ମିଛ ପରଦା ଅବଶ୍ୟ ହଟିବ

ବୈକୁଣ୍ଠନାଥ ମିଶ୍ର

 

ଅର୍ଥ, କ୍ଷମତା ଓ ପ୍ରତିପତ୍ତି ଏକତ୍ର ବ୍ୟକ୍ତିର ଜୀବନ ପରିଧିକୁ ପଶିଆସି ତାକୁ ଏପରି ମୋହାଚ୍ଛନ୍ନ କରିଦିଏ ଯେ ସେ ଶ୍ରେଷ୍ଠତ୍ୱର ଅହଂକାର ବୋଧରେ ହୋଇଉଠେ ଗର୍ବିତ ଓ ଉତ୍‌ଫୁଲ୍ଲିତ। ସେ ଧରିନିଏ ଯେ ଏସବୁ ତା’ଠାରେ ଚିରକାଳ ରହିଥିବେ ଓ ସେ ଅନ୍ୟର ପ୍ରଭୁସାଜି ନିଜ କର୍ତ୍ତୃତ୍ୱ ସାବ୍ୟସ୍ତ କରୁଥିବେ। ସେ ଚାହେଁ ତା’ର ପ୍ରଭୁତ୍ୱକୁ ସର୍ବାନ୍ତଃକରଣରେ ଗ୍ରହଣ କରନ୍ତୁ। ବାସ୍ତବରେ ସେ ବିସ୍ମୃତ ହୋଇଥାଏ ଯେ, ସେ ଅନ୍ୟମାନଙ୍କ ପରି ନିହାତି ସାଧାରଣ ଓ ତୁଚ୍ଛ। ତଥାପି ଅନ୍ୟଠାରୁ ପୂଜା ପାଇବାକୁ ସେ କେତେ ଯେ ବ୍ୟାକୁଳ ସତେ! ଏଇଠି ବିଶିଷ୍ଟ କଥାକାର ପଦ୍ମବିଜେତା ମନୋଜ ଦାସଙ୍କ ଏକ କାହାଣୀର ଶ୍ରେଷ୍ଠାଂଶ ପ୍ରାସଙ୍ଗିକ ମନେହୁଏ। ରୁଷ୍‌ ଦେଶର ରାଜରାସ୍ତା ପାର୍ଶ୍ୱରେ ଏକ ଭିକାରି ଶୋଇଥିବା ସମୟରେ ସୈନ୍ୟ ବାହିନୀର ଯୁଦ୍ଧଯାତ୍ରାର ପଦଧ୍ୱନିରେ ତା’ର ସକାଳୁଆ ନିଦଟା ଭାଙ୍ଗିଗଲା ଓ ଶୋଇବା ସ୍ଥାନରେ ସେ ଉଠି ବସିଲା। ହଠାତ୍‌ ସେନାନାୟକ ତାକୁ ସାମରିକ ଅଭିବାଦନ ଜଣାଇଲେ ଓ ପରେ ପରେ ସୈନ୍ୟମାନେ ମଧ୍ୟ ତାକୁ ଅଭିବାଦନ ଜଣାଉଥାନ୍ତି। ଭିକାରିଟି ପ୍ରତିନମସ୍କାର ଜଣାଉଥାଏ ଓ ମନେମନେ ଉଲ୍ଲସିତ ହେଉଥାଏ ଯେ ତା’ଠାରେ ଏପରି କିଛି ଶକ୍ତି ଅଛି, ନଚେତ୍‌ ଦେଶର ସୈନ୍ୟବାହିନୀ କାହିଁକି ତାକୁ ଅଭିବାଦନ ଜଣାନ୍ତେ। ତା’ର ଏତାଦୃଶ ବ୍ୟବହାରରେ ଅଦୂରରେ ଥିବା ତା’ସାଥୀମାନେ ତାଚ୍ଛଲ୍ୟଭରା ହସ ହସୁଥିଲେ। ଜଣେ ସାଥୀ ତାକୁ ପଛକୁ ଚାହିଁବାକୁ ଠାରିଦେଲା, ତା’ର ମୋହ ଭଗ୍ନ ହେଲା; ଯେତେବେଳେ ସେ ଜାଣିଲା ଯେ ତାକୁ ନୁହେଁ ତା’ ପଛରେ ଥିବା ଲେନିନ୍‌ଙ୍କର ପ୍ରତିମୂର୍ତ୍ତିକୁ ସେନା ଅଭିବାଦନ ଜଣାଉ ଥିଲେ। ଲଜ୍ଜା ଓ ଅପମାନର ତୀବ୍ର ଜ୍ୱାଳାରେ ସେ ଜର୍ଜରିତ ହୋଇପଡ଼ିଲା। ମୋହାନ୍ଧତା ଅପସରି ଗଲେ ବ୍ୟକ୍ତିର ଅନୁଭବ ହୁଏ ଯେ ସେ କେତେ ସାମାନ୍ୟ ଠିକ୍‌ ଏହି ରୁଷୀୟ ଭିକାରିଟି ପରି।
ପୃଥିବୀ ଇତିହାସରେ ପ୍ରସିଦ୍ଧି ଅର୍ଜନ କରିଥିବା ଜଣେ ଜନନାୟକଙ୍କ ଅନ୍ତିମ ପରିଣତି ଥିଲା ଅତ୍ୟନ୍ତ ଶୋଚନୀୟ। ଜର୍ମାନୀର ସିଂହ କୁହାଯାଉଥିବା ଆଡଲଫ୍‌ ହିଟଲର, ଯେ କି ଦ୍ୱିତୀୟ ବିଶ୍ୱଯୁଦ୍ଧର ଶ୍ରେଷ୍ଠ ଖଳନାୟକ ଓ ଯାହାଙ୍କ ନାଁ ଶୁଣିଲେ ପୃଥିବୀରେ କମ୍ପନ ସୃଷ୍ଟି ହେଉଥିଲା ତାଙ୍କ ଶେଷଜୀବନ ଥିଲା ଅତ୍ୟନ୍ତ କରୁଣାସିକ୍ତ। ଯୁଦ୍ଧ ଅପରାଧୀ ଭାବେ ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇବାର ନିଶ୍ଚିତତାକୁ ଅନୁଭବ କରି ସେ ଗୁପ୍ତ ବଙ୍କର ମଧ୍ୟରେ ପୋଟାସିୟମ ସିଆନାଇଡ୍‌ ବଟିକା ଖାଇ ଚିର ନିଦ୍ରାରେ ଶୋଇଗଲେ। ମୃତ୍ୟୁର ଅବ୍ୟବହିତ ପୂର୍ବରୁ ନିଜ ପ୍ରିୟ କୁକୁର ଓ ତାଙ୍କୁ ପ୍ରାଣଭରି ଭଲପାଉଥିବା ପ୍ରିୟ ବାନ୍ଧବୀଙ୍କୁ ଏହି ବିଷାକ୍ତ ବଟିକା ଖୁଆଇ ତାଙ୍କ ସହ ଆଲିଙ୍ଗନାବଦ୍ଧ ଭାବେ ଶେଷ ନିଃଶ୍ୱାସ ତ୍ୟାଗ କଲେ। ଜୀବନରେ କେବେ ଆଖିରୁ ଲୁହଗଡ଼ାଇ ନ ଥିବା ହିଟଲରଙ୍କ ଗଣ୍ଡ ଦେଶର ଶୁଷ୍କ ଲୋତକ ଧାରକୁ ଆବିଷ୍କାର କରାଯାଇଥିଲା ତାଙ୍କ ପ୍ରାଣହୀନ ନିସ୍ପନ୍ଦ ଶରୀର ଠାବ କରାଯିବା ସମୟରେ। ଉଇଲିୟମ ସେକ୍ସପିୟରଙ୍କ ଭାଷାରେ ଯେଉଁମାନେ ଉଚ୍ଚତମ ସୋପାନକୁ ଉନ୍ନୀତ ହୋଇ ଗର୍ବର ସୀମା ଲଙ୍ଘନ କରନ୍ତି, ସେମାନଙ୍କ ପତନ କେବଳ ନିୟତି ଦ୍ୱାରା ହିଁ ସମ୍ଭବ।
ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡର ଭାରତ ଆକ୍ରମଣ ଉଦ୍ଦେଶ୍ୟରେ ନିଜ ବିଶାଳ ସୈନ୍ୟ ବାହିନୀ ସହ ଏଥେନ୍ସ ନଗରୀର ରାଜରାସ୍ତା ପ୍ରକମ୍ପିତ କରି ଅଗ୍ରସର ହେଉଥିବା ସମୟରେ ଜଣେ ସନ୍ଥ ନିଜ ଭିକ୍ଷାଲବ୍ଧ ଏକ ଟଙ୍କାର ମୁଦ୍ରାଧରି ତାଙ୍କ ପଥରୋଧ କଲେ। ଆଲେକଜାଣ୍ଡର ତାଙ୍କୁ ପାଗଳ ଭିକାରି ବୋଲି ସମ୍ବୋଧନ କରି ଏଡ଼ାଇ ଚାଲିଯିବା ସମୟରେ ସନ୍ଥ ପଛରୁ ଡାକି କହିଲେ, ରାଜନ୍‌!
ଏ ମୁଦ୍ରାଟି ଗ୍ରହଣ କର ମୁଁ ଏହାକୁ ଭିକ୍ଷାକରି ଲାଭକରିଛି ସତ; ହେଲେ ତୁମେ ତ ମୋଠାରୁ କେଉଁ ଗୁଣରେ କମ୍‌ ଭିକାରି ନୁହଁ। ତୁମର ଧନ, ପ୍ରତିପତ୍ତି, ପ୍ରଭୁତ୍ୱ ସହ ବିଶାଳ ସାମ୍ରାଜ୍ୟ ଥାଇ ମଧ୍ୟ ତୁମେ ଅନ୍ୟ ରାଜ୍ୟ ଓ ତା’ର ଧନ ସମ୍ପତ୍ତି ଅଧିକାର କରିବା ଲୋଭରେ କାହିଁକି ମନବଳାଇଛ?
ଭିକାରିର କିଛି ନ ଥିବାରୁ ସେ ଅନ୍ୟର ଅର୍ଥ ଆଶା କରେ। ହେଲେ ତୁମେ ଯେତେବେଳେ ପରଧନ, ସମ୍ପତ୍ତି ଏପରି କି ସାମ୍ରାଜ୍ୟ ଆଶା କରୁଛ ତୁମେ ଭିକାରିଠାରୁ କେଉଁ ଗୁଣରେ ଉଚ୍ଚ? ଯେଉଁଦିନ ଏହି ତେତିଶ ବର୍ଷୀୟ ଉଦ୍ଧତ ଯୁବକ ଭାରତ ଜୟ କରି ନ ପାରି ସୈନ୍ୟହରା ହୋଇ ଅନାହାର ଓ ରୁଗ୍‌ଣ ଅବସ୍ଥାରେ ପ୍ରତ୍ୟାବର୍ତ୍ତନ ମାର୍ଗରେ ଆସନ୍ନ ମୃତ୍ୟୁକୁ ଅପେକ୍ଷା କରୁଥିଲେ, ସେହିଦିନ ତାଙ୍କ ମନୋରାଜ୍ୟକୁ ଆନ୍ଦୋଳିତ କରିଥିଲା ସନ୍ଥଙ୍କର ସେହି ଶେଷ ବାଣୀ- ‘ଏ ମୁଦ୍ରାଟି ନିଅ ଦିନେ ତୁମର କାମରେ ଲାଗିବ।’ ”ଆଜି ସତରେ ସେ ଏକ ଭିକାରିଠାରୁ ବି ଊଣା। ସେ ଘୋଷଣା କଲେ ତାଙ୍କ ହାତ ଦୁଇଟି ତାଙ୍କ ଶବାଧାରର ଉଭୟ ପାର୍ଶ୍ୱରେ ଝୁଲି ରହିବ ଯେପରି ବିଶ୍ୱ ଦେଖିବ ଯେ ସେ ନିଃସ୍ବ ଏବଂ ପୃଥିବୀରୁ ରିକ୍ତ ହସ୍ତରେ ବିଦାୟ ନେଉଛି।’
ପାକିସ୍ତାନ କଥା ଚିନ୍ତାକଲେ ଦେଖିବା ସେ ଦେଶର ବହୁଶାସନ ମୁଖ୍ୟଙ୍କର ଉତ୍ତର ଜୀବନ ଯନ୍ତ୍ରଣାସିକ୍ତ। ରାଷ୍ଟ୍ରପତି ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇ ଶେଷ ନିଃଶ୍ୱାସ ତ୍ୟାଗକଲେ। ଜେନେରାଲ ମୁଶାରଫ ଦେଶାନ୍ତର ହୋଇ ଅତି କରୁଣଭାବେ ଶେଷ ପରିଣତି ଭୋଗକଲେ। ଇମ୍ରାନ ଖାଁ ଦିନେ ଥିଲେ କ୍ରିକେଟ ଆକାଶର ଏକ ଉଜ୍ଜ୍ୱଳ ତାରକା। ପାକିସ୍ତାନବାସୀ ତ ତାଙ୍କୁ ସ୍ନେହ ଶ୍ରଦ୍ଧାରେ ପୋତି ପକାଇଥିଲେ। ସେହି ସ୍ନେହ, ଶ୍ରଦ୍ଧାକୁ ପୁଞ୍ଜିକରି ଇମ୍ରାନ ପାକିସ୍ତାନ ରାଜନୀତିରେ ପ୍ରବେଶ କଲେ ଓ ପ୍ରଧାନମନ୍ତ୍ରୀ ଆସନ ମଧ୍ୟ ଅଳଂକୃତ କଲେ। ହେଲେ କୁଆଡ଼େ ଗଲା ତାଙ୍କ ଅମଳିନ ପ୍ରତିଭା ସମ୍ପନ୍ନ ଲୋକପ୍ରିୟତା?
ଗୁରୁତର ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ବିଚାରାଳୟକୁ ନିଆଗଲା। କାଠଗଡ଼ାରେ ଠିଆ ହୋଇ ଅତି କରୁଣ ଭାବେ ସେ ଯେତେବେଳେ କହୁଥାନ୍ତି ଯେ, ତାଙ୍କୁ ପ୍ରବଳ ମାଡ଼ ମରାଯାଇଛି, ବିଚାରପତି ମଧ୍ୟ କ୍ଷଣକ ପାଇଁ ବିହ୍ବଳିତ ହୋଇ ଉଠିଲେ। ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରିକୁ ନାପସନ୍ଦ କରି ତାଙ୍କ ସୁରକ୍ଷା ପ୍ରତି ନଜର ଦେବାକୁ ପାକିସ୍ତାନ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ବିପଦର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଝୁଲୁଛି। ଯଦି ରାଜନୀତି ପ୍ରତି ଆସକ୍ତ ନ ହୋଇ ଜଣେ କ୍ରିକେଟ ତାରକା ଭାବେ ଜୀବନ ଅତିବାହିତ କରିଥାନ୍ତେ ତେବେ କେବଳ ପାକିସ୍ତାନ କାହିଁକି ସାରା ବିଶ୍ୱବାସୀଙ୍କ ହୃଦୟରେ ସେ ମହାନ୍‌ ହୋଇ ରହିଥାନ୍ତେ। କ୍ଷମତା ଲିପ୍ସା ଆଜି ତାଙ୍କୁ ଆଣି ଦେଇଛି ଏ ଚରମ ଦୁର୍ଗତି।
ସିଦ୍ଧଳ, ଜଗତସିଂହପୁର, ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri