ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ ପାଚିକା ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା l ସେହି ଗ୍ରାମର ପଦ୍ମିନୀ ଜଗତ ନାମକ ଜଣେ ଅନୁସୂଚିତ ଜାତିର ମହିଳା ଆବେଦନ କରି ପାଚିକା ଭାବରେ ନିଯୁକ୍ତି ପାଇ ଦୀର୍ଘ ଦୁଇ ମାସ ହେବ କାର୍ଯ୍ୟ ତୁଲାଇ ଆସୁଥିଲେ।
ବୁଧବାର ପଦ୍ମିନୀ ଜଗତଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର କିଛି ବ୍ୟକ୍ତି ତାଙ୍କ ଠାରୁ ରନ୍ଧା ଖାଦ୍ୟ, ଅଣ୍ଡା, ଛତୁଆ ଗ୍ରହଣ ନ କରିବାକୁ କହୁଛନ୍ତି l ଅଭିଭାବକମାନଙ୍କୁ ତାଙ୍କ ଶିଶୁକୁ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ନ ପଠାଇବାକୁ କହୁଛନ୍ତି ଏମିତିକି ପାଚିକା ପଦରୁ ଇସ୍ତଫା ଦେବା ପାଇଁ ଚାପ ପ୍ରୟୋଗ କରାଯିବା ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଗତକାଲି ତାଲା ପକାଇ ଦେଇଛନ୍ତି। ଏନେଇ ଲିଖିତ ଅଭିଯୋଗ ପରେ ଝାରବନ୍ଧ ସିଡିପିଓ ସୁଷମା ପଟେଲ, ଥାନାଧିକାରୀ ସଞ୍ଜୟ କୁମାର ପରିଡ଼ା, ତହସିଲଦାର ଅଲେଖ ଘୁଟା ଆଜି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରି ଅଙ୍ଗନଓ୍ବାଡି ସେଣ୍ଟରର ତାଲା ଖୋଲିଛନ୍ତି।

