ଛତ୍ରପୁର,୨୧ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଶନିବାର ଏକ ଅଜବ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ପାର୍କିଂରେ ଥିବା ଏକ କାର୍ ଉପରେ ଟିପିଏସଓଡିଏଲ୍ର ସଚେତନତା ପିକଅପ ଓ ଏକ ଟ୍ରକ ଚଢ଼ିଯିବା ଫଳରେ କାର୍ଟି ଭାଙ୍ଗିରୁଜି ଯାଇଛି। ତେବେ ସୌଭାଗ୍ୟବଶତଃ କାର୍ ମାଲିକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର୍ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଅଟକି ରହିଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟିପିଏସଓଡିଏଲ୍ର ସଚେତନତା ପିକଅପକୁ ଭୁବନେଶ୍ୱରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଧକ୍କା ଫଳରେ ଉଭୟ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା କାର୍ ଉପରେ ମାଡ଼ିଯାଇଥିଲା। ଏଥିରେ କାର୍ଟି ଚାପି ହୋଇ ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା।
କାର୍ରୁ ଓହ୍ଲାଇ ପଡ଼ିଥିବା ବ୍ରହ୍ମପୁରର ରଜତ ପାଣିଗ୍ରାହୀ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଭଗବାନଙ୍କ କୃପାରୁ ତାଙ୍କ ଜୀବନ ବଞ୍ଚିଗଲା ବୋଲି ସେ କହିଛନ୍ତି।
ଖବର ପାଇ ଛତ୍ରପୁର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଜେସିବି ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।
ପ୍ରାଥମିକ ଭାବେ ପିକଅପ୍ ଭୁଲ ଦିଗରେ ଚଳାଚଳ ଏବଂ କାର୍ଟିର ଅସୁରକ୍ଷିତ ଢଙ୍ଗରେ ପାର୍କିଂ ଏହି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଛି।

