ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ ଶତାବ୍ଦୀର ସେହି କାଳଖଣ୍ଡରେ, ଯେତେବେଳେ ସମଗ୍ର ବିଶ୍ୱ ଯାନ୍ତ୍ରିକ ସଭ୍ୟତା ଓ ପୁଞ୍ଜିବାଦର ଅନ୍ଧ ଅନୁକରଣରେ ବ୍ୟସ୍ତ ଥିଲା, ସେତେବେଳେ ଭାରତରେ ଜଣେ ସାଧାରଣ ଆଣ୍ଠୁଲୁଗା ପିନ୍ଧା ମଣିଷ ବିଶ୍ୱ ଇତିହାସର ସବୁଠାରୁ ବଡ଼ ମାନବୀୟ ବିପ୍ଳବର ସୂତ୍ରପାତ କରିଥିଲେ। ସେହି ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଆଜି ଏକବିଂଶ ଶତାବ୍ଦୀର ଜଳବାୟୁ ସଙ୍କଟ ଓ ପରିବେଶ ଅବକ୍ଷୟର କରାଳ ରୂପ ସାମ୍ନାରେ ଠିଆ ହୋଇ ଯେତେବେଳେ ସମଗ୍ର ବିଶ୍ୱ ଏକ ସବୁଜ ଭବିଷ୍ୟତ ପାଇଁ ବ୍ୟକୁଳ ହେଉଛି, ସେତେବେଳେ ଗାନ୍ଧିଜୀଙ୍କ ସେହି ସ୍ବଦେଶୀ ଚିନ୍ତାଧାରା ଓ ପରିବେଶ ଦର୍ଶନ ବଡ଼ ମହାମନ୍ତ୍ର ଭାବେ ଉଭା ହୋଇଛି। ଗାନ୍ଧୀ କେବଳ ଜଣେ ରାଜନୈତିକ ସଂଗ୍ରାମୀ ନ ଥିଲେ, ସେ ଥିଲେ ବିଶ୍ୱର ପ୍ରଥମ ଏବଂ ସବୁଠାରୁ ଦୂରଦୃଷ୍ଟିସମ୍ପନ୍ନ ପରିବେଶବିତ୍‌, ଯାହାଙ୍କର ପ୍ରତିଟି ବିଚାରରେ ପ୍ରକୃତି ସହ ମାନବ ଜାତିର ନିବିଡ଼ ସମ୍ପର୍କ ପ୍ରତିଫଳିତ ହେଉଥିଲା।
ଗାନ୍ଧିଜୀଙ୍କ ଜୀବନ ଦର୍ଶନ ଏବଂ ତାଙ୍କ ଦ୍ୱାରା ପରିଚାଳିତ ‘ସ୍ବଦେଶୀ ଆନ୍ଦୋଳନ’ର ମୂଳଦୁଆ କେବଳ ବ୍ରିଟିଶ ଅର୍ଥନୀତିକୁ ପ୍ରତିହତ କରିବା ମଧ୍ୟରେ ସୀମିତ ନ ଥିଲା ବରଂ ଏହା ଥିଲା ପ୍ରକୃତି ଅନୁକୂଳ ଏକ ସ୍ଥାୟୀ ଜୀବନଶୈଳୀର ମହାନ୍‌ ଉଦ୍‌ଘୋଷ। ବାପୁ ସଦାବେଳେ ପୁଞ୍ଜିବାଦୀ ଔଦ୍ୟୋଗୀକରଣ ଦୌଡ଼ର ବିରୋଧ କରୁଥିଲେ, ଯାହା ମଣିଷକୁ ପ୍ରକୃତିର ମାଲିକ ସଜାଇ ତା’ର ଶୋଷଣ କରିବାକୁ ପ୍ରୋତ୍ସାହିତ କରେ। ସେ କେବଳ ବିଲାତି କପଡ଼ା ବର୍ଜନ କରିବାର ଆହ୍ବାନ ଦେଇ ନ ଥିଲେ ବରଂ ନିଜ ହାତରେ ଚରଖା ଚଲାଇ ଏବଂ ଖଦି ବସ୍ତ୍ର ଆପଣେଇ ଏକ ବିକେନ୍ଦ୍ରୀକୃତ, ପରିବେଶ ଅନୁକୂଳ ଏବଂ ସ୍ବଳ୍ପ ସମ୍ବଳଭିତ୍ତିକ ଅର୍ଥନୀତିର ମୂଳଦୁଆ ପକାଇଥିଲେ। ସେ ମାନବ ଜାତିକୁ ଚେତାଇ ଦେଇ ସେହି ଅମର ବାଣୀ ଶୁଣାଇଥିଲେ, ଯାହା ଆଜିର ପରିବେଶ ବିଜ୍ଞାନର ସବୁଠାରୁ ବଡ଼ ସତ୍ୟ: ”ପୃଥିବୀ ପାଖରେ ମଣିଷର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ସମ୍ବଳ ଅଛି, କିନ୍ତୁ ତା’ର ଲୋଭ ପୂରଣ କରିବା ପାଇଁ ନୁହେଁ।“
ଆଜିର ଉପଭୋକ୍ତାବାଦୀ ସମାଜରେ ମଣିଷର ଅସୀମ ଲୋଭ ଯୋଗୁ ପ୍ରକୃତି ଆଜି କ୍ଷତବିକ୍ଷତ। ପାହାଡ଼ କଟାଚାଲିଛି, ଅରଣ୍ୟ ସଫା ହେଉଛି, କଳକାରଖାନାର ବିଷାକ୍ତ ଧୂଆଁରେ ବାୟୁମଣ୍ଡଳ ଆବିଳ ହେଉଛି ଏବଂ ନଦୀଗୁଡ଼ିକ ବର୍ଜ୍ୟବସ୍ତୁର ଭଣ୍ଡାର ପାଲଟିଛନ୍ତି। ଫଳସ୍ବରୂପ, ଗ୍ଲୋବାଲ ୱାର୍ମିଂ ବା ବିଶ୍ୱତାପନ, ମରୁଡ଼ି, ଅଦିନିଆ ବନ୍ୟା ଓ ସାମୁଦ୍ରିକ ବାତ୍ୟା ଭଳି ମହାବିପତ୍ତି ମାନବ ସଭ୍ୟତାର ଅସ୍ତିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଗାନ୍ଧୀଙ୍କ ‘ଟ୍ରଷ୍ଟିଶିପ୍‌’ ବା ନ୍ୟାସିତ୍ୱ ଅବଧାରଣା ଆମକୁ ଏକ ନୂଆ ଦିଗ ଦେଖାଏ। ଏହି ଦର୍ଶନ ଶିଖାଏ ଯେ ମଣିଷ ପ୍ରକୃତି ଓ ଏହି ପୃଥିବୀର ମାଲିକ ନୁହେଁ ବରଂ ସେ ହେଉଛି ଆଗାମୀ ପିଢ଼ି ପାଇଁ ଏହାର କେବଳ ଜଣେ ରକ୍ଷଣାବେକ୍ଷଣକାରୀ ବା ସଂରକ୍ଷକ। ଆମକୁ ଆମର ଆବଶ୍ୟକତାକୁ ସୀମିତ କରିବାକୁ ହେବ ଏବଂ ପ୍ରକୃତି ସହ କୌଣସି ପ୍ରତିଯୋଗିତା ନ କରି ଶାନ୍ତିପୂର୍ଣ୍ଣ ସହାବସ୍ଥାନର ସୂତ୍ର ଆପଣାଇବାକୁ ପଡ଼ିବ।
ବାପୁଙ୍କର ‘ସ୍ବଦେଶୀ’ ଚିନ୍ତାଧାରା ମୂଳତଃ ସ୍ଥାନୀୟ ପରିବେଶ ଓ ସମ୍ବଳର ସୁରକ୍ଷା ଉପରେ ଆଧାରିତ ଥିଲା। ସେ ଚାହୁଁଥିଲେ ବିକାଶର ଧାରା ସହର କୈନ୍ଦ୍ରିକ ନ ହୋଇ ଗ୍ରାମାଭିମୁଖୀ ହେଉ, ଯାହାକୁ ସେ ‘ଗ୍ରାମ ସ୍ବରାଜ’ ବୋଲି କହୁଥିଲେ। ଗାଁର କୁଟିର ଶିଳ୍ପ, ପାରମ୍ପରିକ କୃଷି ପ୍ରଣାଳୀ ଏବଂ ହସ୍ତଶିଳ୍ପର ବିକାଶ ଦ୍ୱାରା ବାହ୍ୟ ଜଗତ ଉପରେ ନିର୍ଭରଶୀଳତା କମିବା ସହ ପରିବେଶର ସନ୍ତୁଳନ ରକ୍ଷା ହୋଇପାରିବ। ଆଜିର ଯୁଗରେ ଆମେ ଯେଉଁ କାର୍ବନ ନିର୍ଗମନ କମାଇବା କଥା କହୁଛୁ, ଗାନ୍ଧିଜୀଙ୍କ ସ୍ବଦେଶୀ ଆନ୍ଦୋଳନ ଥିଲା ତାହାର ସର୍ବଶ୍ରେଷ୍ଠ ଓ ପ୍ରାକୃତିକ ସମାଧାନ। ଆଞ୍ଚଳିକ ସ୍ତରରେ ସାମଗ୍ରୀ ଉତ୍ପାଦନ ଏବଂ ତାହାର ବ୍ୟବହାର ଦ୍ୱାରା ପରିବହନଜନିତ ପ୍ରଦୂଷଣ ହ୍ରାସ ପାଇଥାଏ। ଆଜିର ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ଏବଂ ‘ସଷ୍ଟେନେବଲ୍‌ ଡେଭଲପମେଣ୍ଟ’ର ଯେଉଁ ସ୍ଲୋଗାନ ଆମେ ଶୁଣୁଛୁ, ତାହାର ବାସ୍ତବ ପ୍ରେରଣା ହେଉଛନ୍ତି ମହାତ୍ମା ଗାନ୍ଧୀ।
ଗାନ୍ଧିଜୀଙ୍କ ବ୍ୟକ୍ତିଗତ ଜୀବନଶୈଳୀ ପରିବେଶ ସୁରକ୍ଷାର ଏକ ଉଜ୍ଜ୍ୱଳ ନିଦର୍ଶନ ଥିଲା। ସେ ସାବରମତୀ କିମ୍ବା ସେବାଗ୍ରାମ ଆଶ୍ରମରେ ରହୁଥିବା ସମୟରେ ଜଳର ପ୍ରତିଟି ବୁନ୍ଦାର ସଂରକ୍ଷଣ ଉପରେ ଜୋର ଦେଉଥିଲେ। ସେ କହୁଥିଲେ ଯେ ନଦୀରେ ଅସୀମ ଜଳ ଥିଲେ ମଧ୍ୟ ଆମକୁ କେବଳ ଆମ ଆବଶ୍ୟକତା ମୁତାବକ ପାଣି ବ୍ୟବହାର କରିବାର ଅଧିକାର ଅଛି, ଅପଚୟ କରିବାର ନୁହେଁ। ବର୍ଜ୍ୟବସ୍ତୁର ପୁନଃବ୍ୟବହାର ଏବଂ ସ୍ବଚ୍ଛତା ଉପରେ ତାଙ୍କର ବିଶ୍ୱାସ ଥିଲା। ସେ ନିଜର ଶୌଚାଳୟ ସଫା କରୁଥିଲେ ଏବଂ ଅଳିଆ ଆବର୍ଜନାରୁ ଜୈବିକ ସାର ପ୍ରସ୍ତୁତ କରିବାକୁ ଆଶ୍ରମବାସୀଙ୍କୁ ଶିଖାଉଥିଲେ। ଏବେ ଦେଶରେ ଚାଲିଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ ତାଙ୍କରି ପବିତ୍ର ଚିନ୍ତାଧାରାର ଏକ ଆଧୁନିକ ରୂପ। କିନ୍ତୁ ଏହି ସ୍ବଚ୍ଛତା କେବଳ ରାସ୍ତାଘାଟ ସଫା କରିବା ମଧ୍ୟରେ ସୀମିତ ନୁହେଁ, ଏହା ହେଉଛି ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧ।
ସ୍ବଦେଶୀ ଆନ୍ଦୋଳନର ସେହି ପୁରୁଣା ‘ଚରଖା’ ଆଜିର ସମୟରେ ଏକ ସବୁଜ ଭବିଷ୍ୟତର ପ୍ରତୀକ ସାଜିଛି। ଖଦି ବସ୍ତ୍ରର ଉତ୍ପାଦନରେ କୌଣସି କୃତ୍ରିମ ରସାୟନ କିମ୍ବା ବଡ଼ ବଡ଼ ଯନ୍ତ୍ରର ବ୍ୟବହାର ହୁଏନାହିଁ, ଯାହା ଫଳରେ ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ। ଆଜିର ଫ୍ୟାଶନ ଜଗତରେ ଯେତେବେଳେ ସିନ୍ଥେଟିକ୍‌ ଏବଂ ପ୍ଲାଷ୍ଟିକ୍‌ ମିଶ୍ରିତ ପୋଷାକ ପରିବେଶ ପାଇଁ ମହାବିପଦ ସୃଷ୍ଟି କରୁଛି, ସେତେବେଳେ ଖଦିର ପୁନର୍ଜାଗରଣ ଆମକୁ ସବୁଜ ଜୀବନଶୈଳୀ ଆଡ଼କୁ ଆକର୍ଷିତ କରୁଛି। ଠିକ୍‌ ସେହିପରି ଗାନ୍ଧିଜୀଙ୍କ କୃଷିଭିତ୍ତିକ ବିଚାର ମଧ୍ୟ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରେ। ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଦ୍ୱାରା ମାଟି ତା’ର ଉର୍ବରତା ହରାଉଥିବା ସମୟରେ, ବାପୁଙ୍କ ଜୈବିକ ସଂରକ୍ଷଣର ନୀତି ହିଁ ମାଟି ମା’କୁ ରକ୍ଷା କରିପାରିବ।
ମହାତ୍ମା ଗାନ୍ଧୀ ହେଉଛନ୍ତି ଏକ ଅମର ଏବଂ ଜୀବନ୍ତ ଚେତନା। ଏକବିଂଶ ଶତାବ୍ଦୀର ଏହି ଯାନ୍ତ୍ରିକ ଯୁଗରେ ଆମକୁ ଏକ ସବୁଜ ଓ ସୁନ୍ଦର ଭବିଷ୍ୟତ ଗଢ଼ିବାକୁ ହେଲେ ବାପୁଙ୍କ ସେହି ସ୍ବଦେଶୀ ଆଦର୍ଶକୁ ନିଜ ଆଚରଣରେ ସାମିଲ କରିବାକୁ ହେବ। କେବଳ ସରକାରୀ ନିୟମ କିମ୍ବା ଅନ୍ତର୍ଜାତୀୟ ସମ୍ମିଳନୀ ଦ୍ୱାରା ପରିବେଶ ସୁରକ୍ଷା ସମ୍ଭବ ନୁହେଁ, ଏଥିପାଇଁ ପ୍ରତିଟି ନାଗରିକଙ୍କ ଭିତରେ ଗାନ୍ଧୀବାଦୀ ଚେତନାର ଜାଗରଣ ଆବଶ୍ୟକ। ଯେତେବେଳେ ଆମେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା, ଗଛଟିଏ ଲଗାଇବା, ଜଳ ଓ ଶକ୍ତିର ସଂରକ୍ଷଣ କରିବା ଏବଂ ସ୍ଥାନୀୟ ପ୍ରାକୃତିକ ସାମଗ୍ରୀକୁ ଆପଣାଇବା, ସେତେବେଳେ ଯାଇ ବାପୁଙ୍କ ପ୍ରତି ପ୍ରକୃତ ସମ୍ମାନ ପ୍ରଦର୍ଶନ ହେବ।
ଆସନ୍ତୁ, କେବଳ ସଭାସମିତି ଏବଂ ପୁସ୍ତକର ପୃଷ୍ଠାରେ ଗାନ୍ଧୀଙ୍କୁ ସୀମିତ ନ ରଖି, ନିଜର ପ୍ରତିଟି ସଂକଳ୍ପରେ ଏବଂ କର୍ମରେ ତାଙ୍କ ସ୍ବଦେଶୀ ଦର୍ଶନକୁ ଜୀବନ୍ତ କରିବା; ମହାତ୍ମାଙ୍କ ପ୍ରଦର୍ଶିତ ଆଲୋକରେ ଏକ ପ୍ରଦୂଷଣମୁକ୍ତ ଭବିଷ୍ୟତ ନିର୍ମାଣ ପାଇଁ ଆଗେଇ ଚାଲିବା!

ଅରୁଣ କୁମାର ମହାରଣା
ଶିକ୍ଷକ, ଜଗତ୍‌ସିଂହପୁର
ମୋ: ୭୩୨୬୮୨୪୯୯୬

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?