ଅସରନ୍ତି ଯୁଦ୍ଧ-ଚିରନ୍ତନ ଯୁଦ୍ଧଭୂମି

ହମାସ୍‌ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ ହେବା ପୂର୍ବରୁ ଇରାନ୍‌ର ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ୱକୁ ଆତଙ୍କିତ କରିଛି। ସିରିଆର ଡାମାସ୍‌କସ୍‌ରେ ଇରାନର ବାଣିଜ୍ୟ ଦୂତାବାସ ଆକ୍ରମଣ ପଛରେ ଇସ୍ରାଏଲର ପ୍ରଚ୍ଛନ୍ନ ହାତ ଥିବା ସନ୍ଦେହକରି ଇରାନର ସାନି ଆକ୍ରମଣ ତତ୍କାଳିକ କାରଣ ହୋଇପାରେ। ମାତ୍ର ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା, ଷଡ଼ଯନ୍ତ୍ର ଓ ପ୍ରଚ୍ଛନ୍ନ ଯୁଦ୍ଧ ଏକ ସୁଦୀର୍ଘ ଅବଧିର କଳଙ୍କିତ ଇତିହାସ। ଇସ୍ରାଏଲକୁ ସିଧା ଆକ୍ରମଣ ନ କରି ଇରାନ୍‌ ଅଶୀ ଦଶକରୁ ଲେବାନନ୍‌ରେ ହିଜ୍‌ବୁଲ୍ଲା ଓ ୟେମେନ୍‌ରେ ହୁଟି ଆତଙ୍କବାଦୀ ବାହିନୀ ମାଧ୍ୟମରେ ପ୍ରଚ୍ଛଦପଟରେ ରହି ଆକ୍ରମଣ ଜାରି ରଖି ଆସିଛି। ଏହା ପଛରେ ରହିଛି ଅନେକ ଐତିହାସିକ ଓ ଭୂରାଜନୈତିକ କାରଣ। ବାସ୍ତବରେ ଆରବ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଅସ୍ବୀକାର କରି ଆସିଛନ୍ତି। ସେମାନଙ୍କ ତର୍କ ହେଲା, ସମଗ୍ର ପାଲେଷ୍ଟାଇନ ଆରବୀୟଙ୍କ ଭୂମି। ଆମେରିକା ଓ ୟୁରୋପୀୟମାନେ ସେଠାରେ ଜବରଦସ୍ତ ଇହୁଦୀଙ୍କୁ ଅବସ୍ଥାପିତ କରି ଇସ୍ରାଏଲ ରାଷ୍ଟ୍ର ସୃଷ୍ଟି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଇସ୍ରାଏଲ ଓ ଆରବ ଦେଶଗୁଡ଼ିକ ମଧ୍ୟରେ ସଂଘଟିତ ହୋଇଛି ଅନେକ ଯୁଦ୍ଧ। ତା’ ହେଲେ କାହାର ଏ ଭୂମି; କ’ଣ ରହିଛି ଏ ଚିରନ୍ତନ ଯୁଦ୍ଧଭୂମିର ଇତିହାସ? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ହେଲେ ଇସ୍ରାଏଲ – ପାଲେଷ୍ଟାଇନ୍‌ର ୪ହଜାର ବର୍ଷର ଇତିହାସର ପୃଷ୍ଠା ଓଲଟାଇବାକୁ ପଡ଼ିବ।
ପାଲେଷ୍ଟାଇନ୍‌/ଇସ୍ରାଏଲ୍‌ର କ୍ରମବଦ୍ଧ ଇତିହାସ ଖ୍ରୀଷ୍ଟପୂର୍ବ ୧୬ଶହ ପାଖରୁ ହିଁ ମିଳିଥାଏ। ସେ ସମୟରେ ଏହି ଭୂଖଣ୍ଡକୁ କନାନ୍‌ଙ୍କ ଭୂମି କୁହାଯାଇଆସୁଥିଲା। ମଧ୍ୟ ଫରାତ୍‌(ମେସୋପଟାମିଆଁ)ରେ ବାସ କରୁଥିବା ଅମୋରାଇଟ୍‌ ଓ ଅରେମିୟନ୍‌ ଜାତିର ଲୋକ, ଖାରି ଓ ମିଟ୍ଟନୀମାନଙ୍କ ଆକ୍ରମଣ କାରଣରୁ ମାତୃଭୂମିରୁ ବିସ୍ଥାପିତ ହୋଇ କନାନିଙ୍କ ଦେଶରେ ପ୍ରବେଶ କରିଥିଲେ। ଲେବାନନ୍‌ର ପଶ୍ଚିମଭାଗରୁ ମିଶର ପର୍ଯ୍ୟନ୍ତ ଭୂଖଣ୍ଡ ମଧ୍ୟରେ ବାସ କରୁଥିବା ସେହି ଅରେମିୟନମାନେ ପରବର୍ତ୍ତୀ ସମୟରେ ‘ଇବ୍ରିମ୍‌’ ବା ‘ହିବ୍ରୁ’ ଭାବରେ ପରିଚିତ ହେଲେ।
ଇହୁଦୀମାନଙ୍କ ଧର୍ମବିଶ୍ୱାସ ଅନୁଯାୟୀ, ଅରେମିୟନ୍‌(ହିବ୍ରୁ) ଜାତିର ‘ଅବ୍ରାମ୍‌’ ନାମକ ବ୍ୟକ୍ତିଙ୍କଠାରେ ଦୈବୀଶକ୍ତି ପ୍ରସ୍ଫୁରଣ ହେଲା ଏବଂ ଈଶ୍ୱର ତାଙ୍କୁ ଆହ୍ବାନ ଦେଲେ, ”ତୁମେ ତୁମ ଜନ୍ମସ୍ଥାନଠାରୁ ଏବଂ ପିତାଙ୍କ ଘରଠାରୁ ସେହି ଭୂମିକୁ ଚାଲିଯାଅ, ଯେଉଁଠି ମୁଁ ତୁମକୁ ଦେଖାଉଛି।“ ଏହା ସହ ପରମାତ୍ମାଙ୍କ ଆଦେଶ ଅନୁଯାୟୀ ସେ ନିଜର ନାମ ‘ଅବ୍ରାମ’ରୁ ‘ଅବ୍ରାହମ୍‌’ କରିଦେଲେ; ଯାହାର ଅର୍ଥ ହେଉଛି ‘ରାଷ୍ଟ୍ରର ଜନକ’। ସେ ଯେତେବେଳେ ବେବିଲୋନ୍‌ ରାଜ୍ୟରୁ ବିସ୍ଥାପିତ ହୋଇ ‘କନାନ୍‌’ରେ ପହଞ୍ଚିଲେ ସେତେବେଳେ ତାଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ପ୍ରତିଶ୍ରୁତି ଶୁଣାଗଲା; ”ମୁଁ ତୁମ ସନ୍ତାନମାନଙ୍କୁ ଏହି ଭୂମି ପ୍ରଦାନ କରିବି।“ ତେଣୁ ହିବ୍ରୁମାନଙ୍କ ମନମସ୍ତିଷ୍କରେ ଏହି ଧାରଣା ବଳବତ୍ତର ହେଲା ଯେ, ସେମାନେ ଈଶ୍ୱରୀୟ ଇଚ୍ଛା ଅନୁଯାୟୀ ଏହି ଭୂମିକୁ ସେମାନଙ୍କ ଧର୍ମଭୂମି କର୍ମଭୂମି ଭାବରେ ବିକଶିତ କରିବେ। ଏହି ଭୂଖଣ୍ଡର ସୀମା ଥିଲା ପୂର୍ବରେ ଫରାତ୍‌ (ୟୁଫ୍ରେଟିସ୍‌) ନଦୀଠାରୁ ପଶ୍ଚିମରେ ନୀଳନଦୀ ପର୍ଯ୍ୟନ୍ତ। ଅବ୍ରାହମ୍‌ଙ୍କ ପୁତ୍ର ଥିଲେ ‘ଇଜ୍ଜାକ୍‌’ ଓ ନାତିଙ୍କ ନାମ ଥିଲା ‘ଜୈକବ’ ବା ‘ଇଜରାଏଲ’। ଏହି ଇଜରାଏଲଙ୍କ ଦ୍ୱାରା ହିଁ ଇହୁଦୀ ଜାତିର ଭିତ୍ତିପ୍ରସ୍ତ ସ୍ଥାପିତ ହୋଇଥିଲା। ଇଜରାଏଲଙ୍କଠାରୁ ଜନ୍ମିତ ବାର ପୁତ୍ରଙ୍କ ବଂଶଜମାନେ ପରବର୍ତ୍ତୀ ସମୟରେ ବାରଗୋଟି ଇହୁଦୀ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ସେହି ବାରପୁତ୍ରଙ୍କ ମଧ୍ୟରୁ ଜଣେ ଲେଭିଙ୍କ ବଂଶଜ ‘ମୋଜେଜ’ଙ୍କୁ ପରମାତ୍ମାଙ୍କ ଦ୍ୱାରା ଇହୁଦୀ ଧର୍ମର ୧୦ଟି ସାରତତ୍ତ୍ୱ ପ୍ରାପ୍ତ ହୋଇଥିଲା।
ପରମାତ୍ମାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ତ ହୋଇଥିବା ଏହି କନାନି ଭୂମିରେ ଦୁର୍ଭିକ୍ଷ ପଡ଼ିବାରୁ ବାଧ୍ୟହୋଇ ଇଜ୍‌ରାଏଲ ଓ ତାଙ୍କ ବଂଶଜମାନେ ନୀଳନଦୀ ଉପକୂଳ ମିଶରକୁ ଚାଲିଗଲେ। ଖାଦ୍ୟ ସନ୍ଧାନରେ ମିଶରକୁ ଯିବାବେଳେ ଇଜ୍‌ରାଏଲଙ୍କୁ ପୁଣି ପରମାତ୍ମାଙ୍କ ନିର୍ଦ୍ଦେଶ ଆସିଲା; ”ଏହି ଭୂମି, ଯେଉଁଠି ତୁମେ ବସବାସ କରୁଛ, ତାହା ମୁଁ ତୁମକୁ ଏବଂ ତୁମ ସନ୍ତାନମାନଙ୍କୁ ଅର୍ପଣ କରିବି। ତୁମ ସନ୍ତାନମାନଙ୍କ ଦ୍ୱାରା ହିଁ ସମଗ୍ର ବିଶ୍ୱ ସମୃଦ୍ଧି ଲାଭ କରିବ ଏବଂ ମୁଁ ସେମାନଙ୍କୁ ପୁନଶ୍ଚ ଏହି ଭୂମିକୁ ଫେରାଇ ଆଣିବି।“ ମିଶରରେ କିଛି କାଳ ସୁଖଦ ଅବସ୍ଥାନ ପରେ; ଫୈରୋ ରାଜାମାନଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇ ହିବ୍ରୁମାନେ ପୁନଶ୍ଚ ‘ମୋଜେଜ’ଙ୍କ ନେତୃତ୍ୱରେ ସେମାନଙ୍କ ଈଶ୍ୱର ନିର୍ଦ୍ଦିଷ୍ଟ ‘ପ୍ରତିଶ୍ରୁତିର ଭୂମି’ କନାନ୍‌କୁ ପ୍ରତ୍ୟାବର୍ତ୍ତନ କଲେ। ଇଜ୍‌ରାଏଲୀୟମାନଙ୍କୁ ମିଶରରୁ ଫେରିବା ବାଟରେ ସିନାୟୀ ପାହାଡ଼ ନିକଟରେ ‘ମୋଜେଜ’ଙ୍କ ମାଧ୍ୟମରେ ପରମାତ୍ମାଙ୍କ ଦଶଟି ଆଦେଶ ପ୍ରାପ୍ତ ହୋଇଥିଲା। ମୋଜେଜ ହିଁ ଇଜ୍‌ରାଏଲ୍‌ ସନ୍ତାନଙ୍କ ବଂଶଧରଙ୍କୁ ହିବ୍ରୁ ଜାତିରେ ପରିଣତକରି ଏକ ଧର୍ମ ପ୍ରଦାନ କରିଥିଲେ। ମୋଜେଜ୍‌ଙ୍କ ଶିଷ୍ୟ ‘ଜୋସୁଆ’ ଖ୍ରୀ.ପୂ. ୧୪୦୦ରେ କନାନିଙ୍କ ଉପରେ ନିର୍ଣ୍ଣାୟକ ଯୁଦ୍ଧ ଜିତି ଏହି ‘ପ୍ରତିଶ୍ରୁତିର ଭୂମି’ କନାନର ଶାସକ ହୋଇଥିଲେ। କାଳାନ୍ତରେ କନାନିମାନେ ହିବ୍ରୁ ଜାତି ମଧ୍ୟରେ ବିଲୀନ ହୋଇଯାଇଥିଲେ। ଆଗାମୀ ସମୟରେ ଏହି ଭୂଖଣ୍ଡକୁ ହିବ୍ରୁମାନେ ନିଜର ମାତୃଭୂମି ଓ ପୁଣ୍ୟଭୂମି ଭାବରେ ଗ୍ରହଣକରି, ଏହା ଉପରେ ଆକ୍ରମଣକୁ ହିବ୍ରୁ ଜାତି ଉପରେ ଆକ୍ରମଣ ବୋଲି ମାନିନେଲେ। ଯଦିଓ ଏହି ଭୂଖଣ୍ଡର ପ୍ରଥମ ବାସିନ୍ଦା କନାନିମାନେ ଥିଲେ, ମାତ୍ର ଏହାକୁ ଏକ ରାଷ୍ଟ୍ର ଭାବରେ ହିବ୍ରୁମାନେ ହିଁ ବିକଶିତ କରିଥିଲେ।
ଭୂମଧ୍ୟସାଗର ଅନ୍ତର୍ଗତ କ୍ରିଟ୍‌ ଦ୍ୱୀପର ଅଧିବାସୀ ଫିଲିଷ୍ଟାନୀମାନେ ଖ୍ରୀ.ପୂ.୧୧୯୪ରୁ ଆକ୍ରମଣ ଆରମ୍ଭକରି ଖ୍ରୀ.ପୂ.୧୦୦୦ର ଏବେନ-ଏଜର ଯୁଦ୍ଧରେ ସମ୍ପୂର୍ଣ୍ଣ ହିବ୍ରୁ ଦେଶକୁ ଦଖଲ କରିନେଇଥିଲେ। ୨ଶହ ବର୍ଷ ପରେ ହିବ୍ରୁମାନେ ରାଜା ଭେଭିଡ୍‌ଙ୍କ ନେତୃତ୍ୱରେ ଫିଲିଷ୍ଟାନୀମାନଙ୍କୁ ସମ୍ପୂର୍ଣ୍ଣ ପରାସ୍ତକରି ପୁନଶ୍ଚ ତାଙ୍କ ମାତୃଭୂମିକୁ ଫେରିପାଇଥିଲେ। ଫିଲିଷ୍ଟାନୀମାନଙ୍କ ୨ଶହ ବର୍ଷର ରାଜତ୍ୱ ସେଠାରେ ଏତେ ଛାପ ଛାଡ଼ିଯାଇଥିଲା ଯେ, ଫିଲିଷ୍ଟାନୀ ଶାସନର ୩ହଜାର ବର୍ଷ ପରେ ମଧ୍ୟ ଏହି ଭୂଖଣ୍ଡ ଫିଲିଷ୍ଟିନ୍‌ ବା ଇଂରାଜୀରେ ପାଲେଷ୍ଟାଇନ୍‌ ଭାବରେ ପରିଚିତ ହୋଇଆସୁଛି।
ସେତେବେଳେ ଆଧୁନିକ ଇସ୍ରାଏଲ୍‌ର ଉତ୍ତର ଭାଗକୁ ‘ଇଜ୍ରାଏଲ’ ଓ ଦକ୍ଷିଣଭାଗକୁ ‘ଜୁଡାହ’ କୁହାଯାଉଥିଲା। ‘ଜୁଡାହ’ର ଅଧିବାସୀ ହୋଇଥିବାରୁ ଏମାନଙ୍କୁ ‘ୟୁଜ୍ଯଯ’ ବା ‘ଜୁ’ ଅଥବା ‘ଇହୁଦୀ’ କୁହାଗଲା। ରାଜା ଡେଭିଡ୍‌ଙ୍କ ପୁତ୍ର ସାଲୋମନ୍‌ ଖ୍ରୀ.ପୂ. ୯୭୪ରୁ ୯୩୭ ମଧ୍ୟରେ ଜିଆନ୍‌ ପର୍ବତର ପବିତ୍ର ଧର୍ମବେଦୀ ପ୍ରସ୍ଥାପିତ ସ୍ଥାନରେ ଏକ ଭବ୍ୟମନ୍ଦିର ନିର୍ମାଣ କରିଥିଲେ। ସାଲୋମନଙ୍କ ପରେ ଏହି ଦେଶ ଅସିରିୟୋ, ବେବିଲୋନୀୟ, ଗ୍ରୀକ୍‌, ରୋମାନ୍‌ ଓ ଆରବୀୟଙ୍କ ଆକ୍ରମଣର ଶିକାର ହେଲା। ରୋମାନ୍‌ମାନେ ୬ ଖ୍ରୀଷ୍ଟାବ୍ଦରେ ଇହୁଦୀ ଭୂମିକୁ ଅଧିକାର କରିନେଲେ। ପରବର୍ତ୍ତୀ ଦେଢ଼ଶହ ବର୍ଷ ଇହୁଦୀ ଓ ରୋମାନଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷର ବର୍ଷ ଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୭ ମେ୧୫ରେ ପାଲେଷ୍ଟାଇନ୍‌ ଓ ଇହୁଦୀ ସମସ୍ୟାର ସମାଧାନ ପାଇଁ ଗଠିତ ଏକ ୧୧ ଦେଶୀୟ କମିଟି, ବ୍ରିଟିଶ ଅଧୀନରୁ ପାଲେଷ୍ଟାଇନ୍‌ର ମୁକ୍ତି ଏବଂ ଇହୁଦୀ ଓ ଆରବୀୟଙ୍କ ମଧ୍ୟରେ ଦୁଇଟି ସ୍ବତନ୍ତ୍ର ଦେଶ ଗଠନ ପାଇଁ ସୁପାରିସ କଲା। ତଦନୁଯାୟୀ ୧୯୪୭ ନଭେମ୍ବର ୨୯ ରେ ଅନୁଷ୍ଠିତ ମିଳିତ ଜାତିସଂଘର ମତଦାନରେ ଦୁଇତୃତୀୟାଂଶ ସଦସ୍ୟ ରାଷ୍ଟ୍ର ପାଲେଷ୍ଟାଇନର ବିଭାଜନ ସପକ୍ଷରେ ମତଦେବାରୁ ପାଲେଷ୍ଟାଇନ୍‌ ମଧ୍ୟରେ ‘ଇସ୍ରାଏଲ’ ରାଷ୍ଟ୍ରକୁ ସ୍ବୀକୃତି ଦିଆଗଲା। ମାତ୍ର ଅଧିକାଂଶ ଆରବ ଦେଶ ଏହାକୁ ସ୍ବୀକାର ନ କରି ଯୁଦ୍ଧ ଘୋଷଣାକଲେ। ଇତିମଧ୍ୟରେ ଇସ୍ରାଏଲ୍‌ ଓ ଆରବୀୟଙ୍କ ମଧ୍ୟରେ ଅନେକ ଯୁଦ୍ଧ ଘଟିଗଲାଣି। ସାମ୍ପ୍ରତିକ ହମାସ୍‌-ଇସ୍ରାଏଲ୍‌ ଯୁଦ୍ଧ ଓ ଇରାନ-ଇସ୍ରାଏଲ୍‌ ସଂଘର୍ଷ ସେହି ଅନ୍ତହୀନ ଯୁଦ୍ଧର ଅଂଶବିଶେଷ। କିନ୍ତୁ ବିଶ୍ୱବାସୀ ଚାହାନ୍ତି ଶାନ୍ତି; ଅସରନ୍ତି ଯୁଦ୍ଧର ପରିସମାପ୍ତି।

  • ଦୀପକ କୁମାର ମହାନ୍ତ
    ବାରୁଣା, କେନ୍ଦୁଝର
    ମୋ :୯୩୪୮୩୦୭୫୭୧

Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri