ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର
ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି ଲାଗୁଥିଲା ବେଳେ, ୫/୧୦ ବର୍ଷର ବ୍ୟବଧାନ ୫୦ ବର୍ଷ ପରି ଲାଗେ।
୧୯୦୫ ମସିହାରେ ବାଲେଶ୍ୱରର ତଦାନୀନ୍ତନ ଜିଲାପାଳ ଓ’ ମ୍ୟାଲେ ବାଲେଶ୍ୱର ଗ୍ୟାଜେଟିୟରରେ ସେହି ସମୟର ଶ୍ରମିକମାନଙ୍କର ଦୈନିକ ମଜୁରି ୫୦ ପଇସା ଥିବା ଉଲ୍ଲେଖ କରିଥିବା ବେଳେ, ତା’ର ପାଖାପାଖି ୬୦ ବର୍ଷ ପରେ ୧୯୬୨-୬୩ରେ ସେହି ମଜୁରି ବଢ଼ି ହୋଇଥିଲା ମାତ୍ର ୧ଟଙ୍କାରୁ ୧.୫୦ ପଇସା। ସତୁରି ଦଶକରେ ବାମପନ୍ଥୀଙ୍କର ନାରା ଥିଲା, ”ଦୈନିକ ମଜୁରି ୮ଟଙ୍କା ଆମର ଦାବି।“ ୧୯୯୦-୯୫ରେ ବିଜୁ ପଟ୍ଟନାୟକ ଏହାକୁ ୨୫ଟଙ୍କା କରି ବେଶ୍‌ ସମାଲୋଚନାର ଶିକାର ହେଲେ। ପଛକୁ ଗଲେ ଆହୁରି ବିଚିତ୍ର ସ୍ଥିତି ଦେଖାଯିବ। ୧୮୬୦ ବେଳକୁ ଦୈନିକ ମଜୁରି ୫ରୁ ୧୦ ପଇସା ଥିଲା କାରଣ ସେତେବେଳେ ଅମଲାମାନେ ପାଉଥିଲେ ମାସକୁ ୩ରୁ ୧୦ଟଙ୍କା ଦରମା। ଫକୀରମୋହନ ମିଶନ ସ୍କୁଲରେ ହେଡ୍‌ମାଷ୍ଟର ଥିଲାବେଳେ ତାଙ୍କ ମାସିକ ଦରମା ଥିଲା ୧୦ଟଙ୍କା। ଅବଶ୍ୟ ତା’ ପୂର୍ବରୁ ମାସିକ ୨ଟଙ୍କା ୫୦ ପଇସାରେ ଅନ୍ୟ ଏକ ସ୍କୁଲରେ ଚାକିରି ଆରମ୍ଭ କରିଥିଲେ ସେ। ଏହି ୨/୩ ଟଙ୍କା ଦରମାକୁ ନେଇ ଫକୀରମୋହନ ବେଶ୍‌ ସନ୍ତୁଷ୍ଟ ଥିଲେ, କାରଣ ସେହି ପ୍ରକାର ରୋଜଗାରରେ କାଳେ ଲୋକ ଭଲ ଚଳୁଥିଲେ, କିଛି ସଞ୍ଚୟ ବି କରୁଥିଲେ। ଅବଶ୍ୟ ଫକୀରମୋହନଙ୍କ ସମେତ ଅନେକଙ୍କୁ ଜଣା ନ ଥିବ ସେତେବେଳର ବାଲେଶ୍ୱର କଲେକ୍ଟର ଜନ ବିମ୍‌ସଙ୍କ ମାସିକ ଦରମା ଥିଲା ୧୯୧୬ ଟଙ୍କା, ଯାହାକୁ ନେଇ ସେ ଏତେ ସନ୍ତୁଷ୍ଟ ନ ଥିଲେ। କାରଣ ସେତେବେଳେ ଲୁଣ ଉପତ୍ାଦନ ଓ ବ୍ୟବସାୟ ନିମିତ୍ତ ନିଯୁକ୍ତ ଅଧିକାରୀ (ସଲ୍ଟ ଏଜେଣ୍ଟ)ଙ୍କ ଦରମା ଥିଲା ୪୦୦୦ଟଙ୍କା।
ତେବେ ଏହି ପରିସଂଖ୍ୟାନର ତାତ୍ପର୍ଯ୍ୟ କ’ଣ? ଦୈନିକ ମଜୁରିକୁ ଏକ ଉଦାହରଣ ହିସାବରେ ନେଲେ ଦେଖାଯିବ ଯେ ୧୮୬୦ରୁ ୧୯୬୦, ଶହେ ବର୍ଷର ବ୍ୟବଧାନ ହେଲେ ହେଁ ସମାଜର ଅର୍ଥନୈତିକ, ଭୌଗୋଳିକ, ଭିତ୍ତିଭୂମି ସମ୍ପର୍କିତ ସ୍ଥିତି ଶହେବର୍ଷିଆ ପ୍ରଗତିର କିଛି ଲକ୍ଷଣ ପ୍ରକାଶ କରୁ ନ ଥିଲା। ଜଣାପଡୁଥିଲା ସମୟ ଯେମିତି ସ୍ଥିର, ଗେଣ୍ଡାଗତିରେ ଚାଲିଛି। ବାପା ତାଙ୍କ ସମୟର କଥା କହୁଥିଲା ବେଳେ ପୁଅ ଆଖପାଖକୁ ଅନାଇ ସେମିତି କିଛି ପାର୍ଥକ୍ୟ ଦେଖିପାରୁ ନ ଥିଲା। ଫଳତଃ ବାପାଙ୍କ ଅନେକ କଥା ଗ୍ରହଣୀୟ ଲାଗୁଥିଲା, ବିଶ୍ୱାସଯୋଗ୍ୟ ଲାଗୁଥିଲା, ଗଳ୍ପ ପରି ଲାଗୁ ନ ଥିଲା। ଖାଲି ଅର୍ଥ ଓ ଭିତ୍ତିଭୂମିର କଥା ନ ଥିଲା, ଶୈକ୍ଷିକ କ୍ଷେତ୍ରରେ ମୋଟାମୋଟି ସେହି ସ୍ଥିରାବସ୍ଥା ଥିଲା। ୧୯୫୦ଦଶକର ହାଇସ୍କୁଲ ପାଠ୍ୟପୁସ୍ତକ ପାଖାପାଖି ୧୯୭୦ ଦଶକ ପର୍ଯ୍ୟନ୍ତ ଚଳୁଥିଲା। ସେଥିରେ କିଛି ସୁବିଧା ଥିଲା। ବାପା ପୁଅକୁ ବା ବଡ଼ଭାଇ ସାନଭାଇକୁ ଆରାମରେ ପାଠ ବୁଝେଇ ଦେଉଥିଲେ।
ସମୟର ଆପାତଗତିହୀନତା ଆଖିକୁ ଏବଂ ପାଦକୁ ଅନେକ ଦୃଷ୍ଟିରୁ କଷ୍ଟ ଦେଉଥିଲେ ବି ଅତି ସୂକ୍ଷ୍ମସ୍ତରରେ ଏହା କିଛି ହିତସାଧନ ମଧ୍ୟ କରୁଥିଲା। ପିଢ଼ି-ପିଢ଼ି ଜୀବନର ସମତା ଉତ୍ତରପିଢ଼ିକୁ ପୂର୍ବ ପିଢ଼ିର ଦୁଃଖକଷ୍ଟରେ ସହଭାଗୀ ହେବାକୁ ମାନସିକ ସ୍ତରରେ ସାହାଯ୍ୟ କରୁଥିଲା। ଆତ୍ମିକ ସ୍ତରରେ ପୁଅ ବାପା, ମା’ଙ୍କର ବାଲ୍ୟାବସ୍ଥା ବା ଯୌବନାବସ୍ଥାର ଦୁଃସ୍ଥିତି ହୃଦୟଙ୍ଗମ କରି କିଛି ଗୋଟାଏ କରି ବାପା, ମା’ଙ୍କର ଆଖିର ଲୁହ ପୋଛିବାକୁ ଉଦ୍ୟମ କରୁଥିଲା। ଅତି ମାତ୍ରାରେ ବ୍ୟାପକ ପରିବର୍ତ୍ତନହୀନତା ଯୁବପିଢ଼ିକୁ ପୁରୁଣା ଗଳ୍ପ, କାହାଣୀ, ନାଟକ, ଉପନ୍ୟାସ, ସିନେମା, ପୌରାଣିକ କାହାଣୀ ତଥା ମହାକାବ୍ୟ ଓ ପୁରାଣରେ ବର୍ଣ୍ଣିତ ଘଟଣାବଳୀ ମଧ୍ୟରେ ସହଜରେ ପ୍ରବେଶ କରିବାକୁ ସହାୟକ ହେଉଥିଲା ଏବଂ ସେହିକ୍ରମରେ ଏକ ସାମାଜିକ, ନୈତିକ ସମୃଦ୍ଧି ସାଧିତ ହେଉଥିଲା। କଥା ଯେତେ ପୌରାଣିକ, ଐତିହାସିକ ବା କାଳ୍ପନିକ ହେଉ ପଛକେ ଯୁବପିଢ଼ି ପାଇଁ ତାହା ଅବାସ୍ତବ ଲାଗୁ ନ ଥିଲା ବରଂ ତଥାକଥିତ ଉଦ୍ଭଟତା ବା ଅବାସ୍ତବତାର ଆବରଣ ତଳେ ଲୁକ୍କାୟିତ ନୈତିକତା ଖୋଜି ପାଉଥିଲେ ସେମାନେ।
ନବେ ଦଶକର ଶେଷାର୍ଦ୍ଧ ପରେ ସ୍ଥିତି ବଦଳିବାକୁ ଲାଗିଲା। ମୁକ୍ତ ଅର୍ଥନୀତିର ପ୍ରଭାବ, ବିଜ୍ଞାନ ଓ କାରିଗରି, ବିଶେଷତଃ ସୂଚନାପ୍ରଯୁକ୍ତି କ୍ଷେତ୍ରରେ ଦୈନନ୍ଦିନ ଘଟୁଥିବା ବୈପ୍ଳବିକ ପରିବର୍ତ୍ତନ, ସାମାଜିକ ପରିବର୍ତ୍ତନ ଏବଂ ତା’ ସହିତ ତାଳ ଦେଇ ନିଆଯାଉଥିବା ସରକାରୀ ପଦକ୍ଷେପ ସାଧାରଣ ଲୋକଙ୍କ ଜୀବନଧାରାକୁ ତ ସୁଗମ କଲା କିନ୍ତୁ ସୂକ୍ଷ୍ମ, ଆତ୍ମିକ ସ୍ତରରେ ବେଶ୍‌ କ୍ଷତି ମଧ୍ୟ ସାଧିତ ହେଲା। ଏବେ ଶହଶହ ବର୍ଷର ଚଳଣି କେଇ ବର୍ଷ ବା କେଇ ମାସ ଭିତରେ ବଦଳିଯାଉଥିବାରୁ ଲୋକେ ଆଉ ସମୟର ବ୍ୟବଧାନ କଳି ପାରୁନାହାନ୍ତି। ଇଲେକ୍ଟ୍ରିକ ବଲ୍‌ବଟିକୁ ସିଏଫ୍‌ଏଲ ବଲ୍‌ବ ପାଖରେ ପହଞ୍ଚିବାକୁ ପାଖାପାଖି ୧୧୦ବର୍ଷ ଲାଗିଥିଲାବେଳେ ସିଏଫ୍‌ଏଲ୍‌ ପାଖରୁ ଏଲ୍‌ଇଡି ପାଖରେ ପହଞ୍ଚିବାକୁ ଲାଗିଲା ମାତ୍ର କେଇ ବର୍ଷ। ପ୍ରତିଦିନ ନୂତନ ଉଦ୍ଭାବନ, ନୂତନ ଆବିଷ୍କାର। ତା’ ସଙ୍ଗେ ତାଳ ଦେଇ ଯୋଗାଯୋଗ କ୍ଷେତ୍ରରେ, ଜ୍ଞାନାର୍ଜନ କ୍ଷେତ୍ରରେ ମଲ୍ଟିମିଡିଆ, ଗଣ ଯୋଗାଯୋଗ, ସାମାଜିକ ଗଣମାଧ୍ୟମର ପ୍ରବେଶ। ମଣିଷର ଚିନ୍ତନ ରାଜ୍ୟ ଆଜି ବିଭିନ୍ନ ପ୍ରଭାବରେ, ଆବରଣରେ ଆଚ୍ଛାଦିତ। ମୁଣ୍ଡଟେକି, ସ୍ପଷ୍ଟ ଭାବରେ, ମୁକ୍ତଭାବରେ ସେ କିଛି ଦେଖି ପାରୁନାହିଁ। ବିଶେଷତଃ ଯୁବପିଢ଼ି। ବିଜ୍ଞାନ, କାରିଗରି କ୍ଷେତ୍ର ଆଜି ସେମାନଙ୍କୁ ଏପରି ଆବୋରି ନେଇଛି ଯେ ସେମାନଙ୍କୁ ଗୁରୁଜନ ବର୍ଣ୍ଣିତ ପୁରୁଣା ଅନୁଭୂତି, ପୁରୁଣା ଉଚ୍ଚାଙ୍ଗ ସାହିତ୍ୟ, ପୌରାଣିକ କଥାବସ୍ତୁ ସବୁ ଉଦ୍ଭଟ, ଅବାସ୍ତବ ଲାଗୁଛି। ସେମାନଙ୍କୁ ଅବାସ୍ତବ, ଅଲୌକିକ କାହାଣୀ ଯେ ଭଲଲାଗୁନି ସେ କଥା ନୁହେଁ, କିନ୍ତୁ ତାହା ନୂତନ କାରିଗରି ବିଦ୍ୟା ମାଧ୍ୟମରେ ଆଧୁନିକ ଶୈଳୀରେ ପରିବେଷିତ ହେବା ଦରକାର। ଗୋଟିଏ ତୀର ଆପଣାଛାଏଁ ପଚାଶଟି ତୀର ପାଲଟିଯିବା ଭଳି ମହାଭାରତ ସିରିୟଲରେ ପ୍ରଦର୍ଶିତ ଦୃଶ୍ୟକୁ ସେମାନେ ଗ୍ରହଣ କରିପାରୁନାହାନ୍ତି। ଅବାସ୍ତବ ରୂପାୟନକୁ ବିଜ୍ଞାନର ପୁଟ ଦିଆଗଲେ, ଆଧୁନିକତାର ରୂପ ଦିଆଗଲେ ହୁଏତ ସେମାନେ ତାକୁ ଉପଭୋଗ କରିବେ। ବିଜ୍ଞାନ ଓ କାରିଗରି ବିଦ୍ୟା ସୌଜନ୍ୟରେ ଜ୍ଞାନାର୍ଜନ କ୍ଷେତ୍ର ଆଜି ଏତେ ବଦଳିଯାଇଛି ଯେ ମାତ୍ର ୩ବର୍ଷ ତଳେ ସ୍ନାତକୋତ୍ତର ଉପାଧି ଲାଭ କରିଥିବା ଛାତ୍ରଟିଏ ଏ ବର୍ଷ ପାସ୍‌ କରିଥିବା ଛାତ୍ର ପାଖରେ ବିଭିନ୍ନ ପର୍ଯ୍ୟାୟରେ କ୍ଷମାପ୍ରାର୍ଥୀ ହେଉଛି। ମାତ୍ର ୩ବର୍ଷର ବୟସ ବ୍ୟବଧାନ ଥିବା ସାନଭାଇଟି ମୋବାଇଲ ଫୋନ ଆଡ଼କୁ ଠାରି ବଡ଼ଭାଇକୁ କହୁଛି, ‘ତୁ କ’ଣ ଜାଣିଛୁ କହିଲୁ?’
ସମୟର ବ୍ୟବଧାନ ଅନୁଯାୟୀ ଜ୍ଞାନ ଓ ଅନୁଭୂତିର ବ୍ୟବଧାନ ଯୁଗେ ଯୁଗେ ଥିଲା। ଜେଜେବାପା, ନାତିଟୋକା ଭିତରେ ଏସବୁ ବେଶ୍‌ ପରିଲକ୍ଷିତ ହେଉଥିଲା। ବୈଜ୍ଞାନିକ କ୍ଷେତ୍ର ବିଶେଷତଃ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଏମିତି ରାତିଅଧିଆ ପରିବର୍ତ୍ତନ ଘଟୁଛି, ଯୁବପିଢ଼ିରୁ କେହି କେହି କହିଲେଣି, ବର୍ଷେ ପଛେ ହେଉ, ପଛରେ ଜନ୍ମନେବା ଲାଭଦାୟକ! କାରଣ ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ, ବାଲେଶ୍ୱର, ମୋ : ୯୪୩୭୩ ୭୬୨୧୯, subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?