ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ତାରକା ବ୍ୟାଟର୍ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ ନୂଆ ଭିଡିଓ କ୍ରିକେଟ୍ ଜଗତ ଏବଂ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଓ ଭାବବିହ୍ୱଳ କରିଦେଇଛି। ଏହି ଭାଇରାଲ ଭିଡିଓରେ ପୂର୍ବତନ କ୍ରିକେଟରଜଣକ ଏକ ଏଲ୍ଡର୍ଲି କେୟାର ସେଣ୍ଟର ବା ବୃଦ୍ଧାଶ୍ରମରେ ନଜର ଆସୁଛନ୍ତି। ୯୦ ଦଶକରେ ନିଜର ଶାଣିତ ବ୍ୟାଟିଂ ବଳରେ ବିଶ୍ୱର ବଡ଼ ବଡ଼ ବୋଲରଙ୍କୁ ଧରାଶାୟୀ କରୁଥିବା ଏହି ଷ୍ଟାର୍ ଖେଳାଳିଙ୍କୁ ଏଭଳି ଅବସ୍ଥାରେ ଦେଖି ଫ୍ୟାନ୍ସମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଭିଡିଓରେ ବିନୋଦ ନିଜେ ଏହି ସେଣ୍ଟର ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ସେ ବର୍ତ୍ତମାନ ‘ନିଦାନ’ କେୟାର ସେଣ୍ଟରରେ ଅଛନ୍ତି ଏବଂ ଏଠାକାର ସୁବିଧା ସୁଯୋଗ, ସଫାସୁତୁରା ଓ ଅନ୍ୟାନ୍ୟ ବ୍ୟବସ୍ଥା ଏକଦମ ଫାଷ୍ଟ କ୍ଲାସ୍। ଏଠାରେ ରହିବା ସମୟରେ ତାଙ୍କୁ କେବେ ବି ଘରୁ ଦୂରରେ ଥିବା ଭଳି ଅନୁଭବ ହୋଇନଥିବା ସହ ଏଠାକାର ଲୋକଙ୍କଠାରୁ ପ୍ରଚୁର ଭଲପାଇବା ଓ ସମ୍ମାନ ମିଳୁଥିବା ସେ ପ୍ରକାଶ କରିଛନ୍ତି।
ବିନୋଦଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ କ୍ରିକେଟ୍ ପ୍ରଶଂସକଙ୍କ ଚିନ୍ତା ବୃଦ୍ଧି ପାଇଛି। ଅନେକ ଲୋକ ତାଙ୍କର ଏଭଳି ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରୁଥିବା ବେଳେ, ଅନେକ ଫ୍ୟାନ୍ସ ତାଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଛନ୍ତି।
Vinod Kambli’s latest video, he is presently at an elderly care centre in Thane.
Praying for his recovery soon. pic.twitter.com/6k1plg1aCl
— Abhishek ✨ (@ImAbhishek7_) September 25, 2026
ପ୍ରକାଶ ଥାଉ କି, ବିନୋଦ ବିଗତ କିଛି ବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା, ଆର୍ଥିକ ଅନାଟନ ଏବଂ ନିଜସ୍ୱ ଜୀବନର ବିଭିନ୍ନ ଉତ୍ଥାନ-ପତନ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କର ଚାଲିବୁଲି ନ ପାରିବା ଏବଂ ଅନ୍ୟଙ୍କ ସାହାରାରେ ଚାଲୁଥିବାର ଭିଡିଓ ଭାଇରାଲ ହୋଇ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଥିଲା।
ବିନୋଦ ଅକ୍ଟୋବର ୧୯୯୧ରେ ଦିନିକିଆ କ୍ରିକେଟ୍ ଜରିଆରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୩ରେ ନିଜର ୨୧ତମ ଜନ୍ମଦିନ ଅବସରରେ ୨୧ତମ ମ୍ୟାଚ୍ରେ ପ୍ରଥମ ଶତକ ହାସଲ କରିଥିଲେ। ତେବେ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଥିଲା। ୯ ଥର ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସତ୍ତ୍ୱେ ସେ ସ୍ଥାୟୀ ସ୍ଥାନ ପାଇପାରି ନ ଥିଲେ ଏବଂ ୨୦୦୦ ମସିହାରେ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଯବନିକା ପଡ଼ିଥିଲା। ସେ ନିଜ କ୍ୟାରିୟରର ୧୭ଟି ଟେଷ୍ଟ ମ୍ୟାଚ୍ରେ ୫୪ ଗଡ଼ରେ ୧୦୮୪ ରନ୍ ଏବଂ ୧୦୪ଟି ଦିନିକିଆ ମ୍ୟାଚ୍ରେ ୩୨ ଗଡ଼ରେ ୨୪୭୭ ରନ୍ ସଂଗ୍ରହ କରିଛନ୍ତି।

