ଜୈବବିବିଧତା ଓ କରୋନା

ପ୍ରକାଶ ତ୍ରିପାଠୀ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଭାରତ ଭଳି ଜନବହୁଳ ଦେଶରେ କରୋନାକୁ ନିୟନ୍ତ୍ରଣରେ ରଖିବା ଆଉ ସମ୍ଭବ ହୋଇପାରୁନାହିଁ। ବିଶେଷକରି ପ୍ରବାସୀମାନଙ୍କ ସ୍ଥାନାନ୍ତର ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଗତ ଚାରିମାସର ଅଭିଜ୍ଞତାରୁ ଯାହା ଜଣାପଡେ, ଏହା ଯେଉଁ ମାତ୍ରାରେ ସଂକ୍ରମିତ ହୁଏ ସେହି ମାତ୍ରାରେ ମୃତ୍ୟୁର କାରଣ ହୋଇ ନ ଥାଏ। ସର୍ବାଧିକ ଶତକଡ଼ା ୪ ଭାଗ ଭିତରେ ମୃତ୍ୟୁ ସଂଖ୍ୟା ସୀମିତ ରହୁଥିବାରୁ ମଣିଷ ଶରୀରରେ ଏହା ସ୍ବତଃ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି। ବିଶେଷକରି ପୁରୁଣା ରୋଗ ଯେପରି କି ମଧୁମେହ, ଉଚ୍ଚ ରକ୍ତଚାପ, ବୃକ୍‌କ ରୋଗ, ଯକୃତ ରୋଗ ତଥା ଶ୍ୱାସ ରୋଗ ଥିବା ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହେଉଥିବାରୁ ଏମାନଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନର ଆବଶ୍ୟକତା ପଡ଼ୁଛି।
କରୋନା ଭୂତାଣୁ କିପରି ସୃଷ୍ଟି ହେଲା ଓ କିପରି ବିଶ୍ୱବ୍ୟାପୀ ସଂକ୍ରମିତ ହେଲା ସେ ନେଇ ଜୀବବିଜ୍ଞାନୀମାନେ ନୂଆ ନୂଆ ତଥ୍ୟ ପ୍ରକାଶ କରିଚାଲିଛନ୍ତି। ଜୈବବିବିଧତା ଉପରେ ମଣିଷର ଅତ୍ୟଧିକ ଚାପ ଯୋଗୁ କୋଭିଡ୍‌-୧୯ର ଜନ୍ମ ବୋଲି ଇତିମଧ୍ୟରେ ଅନେକ ରୋଗ ବିଶେଷଜ୍ଞ ମତ ରଖିଛନ୍ତି। ଭୂମି, ମଧୁରଜଳ ଓ ସମୁଦ୍ର ଜଳରେ ଥିବା ପ୍ରାଣୀ ଓ ଉଦ୍ଭିଦର ଜୈବବିବିଧତା ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ ଯୋଗୁ ଅନେକ ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତ ହେବା ସହ ଅନେକ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ। ୨୫ ପ୍ରତିଶତ ସ୍ତନ୍ୟପାୟୀ, ୪୧ ପ୍ରତିଶତ ଉଭୟଚର ଓ ୧୩ ପ୍ରତିଶତ ପକ୍ଷୀ ବିଲୁପ୍ତିପଥେ ଅଗ୍ରସର ହେଉଛନ୍ତି। ପୃଥିବୀ ଉପରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ତୁଲାଉଥିବା ଜୈବବିବିଧତା ବୃହତ୍‌କାୟ ଉଦ୍ଭିଦ ଓ ପ୍ରାଣୀଠାରୁ ଆରମ୍ଭ କରି ସୂକ୍ଷ୍ମାତିସୂକ୍ଷ୍ମ ଜୀବାଣୁର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରେ। ସେମାନଙ୍କ ମଧ୍ୟରେ ଥିବା ଖାଦ୍ୟଶୃଙ୍ଖଳର ଗୋଟିଏ ଅଂଶ ଖଣ୍ଡିତ ବା ବିଭାଜିତ ହେଲେ ବି ସମ୍ପୂର୍ଣ୍ଣ ସନ୍ତୁଳନ ବାଧାପ୍ରାପ୍ତ ହୁଏ। ସେହି ଦୃଷ୍ଟିରୁ ବିଚାର କଲେ କୋଭିଡ୍‌-୧୯ ବି ଜୈବବିବିଧତା ଉପରେ ଆସୁଥିବା ବିଶ୍ୱର ଏକ ଅଂଶବିଶେଷ। ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ଘନଜଙ୍ଗଲ ଭିତରେ ରହୁଥିବା ଅନେକ ପ୍ରଜାତିର ପଶୁ ଓ ପକ୍ଷୀ ଅନେକ ଭୟଙ୍କର ରୋଗ ଜୀବାଣୁର ବାହକ ହୋଇଥାନ୍ତି। ଆଫ୍ରିକୀୟ ଜଙ୍ଗଲରେ ରହୁଥିବା ପଶୁଙ୍କଠାରୁ ଇବୋଲା ଭାଇରସ ସଂକ୍ରମଣ ଏହାର ପ୍ରମାଣ। ଯେତେବେଳେ ମଣିଷ ଏହି ଜଙ୍ଗଲି ପଶୁ-ପକ୍ଷୀଙ୍କ ମାଂସକୁ ଆହାର ଭାବେ ଗ୍ରହଣ କରେ, ସେତେବେଳେ ଏହି ଭୟଙ୍କର ଭୂତାଣୁ ସହଜରେ ବଣୁଆ ପଶୁଠାରୁ ମଣିଷ ସମାଜ ଭିତରକୁ ପ୍ରବେଶ କରିଆସେ। ସାର୍ସ ଭାଇରସ ବି ବନ୍ୟଜନ୍ତୁଙ୍କଠାରୁ ମଣିଷ ମଧ୍ୟକୁ ଆସିଥିଲା। ମଣିଷଠାରେ ଦେଖାଯାଉଥିବା ସମୁଦାୟ ସଂକ୍ରାମକ ରୋଗ ମଧ୍ୟରୁ ପ୍ରାୟ ୭୫ ଭାଗ ରୋଗ ପଶୁଜନ୍ତୁଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ଆମେରିକାନ୍‌ ସୋସାଇଟି ଫର ମାଇକ୍ରୋ ବାୟୋଲୋଜି ଦ୍ୱାରା ୨୦୦୭ରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡେ ଯେ, ବାଦୁଡ଼ି ଶରୀରରେ ସାର୍ସ ଓ କୋଭିଡ୍‌ ଭଳି ଭୟଙ୍କର ଭୂତାଣୁ ରହିଛି ଓ ମଣିଷର ଏହି ବନ୍ୟଜନ୍ତୁଙ୍କୁ ଖାଇବା ଆଗ୍ରହ ହିଁ ମଣିଷ ସମାଜ ପାଇଁ ଘାତକ ପ୍ରମାଣିତ ହେଉଛି। ବନାଞ୍ଚଳର ହ୍ରାସ ମଣିଷକୁ ବନ୍ୟଜନ୍ତୁଙ୍କ ନିକଟତର କରିବାରେ ଲାଗିଛି। ଏହାସହ ବନ୍ୟ ପଶୁ ଓ ପକ୍ଷୀଙ୍କ ମାଂସର ଆମଦାନି ଓ ରପ୍ତାନି ଅନେକ ଭୟଙ୍କର ରୋଗ ସମ୍ପ୍ରସାରଣର କାରଣ ହେଉଛି। ସାଉଥ୍‌ ଚାଇନା ଏଗ୍ରିକଲ୍‌ଚରାଲ ୟୁନିଭର୍ସିଟିର କଲେଜ ଅଫ୍‌ ଭେଟେରିନାରୀ ମେଡିସିନ୍‌ର କିଛି ବିଶେଷଜ୍ଞଙ୍କ ମତ ହେଲା ଯେ, କୋଭିଡ୍‌-୧୯ର ସୃଷ୍ଟି ବନ୍ୟପ୍ରାଣୀ ବାଦୁଡ଼ି ଓ ବଜ୍ରକାପ୍ତା ଶରୀରରେ ଥିବା କରୋନା ଭାଇରସର ପୁନର୍ମିଳନ ଯୋଗୁ ସମ୍ଭବ ହୋଇଛି। ବଜ୍ରକାପ୍ତା ଏକ ବିଲୁପ୍ତପ୍ରାୟ ଜୀବ ଓ ଏହାର ଶିକାର ଆଇନବିରୁଦ୍ଧ। ମାତ୍ର ଏହାର ମାଂସ ଓ କାତି ପାଇଁ ଏହାକୁ ଲୁଚାଚୋରାରେ ଶିକାର କରାଯାଉଛି। ସେହିପରି ଅନ୍ୟକିଛି ଜୀବବିଜ୍ଞାନୀ ମତ ଦିଅନ୍ତି ଯେ, ଆନୁବଂଶିକ ବିବିଧତା ଉପରେ ମଣିଷମାନଙ୍କର କିଛି ପରୀକ୍ଷା ନିରୀକ୍ଷା ଏହି କରୋନା ଭାଇରସ ସୃଷ୍ଟିର କାରଣ। ଘୁଷୁରି ଉପରେ କରାଯାଉଥିବା କିଛି ଏହିଭଳି ପରୀକ୍ଷାରୁ କରୋନା ଭୂତାଣୁ ସୃଷ୍ଟି ଓ ସଂକ୍ରମଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ୟୁରୋପ ଓ ଆମେରିକାରେ ଥିବା ପ୍ରାୟ ସମସ୍ତ ମାଂସ ଉତ୍ପାଦକ ସଂସ୍ଥାର ଶାଖା ଚାଇନାରେ ରହିଛି। ଚାଇନାର ଉହାନଠାରେ ବିଶ୍ୱର ବୃହତ୍‌ ମାଂସ ଉଦ୍ୟୋଗ ରହିଛି ଓ ଏହାର ସମ୍ପର୍କ ସମସ୍ତ ଅନ୍ତର୍ଜାତୀୟ ମାଂସ ଉତ୍ପାଦକ ସଂଘ ସହ ରହିଥିବାରୁ କରୋନା ସଂକ୍ରମଣ ବିଶ୍ୱରେ ବ୍ୟାପିବାକୁ ବେଶି ସମୟ ଲାଗି ନ ଥିଲା। ଯେପରି ଭାବେ ମେକ୍ସିକୋର ଘୁଷୁରି ମାଂସ ଶିଳ୍ପରୁ ସ୍ବାଇନ ଫ୍ଲୁର ଉତ୍ପତ୍ତି ହୋଇଥିଲା, ସେହିପରି ଚାଇନାର ଉହାନସ୍ଥିତ ମାଂସ ବଜାରରୁ କୋଭିଡ୍‌ ସଂକ୍ରମଣ ଆରମ୍ଭ ହୋଇଛି।
ଜାତିସଂଘର ପରିବେଶ ବିଭାଗ ମୁଖପାତ୍ର ଇଙ୍ଗର ଆଣ୍ଡରଗନଙ୍କ ମତରେ ଆମେ ଯଦି ପ୍ରକୃତିକୁ ସୁରକ୍ଷା ନ ଦେଇପାରିବା ତେବେ ଆମେ ନିଜକୁ ସୁରକ୍ଷିତ ରଖିପାରିବା ନାହିଁ। ଜୈବବିବିଧତା, ଖାଦ୍ୟଶୃଙ୍ଖଳକୁ ଖଣ୍ଡିତ କରି ମଣିଷ ନିଜ ବିପଦକୁ ନିଜେ ଆମନ୍ତ୍ରିତ କରୁଛି। ପ୍ରକୃତି ସହ ଏପରି ଅବିଚାର ନିଆଁରେ ଖେଳିବା ସହ ସମାନ। ଯେତେବେଳେ ଖାଦ୍ୟ ଉତ୍ପାଦନ ବନ୍ୟ ଆବାସକୁ ଅଧିକୃତ କରେ, କବଳିତ କରେ, ସେତେବେଳେ ପଶୁଜନ୍ତୁଙ୍କଠାରୁ ରୋଗ ଜୀବାଣୁ ମଣିଷକୁ ସଂକ୍ରମିତ ହେବାର ସୁଯୋଗ ସୃଷ୍ଟିକରେ। ସ୍ପାନିଶ ଫ୍ଲୁ, ସ୍ବାଇନ ଫ୍ଲୁ, ଏଭିଏନ୍‌ଫ୍ଲୁ, ହନ୍ତା ଭାଇରସ, ହେଣ୍ଡ୍ରା ଭାଇରସ, ମାରବର୍ଗ ଭାଇରସ, ଜିକା ଭାଇରସ ଏସବୁର ଜ୍ୱଳନ୍ତ ଉଦାହରଣ। କରୋନା ସଂକ୍ରମଣରୁ ଆଜିର ମଣିଷ ଶିକ୍ଷାଲାଭ କରିବାର ସୁଯୋଗ ପାଇଛି। ପ୍ରାକୃତିକ ଖାଦ୍ୟ ସନ୍ତୁଳନକୁ ବାଧା ପହଞ୍ଚାଇବା ଭଳି ପଦକ୍ଷେପ ତୁରନ୍ତ ବନ୍ଦ ହେବା ଉଚିତ। ଜୈବବିବିଧତାକୁ ଅକ୍ଷୁଣ୍ଣ ରଖାଯିବା ସହ ପ୍ରାକୃତିକ ସନ୍ତୁଳନକୁ ଗୁରୁତ୍ୱ ଦିଆଯାଉ। ନ ହେଲେ ଦୁର୍ଲଭ ପଶୁଜନ୍ତୁଙ୍କ ମାଂସ ଲାଳସା ପାଇଁ କୋଭିଡ୍‌-୧୯ ଭଳି ମାରାତ୍ମକ ବେମାରୀ କବ୍‌ଜାକୁ ଯେପରି ଆମେ ପୁଣି ଚାଲି ନ ଯାଉ।
ମୋ- ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri