କନ୍ଦାଇ ଦେଲେ

ତଥାଗତ ସତପଥୀ

ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା କରୋନାଜନିତ ଲକ୍‌ଡାଉନ୍‌ ୩୧ ମେ’ରେ ସମାପ୍ତ ହେଲା। ସେହିଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ଗମ୍ଭୀର ରହିଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ଦେଶର ଏମିତି କୌଣସି ବର୍ଗ ନାହାନ୍ତି ଯେଉଁମାନେ ମହାମାରୀ ଯୋଗୁ ପ୍ରଭାବିତ ହୋଇ ନାହାନ୍ତି। ତେବେ ଗରିବ, ଶ୍ରମିକ ଓ ପ୍ରବାସୀଙ୍କ ଦୁଃଖକୁ ବର୍ଣ୍ଣନା କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବାସ୍ତବରେ ମୋଦିଙ୍କ ମୁହଁରୁ ସତ କଥା ବାହାରିଯାଇଛି। ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ପରାମର୍ଶଦାତାମାନେ ବିନା ଆକଳନରେ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇଗଲେ। ଅର୍ଥନୀତି ରସାତଳଗାମୀ ହେଉଥିବା ଜାଣିବା ପରେ ୧ ଜୁନ୍‌ରୁ ପର୍ଯ୍ୟାୟ କ୍ରମେ ତାଲା ଖୋଲାଯିବ ବୋଲି କେନ୍ଦ୍ର ସରକାର ୩୦ ମେ’ରେ ଘୋଷଣା କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଯେ, ଯେତେବେଳେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବହୁମାତ୍ରାରେ ବଢ଼ିଚାଲିଛି ସେତେବେଳେ ଘାଇ ମୁକୁଳା କରିଦିଆଗଲା। ୨୪ ମାର୍ଚ୍ଚରେ ଦେଶବ୍ୟାପୀ ଅଚାନକ ତାଲାବନ୍ଦ କରିଦିଆଯିବାକୁ ସେତେବେଳେ ଅନେକେ ବିରୋଧ କରିଥିଲେ। ମାର୍ଚ୍ଚ ୨୮ରେ ନୂଆଦିଲ୍ଲୀର ଆନନ୍ଦବିହାର ବସ୍‌ ଟର୍ମିନସ୍‌ରେ ପ୍ରବାସୀ ଶ୍ରମିକଙ୍କ ଭିଡ଼ ଅସନ୍ତୋଷର ପ୍ରଥମ ଆଭାସ ଦେଇଥିଲା। ଲକ୍‌ଡାଉନ୍‌ର ମାତ୍ର ୩ ଦିନ ପରେ ନିଜ ଗ୍ରାମକୁ ଫେରିବା ପାଇଁ ବ୍ୟାକୁଳ ଶ୍ରମିକ ପ୍ରଧାନମନ୍ତ୍ରୀଙ୍କ ବାସଭବନଠାରୁ କିଛି କିଲୋମିଟର ଦୂରରେ ଯେଭଳି ଅଶାନ୍ତ ହୋଇପଡ଼ିଲେ, ସେଥିରୁ ସରକାର ଚେତିଲେ ନାହିଁ। ସେତେବେଳେ ଠୋସ୍‌ ନିଷ୍ପତ୍ତି ନିଆଯାଇପାରିଥିଲେ ସମସ୍ୟାର ସମାଧାନ ହୋଇପାରିଥାଆନ୍ତା। ଯେଉଁ ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଥିବା କଥା କହି ଏବେ ମନଦୁଃଖ କରୁଛନ୍ତି, ସେତେବେଳେ ଘରକୁ ଫେରିବା ଲାଗି ସେମାନଙ୍କୁ କିଛି ଦିନର ଅବଧି ଦେଇଥିଲେ ସ୍ଥିତି ଭୟାନକ ହୋଇ ନ ଥାଆନ୍ତା। ପ୍ରବାସୀମାନେ କିଛି ସମୟ ପାଇଥିଲେ ସେମାନେ ନିଜ ଆୟୋଜନରେ ସୁରୁଖୁରୁରେ ଘରକୁ ଫେରି ପାରିଥାଆନ୍ତେ। ଦୀର୍ଘ ଦିନ ଧରି ଲକ୍‌ଡାଉନ୍‌ ହେବାରୁ ସେମାନଙ୍କ ନିକଟରେ ଥିବା ସମ୍ବଳ ସରିଆସିଲା। ସେମାନେ ଯେଉଁଠାରେ କାମ କରୁଥିଲେ, ସେଠାକାର ମାଲିକମାନେ ସେମାନଙ୍କୁ ସୁରକ୍ଷା ନ ଦେବାରୁ ପରିସ୍ଥିତି ଅଣାୟତ୍ତ ହୋଇଗଲା। କେବଳ ସେତିକି ନୁହେଁ, ସେହି ଅନ୍ତରୀଣ ସମୟରେ ଶ୍ରମିକମାନଙ୍କ ମଧ୍ୟରେ ରୋଗ ବ୍ୟାପିବାର ସୁଯୋଗ ସୃଷ୍ଟି କରିଦିଆଗଲା। ଉଦାହରଣ ସ୍ବରୂପ ସୁରଟରୁ ଆସୁଥିବା ଅନେକ ଲୋକଙ୍କଠାରେ କରୋନା ପଜିଟିଭ୍‌ ଲକ୍ଷଣ ପ୍ରମାଣ କରୁଛି ଯେ ଗୁଜରାଟରେ ରାଜ୍ୟ ସରକାର ନିଜର କୋଭିଡ୍‌ ସଂଖ୍ୟା କମାଇବା ପାଇଁ ଶ୍ରମିକମାନଙ୍କୁ ବିଦା କରିଦେଉଛି। କିନ୍ତୁ ଏଠି ପ୍ରଶ୍ନ ଉଠିପାରେ ଗୁଜରାଟ ଓ ମହାରାଷ୍ଟ୍ରରେ ଅତ୍ୟଧିକ ମାତ୍ରାରେ ସଂକ୍ରମଣର କାରଣ କ’ଣ ? ଉତ୍ତର ଅତି ସହଜ। ପ୍ରାୟ ପ୍ରତ୍ୟେକ ଧନୀ ଏବଂ ମଧ୍ୟବିତ୍ତ ଗୁଜରାଟୀ ପରିବାରର କେହି ନା କେହି ବିଦେଶରେ ବ୍ୟବସାୟ କରିଥାନ୍ତି। ସେମାନଙ୍କୁ ଗୁଜରାଟକୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କ ତତ୍ପରତା ସେହି ରୋଗକୁ ଭାରତ ଆସିବାକୁ ନିମନ୍ତ୍ରଣ କଲା। ଗୁଜରାଟୀ ପ୍ରେମ ଯୋଗୁ ଆଜି ଭାରତ କ୍ଷତିଗ୍ରସ୍ତ। ଏ କ୍ଷତି କେବଳ କରୋନା ଯୋଗୁ ନୁହେଁ, ବିପର୍ଯ୍ୟସ୍ତ ଅର୍ଥନୀତି ଆହୁରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତକୁ ହନ୍ତସନ୍ତ କରିବ। ଦ୍ୱିତୀୟରେ ଯଦି ଲକ୍‌ଡାଉନ୍‌ ପୂର୍ବରୁ ମୋଦିଙ୍କ ପାଇଁ ସମୟ ଦେବା ସମ୍ଭବପର ହେଲା ନାହିଁ, ତେବେ ଶ୍ରମିକମାନଙ୍କୁ ଯେଉଁଠି ଅଛନ୍ତି ସେଇଠି ରହିବାକୁ ନିର୍ଦ୍ଦେଶ ଦେବା ସହିତ ସେନାକୁ ବ୍ୟବହାର କରି ସେମାନଙ୍କ ଖାଦ୍ୟ, ଘରଭଡ଼ା ଏବଂ ସ୍ବାସ୍ଥ୍ୟ ସୁବିଧା ସରକାରୀ ସ୍ତରରେ ଯୋଗାଇ ଦିଆଯାଇ ପାରିଥାଆନ୍ତା। ଅଧିକାଂଶ ଶ୍ରମିକଙ୍କ ପାଖରେ ଆଧାରକାର୍ଡ ଥିବ। ସେହି କାର୍ଡ କରାଇବା ପାଇଁ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତା’ର ସଦୁପଯୋଗ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇ ଥିଲେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିରେ ପ୍ରବାସୀ ଶ୍ରମିକଙ୍କ କୌଣସି ସମସ୍ୟା ହୋଇ ନ ଥାନ୍ତା। ଯଦି ଏହା ମଧ୍ୟ ସମ୍ଭବପର ହୋଇ ନ ଥାନ୍ତା, କାମ ଯୋଗାଇଥିବା କଣ୍ଟ୍ରାକ୍ଟର ବା କମ୍ପାନୀକୁ ସରକାରୀ ନିର୍ଦ୍ଦେଶ ଦିଆଯାଇ ଶ୍ରମିକମାନଙ୍କ ଆର୍ଥିକ ଦାୟିତ୍ୱ ନେବା ପାଇଁ କୁହାଯିବା ସହିତ କମ୍ପାନୀଗୁଡ଼ିକ ଖର୍ଚ୍ଚ କରୁଥିବା ଅର୍ଥକୁ ଭରଣା କରିବା ସକାଶେ ସରକାରୀ ରାଜକୋଷରୁ ବ୍ୟବସ୍ଥା କରାଯାଇ ପାରିଥାଆନ୍ତା। ଏହିଭଳି ଅନେକ ଉପାୟ ଥିଲା। ଆଜି ମିଛିମିଛିକା ଦୁଃଖ ପ୍ରକାଶ କରିବା ପରିବର୍ତ୍ତେ ବାସ୍ତବ ଦାୟିତ୍ୱ ନେଇ କାର୍ଯ୍ୟ କରିଥିଲେ ଅନେକ ଯୁଗ ପର୍ଯ୍ୟନ୍ତ ମୋଦିଙ୍କୁ ଭାରତର ଏକନମ୍ବର ଚୌକିଦାର ଭାବେ ମନେ ରଖାଯାଇଥାଆନ୍ତା। ଭାରତୀୟମାନେ ଭାବିଥାନ୍ତି ପ୍ରକୃତରେ ଚୌକିଦାରର ଯାହା ଦାୟିତ୍ୱ, ଅର୍ଥାତ୍‌ ଜଣେ ବ୍ୟକ୍ତିର ଶାରୀରିକ ଓ ମାନସିକ ଶାନ୍ତି ଏବଂ ସମ୍ପତ୍ତି ଜଗିବାରେ ମୋଦି ହୋଇଥାନ୍ତେ ହିରୋ। ଏବେ ତାହା ନ ହୋଇଲା।
ଭାରତରେ ଆଇନ ପ୍ରଣେତାଙ୍କଠାରୁ ଆରମ୍ଭ କରି ଏହାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତିଙ୍କ ଯାଏ ସମସ୍ତେ ଗୋଟେ ଅବାସ୍ତବ ଦୁନିଆରେ ରହି ନିର୍ଦ୍ଦେଶ ଦେବାରେ ବ୍ୟସ୍ତ। ଏଠାରେ ସୁପ୍ରିମ୍‌କୋର୍ଟ ହେଉଛି ଅନ୍ୟତମ ଉଦାହରଣ। ଦୀର୍ଘ ୬୦ ଦିନ ଧରି ଶୋଇଥିବା ସୁପ୍ରିମ୍‌କୋର୍ଟ ୨୮ ମେ’ରେ ନିଦ୍ରାଭଙ୍ଗ କରି କହିଲେଣି ପ୍ରବାସୀଙ୍କୁ ସୁରକ୍ଷିତ ଭାବେ ସରକାର ଘରେ ପହଞ୍ଚାନ୍ତୁ। ମନକୁ ପ୍ରଶ୍ନ ଆସେ ଏଭଳି ନିଜକୁ ହାସ୍ୟାସ୍ପଦ ପରିସ୍ଥିତିରେ ପକାଇବାକୁ ଆମର ବିଚାରପତିମାନେ କାହିଁକି ବ୍ୟସ୍ତତା ପ୍ରଦର୍ଶନ କରୁଛନ୍ତି। ପୂର୍ବଭଳି ନୀରବ ରହିଯାଇଥିଲେ ଏ ଦେଶ ତାଙ୍କ ଉପରେ ହସି ନ ଥାନ୍ତା ଓ ତାଙ୍କୁ ଭୁଲି ଯାଇଥାନ୍ତା। ତେବେ ତୃଣମୂଳ ସ୍ତରକୁ ଯାଇ ପ୍ରକୃତ ସମସ୍ୟାକୁ ବୁଝିବାକୁ ସମୟ ଦେଇ ଯଦି ନିଷ୍ପତ୍ତି ନିଆଯାଆନ୍ତା, ତାହା ହେଲେ ଅସୁବିଧାକୁ ଅନେକାଂଶରେ କମାଇ ଦିଆଯାଇପାରନ୍ତା। କେବଳ ଶାସନରେ ଥିବା ରାଜନୈତିକ ବ୍ୟକ୍ତି ଓ କିଛି ଅମଲାତନ୍ତ୍ରୀଙ୍କ ମତକୁ ବିଚାରକୁ ନିଆଯାଇ ତତ୍‌କ୍ଷଣାତ୍‌ ନିର୍ଦ୍ଦେଶ ଦିଆଯାଉଥିବାରୁ ସମାଜର ଅନ୍ୟାନ୍ୟ ବର୍ଗଙ୍କ ଚିନ୍ତଧାରା ଗୁରୁତ୍ୱ ହରାଇ ବସୁଛୁ। ଏହାଦ୍ୱାରା ଏକ ଅପରିପକ୍ୱ ଯୋଜନା ସାମ୍ନାକୁ ଆସୁଛି, ଯାହାର ପରିଣତି ସମଗ୍ର ଦେଶକୁ କନ୍ଦାଇ ଦେଉଛି। ଏବେ ଲୋକଙ୍କ ହଇରାଣ ହରକତ ଓ ଅନେକ ପ୍ରବାସୀଙ୍କ ମୃତ୍ୟୁ ଖବର ପାଇବା ପରେ କେନ୍ଦ୍ର ସରକାର କହୁଛନ୍ତି, ପ୍ରବାସୀଙ୍କ ପାଇଁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ପଡ଼ିବ। ଗୋଟେ ପ୍ରବାସୀ କମିଶନ ବା ମାଇଗ୍ରାଣ୍ଟ୍‌ କମିଶନ ଗଠନ କରାଯିବ କିମ୍ବା ଗ୍ରାମାଞ୍ଚଳରେ ନିଯୁକ୍ତି ବୃଦ୍ଧି ଓ କ୍ଷୁଦ୍ର ଶିଳ୍ପର ବିକାଶ ନେଇ ଯେଉଁ ସମ୍ଭାବନା ନିକଟରେ ସୃଷ୍ଟି କରାଯାଇଛି, ତାହାକୁ ତ୍ୱରାନ୍ବିତ ଲାଗି ସରକାର ଚିନ୍ତା କରୁଥିବା ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ରେ କହିଛନ୍ତି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି ଏହା ଏକ ଅବାସ୍ତବ କଥା। ଏଭଳି ମନ୍ତବ୍ୟ କାହିଁକି ଦିଆଯାଏ ତାହା ବୁଝିବା କଷ୍ଟକର।
ଦେଖାଯାଏ ଯେ, ମଣିଷ ବିପର୍ଯ୍ୟୟରୁ ଅନେକ କିଛି ଶିଖିଥାଏ। କିନ୍ତୁ ତାହାର ମୁକାବିଲା ଲାଗି ପାଖରେ ସାଧନ ଥିଲେ ମଧ୍ୟ ଯଦି ତାହାକୁ ଠିକ୍‌ ଭାବେ ଉପଯୋଗ କରା ନ ଯିବ, ତାହା ହେଲେ ସବୁକିଛି ଫୁସୁରିଯିବ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଯଦି ଦେଶର ଗାଁ ଓ ସହରଗୁଡ଼ିକ ଆତ୍ମନିର୍ଭର ହୋଇଯିବେ, ଅନେକ ସମସ୍ୟା ମୁଣ୍ଡ ଟେକିବ ନାହିଁ। ଏଠାରେ ପ୍ରଶ୍ନ କରାଯାଇପାରେ ଯେ, ସତରେ ଯଦି ଗାଁ ଓ ସହର ସବୁ ଦିଗରୁ ଆତ୍ମନିର୍ଭର ହୋଇଯିବେ, ତେବେ ଉଡ଼ାକଥା କହୁଥିବା ନେତାଙ୍କୁ କିଏ ଲୋଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri