ ଓ ଝରଣାର ଜଳ ପିଇ ରୁହନ୍ତି। ଆଜି ଯାହା ମିଳିଲା ଆନନ୍ଦରେ ଖାଇ ଦିଅନ୍ତି, ଆସନ୍ତାକାଲି ପାଇଁ ଚିନ୍ତା କରନ୍ତି ନାହିଁ। ଅବଧୂତଙ୍କ ଚବିଶଗୁରୁ ମଧ୍ୟରୁ ‘ଅଜଗର’ ଅନ୍ୟତମ। ଯେଉଁଦିନ ମିଳିଲା ଖାଏ, ନ ହେଲେ ସେମିତି ରହିଯାଏ। ସେଥିପାଇଁ ନା ଥାଏ ତା’ର ଚିନ୍ତା ନା ଥାଏ ବ୍ୟସ୍ତତା। କହିବାର ଉଦ୍ଦେଶ୍ୟ ନୁହେଁ ଯେ ଆମେ କୌଣସି କର୍ମରେ ବ୍ୟାପୃତ ନ ହେବା। ‘ଯୋଗଃ କର୍ମସୁ କୌଶଳମ୍‌’ ଅବଲମ୍ବନରେ ଶ୍ରଦ୍ଧା ଓ ଭକ୍ତି ରଖି ପ୍ରତ୍ୟେକ କର୍ମଫଳକୁ ଭଗବାନଙ୍କୁ ସମର୍ପି ଦେଇ ତାଙ୍କରି କର୍ମ କରି ଚାଲିଲେ ସେ ଆମର ସମସ୍ତ ଦାୟିତ୍ୱ ବହନ କରିବେ। ସେଥିପାଇଁ ଭଗବାନ ନିଜେ ଏକଥା ସ୍ବୀକାର କରି ଗୀତାରେ କହିଛନ୍ତି ଯେ- ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ, ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍‌। (୯/୨୨ ଗୀତା)
ଅର୍ଥାତ୍‌ ଯେ ଅନନ୍ୟଚିତ୍ତ ହୋଇ ମୋତେ ଆରାଧନା କରେ, ମୁଁ ତା’ର ସମସ୍ତ ଦାୟିତ୍ୱ ବହନ କରେ। ଏକଥା ମିଛ ନୁହେଁ। ଏହାର ଯୁକ୍ତିଯୁକ୍ତ ପ୍ରମାଣ ଅନେକ ମହାନ୍‌ ବ୍ୟକ୍ତିିଙ୍କ ଜୀବନରେ ପ୍ରମାଣିତ ହୋଇସାରିଛି। ଏଥିପାଇଁ କେବଳ ଦୃଢ଼ ସମର୍ପିତ ହୃଦୟ ଏବଂ ପବିତ୍ର ମନଟିଏ ଲୋଡ଼ା।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ, ମୋ: ୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri