ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍ର ନେତାମାନେ ବୈଠକ କରି ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । CECଙ୍କ ବିରୋଧରେ ପ୍ରସ୍ତାବିତ ପଦକ୍ଷେପ ଓ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ଏକାଠି ଲଢ଼ିବା ନେଇ ନେତାମାନେ ମତ ରଖିଛନ୍ତି ।
ବୈଠକ ପରେ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ମଜବୁତ ଭାବେ ଲଢ଼ିବାକୁ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା TMC ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ‘ଆମେ ଲଢ଼ିବୁ’ ବୋଲି କହିଛନ୍ତି। ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଗୋଟିଏ ବ୍ୟାନର ତଳେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି।
ଏହି ସମୟରେ INDIA ବ୍ଲକ୍ର PM ଚେହେରା କିଏ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିଛି । ସାମ୍ବାଦିକମାନେ ମମତା ବାନାର୍ଜୀଙ୍କୁ ରାହୁଲ ଗାନ୍ଧୀ INDIA ବ୍ଲକ୍ର ପ୍ରଧାନମନ୍ତ୍ରୀ ଚେହେରା ହେବେ କି ବୋଲି ପଚାରିଥିଲେ। ତେବେ ମମତା ସିଧାସଳଖ ଉତ୍ତର ନଦେଇ କହିଥିଲେ ‘ଆପଣ ହେବେ।’ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ହୋଇଛି । ଅନ୍ୟପଟେ, ବୈଠକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ INDIA ବ୍ଲକ୍ର ନେତୃତ୍ୱକୁ ନେଇ କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ରାହୁଲ ଗାନ୍ଧୀଙ୍କୁ ନେତା ଭାବେ ଗ୍ରହଣ କରିବାକୁ INDIA ବ୍ଲକ୍ ପ୍ରସ୍ତୁତ ନୁହେଁ । ଏହା ଶିବରାଜଙ୍କ ରାଜନୈତିକ ମତାମତ ।
ବୈଠକ ପରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ରିପୋର୍ଟ ଆସିଛି । ଏଥିରେ ଅକ୍ଟୋବର ୨ରୁ ୮ ତାରିଖ ଯାଏଁ ଜିଲାସ୍ତରୀୟ ‘ସେଭ୍ ଡେମୋକ୍ରେସି’ ମାର୍ଚ୍ଚ, ଅକ୍ଟୋବର ୬ରେ ନିର୍ବାଚନ କମିଶନ ଅଭିମୁଖେ ବିରୋଧୀ ଏମପିଙ୍କ ମାର୍ଚ୍ଚ ଏବଂ ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ସମୟ ମାଗିବା ଭଳି ପଦକ୍ଷେପ ରହିଛି । ଏହାଛଡ଼ା ବିଭିନ୍ନ ସ୍ଥାନରେ ବଡ଼ ରାଲି ଏବଂ ନଭେମ୍ବର ୧ରେ ଦିଲ୍ଲୀରେ ବଡ଼ ସମାବେଶ କରିବା ନେଇ ମଧ୍ୟ ଯୋଜନା ଥିବା ରିପୋର୍ଟରେ କୁହାଯାଇଛି ।

