ମଧ୍ୟବିତ୍ତଙ୍କ ବେଳା ଖରାପ

ଦେବେନ୍ଦ୍ର କର

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍ଥାନରେ ଲକ୍‌ଡାଉନ୍‌ ବଳବତ୍ତର ଥିବାବେଳେ ଆଉ କିଛି ସ୍ଥାନରେ କୋହଳ କରାଯାଇଛି। ବଜାର ଧୀରେ ଧୀରେ ଫିଟିଲାଣି, ଗାଡିମୋଟର ଚାଲିଲାଣି, ଲୋକେ ନିଜ ନିଜ କର୍ମକ୍ଷେତ୍ରରେ ଯୋଗଦେଲେଣି। ଏସବୁ ଭିତରେ ବିଚରା ମଧ୍ୟବିତ୍ତ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ମଧ୍ୟବିତ୍ତ ପରିବାର ପ୍ରାୟତଃ ବେସରକାରୀ ଚାକିରିଆ କିମ୍ବା ଛୋଟମୋଟ ଦୋକାନୀ। ବେସରକାରୀ ଚାକିରିଆ ଯାହାଙ୍କର ମାସିକ ଦରମା ୧୦ରୁ ୧୫ହଜାର ଭିତରେ ସୀମିତ, ସେମାନଙ୍କୁ ବଜାର ମାନ୍ଦାବସ୍ଥା ଦର୍ଶାଇ ବିଭିନ୍ନ ମାଲିକ ଦୁଇମାସର ଦରମା ବଦଳରେ ଗୋଟିଏ ମାସର ଦରମା ଦେଇଛନ୍ତି, ପୁଣି କିଛି ମାଲିକ ସମ୍ପୂର୍ଣ୍ଣ ଦରମା କାଟି ଦେଇଛନ୍ତି। ରୋଜଗାର କମିଯିବା ପରେ ନିମ୍ନ ଓ ମଧ୍ୟବିତ୍ତ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛି। ଅଭାବରୁ ସ୍ବଭାବ ନଷ୍ଟ ପରି ପରିବାରରେ କଳିଗୋଳ, ପାଟିତୁଣ୍ଡ ସବୁଦିନିଆ କଥାରେ ପରିଣତ ହେଲାଣି। ଏକ ରିପୋର୍ଟ ଅନୁଯାୟୀ କରୋନା ଲାଗି ପାଖାପାଖି ୮୦ପ୍ରତିଶତ ପରିବାରର ରୋଜଗାର ପ୍ରଭାବିତ ହୋଇଛି। ବଜାରରେ ଜିନିଷ ମହଜୁଦ ଅଛି, ଦରଦାମ୍‌ ବି ସ୍ଥିର ଅଛି, ହେଲେ ଅର୍ଥ ନାହିଁ କିଣିବାକୁ। ସହରାଞ୍ଚଳରେ ବେସରକାରୀ ଚାକିରିଆଙ୍କ ସଂଖ୍ୟା ଢେର ଅଧିକ, ଯେଉଁମାନେ ସେଲ୍ସମ୍ୟାନ, ମାର୍କେଟିଂ, ଗାଡି ଚାଳକ, ସିକ୍ୟୁରିଟି ଗାର୍ଡ, ଡାଟା ଏଣ୍ଟ୍ରି ଅପରେଟର, ରିସେପ୍‌ସନିଷ୍ଟ, ଘରୋଇ ସ୍କୁଲ ଶିକ୍ଷକ, ମନ୍ଦିର ପୂଜକ ବା ବେସରକାରୀ ରୋଗ ନିରୂପଣ କେନ୍ଦ୍ରରେ କାର୍ଯ୍ୟରତ ଟେକ୍‌ନିସିଆନ। ଏମିତି ବିଭିନ୍ନ ପ୍ରାଇଭେଟ ସେକ୍ଟରରେ କାର୍ଯ୍ୟରତ କର୍ମଚାରୀଙ୍କ ଆଜି ଗୋଟିଏ ଅବସ୍ଥା। କରୋନା ଆଳରେ କିଛି ମାଲିକ ଓ କମ୍ପାନୀବାଲା ମାର୍ଚ୍ଚ ମାସର ଇନ୍‌କ୍ରିମେଣ୍ଟ ଓ ପୂର୍ବରୁ ବାକି ଥିବା ଅନ୍ୟାନ୍ୟ ବକେୟା ପାଉଣା ଦେବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି। ଚାକିରି ହରେଇବା ଭୟରେ କର୍ମଚାରୀମାନେ ମୁହଁ ଖୋଲି ପାରୁନାହାନ୍ତି। ଯେଉଁମାନେ ଚାକିରିରୁ ଛଟେଇ ହୋଇଛନ୍ତି ସେମାନଙ୍କ ଅବସ୍ଥା ନ କହିଲେ ଭଲ। ଯେଉଁମାନେ ସହରରେ ଘରଭଡ଼ା ନେଇ ପରିବାର ସହ ରହୁଥିଲେ ସେମାନଙ୍କ ପାଖରେ ଏବେ ଘରଭଡ଼ା ଦେବାକୁ ବି ପଇସା ନାହିଁ। ଘର ମାଲିକ ଓଲଟା ଯୁକ୍ତି ବାଢୁଚି- ମୁଁ ନିଜେ ତ ଚଳିପାରୁନି, ତୁମକୁ କେମିତି ଘରଭଡ଼ା ଛାଡ଼ କରିବି। ଛୁଆପିଲାଙ୍କର ବାର୍ଷିକ ପରୀକ୍ଷା ପରେ ସ୍କୁଲରେ ରିଆଡ୍‌ମିଶନ ଆରମ୍ଭ ହେଇଯାଇଛି। ନୂଆ ବହିଖାତା କିଣାହେବ, ଟ୍ୟୁଶନ ବି ଆରମ୍ଭ ହୋଇଗଲାଣି। ଘରେ ବୟୋଜ୍ୟେଷ୍ଠଙ୍କ ଔଷଧ ତାଲିକା ବି କିଛି କମ୍‌ ନାହିଁ। ସବୁକଥା ଭାବି ଭାବି ବିଚରା ମଧ୍ୟବିତ୍ତଙ୍କ ଆଖିରୁ ନିଦ ହଜିଗଲାଣି।
ବଡ଼ବଡ଼ିଆ ଥିଲାବାଲାଙ୍କ ଉପରେ କରୋନାର ପ୍ରଭାବ ପଡିଥିବା ପରି ମନେହେଉ ନାହିଁ। ସେମାନେ ଭଲ ଖାଇପିଇ ଖୁସିବାସିରେ ଅଛନ୍ତି। ଶୁଣିବାକୁ ମିଳୁଛି ଆହୁରି ୫-୬ମାସ ଏଇଭଳି ପରିସ୍ଥିତି ଲାଗି ରହିବ। ପୂର୍ବରୁ ସ୍ବଳ୍ପ ଆୟରେ ମାସ ଗୋଟାକ କଷ୍ଟେମଷ୍ଟେ ଚଳି ହେଉଥିଲା। ଦରମା କଟିଯିବା ପରେ ଘର ଚଳାଇବା ବଡ଼ ମୁସ୍କିଲ ହେଲାଣି। କୁନିକୁନି ପିଲାମାନେ ତ ଏ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ସେମାନଙ୍କ ଛୋଟମୋଟ ବରାଦକୁ ଟାଳି ଦେବା ବି ସମ୍ଭବ ନୁହେଁ। ଅଜାଗା ଘା’ ପରି ମଧ୍ୟବିତ୍ତଙ୍କ ଅବସ୍ଥା। ନିଜ ଦୁଃଖ ନା କାହାକୁ ଲୁଚେଇ ପାରୁଛି ନା ଅନ୍ତର ଭିତରେ ଚାପି ପାରୁଛି। ପୂର୍ବରୁ ନିଜେ ନ ଖାଇ ନ ପିନ୍ଧି ନିଜ ପିଲାଙ୍କୁ ଖୁସି ରଖିପାରୁଥିଲା, ହେଲେ ଏବେ ତାହା ବି ସମ୍ଭବ ନୁହେଁ। ବର୍ତ୍ତମାନ ତ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ବି ଅର୍ଥ ନାହିଁ। କେତେଦିନ ଏମିତି ଚାଲିବ, କେବେ ପରିସ୍ଥିତି ସୁଧୁରିବ କେହି ବି କହିପାରିବେ ନାହିଁ। ପରିବାରର ୪-୫ଜଣଙ୍କ ଦାୟିତ୍ୱ ମୁଣ୍ଡ ଉପରେ। କାଟିକୁଟି ଚଳିବାରେ ମଧ୍ୟବିତ୍ତ ପରିବାର ବେଶ୍‌ ଅଭ୍ୟସ୍ତ। ଏବେ ନା ସାହା ହେବାକୁ କେହି ଅଛି ନା ଆଶ୍ୱାସନା ଦେବାକୁ କେହି ଅଛି। ସରକାରୀ ସହାୟତା ଓ ଅନୁଦାନ ତ ମଧ୍ୟବିତ୍ତ ପରିବାର ଭାଗ୍ୟରେ ହିଁ ଲେଖାନାହିଁ। ଯେତେ କମ୍‌ ଦରମା ପାଉଥିଲେ ବି ଏମାନେ ଚାକିରିଆ ଭାବେ ଗଣା। ଅନେକଙ୍କ ପାଖରେ ରାଶନ୍‌ କାର୍ଡ ବି ନାହିଁ।
ଆଜିର ଏ ମହଙ୍ଗା ଯୁଗରେ ପରିବାର ଚଳେଇବାକୁ ସର୍ବନିମ୍ନ ଅର୍ଥ ନିତାନ୍ତ ଜରୁରୀ। ରୋଜଗାର ବୃଦ୍ଧି କରିବା ବି ଏ ପରିସ୍ଥିତିରେ ସମ୍ଭବ ହେଉନି। ଫାଇନାନ୍ସ କମ୍ପାନୀରୁ ଗାଡି ଲୋନ ନେଇଥିବା ବ୍ୟକ୍ତି ଋଣ ଶୁଝିବା ଚିନ୍ତାରେ ଆହୁରି ଦହଗଞ୍ଜ ହେଉଛି। ଯାହା ଲାଗୁଛି ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚିଥିବା ଅଳ୍ପବହୁତ ଟଙ୍କା ଏବେ ଘରର ଭରଣପୋଷଣରେ ସରିଯିବ। ବିଚରା ମଧ୍ୟବିତ୍ତର ବେଳକାଳ ଭଲନାହିଁ। ନିଜ ଭାଗ୍ୟକୁ ଦୋଷ ଦେବା ଛଡା ଅନ୍ୟବାଟ ନାହିଁ। ଅନେକ ଦିନରୁ ଘରେ ସାଇତି ଥିବା ନୂଆନୂଆ ନୋଟ ସବୁ ଲକ୍‌ଡାଉନ୍‌ ବେଳେ ସଉଦା କିଣାରେ ସରିଥିଲା। ପିଲାଏ ନିଜ ମାଟି ଘଡିରେ ଯାହା ବି ସଞ୍ଚିଥିଲେ ତା’ ବି ଖର୍ଚ୍ଚ ହେଲା। ସେଭିଂ ଆକାଉଣ୍ଟରେ ଯାହା ଯେତିକି ଟଙ୍କା ଥିଲା ଉଠେଇବା ପରେ ଘରଖର୍ଚ୍ଚ ଆରମ୍ଭ ହୋଇଛି। ମଧ୍ୟବିତ୍ତ ସର୍ବଦା ସ୍ବାଭିମାନର ଜୀବନ ବଞ୍ଚିବାକୁ ପସନ୍ଦ କରେ। ଅଭାବରେ ଥିଲେ ବି ଦୁନିଆ ଆଗରେ କେବେ ମୁହଁ ଖୋଲେ ନାହିଁ। କାହାରିକି କେବେ ହାତ ପତାଏ ନାହିଁ କି ସରକାରୀ ସୁବିଧାକୁ ଚାହିଁ ବସେ ନାହିଁ। ସ୍ବାର୍ଥସର୍ବସ୍ବ ଦୁନିଆରେ ଯେଉଁ ମାଲିକ ଲକ୍ଷଲକ୍ଷ କୋଟି ଟଙ୍କା ତା’ରି ବଳରେ ଲାଭବାନ୍‌ ହେଉଥିଲେ ଆଜି ସେମାନେ ମୁହଁ ଫେରାଇ ନେଉଛନ୍ତି। କରୋନା ଅପସରି ଯାଉ, ପରିସ୍ଥିତି ସ୍ବାଭାବିକ ହେଉ, ମଧ୍ୟବିତ୍ତ ନିଜ ପ୍ରାପ୍ୟଟା ପାଇଯାଉ- ଏବେ କେବଳ ଏତିକି ଆଶା।
କଟକ, ମୋ-୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?