ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ଆଜିକାଲି ଜବରଦସ୍ତ ଫର୍ମରେ ଅଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ତାଙ୍କ ବ୍ୟାଟ୍ରୁ ଏହାର ପ୍ରମାଣ ମଧ୍ୟ ମିଳିଛି। ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିବା ଗିଲ ଦ୍ୱିତୀୟ ମ୍ୟାଚରେ ଦ୍ୱିଶତକ ହାସଲ କରି ଚର୍ଚ୍ଚାରେ ରହିଛନ୍ତି।
ଗୁଆହାଟୀ ଦିନିକିଆରେ ଗିଲ ଅପରାଜିତ ୨୨୩ ରନର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ଏହି ଇନିଂସ ବଳରେ ଭାରତ ଦିନିକିଆ କ୍ରିକେଟ୍ରେ ପ୍ରଥମ ଥର ପାଇଁ ୪୦୦ରୁ ଅଧିକ ରନ୍ର ଲକ୍ଷ୍ୟକୁ ସଫଳତାର ସହ ପିଛା କରିଥିଲା। ଗିଲଙ୍କ ଏଭଳି ଧମାକାଦାର ବ୍ୟାଟିଂ ପରେ ତାଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଜୋର ଧରିଛି। କ୍ୟାରିୟର ଶେଷ କରିବା ବେଳକୁ ଗିଲ କେତେଟି ଦ୍ୱିଶତକ ହାସଲ କରିପାରିବେ, ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।
ପୂର୍ବତନ ଭାରତୀୟ କ୍ରିକେଟର୍ ମହମ୍ମଦ କୈଫ ଗିଲଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ସହ ତାଙ୍କୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। କୈଫଙ୍କ ମତରେ ଗିଲ ନିଜ କ୍ରିକେଟ କ୍ୟାରିୟର ଶେଷ କରିବା ବେଳକୁ ୧୦ଟି ଦ୍ୱିଶତକ ହାସଲ କରିପାରନ୍ତି। ଗିଲ କେବଳ ଦିନିକିଆ ଫର୍ମାଟରେ ଆହୁରି ୮ଟି ଦ୍ୱିଶତକ ମାରିପାରନ୍ତି। ଗିଲ ଏପର୍ଯ୍ୟନ୍ତ ୨ଟି ଦ୍ୱିଶତକ ହାସଲ କରିସାରିଛନ୍ତି।
କୈଫଙ୍କ ମତରେ ଗିଲଙ୍କ ଶଟ ଖେଳିବାର ଦକ୍ଷତା ବହୁତ ଭଲ। ଏହି କାରଣରୁ ସେ ଆଗାମୀ ଦିନରେ ଆହୁରି ବଡ଼ ଇନିଂସ ଖେଳିପାରିବେ। ଏଥିସହ ଗିଲ ଖୁବଶୀଘ୍ର ଟି-୨୦ ଫର୍ମାଟକୁ ମଧ୍ୟ ଫେରିବେ ବୋଲି କୈଫ କହିଛନ୍ତି।
୨୦୨୬ ବର୍ଷରେ ଶୁଭମନ ଗିଲଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଚଳିତ ବର୍ଷ ଦିନିକିଆରେ ୧୦ଟି ଇନିଂସ୍ରୁ ୮୯୪ ରନ ସଂଗ୍ରହ କରିଛନ୍ତି ଗିଲ। ତାଙ୍କ ବ୍ୟାଟିଂ ଆଭରେଜ ୧୨୭.୭୧ ଥିବାବେଳେ ଷ୍ଟ୍ରାଇକ ରେଟ ରହିଛି ୧୧୯.୫୨।
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ େ ନ୍ୟୁ ଚଣ୍ଡୀଗଡ଼ରେ ଖେଳାଯିବ। ଏହି ମ୍ୟାଚ୍ରେ ଗିଲଙ୍କ ପାଖରେ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି। ତିନି ମ୍ୟାଚ୍ର ଦିନିକିଆ ସିରିଜରେ ଏପର୍ଯ୍ୟନ୍ତ କୌଣସି ଭାରତୀୟ କ୍ରିକେଟର୍ ସମସ୍ତ ତିନୋଟି ମ୍ୟାଚ୍ରେ ଶତକ ହାସଲ କରିନାହାନ୍ତି। ବିରାଟ କୋହଲି ଗୋଟିଏ ସିରିଜରେ ଦୁଇଥର ତିନୋଟି ଲେଖାଏ ଶତକ ମାରିଛନ୍ତି, କିନ୍ତୁ ସେହି ସିରିଜଗୁଡ଼ିକ ୫ ଓ ୬ ମ୍ୟାଚ ବିଶିଷ୍ଟ ଥିଲା। ଯଦି ଗିଲ ତୃତୀୟ ମ୍ୟାଚ୍ରେ ମଧ୍ୟ ଶତକ ହାସଲ କରନ୍ତି, ତେବେ ସେ ତିନି ମ୍ୟାଚ୍ର ଦିନିକିଆ ସିରିଜର ପ୍ରତ୍ୟେକ ମ୍ୟାଚ୍ରେ ଶତକ ମାରିଥିବା ପ୍ରଥମ ଭାରତୀୟ କ୍ରିକେଟର୍ ହେବେ। ଗିଲଙ୍କ ବର୍ତ୍ତମାନର ଫର୍ମକୁ ଦେଖି ଏହି ରେକର୍ଡ ଉପରେ ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily

