ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏହି ମହୋତ୍ସବ ଯେତିକି ପାଖେଇ ଆସୁଛି, ଗତବର୍ଷ ଧନୁଯାତ୍ରାରେ କଂସ ଅଭିନୟ କରିଥିବା କଳାକାର ସୁଶିଲ ମେହେରଙ୍କ ଅଡ଼ୁଆ ବଢ଼ି ଚାଲିଛି ।
ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ କଳାକାର ପରିବର୍ତ୍ତନ ତଥା ଏହି ଚରିତ୍ର ପାଇଁ ପୁନଃ ଚୟନ ପ୍ରକିୟା କରିବାକୁ ଦାବି ଜୋର୍ ଧରି ବସିଛି। ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ବରଗଡ଼ ସହରର ଯୁବକମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଥିବାବେଳେ ସୋମବାର ସନ୍ଧ୍ୟାରୁ ବରଗଡ଼ ଗାନ୍ଧୀଛକରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।
କଂସ କଳାକାର ପରିବର୍ତ୍ତନ ଦାବି କରୁଥିବା ସ୍ଥାନୀୟ ଯୁବତୀ, ଯୁବକମାନେ କହିଛନ୍ତି, କଂସ ମହାରାଜଙ୍କ ଅଭିନୟ ବରଗଡ଼ ଧନୁଯାତ୍ରା ମହୋତ୍ସବର ଗାରିମାକୁ ବୃଦ୍ଧି କରିଥାଏ। ଏଠାକାର କଂସ ଅଭିନୟ ଧନୁଯାତ୍ରା ମହୋତ୍ସବକୁ ଏକ ଅନନ୍ୟ ପରିଚୟ ଦିଏ। ଫଳରେ ବରଗଡ଼ ଧନୁଯାତ୍ରାର କଂସ ଅଭିନୟ ଦେଖିବା ପାଇଁ ମହୋତ୍ସବ ସମୟରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ। ତେବେ ଗତବର୍ଷ ଧନୁଯାତ୍ରାରେ କଂସ ଅଭିନୟକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଦୃଷ୍ଟିକୋଣରୁ ଏଥର କଂସ କଳାକାର ପରିବର୍ତ୍ତନ ପାଇଁ ସେମାନେ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

