ଜୈବବିବିଧତା ଓ କରୋନା

ପ୍ରକାଶ ତ୍ରିପାଠୀ

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଭାରତ ଭଳି ଜନବହୁଳ ଦେଶରେ କରୋନାକୁ ନିୟନ୍ତ୍ରଣରେ ରଖିବା ଆଉ ସମ୍ଭବ ହୋଇପାରୁନାହିଁ। ବିଶେଷକରି ପ୍ରବାସୀମାନଙ୍କ ସ୍ଥାନାନ୍ତର ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଗତ ଚାରିମାସର ଅଭିଜ୍ଞତାରୁ ଯାହା ଜଣାପଡେ, ଏହା ଯେଉଁ ମାତ୍ରାରେ ସଂକ୍ରମିତ ହୁଏ ସେହି ମାତ୍ରାରେ ମୃତ୍ୟୁର କାରଣ ହୋଇ ନ ଥାଏ। ସର୍ବାଧିକ ଶତକଡ଼ା ୪ ଭାଗ ଭିତରେ ମୃତ୍ୟୁ ସଂଖ୍ୟା ସୀମିତ ରହୁଥିବାରୁ ମଣିଷ ଶରୀରରେ ଏହା ସ୍ବତଃ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରୁଛି। ବିଶେଷକରି ପୁରୁଣା ରୋଗ ଯେପରି କି ମଧୁମେହ, ଉଚ୍ଚ ରକ୍ତଚାପ, ବୃକ୍‌କ ରୋଗ, ଯକୃତ ରୋଗ ତଥା ଶ୍ୱାସ ରୋଗ ଥିବା ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହା ଘାତକ ସାବ୍ୟସ୍ତ ହେଉଥିବାରୁ ଏମାନଙ୍କ ପାଇଁ ଅଧିକ ସତର୍କତା ଅବଲମ୍ବନର ଆବଶ୍ୟକତା ପଡ଼ୁଛି।
କରୋନା ଭୂତାଣୁ କିପରି ସୃଷ୍ଟି ହେଲା ଓ କିପରି ବିଶ୍ୱବ୍ୟାପୀ ସଂକ୍ରମିତ ହେଲା ସେ ନେଇ ଜୀବବିଜ୍ଞାନୀମାନେ ନୂଆ ନୂଆ ତଥ୍ୟ ପ୍ରକାଶ କରିଚାଲିଛନ୍ତି। ଜୈବବିବିଧତା ଉପରେ ମଣିଷର ଅତ୍ୟଧିକ ଚାପ ଯୋଗୁ କୋଭିଡ୍‌-୧୯ର ଜନ୍ମ ବୋଲି ଇତିମଧ୍ୟରେ ଅନେକ ରୋଗ ବିଶେଷଜ୍ଞ ମତ ରଖିଛନ୍ତି। ଭୂମି, ମଧୁରଜଳ ଓ ସମୁଦ୍ର ଜଳରେ ଥିବା ପ୍ରାଣୀ ଓ ଉଦ୍ଭିଦର ଜୈବବିବିଧତା ଉପରେ ପରିବେଶ ପ୍ରଦୂଷଣର ପ୍ରଭାବ ଯୋଗୁ ଅନେକ ପ୍ରାଣୀ ଓ ଉଦ୍ଭିଦ ବିଲୁପ୍ତ ହେବା ସହ ଅନେକ ପ୍ରଜାତି ଏବେ ବିଲୁପ୍ତିର ଦ୍ୱାରଦେଶରେ। ୨୫ ପ୍ରତିଶତ ସ୍ତନ୍ୟପାୟୀ, ୪୧ ପ୍ରତିଶତ ଉଭୟଚର ଓ ୧୩ ପ୍ରତିଶତ ପକ୍ଷୀ ବିଲୁପ୍ତିପଥେ ଅଗ୍ରସର ହେଉଛନ୍ତି। ପୃଥିବୀ ଉପରେ ଜୀବନକୁ ସୁରକ୍ଷିତ ରଖିବାର ଦାୟିତ୍ୱ ତୁଲାଉଥିବା ଜୈବବିବିଧତା ବୃହତ୍‌କାୟ ଉଦ୍ଭିଦ ଓ ପ୍ରାଣୀଠାରୁ ଆରମ୍ଭ କରି ସୂକ୍ଷ୍ମାତିସୂକ୍ଷ୍ମ ଜୀବାଣୁର ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରେ। ସେମାନଙ୍କ ମଧ୍ୟରେ ଥିବା ଖାଦ୍ୟଶୃଙ୍ଖଳର ଗୋଟିଏ ଅଂଶ ଖଣ୍ଡିତ ବା ବିଭାଜିତ ହେଲେ ବି ସମ୍ପୂର୍ଣ୍ଣ ସନ୍ତୁଳନ ବାଧାପ୍ରାପ୍ତ ହୁଏ। ସେହି ଦୃଷ୍ଟିରୁ ବିଚାର କଲେ କୋଭିଡ୍‌-୧୯ ବି ଜୈବବିବିଧତା ଉପରେ ଆସୁଥିବା ବିଶ୍ୱର ଏକ ଅଂଶବିଶେଷ। ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ଘନଜଙ୍ଗଲ ଭିତରେ ରହୁଥିବା ଅନେକ ପ୍ରଜାତିର ପଶୁ ଓ ପକ୍ଷୀ ଅନେକ ଭୟଙ୍କର ରୋଗ ଜୀବାଣୁର ବାହକ ହୋଇଥାନ୍ତି। ଆଫ୍ରିକୀୟ ଜଙ୍ଗଲରେ ରହୁଥିବା ପଶୁଙ୍କଠାରୁ ଇବୋଲା ଭାଇରସ ସଂକ୍ରମଣ ଏହାର ପ୍ରମାଣ। ଯେତେବେଳେ ମଣିଷ ଏହି ଜଙ୍ଗଲି ପଶୁ-ପକ୍ଷୀଙ୍କ ମାଂସକୁ ଆହାର ଭାବେ ଗ୍ରହଣ କରେ, ସେତେବେଳେ ଏହି ଭୟଙ୍କର ଭୂତାଣୁ ସହଜରେ ବଣୁଆ ପଶୁଠାରୁ ମଣିଷ ସମାଜ ଭିତରକୁ ପ୍ରବେଶ କରିଆସେ। ସାର୍ସ ଭାଇରସ ବି ବନ୍ୟଜନ୍ତୁଙ୍କଠାରୁ ମଣିଷ ମଧ୍ୟକୁ ଆସିଥିଲା। ମଣିଷଠାରେ ଦେଖାଯାଉଥିବା ସମୁଦାୟ ସଂକ୍ରାମକ ରୋଗ ମଧ୍ୟରୁ ପ୍ରାୟ ୭୫ ଭାଗ ରୋଗ ପଶୁଜନ୍ତୁଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ଆମେରିକାନ୍‌ ସୋସାଇଟି ଫର ମାଇକ୍ରୋ ବାୟୋଲୋଜି ଦ୍ୱାରା ୨୦୦୭ରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡେ ଯେ, ବାଦୁଡ଼ି ଶରୀରରେ ସାର୍ସ ଓ କୋଭିଡ୍‌ ଭଳି ଭୟଙ୍କର ଭୂତାଣୁ ରହିଛି ଓ ମଣିଷର ଏହି ବନ୍ୟଜନ୍ତୁଙ୍କୁ ଖାଇବା ଆଗ୍ରହ ହିଁ ମଣିଷ ସମାଜ ପାଇଁ ଘାତକ ପ୍ରମାଣିତ ହେଉଛି। ବନାଞ୍ଚଳର ହ୍ରାସ ମଣିଷକୁ ବନ୍ୟଜନ୍ତୁଙ୍କ ନିକଟତର କରିବାରେ ଲାଗିଛି। ଏହାସହ ବନ୍ୟ ପଶୁ ଓ ପକ୍ଷୀଙ୍କ ମାଂସର ଆମଦାନି ଓ ରପ୍ତାନି ଅନେକ ଭୟଙ୍କର ରୋଗ ସମ୍ପ୍ରସାରଣର କାରଣ ହେଉଛି। ସାଉଥ୍‌ ଚାଇନା ଏଗ୍ରିକଲ୍‌ଚରାଲ ୟୁନିଭର୍ସିଟିର କଲେଜ ଅଫ୍‌ ଭେଟେରିନାରୀ ମେଡିସିନ୍‌ର କିଛି ବିଶେଷଜ୍ଞଙ୍କ ମତ ହେଲା ଯେ, କୋଭିଡ୍‌-୧୯ର ସୃଷ୍ଟି ବନ୍ୟପ୍ରାଣୀ ବାଦୁଡ଼ି ଓ ବଜ୍ରକାପ୍ତା ଶରୀରରେ ଥିବା କରୋନା ଭାଇରସର ପୁନର୍ମିଳନ ଯୋଗୁ ସମ୍ଭବ ହୋଇଛି। ବଜ୍ରକାପ୍ତା ଏକ ବିଲୁପ୍ତପ୍ରାୟ ଜୀବ ଓ ଏହାର ଶିକାର ଆଇନବିରୁଦ୍ଧ। ମାତ୍ର ଏହାର ମାଂସ ଓ କାତି ପାଇଁ ଏହାକୁ ଲୁଚାଚୋରାରେ ଶିକାର କରାଯାଉଛି। ସେହିପରି ଅନ୍ୟକିଛି ଜୀବବିଜ୍ଞାନୀ ମତ ଦିଅନ୍ତି ଯେ, ଆନୁବଂଶିକ ବିବିଧତା ଉପରେ ମଣିଷମାନଙ୍କର କିଛି ପରୀକ୍ଷା ନିରୀକ୍ଷା ଏହି କରୋନା ଭାଇରସ ସୃଷ୍ଟିର କାରଣ। ଘୁଷୁରି ଉପରେ କରାଯାଉଥିବା କିଛି ଏହିଭଳି ପରୀକ୍ଷାରୁ କରୋନା ଭୂତାଣୁ ସୃଷ୍ଟି ଓ ସଂକ୍ରମଣର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ୟୁରୋପ ଓ ଆମେରିକାରେ ଥିବା ପ୍ରାୟ ସମସ୍ତ ମାଂସ ଉତ୍ପାଦକ ସଂସ୍ଥାର ଶାଖା ଚାଇନାରେ ରହିଛି। ଚାଇନାର ଉହାନଠାରେ ବିଶ୍ୱର ବୃହତ୍‌ ମାଂସ ଉଦ୍ୟୋଗ ରହିଛି ଓ ଏହାର ସମ୍ପର୍କ ସମସ୍ତ ଅନ୍ତର୍ଜାତୀୟ ମାଂସ ଉତ୍ପାଦକ ସଂଘ ସହ ରହିଥିବାରୁ କରୋନା ସଂକ୍ରମଣ ବିଶ୍ୱରେ ବ୍ୟାପିବାକୁ ବେଶି ସମୟ ଲାଗି ନ ଥିଲା। ଯେପରି ଭାବେ ମେକ୍ସିକୋର ଘୁଷୁରି ମାଂସ ଶିଳ୍ପରୁ ସ୍ବାଇନ ଫ୍ଲୁର ଉତ୍ପତ୍ତି ହୋଇଥିଲା, ସେହିପରି ଚାଇନାର ଉହାନସ୍ଥିତ ମାଂସ ବଜାରରୁ କୋଭିଡ୍‌ ସଂକ୍ରମଣ ଆରମ୍ଭ ହୋଇଛି।
ଜାତିସଂଘର ପରିବେଶ ବିଭାଗ ମୁଖପାତ୍ର ଇଙ୍ଗର ଆଣ୍ଡରଗନଙ୍କ ମତରେ ଆମେ ଯଦି ପ୍ରକୃତିକୁ ସୁରକ୍ଷା ନ ଦେଇପାରିବା ତେବେ ଆମେ ନିଜକୁ ସୁରକ୍ଷିତ ରଖିପାରିବା ନାହିଁ। ଜୈବବିବିଧତା, ଖାଦ୍ୟଶୃଙ୍ଖଳକୁ ଖଣ୍ଡିତ କରି ମଣିଷ ନିଜ ବିପଦକୁ ନିଜେ ଆମନ୍ତ୍ରିତ କରୁଛି। ପ୍ରକୃତି ସହ ଏପରି ଅବିଚାର ନିଆଁରେ ଖେଳିବା ସହ ସମାନ। ଯେତେବେଳେ ଖାଦ୍ୟ ଉତ୍ପାଦନ ବନ୍ୟ ଆବାସକୁ ଅଧିକୃତ କରେ, କବଳିତ କରେ, ସେତେବେଳେ ପଶୁଜନ୍ତୁଙ୍କଠାରୁ ରୋଗ ଜୀବାଣୁ ମଣିଷକୁ ସଂକ୍ରମିତ ହେବାର ସୁଯୋଗ ସୃଷ୍ଟିକରେ। ସ୍ପାନିଶ ଫ୍ଲୁ, ସ୍ବାଇନ ଫ୍ଲୁ, ଏଭିଏନ୍‌ଫ୍ଲୁ, ହନ୍ତା ଭାଇରସ, ହେଣ୍ଡ୍ରା ଭାଇରସ, ମାରବର୍ଗ ଭାଇରସ, ଜିକା ଭାଇରସ ଏସବୁର ଜ୍ୱଳନ୍ତ ଉଦାହରଣ। କରୋନା ସଂକ୍ରମଣରୁ ଆଜିର ମଣିଷ ଶିକ୍ଷାଲାଭ କରିବାର ସୁଯୋଗ ପାଇଛି। ପ୍ରାକୃତିକ ଖାଦ୍ୟ ସନ୍ତୁଳନକୁ ବାଧା ପହଞ୍ଚାଇବା ଭଳି ପଦକ୍ଷେପ ତୁରନ୍ତ ବନ୍ଦ ହେବା ଉଚିତ। ଜୈବବିବିଧତାକୁ ଅକ୍ଷୁଣ୍ଣ ରଖାଯିବା ସହ ପ୍ରାକୃତିକ ସନ୍ତୁଳନକୁ ଗୁରୁତ୍ୱ ଦିଆଯାଉ। ନ ହେଲେ ଦୁର୍ଲଭ ପଶୁଜନ୍ତୁଙ୍କ ମାଂସ ଲାଳସା ପାଇଁ କୋଭିଡ୍‌-୧୯ ଭଳି ମାରାତ୍ମକ ବେମାରୀ କବ୍‌ଜାକୁ ଯେପରି ଆମେ ପୁଣି ଚାଲି ନ ଯାଉ।
ମୋ- ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri