ଓ୍ବେଲିଂଟନ,୨୧।୧୧: ଯେଉଁ ପିଚ୍ରେ ବ୍ୟାଟ୍ସମ୍ୟାନ୍ ଗୋଟିଏ ଗୋଟିଏ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ିଥିଲା, ସେହି ପିଚ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଛନ୍ତି ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ। ମାତ୍ର ୮୯ଟି ବଲ୍ରୁ ୮୫ ରନ୍ର ଆକର୍ଷଣୀୟ ପାଳି ଖେଳି ସେ ନିଜ ବ୍ୟାଟିଂ ଦକ୍ଷତାର ପରିଚୟ ଦେଇଛନ୍ତି। ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଥର ଟେଷ୍ଟ ମ୍ୟାଚ ଖେଳୁଥିବା ଜୟସ୍ବାଲ ପ୍ରଥମ ଇନିଂସରୁ ହିଁ ନିଜର ଜଲୱା ଦେଖାଇଛନ୍ତି। ମ୍ୟାଚ୍ରେ ତାଙ୍କର ଏହି ଆକ୍ରମଣାତ୍ମକ ବ୍ୟାଟିଂ ପଛରେ କ’ଣ ରଣନୀତି ଥିଲା ଏବଂ ଏଥିପାଇଁ ସେ କିପରି ପ୍ରସ୍ତୁତି କରିଥିଲେ, ସେ ସମ୍ପର୍କରେ ବିସିସିଆଇ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଖୁଲାସା କରିଛନ୍ତି ଯଶସ୍ବୀ।
ଜୟସ୍ବାଲ କହିଛନ୍ତି ଯେ, ନ୍ୟୁଜିଲାଣ୍ଡରେ ବଲ ସିମ ଓ ସ୍ବିଙ୍ଗ ହେବ ବୋଲି ସେମାନେ ପୂର୍ବରୁ ଜାଣିଥିଲେ। ତେଣୁ ଯେକୌଣସି ପରିସ୍ଥିତିରେ ରନ କରିବାର ଉପାୟ ଖୋଜିବା ହିଁ ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ମୁଁ ନିଜ ବ୍ୟାଟିଂ ମାନସିକତା ଉପରେ କାମ କରିଛି। ଯେତେବେଳେ ଦୁର୍ବଳ ବଲ ମିଳିଲା, ତାହାର ଫାଇଦା ଉଠାଇବାକୁ ଚେଷ୍ଟା କଲି। ଏହା ସହ ଷ୍ଟ୍ରାଇକ ରୋଟେଟ କରିବା ଉପରେ ମଧ୍ୟ ଧ୍ୟାନ ଦେଇଥିଲି। କିୱି ବୋଲରମାନେ ଭଲ ବୋଲିଂ କରୁଥିଲେ। ତଥାପି ବୋଲରଙ୍କୁ ସହଜରେ ସେଟ ହେବାକୁ ନଦେବା ଏବଂ ଖରାପ ବଲ୍କୁ ବାଉଣ୍ଡରୀରେ ପରିଣତ କରିବା ଥିଲା ଦଳର ରଣନୀତି।
ନ୍ୟୁଜିଲାଣ୍ଡରେ କ୍ରିକେଟ ଖେଳିବାକୁ ସବୁବେଳେ ଇଚ୍ଛା ଥିଲା। ତେଣୁ ଏଠାରେ ଖେଳିବାର ସୁଯୋଗକୁ ପୂରା ଉପଭୋଗ କରିଛି।
ନିଜର ଏହି ସଫଳତା ପଛରେ ନ୍ୟୁଜିଲାଣ୍ଡ ଏ-ସିରିଜ୍ରେ ଅଭିଜ୍ଞତା ଓ ଅଭ୍ୟାସର ବଡ଼ ଭୂମିକା ରହିଥିବା ଜୟସ୍ବାଲ କହିଛନ୍ତି। ସେ ଗତ ଏକ ମାସ ଧରି ନ୍ୟୁଜିଲାଣ୍ଡରେ ରହି କଠିନ ପରିସ୍ଥିତିରେ କିପରି ବ୍ୟାଟିଂ କରିବେ, ସେନେଇ ଅଭ୍ୟାସ କରୁଥିଲେ। ଇଣ୍ଡିଆ-ଏ ମ୍ୟାଚ୍ଗୁଡ଼ିକ ମଧ୍ୟ ସହଜ ନ ଥିଲା। ପିଚ୍ରେ ବୋଲରଙ୍କ ପାଇଁ ଅନେକ ସୁଯୋଗ ଥିଲା। ତଥାପି ସେମାନେ କଠିନ ପରିଶ୍ରମ କରି ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ନେଟ୍ସରେ ମଧ୍ୟ ସେ ଅନେକ ପରିଶ୍ରମ କରିଥିବା ସେ କହିଛନ୍ତି।
ଜୟସ୍ବାଲ ଆହୁରି ମଧ୍ୟ କହିଛନ୍ତି, ବ୍ୟାଟିଂ ସମୟରେ ଅଭିଜ୍ଞ ବ୍ୟାଟର୍ କେଏଲ ରାହୁଲଙ୍କ ସହଯୋଗ ତାଙ୍କୁ ବେଶ ସାହାଯ୍ୟ କରିଥିଲା। ରାହୁଲ ତାଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଥିଲେ। ପ୍ରଥମଥର ନ୍ୟୁଜିଲାଣ୍ଡ ମାଟିରେ ଟେଷ୍ଟ ଖେଳି ଜୟସ୍ବାଲଙ୍କ ଏଭଳି ପ୍ରଦର୍ଶନ ଭାରତୀୟ ଦଳ ପାଇଁ ଏକ ଭଲ ସଙ୍କେତ। ତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ରାହୁଲଙ୍କ ଅଭିଜ୍ଞତାର ମିଶ୍ରଣ ଭାରତୀୟ ବ୍ୟାଟିଂକୁ ମଜଭୁତ କରିଛି।
Dharitri – Odisha’s No.1 Odia Daily

