ମୁଁ କ’ଣ ସତରେ ବୋକା

ସୁଧାକର ଦାସ
ମତେ ପିଲାଦିନେ ସମସ୍ତେ କହୁଥିଲେ ବୋକା। ଅରୁଆ ଧାନ ଗୋଟେ ବିଲରେ ଆଉ ଉଷୁନା ଧାନ ଆଉ ଗୋଟେ ବିଲରେ ଫଳେ ବୋଲି ମୁଁ ବି.ଏ. ପଢିବା ପର୍ଯ୍ୟନ୍ତ ଜାଣିଥିଲି। ଗାଁ ସାର୍‌ଙ୍କ ପାଖରୁ ଟ୍ୟୁଶନ ସାରି ଫେରିବା ବାଟରେ ମୋ ସାଙ୍ଗ ଅଭୟ ଘରକୁ ଯାଇ ତାଙ୍କ ପିଣ୍ଡାରେ ଜଳୁଥିବା ଲଣ୍ଠନ ପାଖରେ ମୋ ଲଣ୍ଠନଟା ରଖିଦେଇ ପଚାରୁଥିଲି ଆରେ ଏତେ ଲଣ୍ଠନ କାହିଁକି ଜଳେଇଛୁ ବଡ଼ବୋଉ?
ମତେ ଅଧିକାଂଶ ଦିନ ଘିଅଭାତ ଖାଇବାକୁ ଭଲ ଲାଗେ। ବୋଉ ବି ଏକଥା ଜାଣେ। ଦିନେ ଦିନେ ଘିଅ ନ ଥିବା ବେଳେ, ବୋଉ ମୋ ଭାତରେ ମରା ନଡିଆ ତେଲ ପକେଇଦେଇ କହେ ଏଇଟା ମଇଁଷି ଘିଅ। ମୁଁ ପରମ ସନ୍ତୋଷରେ ଖାଇଦିଏ। ଏ କଥାଟା ମୁଁ ବଡ଼ ହେଲା ପରେ ଜାଣିଲି।
ମାଟ୍ରିକ ପରୀକ୍ଷା ଦେବାବେଳେ ମୋ ସିଟ୍‌ ଥିଲା ଠିକ୍‌ ଡୋର୍‌ ପାଖାପାଖି। ସ୍କ୍ବାଡ୍‌ ଆସିଲା ବୋଲି ହଲ୍ଲା ହେଇଯିବା ପରେ ପଛରେ ବସି କପି କରୁଥିବା ପିଲା ସବୁ କପିଗୁଡା ଡୋର୍‌ ଆଡକୁ ପକେଇଦେଲେ ଆଉ ମତେ କାଳେ ସ୍କ୍ବାଡ୍‌ ବାଲା ଧରିବେ ବୋଲି ମୁଁ ମୋ ସିଟରୁ ଉଠିପଡି ସବୁଗୁଡା କପି ବାରଣ୍ଡା ଆଡକୁ ପାଦରେ ଠେଲୁଥିବା ବେଳେ ସ୍କ୍ବାଡ୍‌ ବାଲା ମତେ ଆସି ଧରି ମୋ ଆଡ୍‌ମିଟ କାର୍ଡ ନେଇଗଲେ। ବେଳ ଭଲ ସେମାନେ ମୋ ଖାତା ଚେକ୍‌ କରି କ’ଣ ବୁଝିଲେ କେଜାଣି ମତେ ମାଲ୍‌ପ୍ରାକ୍ଟିସରେ ବୁକ୍‌ କଲେନି। ମୁଁ ବଞ୍ଚିଗଲି।
କଲେଜରେ ପଢ଼ିବା ବେଳେ, ଯୋଗମାୟା ମତେ ହିଁ କଣେଇ କଣେଇ ଚାହେଁ ଓ ହସେ ବୋଲି ବିଶ୍ୱାସ ଦେଇ ମୋ ସାଙ୍ଗମାନେ ମୋ’ଠୁ ଆଲୁଦମ୍‌ ଦହିବରା ଖା’ନ୍ତି ଆଉ ସିଗାରେଟ୍‌ ଟାଣନ୍ତି। ୟୁ ଆର୍‌ ଏ ଜୁଏଲ କହି ବର୍ଷ ସାରା ପାଠ ନ ପଢି ମଉଜମସ୍ତିରେ ଟାଇମ୍‌ ବିତେଇଥିବା ସାଙ୍ଗମାନେ ମୋ ନୋଟ୍‌ବୁକ୍‌ ନେଇ ଘୋଷି ପକାନ୍ତି କି କପି କରିଦିଅନ୍ତି ଆଉ ରେଜଲ୍ଟ ବାହାରିଲା ବେଳକୁ ମୋ ମାର୍କ ଆଉ ସେମାନଙ୍କର ମାର୍କ ପ୍ରାୟ ପାଖାପାଖି ଥାଏ।
ବହୁତ ଚେଷ୍ଟା, ଅନେକ ପରୀକ୍ଷା ଦେବା ପରେ ଚାକିରିଟେ ନ ମିଳିବାରୁ ମୋ ସାଙ୍ଗର ବଡ଼ଭାଇ, ଯାହାଙ୍କର ଅନେକ ରାଜନୈତିକ ପତିଆରା, ତାଙ୍କ ମାଧ୍ୟମରେ ସରକାରୀ ଚାକିରିଟେ ପାଇବି ବୋଲି ଭରସାରେ ତାଙ୍କ ହାତକୁ ତିନି ଲକ୍ଷ ଟଙ୍କା ଟେକି ଦିଏ, ଯାହା ଆଜି ଯାଏ ଅନାଦେୟ ହେଇ ରହିଯାଇଛି। ମୁଁ ତୁମକୁ ସାରା ଜୀବନ ଅପେକ୍ଷା କରିବି ବୋଲି ବାରମ୍ବାର ମତେ କହିଥିବା ଅର୍ପିତା ତା’ ଶେଷ ଚିଠିରେ ମତେ ଲେଖିଥିଲା ମୁଁ ସିନା ଅନ୍ୟତ୍ର ବାହା ହେଇ ଯାଉଛି, ହେଲେ ତୁମ ପରି ହୃଦୟଟେ ମୁଁ ସାରା ସଂସାରରେ ପାଇବିନି। ସାରା ଜୀବନ ତମେ ହିଁ ମୋ’ ପ୍ରିୟତମ ହୋଇ ରହିବ, ତୁମକୁ ନେଇ ପ୍ରେମ କରିହୁଏ, ସଂସାର ନୁହେଁ। ବାହାଘର ପରେ ମୁଁ ମୋ ସ୍ତ୍ରୀ ହାତକୁ ଦରମା ଗଣ୍ଡାକ ଟେକି ଦେଉଥିଲି। ଗାଁରେ କେବେ ଭୋଜିଭାତ ପଡିଲେ ପତ୍ନୀ କହୁଥିଲା ତା’ ହାତ ପୂରା ଖାଲି। ଅଗତ୍ୟା ଜିପିଏଫ୍‌ରୁ ଟଙ୍କା କାଢୁଥିଲି, ନ ହେଲେ ଧାରକରଜ। ହେଲେ ମୋ ପତ୍ନୀ ବର୍ଷକୁ ବେଶ୍‌ ପଇସା ସୁନାହୀରା କିଣିବାରେ ଖର୍ଚ୍ଚ କରୁଥିଲା ଆଉ ତା’ ବଡ଼ଭିଣୋଇ ରୋଗଗସ୍ତ ହୋଇ ଶଯ୍ୟାଶାୟୀ ହେଇଥିବାରୁ ତାଙ୍କ ପିଲାମାନଙ୍କର ସମସ୍ତ ଖର୍ଚ୍ଚ ଉଠଉଥିଲା।
ମୋ ପିଲାମାନେ ବଡ଼ ହେଉଥିଲେ। ତାଙ୍କ ହାତରେ କେବେ ବହି ଧରିବା ଦେଖେନି। ମୋବାଇଲ ନ ହେଲେ କମ୍ପ୍ୟୁଟର୍‌। ପଚାରିଲେ କୁହନ୍ତି, ଏବେ ପାଠ ସବୁ ଇଣ୍ଟର୍‌ନେଟ୍‌ରେ। କିଛି ଭିତରି କଥା ପଚାରିଲେ, ପତ୍ନୀ ଗର୍ଜନ କରି ମାଡିଆସେ- ବହିପତ୍ର ନ କିଣି ସେମାନେ କେତେ ପଇସା ତମର ସେଭ୍‌ କରୁଛନ୍ତି? ତମେ କିଛି ବୁଝିନ ସେ ସବୁ। ପାଠପଢାର ଧାରା ବଦଳିଗଲାଣି। ତମେ ଗଲ, ତମ ଚା’ ଥଣ୍ଡା ହେଉଛି।
ମୋ ପତ୍ନୀ ଏବେ ସବୁବେଳେ କୁହେ ତମେ ଏତେ ବୋକା ଲୋକ! ଫଳ, ପନିପରିବା ଯିଏ ଯାହା ଧରେଇଦେଲା, କମ୍‌ ପଇସାରେ ମିଳୁଛି ବୋଲି ଧରି ଘରକୁ ପଳେଇ ଆସିଲ? ପୁଅଝିଅ କୁହନ୍ତି- ବାପା, ତମେ ସତରେ ବଡ଼ ବୋକା। ପ୍ରତି ମାସରେ ଅନାଥାଶ୍ରମ, ବାଳାଶ୍ରମ, ମନ୍ଦିର ଏସବୁକୁ ପଇସା ପଠେଇବା କ’ଣ ଦରକାର? ସେତିକି ପଇସା ତମେ ସେୟାର୍‌ ମାର୍କେଟରେ ଲଗଉନ, କେତେ ଲାଭ ମିଳିବ ଦେଖିବ। ମତେ ବୋକା ବୋଲି କହୁଥିବା ଓ ଭାବୁଥିବା ସମସ୍ତଙ୍କୁ ମୁଁ ବେଳେବେଳେ ମନେ ପକାଏ। ମୋ’ ବୋଉ, ମୋ କଲେଜ ସାଙ୍ଗ, ଅର୍ପିତା ଦାସ, ମୋ ପତ୍ନୀ ଓ ମୋ ପିଲାମାନେ, ଯୋଉମାନେ ମତେ ନିହାତି ବୋକା ବୋଲି ଆଜି ଯାଏ ଭାବି ଆସିଛନ୍ତି। ମୋ ସରଳପଣରେ ମୁଁ ଯଦି ବୋଉର ସ୍ନେହକୁ ସତ ମାନିନେଲି, ମୋ ନିଛନ୍ଦ ମନରେ ଯଦି ସାଙ୍ଗମାନଙ୍କୁ ବିଶ୍ୱାସ କରିଗଲି, ହତାଶାର ଶିକାର ହୋଇ ଭରସା କରି ଚାକିରି ପାଇଁ ଯଦି ସାଙ୍ଗର ଭାଇ ହାତକୁ ୩ ଲକ୍ଷ ଟଙ୍କା ଟେକିଦେଲି, ଉଛୁଳା ଭାବାବେଗ ଆଉ ପ୍ରଗାଢ଼ ପ୍ରେମରେ ଯଦି ଅର୍ପିତାକୁ ଭଲପାଇଲି, ସାଂସାରିକ ମୋହରେ ମୋ ପତ୍ନୀ ଓ ପିଲାମାନଙ୍କୁ ବିଶ୍ୱାସ କରିଗଲି, ମଲ୍‌କୁ ନ ଯାଇ ରାସ୍ତାକଡ ପରିବାବିକାଳିଠୁ କିଛି ପନିପରିବା କିଣି ଆଣିଲି, ସଂସାରରେ ଅନାଥ ଓ ଅସହାୟଙ୍କ ପାଇଁ ମୋ ନିଜ ଆୟର କିଛି ଅଂଶ ଦାନ କରିଦେଲି ତେବେ ଏହା କ’ଣ ମୋର ସତରେ ବୋକାମି? ଆଉ ପ୍ରତିଥର ଏମାନଙ୍କ ଭାବନା ବିଷୟରେ ଭାବିବାବେଳେ ଉପସଂହାରରେ ଗୋଟିଏ ପ୍ରଶ୍ନ ମୋ ମନକୁ ଆସେ, ମୁଁ କ’ଣ ସତରେ ବୋକା?
ମୋ- ୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?