ରାଉରକେଲା,୨୧ା୧୧(ସଙ୍ଗୀତା ଜେନା): ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଜମି ମାଫିଆଙ୍କ ବେଆଇନ କାର୍ଯ୍ୟକଳାପକୁ ସହଯୋଗ ନ କରିବା ଏବଂ ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟ କରିବାରୁ ଜଣେ ରାଜସ୍ବ ନିରୀକ୍ଷକ (ଆର୍ଆଇ)ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଜିରପାଣି ନିକଟ ମିଟ୍କୁନ୍ଦରୀ (ଜାମସେରା ଘାଟ) ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ବୀରମିତ୍ରପୁର ତହସିଲ ଅଧୀନ ଖୁଣ୍ଟଗାଁରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ ପାତ୍ର ଶୁକ୍ରବାର ନିଜର ସରକାରୀ କାର୍ଯ୍ୟ ସାରି ମୋଟରସାଇକେଲ ଯୋଗେ ଖୁଣ୍ଟଗାଁରୁ ରାଉରକେଲାସ୍ଥିତ ଉଦିତନଗର ବାସଭବନକୁ ଫେରୁଥିଲେ। ଏହି ସମୟରେ ମିଟ୍କୁନ୍ଦରୀ (ଜାମସେରା ଘାଟ) ନିକଟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ପିଛା କରି ଅଟକାଇବା ପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଆକ୍ରମଣରେ ତାଙ୍କର ଗୋଟିଏ ଗୋଡ଼ ଓ ହାତରେ ଗୁରୁତର ଆଘାତ ଲାଗିଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକ ଓ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତିଙ୍କ ସହାୟତାରେ ଆହତ ଆର୍ଆଇଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ପାତ୍ରଙ୍କ କହିବା ଅନୁଯାୟୀ, ଜମି ସମ୍ପର୍କିତ ବେଆଇନ କାର୍ଯ୍ୟକଳାପ ଓ ଜମି ମାଫିଆଙ୍କୁ ସହଯୋଗ କରିବାକୁ ସେ ମନା କରିବା ସହ ସରକାରୀ ନିୟମ ଅନୁଯାୟୀ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥାଇପାରେ। ତେବେ ଆକ୍ରମଣର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପୋଲିସ ତଦନ୍ତ ପରେ ହିଁ ଘଟଣା ପଛର ପ୍ରକୃତ ରହସ୍ୟ ଜଣାପଡ଼ିବ।
ପ୍ରଶାସନିକ ବ୍ୟବସ୍ଥା ଏହାସହ ଜମି କାରବାରରେ ସମ୍ପୃକ୍ତ ବେଆଇନ ଅପରେଟରଙ୍କ ଭୂମିକା ଓ ଆକ୍ରମଣ ପଛର ଉଦ୍ଦେଶ୍ୟକୁ ମଧ୍ୟ ପୋଲିସ ତଦନ୍ତ ପରିସରଭୁକ୍ତ ହେବା ଉଚିତ୍। ଦୋଷୀଙ୍କ ବିରୋଧରେ ତ୍ୱରିତ ଗିରଫଦାରୀ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହିଁ ସରକାରୀ କର୍ମଚାରୀଙ୍କ ମନରୁ ଭୟ ଦୂର କରିବା ସହ ଆଇନର ଶାସନ ପ୍ରତି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିପାରିବ ବୋଲି ସାଧାରଣରେ କୁହାଯାଇଛି।

