ନୂଆଦିଲ୍ଲୀ,୧୩ା୧୦: ଭାରତର ପୂର୍ବତନ ଅଲ୍ରାଉଣ୍ଡର ଯୁବରାଜ ସିଂ(ଯୁବି)ଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଆସିଷ୍ଟାଣ୍ଟ ଓ ବ୍ୟାଟିଂ କୋଚ୍ ନିଯୁକ୍ତ କରାଯାଇଛି। ଭାରତ ପାଇଁ ୩୦୪ ଦିନିକିଆ, ୪୦ ଟେଷ୍ଟ ଓ ୫୮ ଟି୨୦ ଖେଳିଥିବା ୪୪ ବର୍ଷୀୟ ଯୁବରାଜ ଦୁଇଥରର ବିଶ୍ୱକପ୍ ବିଜେତା। ସେ ଶୁବମନ ଗିଲ୍, ଅଭିଷେକ ଶର୍ମା ଓ ପ୍ରଭସିମରନ ସିଂଙ୍କ ଭଳି ଉଦୀୟମାନ ଭାରତୀୟ ଷ୍ଟାରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ‘ମୁଁ ଦିଲ୍ଲୀ କ୍ୟାପିଟାଲ୍ସ ସହ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ଖୁବ୍ ଉତ୍ସାହିତ ଅଛି। ଏହି ଫ୍ରାଞ୍ଚାଇଜ୍ ସହ ମୋର ପୁରୁଣା ସ୍ମୃତି ରହିଛି। ଏହାର ମାଲିକଙ୍କୁ ମଧ୍ୟ ଜାଣିଛି। ମୁଁ ଦାଦାଙ୍କ କାର୍ଯ୍ୟ କରିବି। କୋଚିଂକୁ ନେଇ ମୁଁ ସତରେ ଖୁବ୍ ଆଗ୍ରହୀ। ନିଶ୍ଚିତ ଏହା ମୋ ପାଇଁ ଏକ ରୋମାଞ୍ଚକର ଯାତ୍ରା ହେବ’ ବୋଲି ଯୁବି କହିଛନ୍ତି। ଏଥିପୂର୍ବରୁ ଯୁବି ଖେଳାଳି ଭାବେ ୨୦୧୫ରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଥିଲେ। ୨୦୧୫ରେ ଦିଲ୍ଲୀ ଫ୍ରାଞ୍ଚାଇଜ୍ ତାଙ୍କୁ ୧୬ କୋଟି ଟଙ୍କାରେ କିଣିଥିଲା, ଯାହାଫଳରେ ସେ ସେତେବେଳେ ସବୁଠୁ ଦାମୀ ଖେଳାଳି ହୋଇଥିଲେ।
Dharitri – Odisha’s No.1 Odia Daily

