ଜୀବନ ସ୍ରୋତର ଶାଶ୍ୱତ ଧାରା

ବୈକୁଣ୍ଠନାଥ ମିଶ୍ର
ଦୁର୍ଲଭ ଜନମ ମାନବ ଜୀବନ। ସ୍ରଷ୍ଟାଙ୍କର ସର୍ବୋତ୍କୃଷ୍ଟ ସୃଷ୍ଟି। ଜୀବାତ୍ମା ମଧ୍ୟରେ ପରମାତ୍ମାଙ୍କ ସତ୍ତା ବିଦ୍ୟମାନ। ମାନବ ଜୀବନରେ ଦେବତ୍ୱର ସଂସ୍ଥାପନ। ମାନବ କିନ୍ତୁ ବିସ୍ମୃତ ହୋଇଥାଏ ଯେ ସେ ଅମୃତର ସନ୍ତାନ ଓ ତା’ ଦେହରେ ପରମାତ୍ମାଙ୍କ ଅମୃତ ସତ୍ତା ଚିର ବିଦ୍ୟମାନ। କସ୍ତୂରୀ ମୃଗ ନିଜ ନାଭିରେ ଥିବା କସ୍ତୂରୀକୁ ଠାବ କରି ନ ପାରି କେବଳ ତା’ର ସୁଗନ୍ଧରେ ଇତସ୍ତତଃ ଭ୍ରମୁଥିବା ପରି ମାନବ ପରମପିତାଙ୍କ ଉପସ୍ଥିତିକୁ ଉପଲବ୍ଧି କରି ନ ପାରି ଅବିରାମ ଧାବମାନ ହେଉଥାଏ। ତା’ର ଗତି ଅବିରାମ ଓ ସ୍ଥିତି ଚଞ୍ଚଳ। ତା’ର ଜିଜ୍ଞାସାର ଅନ୍ତ ନାହିଁ କିମ୍ବା ଅନୁସନ୍ଧାନରେ ପୂର୍ଣ୍ଣଚ୍ଛେଦ ନାହିଁ। ଦିବ୍ୟତ୍ୱର ଅନୁସନ୍ଧାନ କରୁ କରୁ କେବେ କେଉଁଠି ତା’ର ଦିବ୍ୟ ସତ୍ତାଧାରୀଙ୍କ ସହ ମିଳନ ହୋଇଯାଏ। ସେ ମିଳନ କାୟିକ କିମ୍ବା ବାଚନିକ ନୁହେଁ, ବରଂ ତାହା ଅତିମାନସ ସ୍ତରର ଦିବ୍ୟମିଳନ ବା ମହାମିଳନ। ଥରେ ମହାମିଳନ ସଂଘଟିତ ହେଲେ ଆଉ ପଛକୁ ଫେରିହୁଏନା। ଯାବତୀୟ ସାଂସାରିକ ଜଞ୍ଜାଳରେ ଘାଣ୍ଟି ହେଉଥିବା ମଣିଷକୁ ମିଳେ ଚିରଶାନ୍ତି।
ଏହା କୌଣସି ପରୀକ୍ଷାଗାରରେ ପ୍ରମାଣ କରାଯାଇପାରିବ ନାହିଁ ଯେ, ମଣିଷ କେଉଁ ମାର୍ଗରେ କେତେ ପ୍ରୟାସ କଲେ ତା’ର ଦିବ୍ୟସାକ୍ଷାତ୍‌କାର ହେବ। ଯଦି ଏହା କୌଣସି ପରୀକ୍ଷାଗାରରେ ପରୀକ୍ଷାପୂର୍ବକ ପ୍ରମାଣ କରାଯାଇପାରନ୍ତା ତେବେ ଦିବ୍ୟସତ୍ତାପ୍ରାପ୍ତି ଆଦୌ କଷ୍ଟକର ହୁଅନ୍ତା ନାହିଁ। କେବଳ ଗୋଟିଏ ମାତ୍ର ମାର୍ଗ ଯାହା ମନୁଷ୍ୟର ଅନୁସନ୍ଧିତ୍ସାକୁ ଜାଗ୍ରତ କରି ସମ୍ମୁଖରେ ଥିବା ଘନ ଅନ୍ଧକାରାଚ୍ଛନ୍ନ ପଥକୁ ଆଲୋକିତ କରିବ। ତାହା ହେଉଛି ଏ ସଂସାରରେ ବହୁ ପୂର୍ବରୁ ଅବତୀର୍ଣ୍ଣ ହୋଇଥିବା ପ୍ରାଜ୍ଞମାନଙ୍କ ଦ୍ୱାରା ଆବିଷ୍କୃତ ପଥ ଓ ତହିଁରେ ଛାଡି ଯାଇଥିବା ସେମାନଙ୍କ ପାଦଚିହ୍ନ। ସେହି ପାଦଚିହ୍ନକୁ ଅନୁସରଣ କରି ନିର୍ଦ୍ଧାରିତ ପଥରେ ଚାଲିପାରିଲେ, ପରିଶେଷରେ ଅମୃତମୟ ସେ ଦିବ୍ୟସତ୍ତାଙ୍କ ନିକଟରେ ଉପନୀତ ହେବାର ସୌଭାଗ୍ୟ ପ୍ରାପ୍ତ ହେବ। କାଳବକ୍ଷରେ ଅଙ୍କିତ ସେହି ଅଦୃଶ୍ୟ ପାଦଚିହ୍ନକୁ ନିର୍ଣ୍ଣୟ କରି ପଥ ଚାଲିବାର କଷ୍ଟକୁ ଆଦରି ନେଇପାରିଲେ ପରିଶେଷରେ ଅମୃତମୟ ଦିବ୍ୟସତ୍ତାଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ମିଳିବ। ସତ୍ୟାନୁସରିତ ହୋଇ ଆମେ ମଧ୍ୟ ଦିନେ କାଳବକ୍ଷରେ ଆମ ପାଦଚିହ୍ନ ଛାଡିଯିବା, ଯାହା ବତିଘର ପରି ଅନେକ ପଥଭ୍ରଷ୍ଟ ନାଉରିଙ୍କୁ ଦିଗ୍‌ଦର୍ଶନ ଦେଇପାରିବ। ଇଂଲିଶ କବି ଏଚ୍‌.ଡବ୍ଲ୍ୟୁ. ଲଙ୍ଗ୍‌ଫେଲୋ ତାଙ୍କ ଜୀବନ ଗୀତିକାରେ ଲେଖିଛନ୍ତି-
”ଲାଇଭ୍‌ସ ଅଫ ଗେଟ୍‌ ମେନ୍‌
ଅଲ୍‌ ରିମାଇଣ୍ଡ ଅସ୍‌,
ଆଣ୍ଡ୍‌ ଉଇ କ୍ୟାନ୍‌ ମେକ୍‌ ଆଓ୍ବାର
ଲାଇଭ୍‌ସ ସବ୍‌ଲାଇମ୍‌।“
ପ୍ରତି ମୁହୂର୍ତ୍ତରେ ମହାପୁରୁଷଙ୍କ ଜୀବନୀ ଆମ୍ଭମାନଙ୍କୁ ସଚେତନ କରାଇଦେଉଛି ଓ ଆମ ଭିତରେ ଜମାଟ ବାନ୍ଧିଥିବା ଯୁଗଯୁଗର ଜଡ଼ତାରୂପକ ଅନ୍ଧକାରକୁ ଅପସାରିତ କରି ଜାଗୃତିର ଏକ ନୂତନ ଆଲୋକରଶ୍ମି ବିଚ୍ଛୁରିତ କରିଚାଲିଛି। ଜାଗୃତିର ସେ ଆଲୋକ କଣିକାଗୁଡିକୁ ସଂଗ୍ରହ କରି ଆମ ହୃଦୟରୁ ଅଜ୍ଞତାକୁ ଚିର ବିଦାୟ ଦେବା। ଜ୍ଞାନାଲୋକର ଅପୂର୍ବ ପୁଲକରେ ଆମ ମନପ୍ରାଣ ପୁଲକିତ ହେବ।
ଅବଶ୍ୟ ମହାପୁରୁଷଙ୍କ ଦିବ୍ୟବାଣୀକୁ ଗ୍ରହଣ କରି ତାକୁ କାର୍ଯ୍ୟରେ ପରିଣତ କରିବା ଆମ୍ଭମାନଙ୍କ ପକ୍ଷେ କଷ୍ଟକର ହୋଇପାରେ। ମାତ୍ର ଅସମ୍ଭବ ନୁହେଁ। ସେଥିପାଇଁ ପ୍ରବଳ ଉଦ୍ୟମର ଆବଶ୍ୟକତା ଅଛି। ଶିଶୁଟିଏ ଜନ୍ମ ହେବା ମାତ୍ରେ ଚାଲି ନ ଥାଏ କି କଥା କହି ନ ଥାଏ। ସମୟକ୍ରମେ ଅଭ୍ୟାସ ବଳରେ ସେ ଉଠିପଡ଼ି ଚାଲିଶିଖେ। କବି ରାମକୃଷ୍ଣ ନନ୍ଦ କହନ୍ତି-
”ଅଭ୍ୟାସ ଯୋଗେ ଶିଶୁ ଯଥା,
ଶିଖଇ କହି କ୍ରମେ କଥା।
ଥରକୁ ଥର ପଡି ତଳେ,
ଚାଲଇ ଅଭ୍ୟାସର ବଳେ।“
ଅଭ୍ୟାସ ଏକ ନିରନ୍ତର ପ୍ରକ୍ରିୟା। ଅଭ୍ୟାସ ଦ୍ୱାରା ସବୁକିଛି ସମ୍ଭବ। ନେପୋଲିୟନଙ୍କ ଭାଷାରେ- ”ଇମ୍ପସିବଲ ଇଜ୍‌ ଏ ଓ୍ବାର୍ଡ, ଫାଉଣ୍ଡ ଇନ୍‌ ଦି ଡିକ୍ସିନାରି ଅଫ୍‌ ଫୁଲ୍‌ସ“ ଅର୍ଥାତ୍‌ ଅସମ୍ଭବ ବୋଲି କିଛି ଏ ଦୁନିଆରେ ନାହିଁ। ଏ ସମ୍ବନ୍ଧରେ ଗାନ୍ଧିଜୀଙ୍କ ସମୟର ଏକ ସତ୍ୟ ଘଟଣାର ଅବତାରଣା ଯଥାର୍ଥ ମନେହୁଏ।
ମହାତ୍ମା ଗାନ୍ଧୀ ସସ୍ତ୍ରୀକ ସାବରମତୀ ଆଶ୍ରମରେ ବାସ କରୁଥିବା ସମୟରେ ସ୍ତ୍ରୀ କସ୍ତୁରବା ଗାନ୍ଧୀ ଏକ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଲେ। ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ଆଦୌ ଲୁଣ ନ ଖାଇବାକୁ ପରାମର୍ଶ ଦେଲେ। ଗାନ୍ଧିଜୀ ମଧ୍ୟ ଡାକ୍ତରଙ୍କ ପରାମର୍ଶକୁ ଗୁରୁତ୍ୱ ଦେଇ ଲୁଣ ନ ଖାଇବା ପାଇଁ ସ୍ତ୍ରୀଙ୍କୁ ତାଗିଦ୍‌ କଲେ। କିନ୍ତୁ ଲୁଣ ବିନା ଖାଦ୍ୟ ଗ୍ରହଣ କସ୍ତୁରବାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ଥରେ ସେ ସ୍ବାମୀଙ୍କ ଅଗୋଚରରେ ଅଳ୍ପ କିଛି ଲୁଣ ଖାଦ୍ୟରେ ମିଶାଇଦେଲେ। କିନ୍ତୁ ଗାନ୍ଧିଜୀଙ୍କୁ ଏ କଥା ଅଛପା ରହିଲା ନାହିଁ। ସେ ଏଥିପାଇଁ ସ୍ତ୍ରୀଙ୍କ ଉପରେ ବିରକ୍ତ ହେଲେ। କିନ୍ତୁ କସ୍ତୁରବା କାନ୍ଦି ପକାଇ କହିଲେ, ତୁମେ ଜାଣିପାରିବ ନାହିଁ ବିନା ଲୁଣରେ ଖାଦ୍ୟ ଗ୍ରହଣ କେତେ ପୀଡ଼ାଦାୟକ। ଗାନ୍ଧିଜୀ ପ୍ରତିଜ୍ଞା କଲେ ଓ ନିଜେ ସେହିଦିନଠାରୁ ଲୁଣ ଖାଇବା ତ୍ୟାଗ କଲେ। ଆଶ୍ରମର ଅନ୍ତେବାସୀମାନଙ୍କୁ ମଧ୍ୟ ବିନା ଲୁଣରେ ଖାଦ୍ୟ ଖାଇବାକୁ ପରାମର୍ଶ ଦେଲେ। ସେହିଦିନଠାରୁ ଆଶ୍ରମରେ ଲୁଣ ନିଷେଧ କରାଗଲା। ଆଶ୍ରମକୁ ପ୍ରଥମ କରି ଆସିଥିବା ଅନ୍ତେବାସୀଙ୍କୁ ଲୁଣ ନ ଖାଇବା ପାଇଁ ଶପଥ ନେବାକୁ ହେଲା।
‘ମୁଁ’ ସର୍ବସ୍ବ ମଣିଷ କାଳର ସଙ୍କେତକୁ ବୁଝି ନ ପାରି ଯୌବନର ଉଦ୍ଦାମତା ବଳରେ ବଳୀୟାନ୍‌ ହୋଇ ଭୁଲ ପରେ ଭୁଲ କରି ଚାଲିଥାଏ। ସେ କିନ୍ତୁ ସମ୍ପୂର୍ଣ୍ଣ ଅଜ୍ଞ ଥାଏ ଯେ, ମହାକାଳର କୁଟିଳ ରୂପ ଯେକୌଣସି ମୁହୂର୍ତ୍ତରେ ତା’ ସମ୍ମୁଖରେ ଆବିର୍ଭୂତ ହୋଇ ତା’ ଜୀବନର ସକଳ ଦାମ୍ଭିକତାକୁ ନିମିଷକେ ଗ୍ରାସ କରିପାରେ। ମଣିଷ ନିଜେ ମଧ୍ୟ କାଳର କରାଳ ସ୍ରୋତରେ ଭାସିଯାଏ ଏବଂ ତା’ ସହିତ ଭାସିଯାଏ ତା’ର ସକଳ ଅହମିକା ଓ ଉଗ୍ର ଦାମ୍ଭିକତା। ଦିବ୍ୟଜନନୀ ଶ୍ରୀମାଙ୍କ ଉପଦେଶ ହେଲା- ”ଏ ପର୍ଯ୍ୟନ୍ତ ତୁମେ ଯାହା ହୋଇଛ, ସେ ସମ୍ବନ୍ଧେ ଚିନ୍ତା କରନାହିଁ। କିନ୍ତୁ ତୁମେ ଯାହା ହେବାକୁ ଚାହଁ ବା ତୁମର ଯାହା ହେବା ଉଚିତ ସେ ବିଷୟରେ ଚିନ୍ତାକର ଓ ତଦନୁଯାୟୀ ତୁମର କର୍ମସିଦ୍ଧାନ୍ତ କର। ନିଶ୍ଚିତରୂପେ ତୁମର ଆଧ୍ୟାତ୍ମିକ ଦିଗରେ ଉନ୍ନତି ହେବ।“ ଅତୀତର ସୁଖରାଶିକୁ ସ୍ମରଣ କରି ଗର୍ବ କରିବାର ନାହିଁ କିମ୍ବା ଭବିଷ୍ୟତର ଅନାଗତ ସୁଖର କଳ୍ପନାରେ ଉତ୍‌ଫୁଲ୍ଲ ହେବା ନିରର୍ଥକ। କେବଳ ବର୍ତ୍ତମାନସର୍ବସ୍ବ ହୋଇ କର୍ତ୍ତବ୍ୟ ସମ୍ପାଦନରେ ବ୍ରତୀ ହେବା ଉଚିତ। ଏଚ୍‌. ଡବ୍ଲ୍ୟୁ. ଲଙ୍ଗ୍‌ଫେଲୋ କହିଛନ୍ତି-
”ଟ୍ରଷ୍ଟ ନୋ ଫିଉଚର, ହାଓଏଭର ପ୍ଲିଜାଣ୍ଟ୍‌!
ଲେଟ୍‌ ଦି ଡେଡ୍‌ ପାଷ୍ଟ ବରି ଇଟ୍‌ସ ଡେଡ୍‌!
ଆକ୍ଟ ଆକ୍ଟ ଇନ୍‌ ଦ ଲିଭିଂ ପ୍ରେଜେଣ୍ଟ!
ହାର୍ଟ ଉଇଦିନ ଆଣ୍ଡ୍‌ ଗଡ୍‌ ଓଭର୍‌ହେଡ୍‌.“
ଅର୍ଥାତ୍‌- ସମସ୍ତ ସୁନେଲି ସ୍ବପ୍ନର ଗନ୍ତାଘର ସାଜିଥିଲେ ମଧ୍ୟ ଭବିଷ୍ୟତକୁ ବିଶ୍ୱାସ କରା ନ ଯାଉ। ମୃତ ଅତୀତକୁ ମାଟିରେ ପୋତି ଦିଆଯାଉ। କେବଳ ବର୍ତ୍ତମାନସର୍ବସ୍ବ ହୋଇ ଭଗବାନଙ୍କ ଉପରେ ପ୍ରଗାଢ଼ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରି ଅନ୍ତରର ସହ କାର୍ଯ୍ୟ କରାଯାଉ। କାରଣ ବର୍ତ୍ତମାନ ହିଁ ଜୀବନ୍ତ ଓ କାର୍ଯ୍ୟକ୍ଷମ।
ଧର୍ମବକ ଯୁଧିଷ୍ଠିରଙ୍କୁ ଅନେକ ପ୍ରଶ୍ନ ଭିତରେ ଗୋଟିଏ ପ୍ରଶ୍ନ ପଚାରିଥିଲେ- କିମାଶ୍ଚର୍ଯ୍ୟମ୍‌ ଅର୍ଥାତ୍‌ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିରଙ୍କ ଉତ୍ତର ଥିଲା- ‘ଅହନ୍ୟହନି ଭୂତାନି ଗଚ୍ଛନ୍ତି ଯମ ମନ୍ଦିରମ୍‌। ଶେଷାଃ ଜୀବିତୁମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃପରମ୍‌?’ ପ୍ରତିଦିନ ପ୍ରାଣୀ ମରୁଛନ୍ତି, ବାକି ଯେଉଁମାନେ ବଞ୍ଚିଛନ୍ତି ସେମାନେ ଚିରଦିନ ବଞ୍ଚିରହିବାକୁ ଇଚ୍ଛା କରୁଛନ୍ତି- ଏହାଠାରୁ ଆଶ୍ଚର୍ଯ୍ୟ କ’ଣ ଅଛି? ବାସ୍ତବରେ ମଣିଷ ପ୍ରତ୍ୟହ ମୃତ୍ୟୁକୁ ଦେଖୁଛି। ଏପରିକି ଚାହୁଁ ଚାହୁଁ ଆମେ ପ୍ରିୟଜନଙ୍କୁ ହରାଇ ବସୁଛୁ। ଆମେ ମଧ୍ୟ ଯେକୌଣସି ମୁହୂର୍ତ୍ତରେ କାଳର ମହାସ୍ରୋତରେ ବିଲୀନ ହୋଇଯିବା। ଅତଏବ ଏ ସଂସାର-ଅତିଥିଶାଳାରେ ଆମେ ଯେତେଦିନ ଅବସ୍ଥାନ କରୁଛୁ ସତ୍‌ଚିନ୍ତା ଓ ସତ୍‌କର୍ମକୁ ଜୀବନର ପାଥେୟ କଲେ ଏ ଜୀବନରେ ଓ ଜୀବନାନ୍ତେ ମଧ୍ୟ ସୁଖପ୍ରାପ୍ତି ଅବଶ୍ୟ ହେବ। ହିଂସା, ଦ୍ୱେଷ, ପରଶ୍ରୀକାତରତା ପରି ଅବଗୁଣଗୁଡ଼ିକ ପରିହାରପୂର୍ବକ ସତ୍ୟାନ୍ବେଷୀ ହେଲେ ଆମେ ଦିବ୍ୟତ୍ୱର ନିକଟବର୍ତ୍ତୀ ହୋଇପାରିବା। ଜନ୍ମ ସାର୍ଥକ ହେବ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri