ଲେଖା, ଲେଖକ ଓ ପାଠକ

ସମାଜ ଓ ସଂସ୍କୃତିର ଆଧାର ତଥା ପ୍ରାଣ ସ୍ପନ୍ଦନ ହେଉଛି ସାହିତ୍ୟ। ଏହା ଏମିତି ଏକ ଦର୍ପଣ ଯେଉଁଥିରେ ମାନବ ସମାଜର ଅତୀତ ପ୍ରତିବିମ୍ବିତ ହୁଏ, ବର୍ତ୍ତମାନ ପ୍ରତିଭାତ ହୁଏ ଏବଂ ଭବିଷ୍ୟତ ନିମନ୍ତେ ଠିକ୍‌ ମାର୍ଗ ପ୍ରଦର୍ଶିତ ହୁଏ। ଧରାରେ ପରିବର୍ତ୍ତନର ଧାରା ବୁହାଇବାରେ ସାହିତ୍ୟ ଏକ ଧାରାବାହିକ ଉତ୍ସ। ଆମେ କେହି ଅସ୍ବୀକାର କରିପାରିବା ନାହିଁ ଯେ ମସିର ଶକ୍ତି ଅସିର ଶକ୍ତିଠାରୁ ବେଶି। ଗୋଟିଏ ସୁନ୍ଦର ଲେଖା ନିଃସ୍ବାର୍ଥପର ବନ୍ଧୁ ସହିତ ତୁଳନୀୟ। ଜଣେ ଆଦର୍ଶ ଶିକ୍ଷକଠାରୁ ଅଧିକ ଉପଯୋଗୀ। ସମାଜରେ ଏମିତି କିଛି ସକାରାତ୍ମକ ପରିବର୍ତ୍ତନ ହୋଇନାହିଁ ଯେଉଁଠି ଲେଖା ଓ ଲେଖକର ଭୂମିକା ନାହିଁ। ସ୍ବାଧୀନତା ସଂଗ୍ରାମ ସମୟରେ ଅନେକ ଲେଖକ ଲେଖନୀ ମାଧ୍ୟମରେ ଦେଶର ତତ୍କାଳୀନ ସାମାଜିକ ବ୍ୟବସ୍ଥାର ନିଖୁଣ ଛବି ଦେଶବାସୀଙ୍କ ସମ୍ମୁଖରେ ତୋଳି ଧରୁଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର, ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ,କବି ନଜରୁଲ, ଦେବୀ ଚୌଧୁରୀ, ମହମ୍ମଦ ଇକ୍‌ବାଲ, ମହମ୍ମଦ ଅଲ୍ଲୀ ଯୌହର ଏମିତି ବହୁ କବି, ଲେଖକ ସେମାନଙ୍କର ଲେଖା ମାଧ୍ୟମରେ ଲୋକଙ୍କ ଭିତରେ ଜାତୀୟତା ଭରି ଦେଇଥିଲେ।
ଆମ ରାଜ୍ୟ ମଧ୍ୟ ପଛରେ ପଡ଼ି ନ ଥିଲା। ସନ୍ଥ କବି ଭୀମ ଭୋଇଙ୍କର ଅନନ୍ୟ ଆହ୍ବାନ ”ମୋ ଜୀବନ ପଛେ….“ ବିଶ୍ୱ ସାହିତ୍ୟରେ ଶ୍ରେଷ୍ଠ କବିତା ପଂକ୍ତି ଭାବରେ ଆଜି ବି ମିଳିତ ଜାତିସଂଘର କାନ୍ଥରେ ଅଲିଭା ସ୍ବାକ୍ଷର ଭାବେ ସ୍ଥାନିତ। ସଂକ୍ରାନ୍ତି ପୁରୁଷ ବିଶିଷ୍ଟ କଥାକାର ବ୍ୟାସକବି ଫକୀରମୋହନ ସେନାପତିଙ୍କଠାରୁ ଆରମ୍ଭ ହୋଇଥିଲା ଭିନ୍ନ ଏକ ଧାରା। ରାଜାରାଣୀ ଗଳ୍ପ ରାଜକୁମାରୀଙ୍କ ପ୍ରେମ କାହାଣୀ, ରାଜପୁତ୍ରଙ୍କ ଭ୍ରମଣ କାହାଣୀ, ସମ୍ରାଟଙ୍କ ଯୁଦ୍ଧ ବୃତ୍ତାନ୍ତକୁ ନେଇ କାବ୍ୟ କବିତା ରଚନା ହେବା ପରିବର୍ତ୍ତେ ପ୍ରଚଳିତ ସମାଜ ବ୍ୟବସ୍ଥାକୁ ନେଇ ଗଳ୍ପ, କବିତା, ଉପନ୍ୟାସ, ନାଟକ ରଚନା ହେଲା। ଶୋଷଣ, କଷଣ, ଅଶିକ୍ଷା, ଅନ୍ଧବିଶ୍ୱାସ, କୁସଂସ୍କାର, ଅପସଂସ୍କୃତି ବିରୋଧରେ କବି, ଲେଖକ, ପ୍ରାବନ୍ଧିକ, ଔପନ୍ୟାସିକ, ନାଟ୍ୟକାରମାନେ ସେମାନଙ୍କର ଲେଖନୀ ଚାଳନା କଲେ। ଆଜି ଦିନରେ ମଧ୍ୟ ଅନେକ ଲେଖକ ଏହି ପଥରୁ ବିଚ୍ୟୁତ ହୋଇନାହାନ୍ତି। ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ କଲମ ଚଳାଇବା ଜାରି ରଖିଛନ୍ତି।
ବିପରୀତ କ୍ରମେ ଅନେକ ଲେଖା ଦେଖିବାକୁ ମିଳୁଛି ଯେଉଁସବୁ ଲେଖା କୁସଂସ୍କାର ଓ ବିଭିନ୍ନ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଛି। ରକ୍ଷଣଶୀଳତାକୁ ସମର୍ଥନ କରି ସାହିତ୍ୟ ସୃଷ୍ଟି କରିବାକୁ ଅନେକ ଲେଖକ କୁଣ୍ଠାବୋଧ କରୁନାହାନ୍ତି। କେତେବେଳେ ମମତାମୟୀ ମାତୃରୂପିଣୀ ନାନୀର ଚରିତ୍ରକୁ କାଠଗଡାରେ ଛିଡ଼ା କରାଇ ଦେଇ ଲେଖକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିବାକୁ ପ୍ରୟାସ କରୁଛି। ଆଉ କିଛି ଚାଟୁକାରୀ ଲେଖକ ସ୍ତୁତିଗାନରେ ବ୍ୟସ୍ତ ରହି ସାରସ୍ବତ ସାଧନାରେ କଳଙ୍କ ଲେପନ କରୁଛନ୍ତି। ସାହିତ୍ୟରେ ସବୁଠାରୁ ବଡ଼ କଥା ହେଉଛି ଶବ୍ଦ ସଂଯୋଜନା। ଆଧୁନିକତା ନାମରେ ଅଶ୍ଳୀଳ ଶବ୍ଦ ବ୍ୟବହାର, ଅଶ୍ଳୀଳ ବିଷୟବସ୍ତୁକୁ ନେଇ କିଛି ରଚନା କରିବା ବୋଧହୁଏ ଅକ୍ଷମଣୀୟ ଅପରାଧ କହିଲେ ଭୁଲ ହେବନାହିଁ। ଏମିତି ଅରୁଚିକର ଲେଖା ପାଇଁ ଅନେକ ସମୟରେ ବହୁ ଲେଖକ ଜନସାଧାରଣଙ୍କ ରୋଷର ଶିକାର ହୋଇଛନ୍ତି। ଏପରି କି ସେହି ପୁସ୍ତକ ପୋଡିବା ପର୍ଯ୍ୟନ୍ତ କଥା ଯାଇଛି। ଲେଖକମାନେ ନିର୍ଭୀକ ଓ ନିରପେକ୍ଷତାର ସହିତ ସମାଜରେ ଘଟୁଥିବା ଘଟଣାବଳୀକୁ ନିଜର ସୃଷ୍ଟି ଜରିଆରେ ଲୋକଲୋଚନକୁ ଆଣିଛନ୍ତି। ସେମାନେ ମଧ୍ୟ ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇଛନ୍ତି।
ଯାହା ବି ହେଉନା କାହିଁକି ଜଣେ ସାରସ୍ବତ ସାଧକର ସିଦ୍ଧି ଓ ସାଧନାର ସ୍ବାକ୍ଷର ହେଉଛି ତା’ର ସୃଷ୍ଟି। ଏହି ସୃଷ୍ଟି ଭିତରେ ଲେଖକଙ୍କର ନିଜସ୍ବ ଚେତନା ଓ ଭାବନା ପ୍ରତିଫଳିତ ହୋଇଥାଏ ସତ, ମାତ୍ର ଜନ୍ମଲାଭ ପରେ ଏହା ସମାଜର, ସମଗ୍ର ବିଶ୍ୱର, ସମୂହ ମାନବ ଜାତିର ସମ୍ପଦ ପାଲଟିଥାଏ। ଯଦି ଏହି ସୃଷ୍ଟି ସଂହତି, ସମନ୍ବୟ,ସଂପ୍ରୀତି ସ୍ଥାପନରେ ସହାୟକ ହୁଏ ତେବେ ପାଠକକୁ ସମସ୍ତ ସଂକୀର୍ଣ୍ଣତାରୁ ମୁକ୍ତି ଦିଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରେ। ଅପରପକ୍ଷରେ ଯଦି ଲେଖକଙ୍କ ମାନସପୁତ୍ରଟି ମାନସିକ ଭାବେ ବିକଳାଙ୍ଗ ହୋଇଥାଏ,ତା’ ଭିତରେ ଅଶାଳୀନ, ବିଭ୍ରାନ୍ତିକର ମତ ଓ ମନ୍ତବ୍ୟ ଥାଏ ତେବେ ଏହାର ନକାରାତ୍ମକ ପ୍ରଭାବ ପାଠକ ଉପରେ ପଡ଼େ। ଗୋଟିଏ ଗଳ୍ପ, ଗୋଟିଏ କବିତା, ଗୋଟିଏ ନାଟକ, ଗୋଟିଏ ଉପନ୍ୟାସ ବହୁ ସାଧାରଣ ମଣିଷକୁ ଅସାଧାରଣରେ ପରିଣତ କରିଦେଇଥିବାର ଦୃଷ୍ଟାନ୍ତ ସମାଜରେ ରହିଛି। ନାଟକ ହରିଶ୍ଚନ୍ଦ୍ର ମହାତ୍ମା ଗାନ୍ଧୀଙ୍କୁ ଜଣେ ସତ୍ୟବାଦୀ ମଣିଷରେ ପରିଣତ କରିଦେଇଥିଲା। ମାକ୍ସିମ ଗର୍କୀଙ୍କ ରଚିତ ‘ମଦର’, ହେରିଏଟ ବିଚର ଷ୍ଟଙ୍କ ‘ଅଙ୍କଲ ଟମସ କ୍ୟାବିନ’, ଲିଓ ଟଲଷ୍ଟୟଙ୍କ ‘ୱାର ଏଣ୍ଡ ପିସ୍‌’, ଫକୀର ମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠର ପ୍ରଭାବ ଆଞ୍ଚଳିକରୁ ଅନ୍ତର୍ଜାତୀୟ ସ୍ତର ଯାଏ ପରିବ୍ୟାପ୍ତ। ‘ରେବତୀ’, ‘ଅନ୍ଧାରୁଆ’, ‘ଶିକାର’, ‘ଏ ମଣିଷକୁ ପଥର କଲା କିଏ ’ ଆଦି କ୍ଷୁଦ୍ରଗଳ୍ପ ଏବେ ବି ସମାଜରେ ପ୍ରାସଙ୍ଗିକତା ହରାଇ ନାହିଁ। ଏ ସବୁ ଗଳ୍ପର ଅନ୍ତଃସ୍ବର ପାଠକଙ୍କ ଅନ୍ତରକୁ ସ୍ପର୍ଶ କରୁଥିବ ହିଁ କରୁଥିବା।
ଏସବୁ ସତ୍ତ୍ୱେ ପାଠକ ହେଉଛନ୍ତି ଶ୍ରେଷ୍ଠ ବିଚାରକ। ଭଲ ଓ ମନ୍ଦ ଉଭୟ ପ୍ରକାର ଲେଖାକୁ ପଠନ ପୂର୍ବକ ସେହିପରି ଲେଖାଗୁଡିକୁ ସ୍ବୀକୃତି ଦେବା ଉଚିତ, ଯେଉଁଥିରେ ସମାଜ ପାଇଁ ଏକ ସୁବାର୍ତ୍ତା ଥିବ। ନାରୀ ପୁରୁଷ ଆବାଳ ବୃଦ୍ଧବନିତା ସେଥିରୁ କିଛି ଶିକ୍ଷା ଲାଭ କରିବା ସହିତ ସଂହତିପୂର୍ଣ୍ଣ ଜୀବନ ବିତାଇବା ନିମନ୍ତେ ଖୋରାକ ପାଉଥିବେ। କିନ୍ତୁ ଆଲୋଚନା ହେଉଛି ପାଠକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଛାତ୍ରୀଛାତ୍ରଙ୍କ ଉପରେ ପାଠର ବୋଝ ଓ ଭବିଷ୍ୟତ ଗଠନର ନିଶା ଏମିତି ସବାର ହୋଇଛି ପାଠ୍ୟ ପୁସ୍ତକ ବ୍ୟତୀତ ଅନ୍ୟ ବହି ପଢ଼ିବା ପ୍ରତି ସେମାନଙ୍କର ଆଗ୍ରହ ନାହିଁ। ଅନ୍ୟମାନଙ୍କ ହାତରେ ବେଳ କାହିଁ ବହି ପଢିବାକୁ? କର୍ମମୟ ଜୀବନ ଭିତରୁ ଯଦି କିଛି ସମୟ ମିଳିଲା ତେବେ ମୋବାଇଲକୁ ନେଇ ବ୍ୟସ୍ତ। ଥରେ ଜଣେ ସମାଲୋଚକ କହିଲେ ”ଯଦି ତୁମ ଘରେ କାହାକୁ ନିଦ ହେଉନାହିଁ ତେବେ ତାଙ୍କୁ ନିଦ ଔଷଧ ଦେବା ଦରକାର ନାହିଁ। ଖଣ୍ଡିଏ ବହି ହାତରେ ଦେଇ ପଢିବାକୁ କୁହ। ତା’ପରେ କ’ଣ ହେଉଛି କହିବ।“ ସତରେ ପଢ଼ିବା ଏକ ଅଭ୍ୟାସ। ଅଭ୍ୟାସ ନ ଥିଲେ ବହିଟି ଯେତେ ଭଲ ହୋଇଥିଲେ ମଧ୍ୟ ଧରୁ ଧରୁ ନିଦ ଆସିବ।
ପାଠକଙ୍କ ସଂଖ୍ୟା କେତେ ହ୍ରାସ ପାଇଲାଣି ଯେକୌଣସି ପୁସ୍ତକ ମେଳାକୁ ଗଲେ ସହଜରେ ବୁଝିହେବ। ପ୍ରତ୍ୟେକ ବିଦ୍ୟାଳୟରେ ପାଠାଗାର ଅଛି। ସରକାର ମଧ୍ୟ ପୁସ୍ତକ କ୍ରୟ ପାଇଁ ପ୍ରତିବର୍ଷ ଆର୍ଥିକ ଅନୁଦାନ ଦେଉଛନ୍ତି। ନୂଆ ନୂଆ ପୁସ୍ତକ କିଣାଯାଇ ପାଠାଗାର ସମୃଦ୍ଧ କରାଯାଉଛି। କିନ୍ତୁ ଏହି ପୁସ୍ତକ ସବୁ ଆଲମାରିର ଶୋଭାବର୍ଦ୍ଧନ କରୁଛି ନା କେହି ପଢୁଛନ୍ତି ତା’ର ସତ୍ୟତା ଅନୁସନ୍ଧାନ କଲେ କେତେ ନୂଆ ପାଠକ ଆମେ ତିଆରି କରୁଛୁ ତାହା ମଧ୍ୟ ଜାଣିହେବ।
ଲେଖା, ଲେଖକ ଓ ପାଠକ ଗୋଟିଏ ସୂତାରେ ବନ୍ଧା। ପାଠକର ପ୍ରେରଣାଦାୟୀ ମନ୍ତବ୍ୟ ଲେଖକଙ୍କୁ ଉତ୍ସାହ ପ୍ରଦାନ କରେ ନୂତନ ସୃଷ୍ଟି ପାଇଁ। ପାଠକୀୟ ସମାଲୋଚନା ଲେଖକଙ୍କୁ ସଂଯତ କରାଏ। ପାଠକ ନ ଥିଲେ ଯେକୌଣସି ଲେଖା ଖୋଳପା ଭିତରେ ଥିବା ଶାଣଦିଆ ତରବାରି ପାଲଟି ଯିବ ଅଥବା ବନ୍ଦ ଫରୁଆରେ ଫଗୁ ହୋଇ ରହିଯିବ। ତଥାପି ସ୍ରଷ୍ଟା ତା’ର ସୃଷ୍ଟି ପାଇଁ ସମର୍ପିତ ହେଉ। ଆଜି ନ ହେଲେ କାଲି କେହି ତାଙ୍କୁ ଆବିଷ୍କୃତ କରିବ ଏବଂ ସମାଜ କଲ୍ୟାଣରେ ବିନିଯୋଗ ହେବ।

  • ଅକ୍ଷୟ କୁମାର ମିଶ୍ର
    ସଭାପତି (ଓଷ୍ଟା)
    ମୋ:୭୦୦୮୦୭୩୫୯୯

Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?