ଲକ୍ଷ୍ମୀପୁର,୨୧ା୧୧(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ବିଳାପୁଟ ଗ୍ରାମ ନିକଟସ୍ଥ ହାତୀମାଳି ପାହାଡ଼ ତଳେ ଶନିବାର ଦୁଇ ବଳଦକୁ ମାରି ଖାଇଛି ମହାବଳ ବାଘ। ବିଳାପୁଟ ଗ୍ରାମର ରଘୁନାଥ ସାଉଁତା, ସାନା ଯାନୀଙ୍କ ୨ଟି ବଳଦ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରୁଛନ୍ତି। ଗତକାଲି ବାଘର ପାଦ ଚିହ୍ନ ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କା, ବନପାଳ ଝାଡ଼େଶ୍ୱର ଯାନୀ, ଫରେଷ୍ଟଗାର୍ଡ ଶିବପ୍ରସାଦ ବେହେରା, ଲକ୍ଷ୍ମୀପୁର ବନ ବିଭାଗ କର୍ମଚାରୀ, ସ୍କ୍ବାଡ୍ ସମସ୍ତେ ଯାନୀଗୁଡା ଗ୍ରାମକୁ ଯାଇ ପାଦଚିହ୍ନକୁ ଅନୁସନ୍ଧାନ କରିଥିଲେ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହା ଏକ ମହାବଳ ବାଘର ପାଦଚିହ୍ନ। ଏନେଇ ବନ ବିଭାଗ କର୍ମଚାରୀ ଯାନୀଗୁଡା ଗ୍ରାମବାସୀଙ୍କୁ ରାତିରେ ବାହାରକୁ ନ ବାହାରିବା ପାଇଁ ସଚେତନ କରିଛନ୍ତି। ଜଙ୍ଗଲ ଯିବାକୁ ବାରଣ କରିବା ସହ ଗୋରୁ, ଛେଳି, ମେଣ୍ଢା ଜଙ୍ଗଲକୁ ମଧ୍ୟ ବାରଣ କରାଯାଇଛି ଏବଂ ସଜାଗ ରହିବା ପାଇଁ କୁହାଯାଇଛି। ରାତିରେ ବନ ବିଭାଗ କର୍ମଚାରୀ ବାଘର ଗତିବିଧିକୁ ଅନୁସରଣ କରିବାପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରିଛନ୍ତି।

