କରୋନା ସମୟରେ ବୁଦ୍ଧଙ୍କ ପ୍ରାସଙ୍ଗିକତା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଆଜି ଏକ ଅଦୃଶ୍ୟ ଭୂତାଣୁ କରୋନା ସମଗ୍ର ବିଶ୍ୱରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ବିଭିନ୍ନ ଦେଶରେ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ଓ ମୃତ୍ୟୁ ମୁଖରେ ପତିତ। ଧର୍ମ ବର୍ଣ୍ଣ ଜାତି ନିର୍ବିଶେଷରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ସମସ୍ତେ ଆଜିର କରୋନାର ଶିକାର ହୋଇଛନ୍ତି। ତଥାପି ଇସଲାମ ଧର୍ମରେ ବିଶ୍ୱାସ ରଖୁଥିବା କେହି କେହି କହୁଛନ୍ତି ଆଲ୍ଲା ଅଛନ୍ତି, ସେ ସେମାନଙ୍କୁ ନିଶ୍ଚୟ ରକ୍ଷା କରିବେ। କରୋନା ସେମାନଙ୍କ କୌଣସି କ୍ଷତି କରିପାରିବ ନାହିଁ। ଓଡ଼ିଶାର ଜଣେ ଜଗନ୍ନାଥପ୍ରେମୀ ନେତା ମଧ୍ୟ କହୁଥିଲେ ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ। ଏଣୁ କରୋନା ଓଡ଼ିଶାବାସୀଙ୍କ କୌଣସି କ୍ଷତି କରିପାରିବ ନାହିଁ। ନିଜ ସମ୍ମୁଖରେ ପ୍ରତ୍ୟେକ ଦିନ ବିଭିନ୍ନ ଦେଶ ଓ ବିଭିନ୍ନ ଧର୍ମର ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡୁଥିବାର ଦେଖି ମଧ୍ୟ ମଣିଷର ଏହି ବାହୁସ୍ଫୋଟ ମନେପକାଇ ଦେଉଛି ମହାଭାରତରେ ବର୍ଣ୍ଣିତ ଯକ୍ଷ ଯୁଧିଷ୍ଠିରଙ୍କ ଖବର। ଯୁଧିଷ୍ଠିରଙ୍କ ପ୍ରତି ଯକ୍ଷର ପ୍ରଶ୍ନ ଥିଲା ଦୁନିଆରେ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦେଇଥିଲେ ‘ଅହନ୍ୟହନି ଗଚ୍ଛନ୍ତି ଭୂତାନି ଯମମନ୍ଦିରମ୍‌। ଶେଷା ଜୀବିତୁ ମିଚ୍ଛନ୍ତି କିମାଶ୍ଚର୍ଯ୍ୟଂ ଅତଃ ପରମ୍‌। ଅର୍ଥାତ ପ୍ରତ୍ୟେକ ଦିନ ଅନେକ ଜୀବ ମୃତ୍ୟୁମୁଖରେ ପଡୁଛନ୍ତି ଜାଣି ମଧ୍ୟ ମଣିଷ ସବୁଦିନ ବଞ୍ଚିବା ପାଇଁ ଇଚ୍ଛା ପୋଷଣ କରେ। ଏହାଠୁ ଆଶ୍ଚର୍ଯ୍ୟ ଆଉ କ’ଣ ଥାଇପାରେ? ପୁନଶ୍ଚ ବିଡ଼ମ୍ବନାର ବିଷୟ ହେଉଛି ମଣିଷର ସଂକୀର୍ଣ୍ଣ ଭାବନା। ଇସଲାମ୍‌ ଧର୍ମାବଲମ୍ବୀ ସେମାନଙ୍କ ସୁରକ୍ଷା ଚିନ୍ତା କଲାଭଳି ଜଗନ୍ନାଥପ୍ରେମୀ କେବଳ ଓଡ଼ିଶାର ଚିନ୍ତା କରୁଛନ୍ତି। ତା’ହେଲେ କ’ଣ ଆଲ୍ଲା କେବଳ ମୁସଲମାନଙ୍କ ଈଶ୍ୱର ଓ ଜଗନ୍ନାଥ କ’ଣ କେବଳ ଓଡ଼ିଶାବାସୀଙ୍କ ଈଶ୍ୱର? ଏହି ଈଶ୍ୱରମାନେ କ’ଣ କେବଳ ସେମାନଙ୍କୁ ବିଶ୍ୱାସ କରୁଥିବା ମଣିଷଙ୍କୁ ଓ ସେହି ମଣିଷମାନଙ୍କର ବାସସ୍ଥାନକୁ ସୁରକ୍ଷିତ ରଖିବେ? ଆଜି ମଣିଷ ଏତେ ସ୍ବାର୍ଥକୈନ୍ଦ୍ରିକ ହୋଇଯାଇଛି ଯେ, ଈଶ୍ୱରଙ୍କୁ ମଧ୍ୟ ଭାଗ ଭାଗ କରିଦେଇଛି। ମାତ୍ର ଭାରତରେ ପ୍ରାଚୀନକାଳରେ ଋଷିମାନେ ଏହିଭଳି ସଂକୀର୍ଣ୍ଣ ଚିନ୍ତାଧାରାରୁ ମୁକ୍ତ ଥିଲେ। ସେମାନେ ପ୍ରାର୍ଥନା କରୁଥିଲେ ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟା। ଆଜି ସମଗ୍ର ବିଶ୍ୱ ଏକ କ୍ଷୁଦ୍ର ଗ୍ରାମରେ ରୂପାନ୍ତରିତ ହୋଇଛି। ବିକାଶ ପଥରେ ଗତି କରିବା ପାଇଁ ପ୍ରତ୍ୟେକ ଦେଶ ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳ। ଏହି ପାରସ୍ପରିକ ସହଯୋଗ ଧର୍ମ ଓ ଜାତି ଉପରେ ନିର୍ଭର କରେ ନାହିଁ। ଏହା ପର୍ଯ୍ୟବସିତ ହୁଏ ମାନବିକ ମୂଲ୍ୟବୋଧ ଉପରେ। ଏବେ ଜାତୀୟତାବାଦ ଆଉ ପ୍ରାସଙ୍ଗିକ ହୋଇ ରହିନାହିଁ। ସମୟ ଆସିଛି ଅନ୍ତର୍ଜାତୀୟତାବାଦକୁ ଆପଣେଇ ନେବା ପାଇଁ। କେବଳ ନିଜ ଦେଶକୁ ଭଲ ପାଇବା ମାନବୋଚିତ ଧର୍ମ ନୁହେଁ। ଏଣୁ ଅଥର୍ବ ବେଦରେ ଋଷି କହିଛନ୍ତି ‘ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ’ ଅର୍ଥାତ୍‌ ଏହି ସମଗ୍ର ଭୂଖଣ୍ଡ ହେଉଛି ମୋର ମାଆ ଓ ମୁଁ ହେଉଛି ପୃଥିବୀର ପୁତ୍ର। ଯେଉଁ ଋଷିମାନେ ଏହାକୁ ଉଦାର କଣ୍ଠରେ ଉଚ୍ଚାରଣ କରୁଥିଲେ ସେମାନଙ୍କ ଦୃଷ୍ଟିରେ ଦେଶପ୍ରେମ କୌଣସି ଭୌଗୋଳିକ ସୀମା ମଧ୍ୟରେ ଆବଦ୍ଧ ନ ଥିଲା। ସେମାନଙ୍କ ମାତୃଭୂମି ପ୍ରେମ ସମସ୍ତ ଭୌଗୋଳିକ ସୀମାକୁ ଅତିକ୍ରମ କରିଯାଇଥିଲା। ଏହା ହେଉଛି ସେମାନଙ୍କର ବୈଶିଷ୍ଟ୍ୟ।
ବୈଦିକ ଯୁଗର ପରବର୍ତ୍ତୀ କାଳରେ ଗୌତମ ବୁଦ୍ଧଙ୍କୁ ବେଦ ବିରୋଧୀ ବୋଲି ଚିତ୍ରିତ କରାଯାଇଥିଲେ ହେଁ ସେ ବେଦର ଏହି ମାତୃଭୂମି ପ୍ରେମର ପରିଭାଷାକୁ ଖଣ୍ଡନ କରି ନ ଥିଲେ। ବୁଦ୍ଧତ୍ୱ ପ୍ରାପ୍ତ ହେବା ପରେ ଧର୍ମ ପ୍ରଚାର କରିବା ଉଦ୍ଦେଶ୍ୟରେ ସେ ପହଞ୍ଚିଲେ କୋଶଳ ରାଜ୍ୟରେ। ସେତେବେଳେ କୋଶଳର ରାଜା ଥାନ୍ତି ପ୍ରସେନଜିତ୍‌। ଥରେ ପ୍ରବଚନ ଦେବା ବେଳେ ବୁଦ୍ଧ କହିଥାନ୍ତି ‘ଯେଉଁଠି ଅନୁରାଗ (ପ୍ରେମ) ଥାଏ ସେଠି ଦୁଃଖ ଓ ଯନ୍ତ୍ରଣା ଥାଏ। ଏଣୁ ମଣିଷକୁ ଏହି ଅନୁରାଗରୁ ମୁକ୍ତ ହେବାକୁ ପଡ଼ିବ। ତେବେ ହେବ ନିର୍ବାଣ ପ୍ରାପ୍ତି।’ ବୁଦ୍ଧଙ୍କ ଏହି ବାଣୀ ଯେତେବେଳେ ରାଜା ପ୍ରସେନଜିତଙ୍କ କାନରେ ପଡ଼ିଲା ସେ ତାକୁ ଗ୍ରହଣ କରିପାରିଲେ ନାହିଁ। ସେ ନିଜେ ବୁଦ୍ଧଙ୍କ ନିକଟରେ ପହଞ୍ଚି ଏହାର ଜିଜ୍ଞାସା କରନ୍ତେ ବୁଦ୍ଧ କହିଲେ, ‘ରାଜନ୍‌! ପ୍ରେମ ଦୁଇ ପ୍ରକାର। ଗୋଟିଏ ହେଉଛି କାମନା, ଆସକ୍ତି ଓ ତତ୍‌ଜନିତ ପକ୍ଷପାତିତା ଉପରେ ଆଧାରିତ। ‘ମୁଁ’ ଓ ‘ମୋର’ ଧାରଣା ଉପରେ ପର୍ଯ୍ୟବସିତ ସ୍ବାମୀ-ସ୍ତ୍ରୀ, ପିତା-ପୁତ୍ର ମଧ୍ୟରେ ଥିବା ପ୍ରେମ ଏହି ପର୍ଯ୍ୟାୟର। ଏଣୁ ଯେତେବେଳେ ଆମ ପୁଅ କୌଣସି ଦୁର୍ଘଟଣାରେ ପଡ଼େ ଆମେ ଯେତିକି ଦୁଃଖ ଓ ଯନ୍ତ୍ରଣା ଅନୁଭବ କରୁ ମାତ୍ର ଅନ୍ୟର ପୁଅ ସେହିଭଳି ଅବସ୍ଥାରେ ସେପରି ଦୁଃଖ ଅନୁଭବ କରି ନ ଥାଉ। ଦ୍ୱିତୀୟ ପ୍ରକାର ପ୍ରେମ ହେଉଛି ମୈତ୍ରୀ ଓ କରୁଣା ଆଧାରିତ। ଯେଉଁ ପ୍ରେମ ଅନ୍ୟ ପାଇଁ ସୁଖ ଆଣି ଦେବା ଲାଗି ସମର୍ଥ ତାକୁ ମୈତ୍ରୀ କୁହାଯାଏ ଓ ଯେଉଁ ପ୍ରେମ ଅନ୍ୟର ଦୁଃଖ ଓ ଯନ୍ତ୍ରଣା ଲାଘବ କରିବା ପାଇଁ ସମର୍ଥ ତାକୁ କରୁଣା କୁହାଯାଏ। ମୈତ୍ରୀ ଓ କରୁଣା କେବଳ ନିଜର ପତ୍ନୀ, ସନ୍ତାନସନ୍ତତି, ବନ୍ଧୁବର୍ଗମାନଙ୍କ ମଧ୍ୟରେ ସୀମିତ ନ ଥାଏ। ଏହାର ଏହିସବୁ ସମ୍ପର୍କକୁ ଅତିକ୍ରମ କରି ସମଗ୍ର ମାନବଜାତି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥାଏ। ସେଥିରେ ନ ଥାଏ ‘ମୁଁ’ ଓ ‘ମୋର’ ଭାବ। ନ ଥାଏ ଆସକ୍ତି ଓ ପକ୍ଷପାତିତା। ଏଣୁ ଏହି ପ୍ରକାର ପ୍ରେମ, ଦୁଃଖ ଓ ଯନ୍ତ୍ରଣା ଦିଏ ନାହିଁ। ଦିଏ ଶାନ୍ତି ଓ ସନ୍ତୋଷ। ବୁଦ୍ଧଙ୍କ ପାଖରୁ ଏହା ଶୁଣି ସାରିବା ପରେ ରାଜା ପ୍ରଶ୍ନ କଲେ, ”ଯଦି ମୁଁ ମୋର ପରିବାର ଓ ମୋର ଦେଶକୁ ଭଲ ନ ପାଇବି ତା’ହେଲେ ସେମାନଙ୍କ ଯତ୍ନ ନେବି କିପରି?“ ବୁଦ୍ଧ କହିଲେ, ”ରାଜନ୍‌! ତୁମେ ତୁମ ପରିବାର, ତୁମ ବନ୍ଧୁବର୍ଗ, ତୁମ ରାଜ୍ୟକୁ ଭଲ ପାଇବା ଉଚିତ। ମାତ୍ର ଏହାର ଅର୍ଥ ନୁହେଁ ଯେ ଏମାନଙ୍କ ବାହାରେ ତୁମେ ଅନ୍ୟ କାହାକୁ ଓ ଅନ୍ୟ ରାଜ୍ୟକୁ ଭଲ ପାଇବ ନାହିଁ। ତୁମର ପ୍ରେମ ଯଦି ମୈତ୍ରୀ ଓ କରୁଣା ଆଧାରିତ ହେବ, ତୁମେ ଅନ୍ୟ ରାଜ୍ୟର ପ୍ରଜାମାନଙ୍କୁ ମଧ୍ୟ ଭଲ ପାଇପାରିବ।“ ରାଜା ପୁଣି ପଚାରିଲେ, ”ମହାଭାଗ ! ଅନ୍ୟ ରାଜ୍ୟର ପ୍ରଜା ମୋ ଅଧୀନରେ ନ ଥିବାରୁ ଏହା କିପରି ସମ୍ଭବ ? ଉତ୍ତରରେ ବୁଦ୍ଧ କହିଲେ, ରାଜନ ! ଗୋଟିଏ ରାଜ୍ୟର ସମୃଦ୍ଧି ଓ ନିରାପତ୍ତା ଅନ୍ୟ ରାଜ୍ୟର ଦାରିଦ୍ର୍ୟ ଓ ଅସୁରକ୍ଷିତ ଅବସ୍ଥା ଉପରେ ନିର୍ଭର କରିବା ଠିକ୍‌ ନୁହେଁ। ଚିରସ୍ଥାୟୀ ଶାନ୍ତି ଓ ସମୃଦ୍ଧି ସେତେବେଳେ ସମ୍ଭବ ଯେତେବେଳେ ସମସ୍ତ ରାଜ୍ୟ ସମସ୍ତଙ୍କ ମଙ୍ଗଳ କାମନାରେ ପ୍ରତିଶ୍ରୁତିବଦ୍ଧ ହେବେ। ଯଦି ତୁମେ ତୁମ ରାଜ୍ୟର ପ୍ରଜା ସୁଖ ଓ ଶାନ୍ତିରେ ରହନ୍ତୁ ବୋଲି ଚାହୁଁଛ ଅନ୍ୟ ରାଜ୍ୟର ପ୍ରଜା ମଧ୍ୟ ଶାନ୍ତିରେ ରହିବା ଆବଶ୍ୟକ, ତା’ହେଲେ ସେମାନେ ତୁମ ରାଜ୍ୟ ଉପରେ ଆକ୍ରମଣ କରିବେ ନାହିଁ। ଏଣୁ ତୁମେ କୋଶଳ ବ୍ୟତୀତ ମଗଧ, କାଶୀ, ବିଦେହ, ଶାକ୍ୟ ଓ କୋଲିୟ ଆଦି ସମସ୍ତ ରାଜ୍ୟକୁ ଭଲ ପାଅ।“ ପ୍ରାୟ ୨୫୦୦ ବର୍ଷ ପୂର୍ବରୁ ଗୌତମବୁଦ୍ଧ ଏହିଭଳି ବିଶ୍ୱପ୍ରେମର ବାର୍ତ୍ତା ଦେଇଯାଇଥିଲେ। ରାଜା ପ୍ରସେନଜିତ୍‌ଙ୍କ ସହ ବୁଦ୍ଧଙ୍କ ଏହି କଥୋପକଥନ ଲିପିବଦ୍ଧ ହୋଇଛି ଭିଏତ୍‌ନାମର ବୌଦ୍ଧ ସନ୍ନ୍ୟାସୀ ଥିଚ ନାଟ୍‌ ହାନ୍‌ଙ୍କ ଲିଖିତ ତଥ୍ୟ ସମ୍ବଳିତ ପୁସ୍ତକ ‘ଓଲ୍‌ଡ ପାଥ ହ୍ବାଇଟ କ୍ଲାଉଡ୍‌ସ’ ପୁସ୍ତକରେ।
ଦୁର୍ଭାଗ୍ୟର ବିଷୟ ଯେ ଆଜି ଆମେ ପୃଥିବୀକୁ ମହାଦେଶ, ଦେଶ, ରାଜ୍ୟ, ନଗର ଆଦିରେ ବିଭାଜିତ କରିବା ସଙ୍ଗେ ସଙ୍ଗେ ମଣିଷ ଜାତିକୁ ମଧ୍ୟ ହିନ୍ଦୁ, ଖ୍ରୀଷ୍ଟିୟାନ, ମୁସଲମାନ, ପାର୍ଶୀ ଇତ୍ୟାଦି ସଂପ୍ରଦାୟରେ ଭାଗ ଭାଗ କରିଦେଇଛୁ। ପ୍ରତ୍ୟେକ ସଂପ୍ରଦାୟ ନିଜର କଳ୍ପିତ ଈଶ୍ୱରଙ୍କୁ ଶ୍ରେଷ୍ଠ ମଣି ଅନ୍ୟ ସଂପ୍ରଦାୟର ଈଶ୍ୱରଙ୍କୁ ଅସ୍ବୀକାର କରୁଛନ୍ତି। ଚାଲିଛି ଧର୍ମ ସହ ଧର୍ମର ସଂଘର୍ଷ। ଧର୍ମ ନାମରେ ହେଉଛି ରକ୍ତପାତ ଓ ହିଂସାର ତାଣ୍ଡବ। ମାତ୍ର ବୁଦ୍ଧ ଦର୍ଶନରେ ଈଶ୍ୱରଙ୍କ ସ୍ଥାନ ନାହିଁ। ଈଶ୍ୱରଙ୍କ ସ୍ଥିତି ବା ଅସ୍ଥିତି ସଂପର୍କରେ ବୁଦ୍ଧ ନୀରବ ଥିଲେ। ଈଶ୍ୱରଙ୍କ ସଂପର୍କରେ ଚିନ୍ତା ନ କରି ମଧ୍ୟ ଜଣେ ସୁଖ ଓ ଶାନ୍ତି ଉପଲବ୍ଧି କରିପାରିବ। ଏଥିପାଇଁ ସେ ଅଷ୍ଟାଙ୍ଗ ମାର୍ଗ ପାଳନ କରିବାକୁ କହୁଥିଲେ। ସେଗୁଡ଼ିକ ହେଲା ସମ୍ୟକ ୍‌ଦୃଷ୍ଟି, ସମ୍ୟକ୍‌ ସଂକଳ୍ପ, ସମ୍ୟକ୍‌ ବାକ୍‌, ସମ୍ୟକ୍‌ କର୍ମ, ସମ୍ୟକ୍‌ ଜୀବିକା, ସମ୍ୟକ୍‌ ଚେଷ୍ଟା, ସମ୍ୟକ୍‌ ସ୍ମୃତି ଓ ସମ୍ୟକ୍‌ ସମାଧି। ଏହି ମାର୍ଗରେ ଜଣେ ନିଷ୍ଠାବାନ୍‌ ହୋଇ ପଥିକ ହେଲେ ନିର୍ବାଣ ଲାଭ କରିହେବ ବୋଲି ବୁଦ୍ଧ କହୁଥିଲେ। ଏହା ଥିଲା ତାଙ୍କର ଆଧ୍ୟାତ୍ମିକ ଦର୍ଶନ। ମାତ୍ର ସେ ତାଙ୍କ ଆଧ୍ୟାତ୍ମିକ ଦର୍ଶନକୁ ରାଜନୈତିକ କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ପିତା ଶୁଦ୍ଧୋଦନଙ୍କୁ ପରାମର୍ଶ ଦେଇଥିଲେ। ବୁଦ୍ଧତ୍ୱ ପ୍ରାପ୍ତ ହେବା ପରେ ସେ କପିଳବାସ୍ତୁକୁ ଆସିଥିବା ଅବସରରେ ପିତା ଶୁଦ୍ଧୋଦନଙ୍କୁ ସେହି ମୈତ୍ରୀ ଓ କରୁଣା ଭାବର ଶକ୍ତି ସଂପର୍କରେ ବୁଝାଇଥିଲେ। ଶାକ୍ୟବଂଶର ସମସ୍ତ ରାଜପୁତ୍ର (ମହାନାମ ବ୍ୟତୀତ) ନିଜ ମା’ ଗୌତମୀ, ପତ୍ନୀ ଯଶୋଧାରା ମଧ୍ୟ ବୁଦ୍ଧଙ୍କ ଦ୍ୱାରା ପ୍ରଭାବିତ ହୋଇ ସଂଘରେ ଯୋଗ ଦେଇଥିଲେ। ରାଜା ବିମ୍ବିସାର ଓ ଭାରତର ଅନେକ ରାଜା ବୁଦ୍ଧ ଦର୍ଶନ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେହି ଦର୍ଶନରେ ଈଶ୍ୱର ନ ଥିଲେ, ଥିଲା ଅହିଂସା, ମୈତ୍ରୀ ଓ କରୁଣା, ଯାହା କି ମଣିଷ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ଶକ୍ତି ରଖୁଥିଲା। ମାତ୍ର ଆଜି ଈଶ୍ୱର ଅଛନ୍ତି ସବୁ ଧର୍ମ ବିଶ୍ୱାସରେ। କିନ୍ତୁ ସଂପ୍ରଦାୟର ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ସଂଖ୍ୟା ବି ବଢ଼ିଛି। ଫଳସ୍ବରୂପ ବଢ଼ିଛି ସଂପ୍ରଦାୟଗୁଡ଼ିକ ମଧ୍ୟରେ ଦ୍ୱେଷ, ଈର୍ଷା ଓ ହିଂସା। ଦୁର୍ଦ୍ଦିନ ସମୟରେ ନିଜର କଳ୍ପିତ ଈଶ୍ୱରଙ୍କୁ ପାର୍ଥନା କଲାବେଳେ ପ୍ରତ୍ୟେକ ସଂପ୍ରଦାୟ ନିଜ ଦେଶର ସୁରକ୍ଷା ଓ ନିଜର ନିରାପତ୍ତା କଥା ଚିନ୍ତା କରୁଛନ୍ତି। ସେମାନେ ଭୁଲିଯାଉଛନ୍ତି ଯେ ସେମାନଙ୍କ ଦେଶ ବାହାରେ ରହିଛି ଏକ ବିଶାଳ ଭୂଖଣ୍ଡ, ଯେଉଁଠି କୋଟି କୋଟି ଲୋକ ବାସ କରୁଛନ୍ତି। ସମସ୍ତେ ଏହି ଗୋଟିଏ ପୃଥିବୀର ବାସିନ୍ଦା। ସମସ୍ତଙ୍କ ମଧ୍ୟରେ ମୈତ୍ରୀ ଓ କରୁଣା ଭାବ ଜାଗ୍ରତ ହେଲେ ହେଁ ଜାଗତିକ ଶାନ୍ତି ଓ ସମୃଦ୍ଧି ସମ୍ଭବ। ସେହି ଦୃଷ୍ଟିରୁ ଏକବିଂଶ ଶତାବ୍ଦୀରେ ମଧ୍ୟ ଗୌତମବୁଦ୍ଧ ପ୍ରାସଙ୍ଗିକ।

ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସରକାରୀ ସ୍କୁଲରେ ପିଲା ସଂଖ୍ୟା କମିବା ଏବେ ଚିନ୍ତାର କାରଣ ହେଉଛି। ଏଥିରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତଥାପି...

ବାପା କେବେ କାନ୍ଦନ୍ତିନି

ଡ. ନରେନ୍ଦ୍ର ସେଠୀ ସବୁ ପିଲାଙ୍କୁ ବାପା ସୁପର ହିରୋ ଲାଗନ୍ତି। ଯାତର ମହଙ୍ଗା ଖେଳନା, ସେକେଣ୍ଡହାଣ୍ଡ ସାଇକେଲ, ହୋଲିର ପିଚକାରି, ଜନ୍ମ ଦିନର ଜାମା...

ଅର୍ଥନୀତି ଓ ପରିବେଶ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଅର୍ଥନୀତି ହେଉଛି ଦ୍ରବ୍ୟ ଓ ସେବା ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାରର ଏକ ବ୍ୟବସ୍ଥା, ଯାହା ପରିଶେଷରେ ଏକ ଗୋଷ୍ଠୀ ମଧ୍ୟରେ...

ଶ୍ରମିକ ଅସୁରକ୍ଷିତ

ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଶିବଶକ୍ତି ଷ୍ଟୋନ୍‌ କ୍ରଶରରେ ଚକା ବେଲ୍ଟ ଛିଣ୍ଡି ୧୭ ମାର୍ଚ୍ଚରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ...

ସବାଇ ଘାସରୁ ଶିଳ୍ପ ସମ୍ଭାବନା

ଅଧ୍ୟାପକ ଗୋପବନ୍ଧୁ   ସବାଇ ଗ୍ରାସ୍‌ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା...

ଏଇ ଭାରତରେ

କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍‌ ପାଇଲଟ୍‌। ସେ...

ସାଇବର ଅପରାଧ ଓ ଶିଶୁ ସୁରକ୍ଷା

ରାଜୀବ କୁମାର ନାୟକ   ବର୍ତ୍ତମାନ ଇଣ୍ଟରନେଟ୍‌ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଇଣ୍ଟରନେଟ୍‌ ମାଧ୍ୟମରେ ବନ୍ଧୁ ସୃଷ୍ଟି, ଭାବ ପ୍ରକାଶ,...

ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri