ଅମୃତକାଳରେ ଚାଷୀ କେଉଁଠି

ବିଚିତ୍ର ବିଶ୍ୱାଳ

୨୦୨୩ର ବଜେଟ ଯଦି ଆସନ୍ତା ୨୫ବର୍ଷ ମଧ୍ୟରେ ଆସିବାକୁ ଥିବା ଅମୃତକାଳକୁ ଏକ ରାସ୍ତା, ତେବେ ବୁଝିବାକୁ ହେବ ଯେ, ଏହି ଈପ୍‌ସିତ ଅମୃତକାଳର ପରିକଳ୍ପନାରେ ଚାଷ ଓ ଚାଷୀ ନାହାନ୍ତି। ଦେଶରେ ଥିବା ବିଷମତାକୁ ନେଇ ଯେଉଁ ଇଣ୍ଡିଆ ଓ ଭାରତର ତତ୍ତ୍ୱ ବ୍ୟବହାର କରାଯାଏ, ସେହି ଅନୁସାରେ ଅମୃତକାଳ କେବଳ ଇଣ୍ଡିଆ ପାଇଁ, ଭାରତ ପାଇଁ ନୁହେଁ। କାରଣ ଭାରତ ଜନସଂଖ୍ୟାର ସିଂହଭାଗ ଚାଷୀମାନଙ୍କର ପରିସ୍ଥିତି ବଦଳିବା ପରି ବଜେଟରେ ବିଶେଷ କିଛି ନାହଁି। ଏହି ବଜେଟରେ ପୁଞ୍ଜି ଖର୍ଚ୍ଚ, ଆର୍ଥିକ ଐକୀକରଣ, ନିରନ୍ତର ଅଭିବୃଦ୍ଧି ଆଦି ପ୍ରତିଶ୍ରୁତିକୁ ନେଇ ହୋହଲ୍ଲା ଶୁଣାଯାଉଥିବାବେଳେ ଅପରପାର୍ଶ୍ୱରେ ଚାଷୀଙ୍କ ପରିସ୍ଥିତିର ପରିବର୍ତ୍ତନ ବିଷୟରେ ବଜେଟ ନୀରବତା ଅବଲମ୍ବନ କରୁଛି।
ଗ୍ରାମାଞ୍ଚଳର ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ କାହଁିକି ସେମାନଙ୍କ ରୋଜଗାର ବୃଦ୍ଧି ବିଷୟରେ ବଜେଟରେ କିଛି କୁହାଯାଇନାହଁି, ତାହା ବୁଝିବା ବାହାରେ। ଯେତେବେଳେ ନିରନ୍ତର ଆର୍ଥିକ ଅଭିବୃଦ୍ଧି କଥା କୁହାଯାଉଛି, ସେତେବେଳେ ଜନସଂଖ୍ୟାର ସିଂହଭାଗ ଲୋକଙ୍କୁ ଛାଡ଼ି ଏହା କିପରି ସମ୍ଭବ ହେବ? ଗ୍ରାମାଞ୍ଚଳ ଭାରତ, ଯେଉଁଠି ଚାଷୀମାନେ ବସବାସ କରନ୍ତି, ସେମାନେ ଏହି ଅଭିବୃଦ୍ଧିର ବାହାରେ ରହିଯିବେ।
ଚାଷକ୍ଷେତ୍ରରେ ଆଖିଦୃଶିଆ ପୁଞ୍ଜିନିବେଶ ଓ ଚାଷୀଙ୍କ ରୋଜଗାର ସୁରକ୍ଷା ବିନା ଚାଷୀମାନଙ୍କର ଭାଗ୍ୟରେ ପରିବର୍ତ୍ତନ ହୋଇପାରିବ ନାହଁି। ଚାଷ କ୍ଷେତ୍ରରେ ପୁଞ୍ଜି ନିବେଶର କଥା ଯେତେବେଳେ କୁହାଯାଉଛି, ତାହା କେବଳ ଚାଷୀମାନଙ୍କୁ ଋଣ ଯୋଗାଇଦେବା ନୁହେଁ। କାରଣ ଚାଷ ଉପକରଣ ତଥା ଯନ୍ତ୍ରପାତି ପାଇଁ ଯୋଗାଇ ଦିଆଯାଉଥିବା ଋଣର ଅସଲ ଲାଭ ନେଉଛନ୍ତି ଉପକରଣ ବିକ୍ରେତା କମ୍ପାନୀଗୁଡ଼ିକ। ତେଣୁ ସେସବୁ ବ୍ୟୟ ଅଟକଳକୁ ଚାଷୀଙ୍କ ପାଇଁ ତଥା ଚାଷ କ୍ଷେତ୍ରରେ ବ୍ୟୟ ବରାଦ ବୋଲି କହିବା ସତ୍ୟର ଅପଳାପ। ଗତ କିଛି ବର୍ଷର ବଜେଟକୁ ଲକ୍ଷ୍ୟକଲେ ଦେଖାଯାଏ , ସର୍ବସାଧାରଣ କ୍ଷେତ୍ରରେ ପୁଞ୍ଜି ନିବେଶ ନିୟମିତ ଭାବେ କମି ଚାଲିଛି ନ ହେଲେ ସ୍ଥିର ଅଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ତଥ୍ୟ ଅନୁସାରେ ୨୦୧୧-୧୨ରୁ ୨୦୧୭-୧୮ମଧ୍ୟରେ ସର୍ବସାଧାରଣ କ୍ଷେତ୍ରରେ ପୁଞ୍ଜିନିବେଶ ଜିଡିପିର ୦.୩ ରୁ ୦.୪ ପ୍ରତିଶତ ମଧ୍ୟରେ ଥିବା ବେଳେ ଏହି ସମୟ ମଧ୍ୟରେ ଶିଳ୍ପସଂସ୍ଥାଗୁଡ଼ିକୁ ଯେତିକି ଆର୍ଥିକ ଛାଡ଼ ଦିଆଯାଇଛି ତାହା ଜିଡିପିର ୫.୫ ପ୍ରତିଶତ। ଏହି ଗୋଟିଏ ପରିସଂଖ୍ୟାନରୁ ଅନୁମାନ କରାଯାଇପାରେ ଚାଷ କ୍ଷେତ୍ର ଯେଉଁଥିରେ ପାଖାପାଖି ୫୦% ଶ୍ରମଶକ୍ତି ନିୟୋଜିତ ତାହା କାହଁିକି ଅବହେଳିତ। ଏଥିସହ ୨୦୨୩ର ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି, ୨୦୨୦-୨୧ରେ କୃଷିକ୍ଷେତ୍ରରେ କରାଯାଇଥିବା ପୁଞ୍ଜିି ଏ ଦଶନ୍ଧିରେ ସର୍ବନିମ୍ନ। ଏଥିରୁ ବୁଝିହେଉଛି ଯେ, ଚାଷ ଓ ଚାଷୀ ସରକାରଙ୍କ ପ୍ରାଥମିକତା ତାଲିକାରେ ନାହାନ୍ତି। ଚଳିତ ବର୍ଷ ବଜେଟରେ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ର ପାଇଁ ଯେତିକି ବ୍ୟୟ ବରାଦ ହୋଇଛି, ତାହା ପ୍ରମାଣ କରୁଛି ଯେ ସରକାରଙ୍କ ଅମୃତକାଳରେ ଚାଷ ଓ ଚାଷୀ ନାହାନ୍ତି। ଦେଶକୁ ଯଦି ସତରେ ଅମୃତକାଳକୁ ନେବାର ଅଛି ତେବେ କୃଷିକ୍ଷେତ୍ରର ଅର୍ଥନୈତିକ ବିକାଶ ପାଇଁ ବ୍ୟବସ୍ଥା କରିବାକୁ ହେବ।
ଚଳିତ ବର୍ଷ ବଜେଟରେ କୃଷିକ୍ଷେତ୍ରର ଭାଗକୁ ସମୁଦାୟ ବଜେଟର ୩.୨୦ ପ୍ରତିଶତକୁ କମେଇ ଦିଆଯାଇଛି। ପୂର୍ବ ବର୍ଷ ଏହା ୩.୮ପ୍ରତିଶତ ଥିଲା। ଚଳିତ ବର୍ଷ କୃଷି କ୍ଷେତ୍ର ପାଇଁ ୧.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଗତ ବର୍ଷ ସଂଶୋଧିତ ବଜେଟରେ ଏହାର ପରିମାଣ ୧.୫୧ ଲକ୍ଷ କୋଟି ଟଙ୍କା ଥିଲା। ୨ ବର୍ଷ ତଳେ ୨୦୨୧ ବଜେଟରେ କୃଷିକ୍ଷେତ୍ର ପାଇଁ ବ୍ୟୟ ବରାଦର ପରିମାଣ ଥିଲା ୧.୪୮ ଲକ୍ଷ କୋଟି ଟଙ୍କା। ପରିସଂଖ୍ୟାନରୁ ଜଣାପଡ଼ୁଛି, କୃଷିକ୍ଷେତ୍ରର ବଜେଟକୁ ସ୍ଥିର ରଖାଯାଉଛି ନ ହେଲେ କମ୍‌ କରାଯାଉଛି। ବର୍ଷକୁ ବର୍ଷ ହେଉଥିବା ମୁଦ୍ରାସ୍ଫୀତିକୁ ଦେଖିଲେ ନିୟମ ଦୃଷ୍ଟିରୁ ପରବର୍ତ୍ତୀ ବର୍ଷର ବଜେଟର ପରିମାଣ ପୂର୍ବବର୍ତ୍ତୀ ବର୍ଷଠାରୁ ଅଧିକ ହେବା କଥା। କିନ୍ତୁ କୃଷି କ୍ଷେତ୍ରରେ ଏହାର ଓଲଟା ଦେଖାଯାଉଛି। ଧୀରେ ଧୀରେ ବଜେଟକୁ କମେଇ ଦିଆଯାଉଛି। ତା’ହେଲେ ଚାଷୀମାନେ କ’ଣ ସରକାରଙ୍କ ବିକାଶ ଯୋଜନାର ହିତାଧିକାରୀ ନୁହନ୍ତି? ଏଥିସହ ଚଳିତ ବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପରିମାଣକୁ ୧୨% କମେଇ ଦିଆଯାଇଛି। ପ୍ରତି ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ବଢ଼ୁଛି ଓ ସେହି ହିସାବରେ ଫସଲ ହାନିର ପରିମାଣ ବି ବଢ଼ୁଛି। କିନ୍ତୁ ସରକାର ଫସଲ ବୀମା ଯୋଜନାରେ ବଜେଟ କମ୍‌ କରିଛନ୍ତି। ସେହିପରି ପିଏମ୍‌ କିଷାନ ଯୋଜନାର ପରିମାଣକୁ ମଧ୍ୟ ୧୩% କମେଇ ଦିଆଯାଇଛି। ଚାଷୀମାନଙ୍କୁ ଫସଲର ମୂଲ୍ୟ ଯୋଗାଇବାକୁ ନିଶ୍ଚିତ କରୁଥିବା ପିଏମ୍‌ ଆଶା ଯୋଜନା ଯାହା ଚାଷୀମାନଙ୍କୁ ତୈଳବୀଜ ଓ ଡାଲିଜାତୀୟ ଫସଲର ଉଚିତ ମୂଲ୍ୟ ମିଳିବାକୁ ନିଶ୍ଚିତ କରୁଥିଲା ଏବଂ ପିଏସ୍‌ଏସ୍‌- ଏମ୍‌ଆଇଏସ୍‌ ଯୋଜନା, ଯାହା ଚାଷୀମାନଙ୍କୁ ବଜାର ସହାୟତା ପ୍ରଦାନ କରୁଥିଲା, ସେଥିରେ ବ୍ୟୟ ବରାଦ ବହୁତ କମ୍‌ ରଖାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବଜେଟ ନୀରବତା ଅବଲମ୍ବନ କରୁଛି। ଦିଲ୍ଲୀର ଚାଷୀ ଆନ୍ଦୋଳନ ଯୋଗୁ ତିନୋଟି କଳା ଆଇନକୁ ହଟେଇ ଦିଆଯିବା ପରେ ଚାଷୀମାନେ ସମସ୍ତ ପ୍ରକାର ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଭାବେ ନିଶ୍ଚିତ କରିବା ପାଇଁ ଦାବିକରି ଆସୁଛନ୍ତି। ଯଦିଓ ସରକାର ପ୍ରତି ବର୍ଷ ୨୩ଟି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରୁଛନ୍ତି, କିନ୍ତୁ ତାହା କାଗଜରେ ସୀମିତ ରହିଯାଉଛି। ବଜେଟରେ ଏହାର କିଛି ଝଲକ୍‌ ନାହଁି। କୃଷକ ପରିବାରର ପରିସ୍ଥିତି ଆକଳନ ସର୍ଭେ-୨୦୧୯ ଅନୁସାରେ ଉଭୟ କୃଷି ଓ ଅଣକୃଷି କାର୍ଯ୍ୟକୁ ମିଶାଇ ଗୋଟିଏ ଚାଷୀ ପରିବାରର ହାରାହାରି ବାର୍ଷିକ ଆୟ ମାତ୍ର ୧୦,୨୧୮ ଟଙ୍କା। ବର୍ତ୍ତମାନର ଦରଦାମ ବୃଦ୍ଧି ସମୟରେ ଗୋଟିଏ ଚାଷୀ ପରିବାର ପାଇଁ ଏହି ପରିମାଣ କିଛି ବି ନୁହେଁ। ଏପରି ପରିସ୍ଥିତିରେ ଯଦି ଚାଷୀମାନଙ୍କ ଫସଲର ଉଚିତ ମୂଲ୍ୟ ମିଳିବା ଉପରେ ଗୁରୁତ୍ୱ ଦିଆ ନ ଯାଏ, ତେବେ ଏହା ସେମାନଙ୍କର ଅବସ୍ଥାକୁ ଆହୁରି ବିପନ୍ନ କରିଦେବ।
ଏଥର ବଜେଟରେ ୧୦ ହଜାରଟି ଜୈବିକ ସମ୍ବଳ କେନ୍ଦ୍ର ପାଇଁ ବ୍ୟବସ୍ଥା ହୋଇଛି ଏବଂ ଆସନ୍ତା ୩ବର୍ଷରେ ୧ କୋଟି ଚାଷୀ ପରିବାରଙ୍କୁ ରାସାୟନିକ ଚାଷରୁ ଜୈବିକ ଚାଷକୁ ଫେରେଇ ଆଣିବାର ପ୍ରତିଶ୍ରୁତି ଦିଆଯାଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ଷୁଦ୍ର ଶସ୍ୟର ବର୍ଷ ହୋଇଥିବାରୁ ସରକାର ଅଧିକ ପୋଷକତତ୍ତ୍ୱଯୁକ୍ତ ଓ ପରିବେଶ ଦୃଷ୍ଟିରୁ ସୁରକ୍ଷିତ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଏସବୁ ପାଇଁ ପ୍ରଥମେ ଚାଷୀର ଉପତ୍ାଦନକୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ହେବ। ଯେପର୍ଯ୍ୟନ୍ତ ସରକାର ଭିନ୍ନ ଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଭାବେ କଡ଼ାକଡ଼ି ପାଳନ କରିନାହାନ୍ତି, ସେପର୍ଯ୍ୟନ୍ତ ଯାହା ଯୋଜନା କଲେ ବି ତାହା କାର୍ଯ୍ୟରେ ରୂପାନ୍ତରିତ ହେବା କଷ୍ଟକର ।
ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଓ ପରିବେଶ ଦୃଷ୍ଟିରୁ ଉପଯୋଗୀ କରିବା ହଁି ଏକ ଭବିଷ୍ୟତମୁଖୀ ଚାଷ ବ୍ୟବସ୍ଥାର ପ୍ରଥମ ପାହାଚ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଏ ଉଭୟ ଏହି ବଜେଟରେ ନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri