ହସ୍ପିଟାଲକୁ ଡରିଲେ କ’ଣ କରୋନା ଯିବ

ସହଦେବ ସାହୁ

ମହିନ୍ଦ୍ରା ବୋଲେରୋ ୬ ନମ୍ବର ହସ୍ପିଟାଲ୍‌ ସାମ୍‌ନାରେ ଅଟକିଗଲା, ଧଁ ସଁ ହେଉଥିବା ଗୋବିନ୍ଦ ଭଣ୍ଡାରିକୁ ଦୁଆର ମୁହଁରେ ଭୂଇଁରେ ଥୋଇ ଦେଲା। କେଇ ଦିନ କାଳ ହେଲା ସେ ସଂକ୍ରମଣ ଆଶଙ୍କା କରୁଥିଲା, ହସ୍ପିଟାଲ୍‌କୁ ଆସିବାକୁ ଚାହୁଁ ନ ଥିଲା। ସେ ଧରିନେଇଥିଲା ଯେ ଡାକ୍ତରମାନେ କରୋନା ଭାଇରସ ରୋଗୀକୁ ମାରିଦେଉଛନ୍ତି। ଗୋବିନ୍ଦ ଘୁଷୁରି ଘୁଷୁରି କାଜୁଆଲ୍‌ଟି ରୁମ୍‌ ଡାକ୍ତରଙ୍କ ଟେବୁଲ ପାଖକୁ ଗଲା ବେଳକୁ ସେ କଚାଡ଼ି ହୋଇ ପଡ଼ିଗଲା। ବହୁତ ଡେରି ହୋଇଯାଇଥିଲା।
ସ୍ବାମୀ ନାଁ ଧରି ଡାକିବା ବାରଣ ବୋଲି ତା’ ସ୍ତ୍ରୀ ଖାଲି ଚିତ୍କାର କଲା, ନିଃଶ୍ୱାସ ନିଅ। ନିଃଶ୍ୱାସ ନିଅ। ସେ ଖୁବ୍‌ ବଡ଼ ପାଟିରେ କହୁଥାଏ ଆଉ ଗୋବିନ୍ଦର ଛାତିରେ ହାତ ବାଡ଼ଉଥାଏ। ଖୁବ୍‌ ଜୋର୍‌ରେ ଛାତି ଉପରେ ନିଜ ଓଜନକୁ ଲଦି ଦେଉଥାଏ ତ ପୁଣି ଉଠି ପଡୁଥାଏ। ବାହାର ଲୋକକୁ ଡାକ ଦେଉଥାଏ ଟିକେ ଧାଇଁ ଆସ, ସାହାଯ୍ୟ କର। ଘଣ୍ଟାଏ ଭିତରେ ସବୁ ସରିଗଲା। ଏ ଏକ କାହାଣୀ ହୋଇପାରେ, କିନ୍ତୁ ସତଠୁ ବେଶି ଦୂର ନୁହେଁ।
ଓଡ଼ିଶା ସରକାର ଲଢ଼େଇ କରୁଛନ୍ତି, ବିଶ୍ୱସାରା ଏକ ଅଦୃଶ୍ୟ ବାଦଲ ଭଳି ଘୂରିବୁଲୁଥିବା ଏକ କରାଳ ରାକ୍ଷସ କରୋନା ଭାଇରସ୍‌ ବିରୋଧରେ। ଗୁଡାଏ କୋଭିଡ୍‌-୧୯ ହସ୍‌ପିଟାଲ୍‌ ଖୋଲିଛନ୍ତି। କିନ୍ତୁ ଲୋକଙ୍କ ଭିତରେ ହସ୍‌ପିଟାଲ୍‌ ଯିବାକୁ ବଡ ଭୟ। ସହଜେ ତ ରୋଗଟା ଅଜଣା, ପୁଣି କାହାରି ସହାୟତା ବିନା ହସ୍‌ପିଟାଲ୍‌ରେ ଏକଲା ପଡିରହିବାର ଆଶଙ୍କା। ଟିଭି ଶୁଣି ଶୁଣି ଖବରକାଗଜ ପଢି ପଢି ଲୋକ ଭାବିନେଉଛନ୍ତି ଯେ କୋଭିଡ୍‌-୧୯ ହସ୍‌ପିଟାଲ୍‌ଟା ଗୋଟିଏ ମରଣଯନ୍ତା। ତେଣୁ ରୋଗକୁ ଲୁଚାଇ ରଖି ଘରେ ରହିଯିବା ବହୁତ ଲୋକେ ପସନ୍ଦ କରୁଛନ୍ତି। ସେହିମାନେ ହିଁ ଅଜାଣତରେ ପରିବାରର ଲୋକଙ୍କ ଭିତରେ ଆଉ ପଡ଼ିଶାରେ ରୋଗ ବାଣ୍ଟୁଛନ୍ତି। ଗରିବ ଓ ନିମ୍ନମଧ୍ୟବିତ୍ତ ପରିବାରର ଲୋକଙ୍କ ଭିତରେ କରୋନା ଭୂତାଣୁ ବ୍ୟାପିବାର ଗୋଟିଏ ବଡ କାରଣ ହସ୍‌ପିଟାଲ୍‌ ଯିବା ଭୟ।
ମଣିଷର ମୁହଁ, ନାକ ଓ ଆଖି ବାଟେ ଯାଇ ଦେହର ରସ (ମିୟୁକୁଅସ୍‌) ସହିତ ମିଶି ଗଲେ ନଭେଲ୍‌ କରୋନା ଭାଇରସ୍‌ ଜୀବନ୍ତ ହୋଇଯାଏ, ମଣିଷ ଦେହର କୋଷଗୁଡିକୁ ଆୟତ୍ତ କରି ନିଜର ବଂଶବୃଦ୍ଧି କରେ, ତା’ର ଲକ୍ଷ୍ୟ ଫୁସ୍‌ଫୁସ୍‌କୁ ଯିବା ଓ ସେଠି ବସବାସ କରିବା। ସେଠି ପହଞ୍ଚିି ଗଲେ ରକ୍ତକୁ ଅମ୍ଳଜାନ ଯିବାର ରାସ୍ତା ବନ୍ଦ କରିଦିଏ, ତରଳ ରକ୍ତ ପ୍ରବାହକୁ ଦୁଧ-ଛେନା-ଛିଣ୍ଡିଲା ଭଳି କ୍ଲଟ୍‌ କରିଦିଏ। ତା’ର ସଂକ୍ରମଣକୁ ଶୀଘ୍ର ରୋକିବା ବା ରୋଗୀକୁ ତ୍ୱରିତ ଉପଶମ କରାଇବା ଭଳି ସ୍ବାସ୍ଥ୍ୟସେବା ଆମ ପ୍ରଦେଶରେ ପ୍ରଚୁର ପରିମାଣରେ ନାହିଁ, ଯାହା ବା ଅଛି ତାହା ଯଥେଷ୍ଟ ନୁହେଁ। ପୁଣି ଯଥେଷ୍ଟ ଡାକ୍ତର ନାହାନ୍ତି। କୋଭିଡ ହସ୍‌ପିଟାଲରେ ଦରକାରୀ ଔଷଧ ନାହିଁ, ଔଷଧକୁ ଅପେକ୍ଷା କରୁଥିବା ରୋଗୀକୁ ସାନ୍ତ୍ୱନା ଦେବାକୁ କେହି ଜଣେ ଆସୁ ନ ଥିବେ। ୧୨.୩୦ରେ ଡାକ୍ତର ଦେଖିଯାଇଥିବେ ତ ୬ଟା ଯାଏ ଔଷଧ ମିଳିବ ନାହିଁ – ଛଟପଟ ହେବା ଛଡା ଆଉ କ’ଣ ହେବ? ଅକ୍ସିଜେନ ନାହିଁ ତ ଡାକ୍ତର ଲେଖି ଦେଇଥିବା ଔଷଧ ଷ୍ଟକ୍‌ରେ ନାହିଁ। ଫାବିଫିରାଭିର୍‌, ରେମ୍‌ଡେସିଭିର୍‌, ଟୋକ୍ଲିଜୁମାବ୍‌ ବିରଳ। ଓଡିଶା ଷ୍ଟେଟ୍‌ ମେଡିକାଲ୍‌ କର୍ପୋରେଶନ୍‌ ତ କାହା ପ୍ରତି ଦରଦ ଦେଖାଏ ନାହିଁ, କାଗଜପତ୍ର କାମ କରିବାରେ ବ୍ୟସ୍ତ। ଡାକ୍ତର କହିବେ ଚେଷ୍ଟ ଏକ୍ସ- ରେ କର ତ ଟେକ୍ନିସିଆନ୍‌ର ଦେଖା ନାହିଁ। କି ହଟହଟା!
ମିଡିଆରେ ପ୍ରଚାର- ସରକାର ବହୁତ କରୁଛନ୍ତି, ଯାହାର ପ୍ରାଣ ଗଲା, ତା’ ପରିବାରର ଦୁଃଖ କ’ଣ ସରକାରଙ୍କ ପ୍ରଚାରରେ ଲିଭିଯିବ। ଶବଦେହରୁ ମିୟୁକୁଅସ ଛିଟିକି ବାହାରିପାରେ ନାହିଁ, ତେଣୁ ମୃତ ଲୋକଠାରୁ କରୋନା ଭାଇରସ ଭାସି ଆସିବାର ପ୍ରଶ୍ନ ନାହିଁ, ତଥାପି ଲୋକେ ଶବଦାହ ଉପରେ ବାରଣ କରୁଛନ୍ତି, ତେଣୁ ମଣିଷ ବଞ୍ଚିିଥିଲା ବେଳେ ଯେମିତି ଅଛୁଆଁ (ଆଇସୋଲେଶନରେ) ରହୁଥିଲା ତାହାଠାରୁ ବେଶି ଅଛୁଆଁ ହୋଇଯାଉଛି ମଲା ପରେ। ବାପାକୁ ପୁଅ ଛୁଉଁନାହିଁ ପୁଅକୁ ବାପା ଛୁଉଁନାହିଁ, ସ୍ବାମୀକୁ ସ୍ତ୍ରୀ ବା ସ୍ତ୍ରୀକୁ ସ୍ବାମୀ। ପଡ଼ିଶା ଲୋକେ ଶବ ବୋହୁ ନାହାନ୍ତି। କୋଭିଡ ୱାର୍ଡକୁ ଲୋକେ ଡରୁଛନ୍ତି।
ଲୋକେ ଡରୁଛନ୍ତି ବୋଲି ରୋଗ ଅସମ୍ଭାଳ ନ ହେଲାଯାଏ ହସ୍‌ପିଟାଲ୍‌ ଯାଉନାହାନ୍ତି। ତେଣୁ ଯିବା ରାସ୍ତାରେ, ଟାକ୍ସି ଭିତରେ, ଶେଷନିଃଶ୍ୱାସ ତ୍ୟାଗ କରୁଛନ୍ତି। ଅଥଚ ଘର ଭିତରେ ଥାଇ ନିଜେ ଚିକିତ୍ସା କରିବାର ଚେଷ୍ଟା କଲେ ସଂକ୍ରମଣ ଆହୁରି ବେଶି ବ୍ୟାପିବ। ସେ ପ୍ରକାରର ମୃତ୍ୟୁ ଯୋଗୁ କେତେ କୋଭିଡ୍‌-୧୯ରେ ମଲେ ଆମେ ଜାଣିପାରିବା ନାହିଁ। କାରଣ କରୋନା ଅଛି କି ନାହିଁ ଟେଷ୍ଟ ହୋଇ ନ ଥିବ। ସେମାନଙ୍କ ସଂଖ୍ୟା ତ ଅଗଣିତ।
ଆଉ ଗୋଟିଏ କଥା ଆମେରିକା ପରିସଂଖ୍ୟାନରୁ ଜଣାଯାଇଛି- ଯେଉଁମାନେ ହସ୍‌ପିଟାଲରେ କରୋନାରେ ମରିଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ହସ୍‌ପିଟାଲରେ ରହିବାର ୫ ଦିନ ଭିତରେ ମରିଛନ୍ତି, ଅର୍ଥାତ୍‌ ଯେଉଁ ରୋଗୀ ୫ ଦିନରୁ ବେଶି ହସ୍‌ପିଟାଲରେ ରହିଯାଇଛି ସେ ଭଲ ହୋଇଯାଇଛି। ପ୍ରକାରାନ୍ତରେ ଯେତେ ବେଶି ଲୋକ ସହଳ ବା ଆଗତୁରା ହସ୍‌ପିଟାଲ ଯିବେ ସେତେ ବେଶି ଲୋକ ଭଲ ହେବେ। ହସ୍‌ପିଟାଲ ଭିତରର ଦୃଶ୍ୟ ଇଲେକ୍ଟ୍ରୋନିକ୍‌ ମିଡିଆ ଯେମିତି ଦେଖାଉଛନ୍ତି, ତାହା ଦେଖି ଲୋକେ ଭାବୁଛନ୍ତି ଘରେ ରହି ବରଂ ମରିବି, ହସ୍‌ପିଟାଲ ଯିବି ନାହିଁ। ତାହା ଛଡା ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିବା ରୋଗୀ କରୋନା ଆକ୍ରାନ୍ତ ହୋଇଗଲେ କୋଭିଡ୍‌-୧୯ ରୋଗରେ ମରୁଛନ୍ତି। ୬୫ ବର୍ଷରୁ ବେଶି ବୟସ୍କଙ୍କ ପକ୍ଷରେ ଏ ରୋଗକୁ ସମ୍ଭାଳିବା ବଡ କଷ୍ଟକର। ମେକ୍ସିକୋ ଭଳି ଦେଶରେ କେତେକ ଭାବୁଛନ୍ତି ଡାକ୍ତରମାନେ ଇଚ୍ଛା କରି ବୟସ୍କମାନଙ୍କୁ ମାରିଦେଉଛନ୍ତି।
ସରକାରଙ୍କ ନୀତି ଦେଖନ୍ତୁ! ମଦ ଦୋକାନ ଖୋଲିଦେଲେ, ମଦ ଖାଇବା ସ୍ଥାନ ବା ବାର୍‌ ଖୋଲିଦେଲେ। ଲୋକମୁଖରେ ଶୁଣାଯାଏ ବାର୍‌ରେ ତ ମଦ ବୋହୁଛି। ଉଚ୍ଚ ସ୍ବରରେ କଥାବାର୍ତ୍ତା ଚାଲେ, ତେଣୁ ପାଟିରୁ ଛେପ (ମିୟୁକୁଅସ୍‌) ସହ ସ୍ବଳ୍ପ ସଂକ୍ରମିତ ହୋଇଥିବା ବା ଲକ୍ଷଣ ପ୍ରକାଶ କରୁ ନ ଥିବା ଲୋକଠାରୁ ପ୍ରଚୁର କରୋନା ଭୂତାଣୁ ଛିଟିକି ଆସେ। ପିଇବାବାଲାଏ ବହୁତ ପାଖାପାଖି ବସନ୍ତି, ବାର୍‌ ଭିତରେ ଖୁବ୍‌ ଚଲାବୁଲା ବି କରନ୍ତି, ଏଠିସେଠି ହୁଅନ୍ତି। ନିଜକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ଫୁସ୍‌ଫୁସ୍‌ କଥା ହେଉଥିବା ସାଙ୍ଗଠାରୁ ଭଲ କରି ଶୁଣିବା ଲାଗି ମୁହଁ ପାଖରେ କାନ ଯାକି ହୋଇ ବସନ୍ତି, ସତେ ଯେପରି ବଡ ନିବିଡ ସମ୍ପର୍କ ଅଛି। ବାର୍‌ ଭିତରେ କେହି ଅଜଣା (ଷ୍ଟ୍ରେଞ୍ଜର୍‌) ମନେହୁଅନ୍ତି ନାହିଁ। କରୋନା ଭୂତାଣୁ ତା’ର ବିସ୍ତାର ପାଇଁ ଭିଜା ସ୍ଥାନ ବହୁତ ପାଇଯାଏ। ବାର୍‌ର ଆବହାୱା ତ ସଂକ୍ରମଣ ବ୍ୟାପିବାର ଆବହାୱା। ସରକାର ମଦ ଦୋକାନ ଖୋଲିବା ମାନେ କରୋନାକୁ ବ୍ୟାପିବାର ଖୋରାକ ଯୋଗାଇବା। କେତେ ଫି ବା ଲାଇସେନ୍ସ ଟଙ୍କା ମିଳିବ? କରୋନା ଭୂତାଣୁ ରୋକିବାରେ ଓ କୋଭିଡ୍‌-୧୯ ରୋଗର ଚିକିତ୍ସାରେ ହେଉଥିବା ଖର୍ଚ୍ଚ ତୁଳନାରେ ତୁଚ୍ଛ, ତଥାପି ତା’ ପଛରେ ଦଉଡୁଛ!
ବାରର ଅଜଣା ଉଦ୍ଦେଶ୍ୟ ଲୋକଙ୍କ ସାଙ୍ଗରେ ବନ୍ଧୁତା କରିବା। ଅଫିସରଙ୍କ ସାଙ୍ଗ ହେଲେ କଣ୍ଟ୍ରାକ୍ଟ ସହଜରେ ମିଳିଯିବ, ମଦ ବୋତଲ ଲାଞ୍ଚର ସନ୍ତକ ହେବ। ଅଫିସରଙ୍କ ଘରେ ପହଞ୍ଚେଇ ଦେଲେ ପଇସା ଆକାରରେ ଲାଞ୍ଚ ଦେବା ଦରକାର ନାହିଁ। ଆମେରିକାରେ କରୋନା ଥମିବାର ନାଁ ନେଉ ନ ଥିବାର କାରଣ ଖୋଲା ବାର୍‌, ସମୁଦ୍ର ଉପକୂଳରେ ଖୋଲା ମଦ କାରବାର। ଏମିତି ହେଲା ଯେ କାଲିଫର୍ନିଆ, ଟେକ୍ସାସ୍‌ ଓ ଆରିଜୋନାର ଗଭର୍ନରମାନେ ଖୋଲା ହୋଇଥିବା ଶହ ଶହ ବାର୍‌ ଏବେ ବନ୍ଦ କରିଦେଇଛନ୍ତି। କିନ୍ତୁ ଆମ ରାଜ୍ୟ ଓ ଆମ ଦେଶ ଖୋଲୁଛି! ଲୋକଙ୍କ ପ୍ରତି ଟିକେ ଦରଦ ବା କନ୍ସର୍ନ ଦେଖାଅ। କେବଳ ମିଡିଆ ମାଧ୍ୟମରେ ଉଦ୍‌ବିଗ୍ନତା ଦେଖାଇଲେ କାଗଜକଲମର ଦରଦରେ କରୋନା ଦବିଯିବ ନାହିଁ !
Email:sahadevs@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?