ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର
ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି ଲାଗୁଥିଲା ବେଳେ, ୫/୧୦ ବର୍ଷର ବ୍ୟବଧାନ ୫୦ ବର୍ଷ ପରି ଲାଗେ।
୧୯୦୫ ମସିହାରେ ବାଲେଶ୍ୱରର ତଦାନୀନ୍ତନ ଜିଲାପାଳ ଓ’ ମ୍ୟାଲେ ବାଲେଶ୍ୱର ଗ୍ୟାଜେଟିୟରରେ ସେହି ସମୟର ଶ୍ରମିକମାନଙ୍କର ଦୈନିକ ମଜୁରି ୫୦ ପଇସା ଥିବା ଉଲ୍ଲେଖ କରିଥିବା ବେଳେ, ତା’ର ପାଖାପାଖି ୬୦ ବର୍ଷ ପରେ ୧୯୬୨-୬୩ରେ ସେହି ମଜୁରି ବଢ଼ି ହୋଇଥିଲା ମାତ୍ର ୧ଟଙ୍କାରୁ ୧.୫୦ ପଇସା। ସତୁରି ଦଶକରେ ବାମପନ୍ଥୀଙ୍କର ନାରା ଥିଲା, ”ଦୈନିକ ମଜୁରି ୮ଟଙ୍କା ଆମର ଦାବି।“ ୧୯୯୦-୯୫ରେ ବିଜୁ ପଟ୍ଟନାୟକ ଏହାକୁ ୨୫ଟଙ୍କା କରି ବେଶ୍‌ ସମାଲୋଚନାର ଶିକାର ହେଲେ। ପଛକୁ ଗଲେ ଆହୁରି ବିଚିତ୍ର ସ୍ଥିତି ଦେଖାଯିବ। ୧୮୬୦ ବେଳକୁ ଦୈନିକ ମଜୁରି ୫ରୁ ୧୦ ପଇସା ଥିଲା କାରଣ ସେତେବେଳେ ଅମଲାମାନେ ପାଉଥିଲେ ମାସକୁ ୩ରୁ ୧୦ଟଙ୍କା ଦରମା। ଫକୀରମୋହନ ମିଶନ ସ୍କୁଲରେ ହେଡ୍‌ମାଷ୍ଟର ଥିଲାବେଳେ ତାଙ୍କ ମାସିକ ଦରମା ଥିଲା ୧୦ଟଙ୍କା। ଅବଶ୍ୟ ତା’ ପୂର୍ବରୁ ମାସିକ ୨ଟଙ୍କା ୫୦ ପଇସାରେ ଅନ୍ୟ ଏକ ସ୍କୁଲରେ ଚାକିରି ଆରମ୍ଭ କରିଥିଲେ ସେ। ଏହି ୨/୩ ଟଙ୍କା ଦରମାକୁ ନେଇ ଫକୀରମୋହନ ବେଶ୍‌ ସନ୍ତୁଷ୍ଟ ଥିଲେ, କାରଣ ସେହି ପ୍ରକାର ରୋଜଗାରରେ କାଳେ ଲୋକ ଭଲ ଚଳୁଥିଲେ, କିଛି ସଞ୍ଚୟ ବି କରୁଥିଲେ। ଅବଶ୍ୟ ଫକୀରମୋହନଙ୍କ ସମେତ ଅନେକଙ୍କୁ ଜଣା ନ ଥିବ ସେତେବେଳର ବାଲେଶ୍ୱର କଲେକ୍ଟର ଜନ ବିମ୍‌ସଙ୍କ ମାସିକ ଦରମା ଥିଲା ୧୯୧୬ ଟଙ୍କା, ଯାହାକୁ ନେଇ ସେ ଏତେ ସନ୍ତୁଷ୍ଟ ନ ଥିଲେ। କାରଣ ସେତେବେଳେ ଲୁଣ ଉପତ୍ାଦନ ଓ ବ୍ୟବସାୟ ନିମିତ୍ତ ନିଯୁକ୍ତ ଅଧିକାରୀ (ସଲ୍ଟ ଏଜେଣ୍ଟ)ଙ୍କ ଦରମା ଥିଲା ୪୦୦୦ଟଙ୍କା।
ତେବେ ଏହି ପରିସଂଖ୍ୟାନର ତାତ୍ପର୍ଯ୍ୟ କ’ଣ? ଦୈନିକ ମଜୁରିକୁ ଏକ ଉଦାହରଣ ହିସାବରେ ନେଲେ ଦେଖାଯିବ ଯେ ୧୮୬୦ରୁ ୧୯୬୦, ଶହେ ବର୍ଷର ବ୍ୟବଧାନ ହେଲେ ହେଁ ସମାଜର ଅର୍ଥନୈତିକ, ଭୌଗୋଳିକ, ଭିତ୍ତିଭୂମି ସମ୍ପର୍କିତ ସ୍ଥିତି ଶହେବର୍ଷିଆ ପ୍ରଗତିର କିଛି ଲକ୍ଷଣ ପ୍ରକାଶ କରୁ ନ ଥିଲା। ଜଣାପଡୁଥିଲା ସମୟ ଯେମିତି ସ୍ଥିର, ଗେଣ୍ଡାଗତିରେ ଚାଲିଛି। ବାପା ତାଙ୍କ ସମୟର କଥା କହୁଥିଲା ବେଳେ ପୁଅ ଆଖପାଖକୁ ଅନାଇ ସେମିତି କିଛି ପାର୍ଥକ୍ୟ ଦେଖିପାରୁ ନ ଥିଲା। ଫଳତଃ ବାପାଙ୍କ ଅନେକ କଥା ଗ୍ରହଣୀୟ ଲାଗୁଥିଲା, ବିଶ୍ୱାସଯୋଗ୍ୟ ଲାଗୁଥିଲା, ଗଳ୍ପ ପରି ଲାଗୁ ନ ଥିଲା। ଖାଲି ଅର୍ଥ ଓ ଭିତ୍ତିଭୂମିର କଥା ନ ଥିଲା, ଶୈକ୍ଷିକ କ୍ଷେତ୍ରରେ ମୋଟାମୋଟି ସେହି ସ୍ଥିରାବସ୍ଥା ଥିଲା। ୧୯୫୦ଦଶକର ହାଇସ୍କୁଲ ପାଠ୍ୟପୁସ୍ତକ ପାଖାପାଖି ୧୯୭୦ ଦଶକ ପର୍ଯ୍ୟନ୍ତ ଚଳୁଥିଲା। ସେଥିରେ କିଛି ସୁବିଧା ଥିଲା। ବାପା ପୁଅକୁ ବା ବଡ଼ଭାଇ ସାନଭାଇକୁ ଆରାମରେ ପାଠ ବୁଝେଇ ଦେଉଥିଲେ।
ସମୟର ଆପାତଗତିହୀନତା ଆଖିକୁ ଏବଂ ପାଦକୁ ଅନେକ ଦୃଷ୍ଟିରୁ କଷ୍ଟ ଦେଉଥିଲେ ବି ଅତି ସୂକ୍ଷ୍ମସ୍ତରରେ ଏହା କିଛି ହିତସାଧନ ମଧ୍ୟ କରୁଥିଲା। ପିଢ଼ି-ପିଢ଼ି ଜୀବନର ସମତା ଉତ୍ତରପିଢ଼ିକୁ ପୂର୍ବ ପିଢ଼ିର ଦୁଃଖକଷ୍ଟରେ ସହଭାଗୀ ହେବାକୁ ମାନସିକ ସ୍ତରରେ ସାହାଯ୍ୟ କରୁଥିଲା। ଆତ୍ମିକ ସ୍ତରରେ ପୁଅ ବାପା, ମା’ଙ୍କର ବାଲ୍ୟାବସ୍ଥା ବା ଯୌବନାବସ୍ଥାର ଦୁଃସ୍ଥିତି ହୃଦୟଙ୍ଗମ କରି କିଛି ଗୋଟାଏ କରି ବାପା, ମା’ଙ୍କର ଆଖିର ଲୁହ ପୋଛିବାକୁ ଉଦ୍ୟମ କରୁଥିଲା। ଅତି ମାତ୍ରାରେ ବ୍ୟାପକ ପରିବର୍ତ୍ତନହୀନତା ଯୁବପିଢ଼ିକୁ ପୁରୁଣା ଗଳ୍ପ, କାହାଣୀ, ନାଟକ, ଉପନ୍ୟାସ, ସିନେମା, ପୌରାଣିକ କାହାଣୀ ତଥା ମହାକାବ୍ୟ ଓ ପୁରାଣରେ ବର୍ଣ୍ଣିତ ଘଟଣାବଳୀ ମଧ୍ୟରେ ସହଜରେ ପ୍ରବେଶ କରିବାକୁ ସହାୟକ ହେଉଥିଲା ଏବଂ ସେହିକ୍ରମରେ ଏକ ସାମାଜିକ, ନୈତିକ ସମୃଦ୍ଧି ସାଧିତ ହେଉଥିଲା। କଥା ଯେତେ ପୌରାଣିକ, ଐତିହାସିକ ବା କାଳ୍ପନିକ ହେଉ ପଛକେ ଯୁବପିଢ଼ି ପାଇଁ ତାହା ଅବାସ୍ତବ ଲାଗୁ ନ ଥିଲା ବରଂ ତଥାକଥିତ ଉଦ୍ଭଟତା ବା ଅବାସ୍ତବତାର ଆବରଣ ତଳେ ଲୁକ୍କାୟିତ ନୈତିକତା ଖୋଜି ପାଉଥିଲେ ସେମାନେ।
ନବେ ଦଶକର ଶେଷାର୍ଦ୍ଧ ପରେ ସ୍ଥିତି ବଦଳିବାକୁ ଲାଗିଲା। ମୁକ୍ତ ଅର୍ଥନୀତିର ପ୍ରଭାବ, ବିଜ୍ଞାନ ଓ କାରିଗରି, ବିଶେଷତଃ ସୂଚନାପ୍ରଯୁକ୍ତି କ୍ଷେତ୍ରରେ ଦୈନନ୍ଦିନ ଘଟୁଥିବା ବୈପ୍ଳବିକ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ ଏବଂ ତା’ ସହିତ ତାଳ ଦେଇ ନିଆଯାଉଥିବା ସରକାରୀ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନଧାରାକୁ ତ ସୁଗମ କଲା କିନ୍ତୁ ସୂକ୍ଷ୍ମ, ଆତ୍ମିକ ସ୍ତରରେ ବେଶ୍‌ କ୍ଷତି ମଧ୍ୟ ସାଧିତ ହେଲା। ଏବେ ଶହଶହ ବର୍ଷର ଚଳଣି କେଇ ବର୍ଷ ବା କେଇ ମାସ ଭିତରେ ବଦଳିଯାଉଥିବାରୁ ଲୋକେ ଆଉ ସମୟର ବ୍ୟବଧାନ କଳି ପାରୁନାହାନ୍ତି। ଇଲେକ୍ଟ୍ରିକ ବଲ୍‌ବଟିକୁ ସିଏଫ୍‌ଏଲ ବଲ୍‌ବ ପାଖରେ ପହଞ୍ଚିବାକୁ ପାଖାପାଖି ୧୧୦ବର୍ଷ ଲାଗିଥିଲାବେଳେ ସିଏଫ୍‌ଏଲ୍‌ ପାଖରୁ ଏଲ୍‌ଇଡି ପାଖରେ ପହଞ୍ଚିବାକୁ ଲାଗିଲା ମାତ୍ର କେଇ ବର୍ଷ। ପ୍ରତିଦିନ ନୂତନ ଉଦ୍ଭାବନ, ନୂତନ ଆବିଷ୍କାର। ତା’ ସଙ୍ଗେ ତାଳ ଦେଇ ଯୋଗାଯୋଗ କ୍ଷେତ୍ରରେ, ଜ୍ଞାନାର୍ଜନ କ୍ଷେତ୍ରରେ ମଲ୍ଟିମିଡିଆ, ଗଣ ଯୋଗାଯୋଗ, ସାମାଜିକ ଗଣମାଧ୍ୟମର ପ୍ରବେଶ। ମଣିଷର ଚିନ୍ତନ ରାଜ୍ୟ ଆଜି ବିଭିନ୍ନ ପ୍ରଭାବରେ, ଆବରଣରେ ଆଚ୍ଛାଦିତ। ମୁଣ୍ଡଟେକି, ସ୍ପଷ୍ଟ ଭାବରେ, ମୁକ୍ତଭାବରେ ସେ କିଛି ଦେଖି ପାରୁନାହିଁ। ବିଶେଷତଃ ଯୁବପିଢ଼ି। ବିଜ୍ଞାନ, କାରିଗରି କ୍ଷେତ୍ର ଆଜି ସେମାନଙ୍କୁ ଏପରି ଆବୋରି ନେଇଛି ଯେ ସେମାନଙ୍କୁ ଗୁରୁଜନ ବର୍ଣ୍ଣିତ ପୁରୁଣା ଅନୁଭୂତି, ପୁରୁଣା ଉଚ୍ଚାଙ୍ଗ ସାହିତ୍ୟ, ପୌରାଣିକ କଥାବସ୍ତୁ ସବୁ ଉଦ୍ଭଟ, ଅବାସ୍ତବ ଲାଗୁଛି। ସେମାନଙ୍କୁ ଅବାସ୍ତବ, ଅଲୌକିକ କାହାଣୀ ଯେ ଭଲଲାଗୁନି ସେ କଥା ନୁହେଁ, କିନ୍ତୁ ତାହା ନୂତନ କାରିଗରି ବିଦ୍ୟା ମାଧ୍ୟମରେ ଆଧୁନିକ ଶୈଳୀରେ ପରିବେଷିତ ହେବା ଦରକାର। ଗୋଟିଏ ତୀର ଆପଣାଛାଏଁ ପଚାଶଟି ତୀର ପାଲଟିଯିବା ଭଳି ମହାଭାରତ ସିରିୟଲରେ ପ୍ରଦର୍ଶିତ ଦୃଶ୍ୟକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଅବାସ୍ତବ ରୂପାୟନକୁ ବିଜ୍ଞାନର ପୁଟ ଦିଆଗଲେ, ଆଧୁନିକତାର ରୂପ ଦିଆଗଲେ ହୁଏତ ସେମାନେ ତାକୁ ଉପଭୋଗ କରିବେ। ବିଜ୍ଞାନ ଓ କାରିଗରି ବିଦ୍ୟା ସୌଜନ୍ୟରେ ଜ୍ଞାନାର୍ଜନ କ୍ଷେତ୍ର ଆଜି ଏତେ ବଦଳିଯାଇଛି ଯେ ମାତ୍ର ୩ବର୍ଷ ତଳେ ସ୍ନାତକୋତ୍ତର ଉପାଧି ଲାଭ କରିଥିବା ଛାତ୍ରଟିଏ ଏ ବର୍ଷ ପାସ୍‌ କରିଥିବା ଛାତ୍ର ପାଖରେ ବିଭିନ୍ନ ପର୍ଯ୍ୟାୟରେ କ୍ଷମାପ୍ରାର୍ଥୀ ହେଉଛି। ମାତ୍ର ୩ବର୍ଷର ବୟସ ବ୍ୟବଧାନ ଥିବା ସାନଭାଇଟି ମୋବାଇଲ ଫୋନ ଆଡ଼କୁ ଠାରି ବଡ଼ଭାଇକୁ କହୁଛି, ‘ତୁ କ’ଣ ଜାଣିଛୁ କହିଲୁ?’
ସମୟର ବ୍ୟବଧାନ ଅନୁଯାୟୀ ଜ୍ଞାନ ଓ ଅନୁଭୂତିର ବ୍ୟବଧାନ ଯୁଗେ ଯୁଗେ ଥିଲା। ଜେଜେବାପା, ନାତିଟୋକା ଭିତରେ ଏସବୁ ବେଶ୍‌ ପରିଲକ୍ଷିତ ହେଉଥିଲା। ବୈଜ୍ଞାନିକ କ୍ଷେତ୍ର ବିଶେଷତଃ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଏମିତି ରାତିଅଧିଆ ପରିବର୍ତ୍ତନ ଘଟୁଛି, ଯୁବପିଢ଼ିରୁ କେହି କେହି କହିଲେଣି, ବର୍ଷେ ପଛେ ହେଉ, ପଛରେ ଜନ୍ମନେବା ଲାଭଦାୟକ! କାରଣ ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ, ବାଲେଶ୍ୱର, ମୋ : ୯୪୩୭୩ ୭୬୨୧୯, subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri