
ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି କରାଯାଇଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟସୂଚୀରେ କୁହାଯାଇଛି ଯେ, ସେ ଆଜି କ୍ୟାବିନେଟ ରୁମରେ ପାକିସ୍ତାନୀ ଜେନେରାଲ ଅସୀମ ମୁନୀରଙ୍କ ସହିତ ଲଞ୍ଚକରିବେ। ମୁନୀର ଏବେ ଆମେରିକାରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ସାମରିକ ନେତା ତାଙ୍କର ଆମେରିକା ଗସ୍ତ ସମୟରେ ବିଦେଶ ସଚିବ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପିଟ ହେଗସେଥଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି।
ପାଞ୍ଚ ଦିନିଆ ସରକାରୀ ଗସ୍ତରେ ୱାଶିଂଟନରେ ପହଞ୍ଚିଥିବା ମୁନିର ଆମେରିକା ସହିତ ରଣନୈତିକ ସମ୍ପର୍କକୁ ମଜଭୁତ କରିବାକୁ ଚାହୁଁଥିବା ଜଣାପଡିଛି। ପୂର୍ବରୁ ଗୁଜବ ଥିଲା ଯେ ପାକିସ୍ତାନୀ ଫିଲ୍ଡ ମାର୍ଶାଲ ଆମେରିକା ସେନା ଦିବସ ପରେଡରେ ଯୋଗଦେବେ। ଆମେରିକା ଏହି ଦାବିଗୁଡ଼ିକୁ ଆନୁଷ୍ଠାନିକ ଭାବରେ ଅସ୍ବୀକାର କରିଥିଲା। ହ୍ବାଇଟ ହାଉସର ଜଣେ ଅଧିକାରୀ କହିଥିଲେ,ଏହା ମିଛ। କୌଣସି ବିଦେଶୀ ସାମରିକ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା।
ତାଙ୍କ ଆମେରିକା ଗସ୍ତ ସମୟରେ ଅସୀମ ମୁନିରଙ୍କୁ ବିଦେଶୀ ପାକିସ୍ତାନୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ କର୍ମୀଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା। ଯେତେବେଳେ ପାକିସ୍ତାନୀ ସେନା ମୁଖ୍ୟ ମୁନୀରଙ୍କୁ ୱାଶିଂଟନ ଡିସିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୱାଗତ କରାଯାଉଥିଲା, ସେତେବେଳେ ସେଠାରେ ଉପସ୍ଥିତ ଲୋକମାନେ ‘ପାକିସ୍ତାନୀଙ୍କ ହତ୍ୟାକାରୀ’ ଏବଂ ‘ଇସଲାମାବାଦର ହତ୍ୟାକାରୀ’ ସ୍ଲୋଗାନ ଦେଇଥିଲେ। ମୁନୀରଙ୍କ ବିରୋଧରେ ପ୍ରତିବାଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।