ସମ୍ପାଦକୀୟ/ ଥଇଥାନ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ପଦବୀରୁ ଇସ୍ତଫା ଦେଇଥିବା ବିଷୟ ୨୪ ଜୁନ୍‌ ୨୦୧୯ରେ ପଦାକୁ ଆସିଛି । ୧୦ ଡିସେମ୍ବର ୨୦୧୮ରେ ଉର୍ଜିତ ପଟେଲ ଗଭର୍ନର ପଦରୁ ଇସ୍ତଫା ଦେବାର ୭ ମାସ ପରେ ବିରଲ ଆର୍‌ବିଆଇ ଛାଡ଼ିବା ଏହି ବୈଧାନିକ ସଂସ୍ଥାର ସ୍ବାତନ୍ତ୍ର୍ୟ ଉପରେ ପୁଣି ପ୍ରଶ୍ନ ଉଠିଛି। କିନ୍ତୁ ଆର୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ସେ ପୁଣି ଶିକ୍ଷା କ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ବିଶ୍ୱାସଯୋଗ୍ୟ ମନେହେଉଛି। ଆମେରିକାରେ ତାଙ୍କ ପରିବାର ରହୁଛନ୍ତି ଓ ସେଠାରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ତାଙ୍କ ଇସ୍ତଫା ଏକ ସଂଯୋଗ ବୋଲି ଆଶା କରାଯାଇପାରେ। ଉଲ୍ଲେଖଯୋଗ୍ୟ ଯେ, ଆର୍‌ବିଆଇ ଡେପୁଟି ଗଭର୍ନର ଭାବେ ଯୋଗଦେବା ପୂର୍ବରୁ ବିରଲ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଷ୍ଟର୍ନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ରେ ପ୍ରଫେସର ଥିଲେ। ତାଙ୍କ ଉପରେ ଆର୍‌ବିଆଇ ପକ୍ଷରୁ ଦିଆଯାଉଥିବା ସଫେଇ ସାଧାରଣରେ ଗ୍ରହଣଯୋଗ୍ୟ ମନେ ହେଉନାହିଁ। କାରଣ ତାଙ୍କୁ ୩ ବର୍ଷ ପାଇଁ ଉକ୍ତ ପଦବୀରେ ମୋଦି ସରକାର ଅବସ୍ଥାପିତ କରିଥିଲେ। ବିଶେଷଜ୍ଞଙ୍କ ମତରେ କେନ୍ଦ୍ର ସରକାର ଆର୍‌ବିଆଇର ବିଭିନ୍ନ ବ୍ୟାପାରରେ ଅତ୍ୟଧିକ ମୁଣ୍ଡ ପୂରାଇବାରୁ ସେଥିରେ ଅତିଷ୍ଠ ହୋଇ ସେ ପଦ ଛାଡ଼ିଛନ୍ତି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୬ ଅକ୍ଟୋବର ୨୦୧୮ରେ ବିଶିଷ୍ଟ ଶିଳ୍ପପତି, ବ୍ୟାଙ୍କର ତଥା ଅର୍ଥନୀତିଜ୍ଞ ଅର୍ଦ୍ଦେଶିର ଦରବ୍‌ଶ ଶ୍ରଫ୍‌ ସ୍ମାରକୀ ବକ୍ତୃତାରେ ଭାଷଣ ଦେବା ବେଳେ ବିରଲ କହିଥିଲେ ଯେ, କେନ୍ଦ୍ରୀୟ ବ୍ୟାଙ୍କର ସ୍ବାଧୀନତାକୁ କେନ୍ଦ୍ର ସରକାର ସମ୍ମାନ ଦେଉ ନ ଥିବାରୁ ଏହା ବର୍ତ୍ତମାନ ହେଉ ବା ଭବିଷ୍ୟତରେ ଆର୍ଥିକ ବଜାର କ୍ରୋଧର ସମ୍ମୁଖୀନ ହେବ। ସରକାରଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସେତେବେଳେ ଆର୍ଥିକ ଜଗତରେ ଚର୍ଚ୍ଚାର ବିଷୟ ହୋଇଥିଲା। ସମ୍ଭବତଃ ନିଜ କାର୍ଯ୍ୟରେ ସରକାରଙ୍କ ଅତ୍ୟଧିକ ହସ୍ତକ୍ଷେପକୁ ସେ ସହ୍ୟ କରି ନ ପାରି ଇସ୍ତଫା ଦେଇଥାଇପାରନ୍ତି ବୋଲି କୁହାଯାଇପାରେ। ବିଶେଷକରି ଆଜିର ବାତାବରଣରେ ସରକାରଙ୍କ ତ୍ରୁଟି ଦର୍ଶାଉଥିବା ବ୍ୟକ୍ତି ବା ସଂସ୍ଥାର ଆୟୁ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି।
ଯେତେବେଳେ ଏକ ସରକାର ସ୍ବାଧୀନ ସଂସ୍ଥା ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିଥାଆନ୍ତି, ସେତେବେଳେ ସେହି ସଂସ୍ଥା ନିଜର ମୌଳିକତା ହରାଇବସେ। ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଭଳି ଆର୍ଥିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ଦେଶର ଅର୍ଥନୀତି ନିମ୍ନଗାମୀ ହେଲା। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଆର୍‌ବିଆଇ ଅନନ୍ୟୋପାୟ ହୋଇ ସମର୍ଥନ କରିଥିଲା। ପରବର୍ତ୍ତୀ ସମୟରେ ବିମୁଦ୍ରୀକରଣ ସଂକ୍ରାନ୍ତ ଯେତେ ତଥ୍ୟ ପ୍ରକାଶ ପାଇଲା ସେଥିରେ ଦେଶର ଆର୍ଥିକ ଦୁଃସ୍ଥିତି ବିଷୟ ପଦାକୁ ଆସିଲା। ଅନେକ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟ ବନ୍ଦ ହୋଇଗଲା। ଏଥିରେ କାର୍ଯ୍ୟ କରୁଥିବା ଅସଂଖ୍ୟ ଲୋକ ବେକାର ହୋଇଗଲେ। ଗାଁ ଗହଳିରେ କୁଳବେଉସା କରି ଲୋକେ ଘରେ ସାଇତି ରଖିଥିବା ଅର୍ଥ ବଦଳାଇବାରେ ସକ୍ଷମ ହୋଇ ନ ପାରିବାରୁ କ୍ଷତିର ସମ୍ମୁଖୀନ ହେଲେ। ମୋଟାମୋଟି କହିଲେ ବିମୁଦ୍ରୀକରଣ ଭାରତୀୟ ଅର୍ଥନୀତିରେ ନକାରାତ୍ମକ ଅଭିବୃଦ୍ଧି ଆଣିଥିଲା। ପ୍ରସଙ୍ଗ ହେଲା ଯେଉଁମାନେ ସରକାରଙ୍କ କାର୍ଯ୍ୟକୁ ବିରୋଧ କଲେ ସେମାନଙ୍କୁ ଭିନ୍ନ ଚକ୍ଷୁରେ ଦେଖାଗଲା ଏବଂ ସମର୍ଥନକାରୀଙ୍କୁ ପୁରସ୍କାର ଦିଆଗଲା। କେତେକଙ୍କ କହିବା ଅନୁଯାୟୀ ଶକ୍ତିକାନ୍ତ ଦାସଙ୍କୁ ଗଭର୍ନର କରାଯିବା ପଛରେ ସେହି ରାଜନୀତି କାମ କରିଥିଲା। ଅବଶ୍ୟ ଆମେ ଓଡ଼ିଆ ଭାବେ ଶକ୍ତିକାନ୍ତଙ୍କ ଆସନ ଅଳଙ୍କୃତ କରିବାରେ ଗୌରବାନ୍ବିତ ମନେକରୁ। କିନ୍ତୁ ତାଙ୍କର କେନ୍ଦ୍ରୀୟ ବ୍ୟାଙ୍କ ଉପରେ ଥିବା ଗୁରୁଦାୟିତ୍ୱ ପରିଚାଳନାରେ କେତେ ଦକ୍ଷତା ଅଛି ସେଥିରେ ସନ୍ଦେହ ମଧ୍ୟ କରୁ।
ଦେଶର ଚଳନ୍ତି ମୁଦ୍ରା ଛପାଇବା, ଅର୍ଥ ଯୋଗାଣ ଓ ମୁଦ୍ରାନୀତି ପରିଚାଳନା ଏବଂ ବ୍ୟାଙ୍କ କାରବାର ଉପରେ ନିୟନ୍ତ୍ରଣ ରଖିବା ହେଉଛି ଆର୍‌ବିଆଇର ପ୍ରମୁଖ କାର୍ଯ୍ୟ। ସେଥିଲାଗି ତାହାକୁ ସ୍ବାୟତ୍ତତା ଦିଆଯାଇଛି। ହେଲେ ନିର୍ଦ୍ଦିଷ୍ଟ ସରକାର ନିଜର ରାଜନୈତିକ ଲକ୍ଷ୍ୟ ପୂରଣ କରିବା ଲାଗି ମୁଦ୍ରା ନୀତିରେ ପରିବର୍ତ୍ତନ ଆଣିବା ଲାଗି ଆର୍‌ବିଆଇ ଉପରେ ଚାପ ପ୍ରୟୋଗ କରିଥାଆନ୍ତି। ଦେଶର ନିଅଣ୍ଟିଆ ଅର୍ଥନୀତିରେ ମାଗଣା ଜିନିଷପତ୍ର ଲୋକଙ୍କୁ ଦେଇ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖୁଥିବା ସରକାରଙ୍କ ଯୋଗୁ ଆଜି କେନ୍ଦ୍ରୀୟ ବ୍ୟାଙ୍କ ବିପଦରେ ପଡ଼ିଛି। ପୂର୍ବତନ ଗଭର୍ନର ରଘୁରାମ ରାଜନ, ଉର୍ଜିତ ପଟେଲ ଏବଂ ଡେପୁଟି ଗଭର୍ନର ବିରଲ ଏହିଭଳି ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରୁ ସେମାନଙ୍କ ଭଳି ବୃତ୍ତିଗତ ଅର୍ଥନୀତିଜ୍ଞମାନଙ୍କ ସ୍ଥାନ ଆର୍‌ବିଆଇରେ ରହୁନାହିଁ। ସୁଦୃଢ଼ ଅର୍ଥନୀତି ଦେଶର ବିକାଶ ଆଣିଥାଏ। କିନ୍ତୁ ଯେତେବେଳେ ସ୍ବାଧୀନ ସଂସ୍ଥାଗୁଡ଼ିକ ସରକାରଙ୍କ ଚାମଚା ପାଲଟିଯାଆନ୍ତି, ସେତେବେଳେ ଆର୍ଥିକ ସ୍ତରରେ କ୍ଷତି ପହଞ୍ଚିବା ସହ ଗଣତାନ୍ତ୍ରିକ ଢାଞ୍ଚାରେ ଘୁଣ ଲାଗିଯାଏ। ଏବେଠାରୁ ସରକାର ଆର୍‌ବିଆଇ ପ୍ରତି ମନୋଭାବରେ ପରିବର୍ତ୍ତନ ନ ଆଣିଲେ ଆଗାମୀ ଦିନରେ ଏହା ଅଣବୃତ୍ତିଧାରୀଙ୍କ ଥଇଥାନ କେନ୍ଦ୍ରରେ ପରିଣତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri