ବିଜ୍ଞାନରେ ଟେଲିପାଥି

ପ୍ରାଚୀନ ପୌରାଣିକ ଯୁଗରେ ମୁନି ଋଷିମାନେ ଅନ୍ୟର ମନକୁ ପଢ଼ିପାରୁଥିଲେ ଓ ନିଜକୁ ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ଯିବାକୁ ହେଲେ ଅନାୟାସରେ ଅଦୃଶ୍ୟ ହେଇ ଆବିର୍ଭାବ ହୋଇପାରୁଥିଲେ। ଆଧୁନିକ ବିଜ୍ଞାନରେ ଏହାକୁ ଟେଲିପାଥି କୁହାଯାଏ। ବିଜ୍ଞାନ ଏବେ ଏ ସବୁରେ ସଫଳତା ପାଇଁ ପ୍ରୟାସ ଆରମ୍ଭ କରିଛି। ଅନ୍ୟର ମନ ଭିତରେ କ’ଣ ଅଛି ତାହା ଯଦି ଜାଣିହୁଅନ୍ତା ତେବେ ସମାଜରୁ ଅନେକ ଭୁଲ୍‌ ବୁଝାମଣା ଦୂରେଇଯିବ। ଯେକୌଣସି ଜିନିଷ ଛୁଇଁବା, ସ୍ବାଦକୁ ଚାଖିବା କିମ୍ବା ସୁଖଦୁଃଖ ଇତ୍ୟାଦିକୁ ଅନୁଭବ ଆମେ ମସ୍ତିଷ୍କ ସାହାଯ୍ୟରେ କରିଥାଉ। ନିମିଷକ ମଧ୍ୟରେ ଆମ ଶରୀରର ସ୍ନାୟୁ ତନ୍ତ୍ର ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମସ୍ତିଷ୍କକୁ ଏ ବିଷୟରେ ଖବର ଦିଏ ଓ ମସ୍ତିଷ୍କ ଶରୀରକୁ ଅବଗତ କରାଇଥାଏ। ଅର୍ଥାତ୍‌ ମଣିଷ ମସ୍ତିଷ୍କ ଭିତରେ ଥିବା ସେଇ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗକୁ ଯଦି ପଢ଼ିହେଲା ତା’ହାଲେ ଜଣେ ମଣିଷ କ’ଣ ଭାବୁଛି ସହଜରେ ଜାଣିହେବ।
ଏହା ହିଁ ଟେଲିପାଥି ବା ମାନସିକ ଦୂରସଂଚାର । ଟେଲିପାଥି ବର୍ତ୍ତମାନ ଅନେକ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନର ବିଷୟ ପାଲଟିଛି, ଯେଉଁଠାରେ ବୈଜ୍ଞାନିକମାନେ ଉନ୍ନତ ସେନ୍ସର ବ୍ୟବହାର କରି ମଣିଷ ମସ୍ତିଷ୍କରେ ତିଆରି ହେଉଥିବା ଶବ୍ଦ, ଚିତ୍ର ଏବଂ ଚିନ୍ତାଧାରାକୁ ପଢ଼ିବା ପାଇଁ ସକ୍ଷମ ହୋଇସାରିଛନ୍ତି। ଏହି ଯୁଗାନ୍ତକାରୀ ସଫଳତା ହୃଦ୍‌ଘାତ କିମ୍ବା ଦୁର୍ଘଟଣାର ଶିକାର ହୋଇ କେବଳ ମସ୍ତିଷ୍କ ଛଡ଼ା ସବୁ ଅଚଳ ହୋଇଥିବା ଲୋକଙ୍କ ପାଇଁ ବରଦାନ ପାଲଟିବ। ସେମାନେ ମନରେ ଭାବି ଆମ ସହ ସ୍ପଷ୍ଟ ଭାବରେ ଭାବର ଆଦାନପ୍ରଦାନ କରିପାରିବେ। କେବଳ ଏତିକି ନୁହେଁ, ଟେଲିପାଥି ଯୋଗୁ କମ୍ପ୍ୟୁଟର ସହିତ ଆମର ଚିରାଚରିତ ମାଉସ୍‌ ଓ ସ୍ବର ନିର୍ଦ୍ଦେଶ ବଦଳରେ ଆମେ ମାନସିକ ଭାବେ ନିର୍ଦ୍ଦେଶ ପ୍ରଦାନ କରିପାରିବା। ଏହାର ଅର୍ଥ ହେଉଛି ଫୋନ୍‌ କରି ଲୋକଙ୍କୁ ଡାକିବା, କ୍ରେଡିଟ୍‌ କାର୍ଡରେ ବିଲ୍‌ ପୈଠ କରିବା, କାର୍‌ ଚଳାଇବା, ମିଟିଂ ପାଇଁ ସମୟ ଚିଠା ପ୍ରସ୍ତୁତ କରିବା, ସଂଗୀତ ତିଆରି କରିବା ଇତ୍ୟାଦି ସବୁ କାର୍ଯ୍ୟ କମ୍ପ୍ୟୁଟର ସହିତ ମନର ଶକ୍ତି ବ୍ୟବହାର କରି ସମ୍ଭବ ହୋଇପାରିବ।
ମସ୍ତିଷ୍କ ଭିତରେ ଭାବର ଆଦାନପ୍ରଦାନ କରିବା ପାଇଁ ସ୍ନାୟୁ ତନ୍ତ୍ରିକା ଇଲେକ୍ଟ୍ରୋନ୍‌ର ଗତି କରିବା ଯୋଗୁ ତିଆରି ହେଉଥିବା ରେଡିଓ ତରଙ୍ଗ ଦ୍ୱାରା ଆମେ ବିଭିନ୍ନ ଜିନିଷ ଅନୁଭବ କରିଥାଉ। କିନ୍ତୁ ମସ୍ତିଷ୍କ ଭିତରେ ସୃଷ୍ଟି ହେଉଥିବା ଏହି ବିଦ୍ୟୁତ୍‌ ତରଙ୍ଗ ଏତେ ନଗଣ୍ୟ ଯେ ଏହାକୁ ମାପିବା କଷ୍ଟକର। ଏଥିପାଇଁ ବୈଜ୍ଞାନିକମାନେ ଏବେ ଅତି ଆଧୁନିକ ଇସିଜି ମେଶିନ ବ୍ୟବହାର କରି ଜଣେ ବ୍ୟକ୍ତି ମନ ଭିତରେ କ’ଣ କଳ୍ପନା କରୁଛି ତା’ର ପାଖାପାଖି ଅନୁମାନ ଲଗେଇବାରେ ସକ୍ଷମ ହୋଇଛନ୍ତି। ଠିକ୍‌ ଏକ କାଳ୍ପନିକ ସିନେମାର ବିଷୟବସ୍ତୁ ଭଳି ଜଣେ ମଣିଷକୁ ସେନ୍ସର ଥିବା ଏକ ହେଲମେଣ୍ଟ ପିନ୍ଧାଇ ତା’ର କଳ୍ପନା ଶକ୍ତି ସହ ତାଳ ଦେଇ ସୃଷ୍ଟି ହେଉଥିବା ଇସିଜି ଚିତ୍ର ଏହି ବୈପ୍ଳବିକ ଦୁନିଆର ଚାବି ମଣିଷ ହାତରେ ଧରେଇ ଦେଇଛି। ହେଲମେଣ୍ଟ ପିନ୍ଧିଥିବା ବ୍ୟକ୍ତି ଜଣକ ମନରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟର କଳ୍ପନା କଲାବେଳେ ତିଆରି ହେଉଥିବା ଇସିଜି ଚିତ୍ରକୁ ତୁଳନା କରି ମଣିଷ ମନ ସହ ସଂଯୋଗ ସ୍ଥାପନ କରାଯାଇପାରୁଛି। ଏହି ଟେଲିପାଥି ବିଷୟରେ ସବୁଠୁ ବେଶି ଗବେଷଣା ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଚାଲିଛି, ଯୋଉଠି ବୈଜ୍ଞାନିକମାନେ ମଣିଷ ମନର ଭିଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇସାରିଲେଣି। ଅର୍ଥାତ୍‌ ମଣିଷ ମନକୁ ପଢ଼ି ଚିତ୍ର ଆକାରରେ ପ୍ରକାଶ କରିବାର ଅପୂର୍ବ ସଫଳତା ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍‌ ହେବନି। ଏହି ପଦ୍ଧତିରେ ଜଣେ ସ୍ବେଚ୍ଛାସେବୀଙ୍କୁ ଶୁଆଇଦେଇ ଏମ୍‌ଆର୍‌ଆଇ ମେଶିନ ଭିତରକୁ ପୂରେଇ ଦିଆଯାଏ ଓ ତାକୁ ବିଭିନ୍ନ ପ୍ରକାରର ସିନେମା କ୍ଲିପ୍‌, ଚିତ୍ର ଦେଖିବାକୁ ଦିଆଯାଏ। ଲୋକ ଜଣକ ଘଣ୍ଟା ଘଣ୍ଟା ହଲ୍‌ଚଲ ନ ହୋଇ ସ୍ଥିର ଭାବେ ସେ ଚିତ୍ର ଓ ଭିଡିଓ କ୍ଲିପ୍‌ ଦେଖେ। ଏହି ସମୟରେ ଶୋଇଥିବା ଲୋକର ମସ୍ତିଷ୍କ ଭିତରେ ରକ୍ତ ସଞ୍ଚାଳନର ଥ୍ରୀ ଡି ଚିତ୍ର ଏମ୍‌ଆର୍‌ଆଇ ମେଶିନ ସାହାଯ୍ୟରେ ରେକର୍ଡ କରାଯାଏ। ଭିଡିଓ ଓ ଚିତ୍ର ଦେଖିବା ବେଳେ ମସ୍ତିଷ୍କ ଭିତରେ ହେଉଥିବା ପ୍ରତିକ୍ରିୟାକୁ ଏମ୍‌ଆର୍‌ଆଇ ମେଶିନ ଚିତ୍ର ଆକାରରେ ରେକର୍ଡ କରି ରଖେ ଓ ଏହାକୁ ବୈଜ୍ଞାନିକମାନେ ଏକ ଗାଣିତିକ ସମୀକରଣ ସାହାଯ୍ୟରେ ପଢ଼ି ପାରିବାରେ ସକ୍ଷମ ହୋଇପାରିଛନ୍ତି। ଫଳରେ ଜଣେ ମଣିଷ ମନରେ ଅଚାନକ ତିଆରି ହେଉଥିବା ଚିତ୍ରକୁ ମଧ୍ୟ ଠାବ କରାଯାଇପାରୁଛି।
ଜଣେ ମଣିଷ କ’ଣ ଭାବୁଛି ତାହା ପଢ଼ିବା ପାଇଁ ମଣିଷ ଖପୁରିର ଏକ ଅଂଶ କାଢ଼ି ତା’ ଭିତରେ ଇଲେକ୍ଟ୍ରୋଡ୍‌କୁ ରଖାଯାଏ, ଯାହା ମସ୍ତିଷ୍କରେ ତିଆରି ହେଉଥିବା ବିଦ୍ୟୁତ୍‌ ତରଙ୍ଗଗୁଡ଼ିକୁ ସିଧାସଳଖ ମାପିପାରେ। ଏହିସବୁ ଗବେଷଣାର ଅନେକ ସୁଫଳ ସମାଜକୁ ମିଳିବ। ଆମେ ଡାକ୍ତରଖାନା ଗଲେ ରକ୍ତର ରାସାୟନିକ ବିଶ୍ଳେଷଣ କରି ଡାକ୍ତର ଶରୀରର ସ୍ବାସ୍ଥ୍ୟ ଏବଂ ସମ୍ଭାବ୍ୟ ରୋଗ ଚିହ୍ନଟ କରିଥାନ୍ତି। ଯଦି ରକ୍ତରେ ଚର୍ବିର ମାତ୍ରା ଅଧିକ ମିଳେ ତା’ହାଲେ ହୃଦ୍‌ଘାତର ସମ୍ଭାବନା ଥାଏ ଓ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ଠିକ୍‌ ସେହିପରି ମସ୍ତିଷ୍କର ବିଦ୍ୟୁତ୍‌ ତରଙ୍ଗକୁ ଅଧ୍ୟୟନ କରି କିଛି ମିନିଟ୍‌ ମଧ୍ୟରେ ଅନେକ ଦୁରାରୋଗ୍ୟକୁ ଚିହ୍ନଟ କରିହେବ। ଜଣେ ମଣିଷ କ’ଣ ଭାବୁଛି ତାହା ଜାଣିଲା ପରେ ବୈଜ୍ଞାନିକମାନେ ଅନେକ କିଛି କରିପାରିବେ। ବ୍ୟକ୍ତି ଜଣକ ଆତ୍ମହତ୍ୟା, ଚୋରି କିମ୍ବା କିଛି ଅଘଟଣ କରିବାକୁ ଚାହୁଁଛି ତାହା ମଧ୍ୟ ଜଣାପଡ଼େ। ତେଣୁ ଅନ୍ୟର ମସ୍ତିଷ୍କ ପଢ଼ି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଅଟକାଇହେବ। ଏହାଦ୍ୱାରା ଭବିଷ୍ୟତରେ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ସଫଳ ଚିକିତ୍ସା ମଧ୍ୟ କରିହେବ। କାରଣ ବର୍ତ୍ତମାନ ଏହାର ସଫଳ ଚିକିତ୍ସା ନାହିଁ କହିଲେ ଚଳେ। ବିନା କିଛି ଔଷଧରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମସ୍ତିଷ୍କକୁ ବୈଦ୍ୟୁତିକ ତରଙ୍ଗ ସାହାଯ୍ୟରେ ଚିକିତ୍ସା କରିହେବ। ଅର୍ଥାତ୍‌ ଭବିଷ୍ୟତରେ ଆମ ଆଗରେ ଛିଡ଼ା ହୋଇଥିବା ମଣିଷକୁ ଅନେଇବା ମାତ୍ରେ ସେ କ’ଣ ଭାବୁଛି, କ’ଣ କରିବାକୁ ଯାଉଛି ଓ ତା’ର ରୁଚି କ’ଣ ଆମେ ନିମିଷକେ ଜାଣିପାରିବା। ତା’ମାନେ ଅପରାଧ ଓ ଆପରାଧିକତା ମାନସିକତା ଉପରେ ଅଙ୍କୁଶ ଆପେ ଆପେ ଲାଗିବ। ଏହି ଜ୍ଞାନକୌଶଳର ବ୍ୟାପକ ବ୍ୟବହାର ଆମ୍ଭର ନିତିଦିନିଆ ଜୀବନରେ ହେବାକୁ ଯାଉଛି। ପ୍ରଚଣ୍ଡ ସମ୍ଭାବନା ଥିବା ଏହି ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ ଏବେ ଅନେକ ଘରୋଇ ପ୍ରତିଷ୍ଠାନ ଆଗେଇ ଆସିଲେଣି। ନିକଟରେ ସାମାଜିକ ଗଣମାଧ୍ୟମ ସଂସ୍ଥା ଫେସ୍‌ବୁକ୍‌ ମଧ୍ୟ ଏହି ଗବେଷଣା ଉପରେ ବିପୁଳ ଅର୍ଥ ବିନିଯୋଗ କରିବାକୁ ଘୋଷଣା କରିଛି। ପିନ୍ଧିବା ଭଳି ଏକ ଯନ୍ତ୍ର, ଯାହାକୁ ପିନ୍ଧିଲା ମାତ୍ରକେ ଭାବନାକୁ ଶବ୍ଦରେ ପ୍ରକାଶ କରିହେବ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି।

  • ଡ. ନରେନ୍ଦ୍ର ସେଠୀ
    ଯାଦୁଗୁଡ଼ା, ପୂର୍ବ ସିଂଭୂମି, ଝାଡ଼ଖଣ୍ଡ
    ମୋ: ୦୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri