ପ୍ରଭାବ ପକାଉଛି ମଞ୍ଜୁର କାହାଣୀ

ବିଚିତ୍ର ବିଶ୍ୱାଳ

ମଞ୍ଜୁ ନାମ୍ନୀ ଝିଅଟିଏ ଜଙ୍ଗଲ ପାଖ ଏକ ଗାଁରେ ରହୁଥିଲା। ତାଙ୍କ ଗାଁରେ ଭିନ୍ନ ଭିନ୍ନ ପ୍ରକାର ଫସଲ ଯଥା ଶସ୍ୟ, ଡାଲି, ଫଳମୂଳ, ତେଲ, କନ୍ଦା, ମସଲା ଓ ପନିପରିବା ଆଦି ଅମଳ ହେଉଥିଲା। ପିଲାଦିନରୁ ତାକୁ ବାପା ମା’ ସହିତ ଫଳ, ଛତୁ, ଶାଗ, କନ୍ଦା ଓ ଅନ୍ୟାନ୍ୟ ବଣର ଖାଦ୍ୟ ସବୁ ସଂଗ୍ରହ କରିବାକୁ ଯିବାକୁ ଭଲ ଲାଗୁଥିଲା। ୧୫ ବର୍ଷ ବୟସରେ ତା’ର ବାହାଘର ଗୋଟିଏ ଗରିବ ପରିବାରରେ ହେଲା। ତା’ ସ୍ବାମୀର ଆୟର ମୁଖ୍ୟ ଉତ୍ସ ଦିନ ମଜୁରି ହଁି ଥିଲା। ସେ ନିଜ ସ୍ବାମୀଠାରୁ ଜାଣିଲା ଯେ, ସେମାନେ ତାଙ୍କ ଜମିର ଅଧେ ଭାଗରେ ହଁି ଫସଲ ଅମଳ କରୁଛନ୍ତି ଓ ବାକି ସବୁ ପଡ଼ିଆ ରହୁଛି। ଜମି ସବୁ କାହଁିକି ପଡ଼ିଆ ରହୁଛି ବୋଲି ସେ ଯେତେବେଳେ ତା’ ସ୍ବାମୀକୁ ପଚାରିଲା, ସ୍ବାମୀ ଉତ୍ତର ଦେଲା, ସବୁ ଜମି ଚାଷ କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ବିହନ ନାହଁି ଓ ଦୀର୍ଘଦିନ ହେବ ଜମି ସବୁ ଅନୁର୍ବର ହୋଇଯାଇଛି। ବୋଧହୁଏ ଅଧିକ ସାର ବିଷ ପ୍ରୟୋଗ କରି ଜମି ସବୁ ଖରାପ ହୋଇଯାଇଛି, ତା’ ସ୍ବାମୀ କହିଲା। ମଞ୍ଜୁ ଯେବେ ଜାଣିବାକୁ ଚାହଁିଲା ଯେ, ସେମାନେ ଜଙ୍ଗଲରୁ କାହଁିକି ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ସଂଗ୍ରହ କରୁନାହାନ୍ତି, ସେତେବେଳେ ତା’ ସ୍ବାମୀ କହିଲା, ଆମ ଗାଁ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଗଲାଣି। ସେଠାରେ ଆଉ କୌଣସି ପ୍ରକାର ଖାଦ୍ୟ ମିଳୁନାହଁି।
କିଛି ମାସ ପରେ ମଞ୍ଜୁ ଗର୍ଭବତୀ ହେଲା। ସେ ତା’ ଭାଉଜ ପାଖରୁ ଜାଣିଥିଲା ଯେ, ଗର୍ଭବତୀ ଅବସ୍ଥାରେ ବିଭିନ୍ନ ପ୍ରକାର ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଉଚିତ। ତେଣୁ ସେ ତା’ ସ୍ବାମୀକୁ ବିଭିନ୍ନ ପ୍ରକାର ପନିପରିବା ଓ ଅଣ୍ଡା, ମାଛ, ମାଂସ ଆଣି ଖାଇବାକୁ ଦେବା ପାଇଁ କହିଲା। ତା’ ସ୍ବାମୀ ନିଜ ଅସହାୟତା ପ୍ରକାଶ କରି କହିଲା, ତୁମ ଗାଁର କଥା ଅଲଗା ଥିଲା। ତୁମେ ତୁମ ଜମିର ସମ୍ପୂର୍ଣ୍ଣ ଉପଯୋଗ କରି ଶସ୍ୟ, ଡାଲି ଓ ଭିନ୍ନ ଭିନ୍ନ ପ୍ରକାର ପନିପରିବା ଫଳାଉଥିଲ। କୁକୁଡ଼ା ଓ ଛେଳି ପାଳନ କରି ଅଣ୍ଡା, ମାଂସ ଆଦି ଖାଇ ପାରୁଥିଲ। ହେଲେ ଆମ ସ୍ଥିତି ଅଲଗା। କାରଣ ଆମେ କେବଳ ଧାନ ବିହନ ବଜାରରୁ କିଣି ଚାଷ କରୁଛୁ। ପନିପରିବା ଆମେ କିଣି ପାରୁନାହଁୁ, କାରଣ ତାହା ବହୁତ ମହଙ୍ଗା। ପନିପରିବା ବଗିଚା ମଧ୍ୟ ଆମର ନାହଁି। ତେଣୁ ତୋତେ ଆମ ପରିସ୍ଥିତି ଅନୁସାରେ ରହିବାକୁ ପଡ଼ିବ। ମଁୁ ଜାଣିଛି ଏହା ଦ୍ୱାରା ତୋ ପେଟରେ ଥିବା ଆମ ଛୁଆ ଉପରେ ଖରାପ ପ୍ରଭାବ ପଡ଼ିବ। କିନ୍ତୁ ମଁୁ ଆଉ କ’ଣ କରିବି?
ମଞ୍ଜୁ ପରିସ୍ଥିତିରେ ପଡ଼ି ସେମିତି ରହିଲା। ଗର୍ଭବତୀ ଅବସ୍ଥାରେ ତାକୁ ଉପଯୁକ୍ତ ପରିମାଣରେ ଖାଦ୍ୟ ଓ ଆବଶ୍ୟକୀୟ ବିଶ୍ରାମ ମିଳିଲା ନାହଁି। ସେପରି ଅବସ୍ଥାରେ ତାକୁ ଅନ୍ୟର ଜମିରେ ମଜୁରି କାମ ବି କରିବାକୁ ପଡ଼ୁଥିଲା, ଯେଉଁଠି ବହୁତ ପରିମାଣରେ ରାସାୟନିକ ସାର ଓ ବିଷ ପ୍ରୟୋଗ ହେଉଥିଲା। ଦିନେ ମଞ୍ଜୁ ମଜୁରି କାମ କରି ଫେରୁଥିବା ବେଳେ ତା’ର ଅଙ୍ଗନଓ୍ବାଡି ଦିଦି ଦେଖାହେଲେ। ଅଙ୍ଗନଓ୍ବାଡି ଦିଦି ତା’ର ଶେତା ପଡ଼ିଯାଇଥିବା ଆଖି, ଓଠ ଓ ନଖ ଦେଖି କହିଲେ, ଆରେ ତୋର ତ ରକ୍ତହୀନତା ଅଛି। ତୁ ପ୍ରତି ମାସରେ ମମତା ଦିବସକୁ ଆସୁନାହଁୁ କାହଁିକି? ମୋ ଶାଶୁ ମମତା ଦିବସକୁ ଯିବାକୁ ମନା କରୁଛନ୍ତି ବୋଲି ମଞ୍ଜୁ କହିଲା ଓ ମନ ଦୁଃଖରେ ଘରକୁ ଫେରିଲା। ମଞ୍ଜୁର ଘରେ ପାଇଖାନା ନ ଥିଲା। ସେ ବାହାରକୁ ମଳତ୍ୟାଗ କରିବାକୁ ଯାଉଥିଲା। ଶୋଇବା ବେଳେ ସେ ମଶାରି ମଧ୍ୟ ବ୍ୟବହାର କରୁ ନ ଥିଲା।
ସମୟ ଆଗକୁ ବଢ଼ିବା ସହିତ ମଞ୍ଜୁ ରକ୍ତହୀନତାର ଶିକାର ହୋଇ ଦୁର୍ବଳ ହେବାକୁ ଲାଗିଲା ଓ ନଅ ମାସରେ ସେ ଏକ କମ୍‌ ଓଜନର ଛୁଆକୁ ଜନ୍ମ ଦେଲା। ଛୁଆଟିର ପାଳନ ପୋଷଣ କରିବା ପାଇଁ ମଞ୍ଜୁ ବହୁତ ଦୁର୍ବଳ ଓ ପୁଷ୍ଟିହୀନ ହୋଇଯାଇଥିଲା। କିଛି ଦିନ ପରେ ମଞ୍ଜୁ ମରିଗଲା। ଛୁଆଟି ବି ମା’ କ୍ଷୀର ପାଇଲା ନାହଁି ଓ ସେ ବି ଦୁର୍ବଳ ହେବାକୁ ଲାଗିଲା। ଶେଷରେ ଛୁଆଟି ବି ମରିଗଲା।
ଏହା ହେଉଛି ମଞ୍ଜୁ ନାମ୍ନୀ ଏକ କାଳ୍ପନିକ ଚରିତ୍ରର କାହାଣୀ। ଏହି କାହାଣୀଟି ଓଡ଼ିଶା ଜୀବିକା ମିଶନ୍‌ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀ ସ୍ତରରେ ହେଉଥିବା ପି.ଏଲ.ଏ. (ପାର୍ଟିସିପେଟୋରୀ ଲର୍ନିଙ୍ଗ୍‌ ଆଣ୍ଡ ଆକ୍ସନ- ସହଭାଗୀ ଶିକ୍ଷା ଓ କାର୍ଯ୍ୟକ୍ରମ) ବୈଠକ ଚକ୍ରର ଏକ ଅଂଶବିଶେଷ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ହେବ ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ର ଆର୍ଥିକ ସହାୟତାରେ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିଭିଙ୍ଗ୍‌ ଫାର୍ମସ, ହର୍ଷ ଟ୍ରଷ୍ଟ ଓ ପ୍ରଦାନର ବୈଷୟିକ ସହାୟତାରେ ଓଡ଼ିଶା ଜୀବିକା ମିଶନ୍‌ ଦ୍ୱାରା ଖାଦ୍ୟ ବିବିଧତା ବୃଦ୍ଧି କରି ଅପପୁଷ୍ଟିକୁ ଦୂର କରିବା ପାଇଁ ରାଜ୍ୟ ସ୍ତରରେ ‘ମୋ ଉପକାରୀ ବଗିଚା’ ନାମକ ଏକ କାର୍ଯ୍ୟକ୍ରମ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀକୁ ସଂଗଠିତ ଓ ସଚେତନ କରାଇବା ପାଇଁ ମହିଳା ସ୍ବୟଂ ସହାୟକ ଦଳ ସ୍ତରରେ ଗୋଷ୍ଠୀ ସାଧନ କର୍ମୀ (ସି.ଆର୍‌.ପି.) ଦ୍ୱାରା ପ୍ରତ୍ୟେକ ମାସରେ ପି.ଏଲ.ଏ. ବୈଠକ ଆୟୋଜନ କରାଯାଉଛି। ଏଥିସହିତ ପରିବାର ସ୍ତରରେ ପୁଷ୍ଟି ବଗିଚା ଓ ଛୋଟ ସ୍ତରରେ କୁକୁଡ଼ା ଓ ଛେଳି ପାଳନକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ପି.ଏଲ.ଏ. ବୈଠକ ଚକ୍ରରେ ପୁଷ୍ଟି, ଖାଦ୍ୟ ଓ ସ୍ବଚ୍ଛତା ସମ୍ବନ୍ଧୀୟ ମୋଟ ଚଉଦଟି ବୈଠକ ରହିଛି। ସଂପ୍ରତି କରୋନା ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଏହି ବୈଠକ ସାମୟିକ ସମୟ ପାଇଁ ବନ୍ଦ ରହିଛି। ଏପର୍ଯ୍ୟନ୍ତ ଗୋଷ୍ଠୀ ସ୍ତରରେ ପାଞ୍ଚୋଟି ପି.ଏଲ.ଏ. ବୈଠକ ଶେଷ ହୋଇଛି ଓ ଫଳ ସ୍ବରୂପ ସ୍ବୟଂ ସହାୟକ ଦଳର ମହିଳାମାନେ ନିଜ ସ୍ତରରେ ପଦକ୍ଷେପ ନେବାକୁ ଆରମ୍ଭ କଲେଣି। ଏହି ବୈଠକ ମାଧ୍ୟମରେ ସ୍ବୟଂ ସହାୟକ ଦଳର ମହିଳାମାନେ ନିଜ ଗାଁର ଅପପୁଷ୍ଟି ସମ୍ବନ୍ଧୀୟ ସମସ୍ୟାକୁ ଚିହ୍ନଟ କରୁଛନ୍ତି, ପ୍ରାଥମିକୀକରଣ କରୁଛନ୍ତି, ସମସ୍ୟାର ସମାଧାନ ନିଜ ସାଧ୍ୟ ଅନୁସାରେ ଯୋଜନା ପ୍ରସ୍ତୁତ କରୁଛନ୍ତି ଓ ତାହାର କାର୍ଯ୍ୟକାରୀ କରିବା ପାଇଁ ନିଜେ ଦାୟିତ୍ୱ ନେଉଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପି.ଏଲ.ଏ. ବୈଠକଗୁଡ଼ିକ ଶୁଖିଲା ଭାଷଣ ମାଧ୍ୟମରେ ହୁଏ ନାହଁି। ପ୍ରତ୍ୟେକ ବୈଠକ ଅତ୍ୟନ୍ତ ଉପାଦେୟ ପ୍ରକ୍ରିୟା ଯଥା ଖେଳ ଖେଳିବା, ଗପ କହିବା, ପ୍ରଶ୍ନ ପଚାରିବା, ପ୍ରାକ୍ଟିକାଲ୍‌ କରି ଦେଖାଇବା ଆଦି ପ୍ରକ୍ରିୟା ମାଧ୍ୟମରେ କରାଯାଇଥାଏ। ତେଣୁ ଏଥିରେ ଗୋଷ୍ଠୀର ଲୋକମାନେ ସକ୍ରିୟତାର ସହିତ ଅଂଶ ଗ୍ରହଣ କରନ୍ତି ଓ ବୈଠକ ଶେଷ ବେଳକୁ ନିର୍ଦ୍ଦିଷ୍ଟ ସମସ୍ୟାକୁ କେବଳ ବୁଝି ନ ଥାନ୍ତି, ହୃଦୟଙ୍ଗମ ବି କରିଥାନ୍ତି; ଯାହା ତାଙ୍କୁ ପଦକ୍ଷେପ ନେବାକୁ ପ୍ରେରିତ କରେ।
ପି.ଏଲ.ଏ. ବୈଠକ ଚକ୍ରରେ ମଞ୍ଜୁର କାହାଣୀ ମାଧ୍ୟମରେ ଚତୁର୍ଥ ବୈଠକଟି କରାଯାଇଛି। ଏହା ଓଡ଼ିଶାର ୧୦୬ଟି ବ୍ଲକ୍‌ର ପାଖାପାଖି ୭୫ ହଜାର ସ୍ବୟଂ ସହାୟକ ଦଳରେ କରାଯାଇଛି। ବୈଠକର ପ୍ରକ୍ରିୟା ଅନୁଯାୟୀ ମଞ୍ଜୁର କାହାଣୀ କହିବା ପରେ ସହାୟକ ମହିଳାମାନଙ୍କୁ ପଚାରନ୍ତି, କାହାଣୀ ଶେଷରେ କ’ଣ ହେଲା ଓ କାହଁିକି ହେଲା। ପୁଣି ଧୀରେ ଧୀରେ କାହାଣୀର ଶେଷରୁ ମୂଳ ଯାଏ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରନ୍ତି। କ’ଣ କରିଥିଲେ ମଞ୍ଜୁର ଛୁଆ ବଞ୍ଚିଯାଇଥାନ୍ତା? କ’ଣ କରିଥିଲେ ମଞ୍ଜୁ ବଞ୍ଚତ୍ୟାଇଥାନ୍ତା? କ’ଣ କରିଥିଲେ ମଞ୍ଜୁ ଗର୍ଭବତୀ ଅବସ୍ଥାରେ ପୁଷ୍ଟିହୀନ ହୋଇ ନ ଥାନ୍ତା? କ’ଣ କରିଥିଲେ ମଞ୍ଜୁ ଦୁର୍ବଳ ହୋଇ ନ ଥାନ୍ତା? ଏହିପରି ପ୍ରଶ୍ନ ପଚାରି ସହାୟକ ମହିଳାମାନଙ୍କୁ ମଞ୍ଜୁର ମୃତ୍ୟୁର କାରଣ ଓ ନିରାକରଣ ବିଷୟରେ ଜାଣିବା ଓ ଅପପୁଷ୍ଟିକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଲାଗି ପ୍ରେରିତ କରିଥାନ୍ତି। ଏହି ବୈଠକ ଓଡ଼ିଶାର ଗାଁ ଗଣ୍ଡାରେ ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇଛି। ଲୋକମାନେ ମଞ୍ଜୁର କାହାଣୀକୁ ନିଜ କାହାଣୀ ଭାବେ ଦେଖିଛନ୍ତି ଓ ନିଜ ଗାଁରେ ଆଉ ମଞ୍ଜୁ ପରି ଘଟଣା ଘଟେଇ ନ ଦେବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି।
ଏହି ବୈଠକ ପରେ ରାୟଗଡ଼ା ଜିଲାର କାଶୀପୁର ବ୍ଲକ୍‌ର ତେଲେଙ୍ଗିରି ଗଁାର ସ୍ବୟଂ ସହାୟକ ଦଳର ମହିଳାମାନେ ଏକ ବାଲ୍ୟ ବିବାହକୁ ସଫଳତାର ସହିତ ବନ୍ଦ କରିଛନ୍ତି। କାରଣ ସେମାନେ ହୃଦୟଙ୍ଗମ କରିଥିଲେ, କମ୍‌ ବୟସରେ ବିବାହ କରି ମଞ୍ଜୁର ଅବସ୍ଥା କ’ଣ ହେଲା। ଗାଁର ଗୋଟିଏ ଚଉଦ ବର୍ଷର ଝିଅକୁ ପଡ଼ୋଶୀ ଗାଁର ଗୋଟିଏ ପୁଅ ନେଇଗଲା। ଉଭୟ ଗାଁର ମୁଖିଆମାନେ ବସି ଝିଅ ଓ ପୁଅର ବାହାଘର କରିବା ପାଇଁ ନିଷ୍ପତ୍ତି ନେଲେ। ପୂର୍ବ ପରିସ୍ଥିତି ଥିଲେ ବାହାଘର ହୋଇଯାଇଥାନ୍ତା ନିଶ୍ଚୟ। କିନ୍ତୁ ମଞ୍ଜୁର କାହାଣୀକୁ ବୁଝିଥିବା ସ୍ବୟଂ ସହାୟକ ଦଳର ମହିଳାମାନେ ଏହି ନିଷ୍ପତ୍ତିକୁ ବିରୋଧ କଲେ। ଏପରି କି ଝିଅର ମା’ କୁଟୁମ୍ବ ବୈଠକରେ ମଞ୍ଜୁର କାହାଣୀକୁ ଆଉଥରେ ଆମୂଳଚୂଳ କହିଲେ। କୁଟୁମ୍ବ ବୈଠକରେ ଉପସ୍ଥିତ ଥିବା ଲୋକମାନେ ଏହାକୁ ବୁଝିଲେ ଓ ଶେଷରେ ନିଷ୍ପତ୍ତି ହେଲା ଯେ, ଝିଅକୁ ଅଠର ବର୍ଷ ବୟସ ନ ହେବା ଯାଏ ବାହାଘର ହୋଇପାରିବ ନାହଁି। ଝିଅ ପୁଣି ତା’ ନିଜ ଘରକୁ ଫେରିଲା। ଏହାଦ୍ୱାରା ମଞ୍ଜୁ ପରି ଆଉ ଏକ କାହାଣୀ ହେବାକୁ ନିଶ୍ଚୟ ଭାବେ ରୋକି ଦିଆଯାଇପାରିଲା। ସେହିପରି ଚନ୍ଦ୍ରପୁର ବ୍ଲକ୍‌ର ଦିଲାଗୁଡ଼ି ଗାଁରେ, ମୁନିଗୁଡ଼ା ବ୍ଲକ୍‌ର ଶିବପଦର ପଞ୍ଚାୟତରେ, କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ର ବେନ୍ଦାଝୋଲା ଗ୍ରାମରେ ବି ମହିଳାମାନେ ସଫଳତାର ସହିତ କମ୍‌ ବୟସର ବାହାଘରକୁ ରୋକି ପାରିଛନ୍ତି। ଗଜପତି ଜିଲାର ସବରପଲ୍ଲୀ ପଞ୍ଚାୟତର ସୁଣ୍ଡରବା ଗ୍ରାମର ମହିଳା ସ୍ବୟଂ ସହାୟକ ଦଳର ତୁରନ୍ତ ପଦକ୍ଷେପ ଯୋଗୁ ଏକ ବାଲ୍ୟ ବିବାହକୁ ଅଟକେଇ ଦିଆଯାଇଛି। ଏହା କେବଳ ତିନୋଟି ଜିଲାର ଘଟଣା ନୁହେଁ, ଆହୁରି ଅନେକ ଜିଲାରେ ମଞ୍ଜୁର କାହାଣୀର ପ୍ରଭାବରେ ଏକାଧିକ ବାଲ୍ୟ ବିବାହ ବନ୍ଦ ହୋଇଥିବାର ଘଟଣା ଦେଖିବାକୁ ମିଳୁଛି। କେବଳ ବାଲ୍ୟ ବିବାହ ବନ୍ଦ ନୁହେଁ, ପି.ଏଲ.ଏ. ବୈଠକର ପ୍ରଭାବ ଯୋଗୁ ଏହି ୧୦୬ଟି ବ୍ଲକ୍‌ର ମମତା ଦିବସରେ ଗର୍ଭବତୀ ମହିଳା, ପ୍ରସୂତି ମା’ ଶିଶୁ ଓ କିଶୋରୀ ବାଳିକାଙ୍କର ଉପସ୍ଥାନ ବି ବଢ଼ୁଛି ଓ ଅନେକ ପ୍ରକାର ପୁଷ୍ଟି ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନକାରାତ୍ମକ ଅଭ୍ୟାସ ଓ ବ୍ୟବହାର ବନ୍ଦ ହୋଇ ସକାରାତ୍ମକ ବ୍ୟବହାର ବଢ଼ୁଛି; ଯାହା ଓଡ଼ିଶାର ଅପପୁଷ୍ଟିକୁ ଦୂର କରିବା ପାଇଁ ଏକ ବଡ଼ ଯୋଗଦାନ ହେବ। ସ୍ବୟଂ ସହାୟକ ଦଳଗୁଡ଼ିକରେ ଆହୁରି ୯ଟି ଲେଖାଏ ପି.ଏଲ.ଏ. ବୈଠକ ହେବା ବାକି ଅଛି। ତେଣୁ ଭବିଷ୍ୟତରେ ଆହୁରି ଅନେକ ସକାରାତ୍ମକ ପରିବର୍ତ୍ତନ ହେବାର ଆଶା କରାଯାଏ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?