ଦୂର ପର୍ବତ ସୁନ୍ଦର

ତଥାଗତ ସତପଥୀ

ଲଦାଖର ଗଲଓ୍ବାନ ଉପତ୍ୟକା ମଧ୍ୟକୁ ଚାଇନାର ପିଏଲ୍‌ଏ ପ୍ରବେଶ ଓ ଭାରତର ୨୦ ଜଣ ଯବାନ ଶହୀଦ ହେବା ବିଷୟ ସମସ୍ତେ ଜାଣନ୍ତି। ସେଥିମଧ୍ୟରୁ ଦୁଇ ଜଣ ଓଡ଼ିଆ ଯବାନ ଶହୀଦ ହୋଇଥିବା ଖବର ଓଡ଼ିଶାବାସୀଙ୍କୁ ଯେତିକି ମର୍ମାହତ କରିଛି, ସେତିକି ଗୌରବାନ୍ବିତ ମଧ୍ୟ କରିଛି। ଏହା ସତ୍ତ୍ୱେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ଜୁନ୍‌ରେ ସର୍ବଦଳୀୟ ବୈଠକରେ କହିଥିଲେ ଯେ, ଭାରତର ସୀମାକୁ କେହି ପଶି ନାହାନ୍ତି କି କୌଣସି ଘାଟି ଦଖଲ ହୋଇ ନାହିଁ। ମୋଦିଙ୍କ ଏଭଳି ବୟାନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯଦି ଚାଇନା ସେନା ଭାରତ ଭିତରକୁ ପ୍ରବେଶ କରି ନାହାନ୍ତି, ତାହା ହେଲେ ୨୦ ଭାରତୀୟ ସୈନ୍ୟ କାହିଁକି ଶହୀଦ ହେଲେ। ଗୋଟିଏ ପଟେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ବେଳେ ଅନ୍ୟପଟେ ସୈନ୍ୟମାନଙ୍କ ତ୍ୟାଗକୁ ବିନା କାରଣରେ ହୋଇଥିବା ଦର୍ଶାଯାଉଛି। ସମ୍ଭବତଃ ଏଭଳି ବିରୋଧାଭାସକୁ ଲକ୍ଷ୍ୟ କରି ରାହୁଲ ପ୍ରଥମେ କହିଥିଲେ ଯେ, ଚାଇନାର ଆକ୍ରମଣ ଆଗରେ ମୋଦି ଭାରତର ସେହି ଅଞ୍ଚଳକୁ ସରେଣ୍ଡର ବା ଆତ୍ମସମର୍ପଣ କରିଦେଇଛନ୍ତି। ୨୧ ଜୁନ୍‌ରେ ରାହୁଲ ଆଉ ଟିକେ ବ୍ୟଙ୍ଗାତ୍ମକ ଢଙ୍ଗରେ କହିଛନ୍ତି, ନରେନ୍ଦ୍ର ମୋଦି ଏବେ ସରେଣ୍ଡର ମୋଦି ହୋଇଯାଇଛନ୍ତି।
ରାହୁଲଙ୍କ ଯୁକ୍ତି ସହ ରଣନୀତିକ ବ୍ୟାପାର ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବାସ୍ତବତାକୁ ହୃଦୟଙ୍ଗମ କରୁଥିବା ପ୍ରତ୍ୟେକ ଭାରତୀୟ ଏକମତ ହେବା ସ୍ବାଭାବିକ। କାରଣ ଚାଇନା ସେନା ଭାରତ ଭୂଖଣ୍ଡକୁ ପଶି ନ ଥିଲେ ଆମ ସୈନ୍ୟଙ୍କ ମୃତ୍ୟୁ ଘଟି ନ ଥାନ୍ତା। ତେବେ ରାହୁଲଙ୍କୁ ପାଲଟା ଆକ୍ରମଣ କରି ଭାଜପା ଯୁକ୍ତି କରୁଛି ଯେ, କଶ୍ମୀରର ଏକ ବଡ଼ ଅଞ୍ଚଳ ପିଓକେ ଭାବେ ପାକିସ୍ତାନକୁ ହସ୍ତାନ୍ତର କରିବା, ଲଦାଖର ଅନ୍ୟ ଏକ ଅଞ୍ଚଳକୁ ଚାଇନା ହାତରେ ଛାଡ଼ିଦେବା ଭଳି ଭାରତର ଅନ୍ତର୍ଜାତୀୟ ସୀମାକୁ ବଦଳାଇବା ପାଇଁ ଗାନ୍ଧୀ ପରିବାର ଦାୟୀ। ଭାଜପାର ଏହି ଯୁକ୍ତିକୁ କେହି ଅସ୍ବୀକାର କରିବେ ନାହିଁ। ବିଗତ ଦଶନ୍ଧିଗୁଡ଼ିକରେ କଂଗ୍ରେସ ଶାସନ ବେଳେ ଭାରତର କୂଟନୈତିକ ଓ ସାମରିକ ବିଫଳତା ସର୍ବଦା ଲାଗି ରହିଥିଲା। ତେବେ ଦଶ ବର୍ଷ ପୂର୍ବର ପଖାଳ ଖାଇ ଆଜି ପେଟ ପୂରାଇ ହେବ ନାହିଁ। ସେଥିପାଇଁ ୨୦୧୪ ମସିହାରୁ ଭାରତର ଭୋଟରମାନେ କଂଗ୍ରେସକୁ ପରାସ୍ତ କରି ଏକପ୍ରକାର ତଳିତଳାନ୍ତ କରିଦେଇଛନ୍ତି। ବିରୋଧୀ ଦଳ ଭାବେ ମଧ୍ୟ କଂଗ୍ରେସ ଭୁଶୁଡ଼ି ପଡ଼ିଛି। ଏଥିରୁ ବୁଝିବାକୁ ହେବ ଯେ ଆଜି ଅନୁଭବ ହେଉଥିବା ଭୋକ ପାଇଁ ସଜପଖାଳର ଚାହିଦା ଥିବା ଭଳି ଏବର ଅର୍ଥନୈତିକ ସମସ୍ୟା ଓ ଯୁଦ୍ଧ ପାଇଁ ଆଜିର ସରକାର ଦାୟୀ ହେବା ଉଚିତ। ସବୁବେଳେ ପୁରୁଣା ବିଫଳତାକୁ ଦେଖାଇ ବର୍ତ୍ତମାନର ଦାୟିତ୍ୱକୁ ଏଡ଼ାଇ ହେବ ନାହିଁ କିମ୍ବା ଆଗର ବିଫଳତା ସହ ଆଜିର ପଦକ୍ଷେପକୁ ତଉଲିବା ଉଚିତ ନୁହେଁ।
ଅନେକ ଭାରତୀୟ ପ୍ରଶ୍ନ କରୁଛନ୍ତି ଯେ, ଏବେ ହଠାତ୍‌ ବିରୋଧୀ ନେତାଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପଛରେ ଉଦ୍ଦେଶ୍ୟ କ’ଣ ଥିଲ। ମୋଦି ଜଣେ ଏଭଳି ନେତା ଯେ ସେ କାହାରି ରାଜନୈତିକ ପରାମର୍ଶ ଲୋଡ଼ନ୍ତି ନାହିଁ। ଏବେ ସମ୍ଭବତଃ ପରିସ୍ଥିତି ଅସମ୍ଭାଳ ହୋଇଥିବାରୁ ସର୍ବଦଳୀୟ ବୈଠକ ଡକାଇବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବିରୋଧୀ ନେତାମାନେ କାହିଁକି ଏ ଆଲୋଚନାରେ ଭାଗ ନେବାକୁ କ୍ୟାମେରା ସମ୍ମୁଖରେ ବସିପଡ଼ିଲେ। ହୁଏତ ସେମାନେ ଭାଗ ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ ସେମାନଙ୍କୁ ଚାଇନା ସପକ୍ଷବାଦୀ ଓ ଭାରତ ବିରୋଧୀ ବୋଲି ଆଖ୍ୟା ଦିଆଯାଇ ପାରିଥାନ୍ତା। ସେହି ବଦ୍‌ନାମକୁ ଡରି ଅଧିକାଂଶ ଅଣଭାଜପା ନେତା ଏହି ଭିଡିଓ କନ୍‌ଫରେନ୍ସରେ ଯୋଗ ଦେଇଥାଇପାରନ୍ତି। କିନ୍ତୁ ଆଲୋଚନା ଶେଷ ପରେ ମଧ୍ୟ ବିରୋଧୀ ନେତାମାନେ ସେମାନଙ୍କ ମନ୍ତବ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବାକୁ ପସନ୍ଦ କଲେ ନାହିଁ। ଏହା ଫଳରେ କେବଳ ପ୍ରଧାନମନ୍ତ୍ରୀ ମୋଦି ନିଜର ବାର୍ତ୍ତା ୧୯ ଜୁନ୍‌ରେ ଦେଲେ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ବିକୃତ କରାଯାଇଛି ଏବଂ ଯାହା ସେ କହିଥିଲେ ତାହାର ଏକ ସ୍ପଷ୍ଟୀକରଣ ମଧ୍ୟ ତାଙ୍କ ଅଫିସରୁ ୨୦ ଜୁନ୍‌ରେ ପ୍ରକାଶ ପାଇଲା। ପରବର୍ତ୍ତୀ ସମୟରେ ସେହି ସ୍ପଷ୍ଟୀକରଣ ଉପରେ ସ୍ପଷ୍ଟୀକରଣ ଦେବାକୁ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାଧ୍ୟ ହେଲା। ଏହି ଗୋଳମାଳିଆ ପରିସ୍ଥିତି ଯୋଗୁ ଧାରଣା ସୃଷ୍ଟି ହେଉଛି ଯେ, କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପରେ ବାଚାଳାମି ଦେଖାଦେଲାଣି।
ଏଠାରେ ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ ଦିଗକୁ ଅନିଶା ନ କରି ଯଦି ନିଚ୍ଛକ ଘଟଣା ଉପରେ ଦୃଷ୍ଟି ନିକ୍ଷେପ କରାଯାଏ ତାହା ହେଲେ କେନ୍ଦ୍ର ସରକାରଙ୍କ କୂଟନୈତିକ ବିଫଳତା ସ୍ପଷ୍ଟ ଦେଖା ହୋଇଯାଉଛି। ବିଶ୍ୱବାସୀ ଜାଣିଛନ୍ତି, ୧୯୬୨ ଭାରତ-ଚାଇନା ଯୁଦ୍ଧ ବେଳେ ବେଜିଂ ଯେତେ ଶକ୍ତିଶାଳୀ ଥିଲା, ଏବେ ତା’ଠାରୁ ସାମରିକ ଦିଗରୁ ଢେର ଅଧିକ ସୁଦୃଢ଼ ଅଛି। ତେଣୁ ପ୍ରତିଆକ୍ରମଣ ସହିତ ବାଂଲାଦେଶ ଏବଂ ଆସିଆନ ଦେଶଗୁଡ଼ିକ ସହ କୂଟନୈତିକ ସହଯୋଗ ବଢ଼ାଇ ଚାଇନାର କୁପ୍ରଭାବକୁ ପ୍ରତିରୋଧ କରାଯାଇପାରନ୍ତା। ସେତକ ଚିନ୍ତା ଭାରତୀୟ ନେତୃତ୍ୱଙ୍କ ମୁଣ୍ଡକୁ ଆଜି ପର୍ଯ୍ୟନ୍ତ ଢୁକି ନାହିଁ। ପଡ଼ୋଶୀ ଦେଶଗୁଡ଼ିକ ସହିତ ବନ୍ଧୁତ୍ୱ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନିଚ୍ଛା ଥିବା ଭଳି ମନେହୁଏ। ଏଠାରେ ମନେପଡ଼େ ମୋଦିଙ୍କ ୨୦୧୪ ମେ’ ୨୬ରେ ଶପଥଗ୍ରହଣ ଉତ୍ସବରେ କେବଳ ପଡ଼ୋଶୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେତେବେଳେ ବିଶ୍ୱାସ କରାଗଲା ଯେ, ଭାରତର ବହିର୍ବ୍ୟାପାର ଦିଗରେ ମୋଦି ଏକ ଆମୂଳଚୂଳ ପରିବର୍ତ୍ତନ ଆଣିବେ। ଅବସୋସର ବିଷୟ ଯେ, ଖୁବ୍‌ଶୀଘ୍ର ସେହିସବୁ ଦେଶଗୁଡ଼ିକୁ ଭୁଲିଯାଇ କେବଳ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ପଛରେ ମୋଦି ଗୋଡ଼ାଇଲେ। ଢଗ ଅଛି ‘ଦୂର ପର୍ବତ ଅତି ସୁନ୍ଦର’। ହୁଏତ ସେହି ନୀତିରେ ଆମେରିକା ସହିତ ବନ୍ଧୁତ୍ୱ ବଢ଼ାଇବାକୁ ଯାଇ ଭାରତ ଚାରିପଟେ ଥିବା ପଡ଼ୋଶୀଙ୍କୁ ମୋଦିଙ୍କ ହେୟଜ୍ଞାନ ଆଜି ଆମ ସମସ୍ତଙ୍କ ପାଇଁ ଦୁର୍ଦ୍ଦିନ ଆଣିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri