ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି ପକାଇବା। ମୁଁ ଏହା ଲେଖୁଥିବା ସମୟରେ ମୋଦି ସରକାର ଆନ୍ଦୋଳନକାରୀଙ୍କୁ ସମାବେଶ କରିବାକୁ ରୋକୁଛନ୍ତି, କାରଣ ମୁଖ୍ୟ ନିର୍ୱାଚନ କମିଶନରଙ୍କୁ ଉତ୍ତରଦାୟିତ୍ୱରୁୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି। ତାଙ୍କର ଅନିୟମିତତାକୁ ନେଇ ତଥ୍ୟ ଆମ ସମ୍ମୁଖରେ ଅଛି, ଏଥିରେ କୌଣସି ବିବାଦର ପ୍ରଶ୍ନ ନାହିଁ। କିନ୍ତୁ ସରକାର ‘ଯାହା କରିବା କଥା କର’ ମନୋଭାବ ଆପଣାଇଛନ୍ତି। ଏହା କ’ଣ ତିଷ୍ଠିପାରିବ? ଆମେ ସେହି ବିଷୟକୁ ପରେ ଆସିବା, କିନ୍ତୁ ପ୍ରଥମେ ଆଉ ଏକ ପ୍ରସଙ୍ଗକୁ ଦେଖିବା। ଭାରତରେ ଗାନ୍ଧିଜୀଙ୍କର ପ୍ରଥମ ପ୍ରତିବାଦ ୧୯୧୭ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ତାଙ୍କ ବୟସ ଥିଲା ୪୭ ବର୍ଷ। ସେ ଜାଣିବାକୁ ପାଇଲେ ଯେ,‘ତିନକାଠିଆ’ ବ୍ୟବସ୍ଥା ଅଧୀନରେ ଚମ୍ପାରଣର ଭାଗଚାଷୀମାନେ ଆଇନ ଅନୁଯାୟୀ ନିଜ ଜମିର ୧୫% ଭାଗରେ ନୀଳଚାଷ କରିବାକୁ ବାଧ୍ୟ ହେଉଥିଲେ। ଗାନ୍ଧିଜୀ ଚମ୍ପାରଣକୁ ଯାଇ ଏକ ତଥ୍ୟ ଅନୁସନ୍ଧାନ ଅଭିଯାନ ଆରମ୍ଭ କରିବା ପାଇଁ ସ୍ଥିର କଲେ। ହେଲେ ବ୍ରିଟିଶ ମାଜିଷ୍ଟ୍ରେଟ ତାଙ୍କୁ ଚମ୍ପାରଣ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ। ଗାନ୍ଧିଜୀ ସେହି ଆଦେଶ ମାନିବାକୁ ମନା କଲେ। ଏହା ପରେ ଯାହା ଘଟିଲା ସେ ବିଷୟରେ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି:
”କଲେକ୍ଟର, ମାଜିଷ୍ଟ୍ରେଟ, ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଏବଂ ମୋ ମଧ୍ୟରେ ଏକ ପ୍ରକାର ବନ୍ଧୁତ୍ୱପୂର୍ଣ୍ଣ ଭାବ ସୃଷ୍ଟି ହେଲା। ମୋତେ ଦିଆଯାଇଥିବା ନୋଟିସ୍‌ଗୁଡ଼ିକୁ ମୁଁ ଆଇନଗତ ଭାବେ ବିରୋଧ କରିପାରିଥାନ୍ତି। କିନ୍ତୁ ତାହା ନ କରି ମୁଁ ସେସବୁକୁ ଗ୍ରହଣ କଲି ଏବଂ ଅଧିକାରୀମାନଙ୍କ ପ୍ରତି ମୋର ବ୍ୟବହାର ସମ୍ପୂର୍ଣ୍ଣ ଶାଳୀନ ଥିଲା। ଏହାଦ୍ୱାରା ସେମାନେ ବୁଝିପାରିଲେ ଯେ, ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେବାକୁ ଚାହୁଁନାହିଁ, ବରଂ ସେମାନଙ୍କ ଆଦେଶ ବିରୋଧରେ ସତ୍ୟାଗ୍ରହ କରିବାକୁ ଚାହୁଁଛି। ଏହିପରି ଭାବରେ ସେମାନେ ଆଶ୍ୱସ୍ତ ହେଲେ ଏବଂ ମୋତେ ହଇରାଣ କରିବା ପରିବର୍ତ୍ତେ ମୋର ଓ ମୋ ସହକର୍ମୀଙ୍କ ସହଯୋଗରେ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ଆଗେଇ ଆସିଲେ। କିନ୍ତୁ ଏହା ଏକ ପ୍ରତ୍ୟକ୍ଷ ପ୍ରମାଣ ଥିଲା ଯେ ସେମାନଙ୍କର କ୍ଷମତା ଦୋହଲି ଯାଇଛି। ଇଂରେଜମାନେ ସ୍ଥିତିକୁ ଆକଳନ କରି ବୁଝିଗଲେ ଯେ, ଏଥିରେ ସେମାନଙ୍କର ବିଜୟ ଅସମ୍ଭବ। ଗାନ୍ଧିଜୀ ଲେଖିଛନ୍ତି-”କୋର୍ଟରେ ହାଜର ହୋଇ ଦଣ୍ଡାଦେଶ ଶୁଣିବା ପୂର୍ୱରୁ, ମାଜିଷ୍ଟ୍ରେଟ ଜଣାଇଲେ ଯେ ମୋ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ଲ୍ୟୁଟ୍‌ନାଣ୍ଟ ଗଭର୍ନର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କଲେକ୍ଟର ମଧ୍ୟ ମୋତେ ଚିଠି ଲେଖି ଜଣାଇଲେ ଯେ ମୁଁ ପ୍ରସ୍ତାବିତ ତଦନ୍ତ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ସରକାରୀ ଅଧିକାରୀଙ୍କ ତରଫରୁ ଯେଉଁ ସାହାଯ୍ୟ ଆବଶ୍ୟକ, ତାହା ମୋତେ ମିଳିବ। ଏଭଳି ଏକ ଶୀଘ୍ର ଏବଂ ସନ୍ତୋଷଜନକ ନିଷ୍ପତ୍ତି ପାଇଁ ଆମ ଭିତରୁ କେହି ବି ପ୍ରସ୍ତୁତ ନ ଥିଲୁ। ନିଜର ପକ୍ଷ ବା କଥା ରଖିବା ପାଇଁ ଚାଷୀମାନଙ୍କର ପ୍ରବଳ ଭିଡ଼ ଜମିଲା ଏବଂ ସେମାନଙ୍କ ପଛରେ ଅନେକ ହଜାର ସହଯୋଗୀ ଆସି କାର୍ଯ୍ୟାଳୟ ପରିସର ଓ ବଗିଚାରେ ଭର୍ତ୍ତି ହୋଇଗଲେ।“ ଏଠାରେ ଉଲ୍ଲେଖଯୋଗ୍ୟ, ସେତେବେଳେ ବ୍ରିଟିଶ ସରକାର ସହାନୁଭୂତିର ସହ ପଦକ୍ଷେପ ନେଇଥିଲେ।
ଗାନ୍ଧିଜୀ ଲେଖିଛନ୍ତି-”ନିଜର କଥା ରଖିବା ପାଇଁ ଆସୁଥିବା ଭାଗଚାଷୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରୁ ଜମିମାଲିକଙ୍କ କ୍ରୋଧ ବଢ଼ିଲା ଏବଂ ସେମାନେ ମୋ ତଦନ୍ତକୁ ବନ୍ଦ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କଲେ। କିନ୍ତୁ ଲ୍ୟୁଟ୍‌ନାଣ୍ଟ ଗଭର୍ନର ସାର୍‌ ଏଡ୍‌ୱାର୍ଡ ଗେଟ୍‌ ଏକ ତଦନ୍ତ କମିଟି ଗଠନ କରିବାକୁ ସହମତି ପ୍ରକାଶ କରି ମୋତେ ତାଙ୍କୁ ଦେଖାକରିବାକୁ କହିଲେ। ମୋତେ ସେହି କମିଟିର ସଦସ୍ୟ ହେବା ପାଇଁ ଆମନ୍ତ୍ରଣ କଲେ। କମିଟି ଚାଷୀଙ୍କ ସପକ୍ଷରେ ଭୋଟ ଦେଲା ଏବଂ ସୁପାରିସ କଲା ଯେ, ବେଆଇନ ଭାବେ ଜମି ମାଲିକମାନେ ଆଦାୟ କରିଥିବା ଅର୍ଥର ଏକ ଅଂଶ ଫେରାଇ ଦିଆଯାଉ ଏବଂ ଆଇନ ଦ୍ୱାରା ‘ତିନକାଠିଆ’ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ। ପ୍ରାୟ ଏକ ଶତାବ୍ଦୀ ଧରି ପ୍ରଚଳିତ ଥିବା ତିନକାଠିଆ ବ୍ୟବସ୍ଥା ଏହିପରି ଭାବେ ଉଚ୍ଛେଦ ହେଲା ଏବଂ ଏହା ସହିତ ଜମି ମାଲିକଙ୍କ ଆଧିପତ୍ୟର ମଧ୍ୟ ଅବସାନ ଘଟିଲା। ଏହିପରି ଭାବେ ସରକାର ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ପ୍ରତିବାଦର ଅଧିକାରକୁ ସ୍ୱୀକାର କରି ଅନ୍ୟାୟକୁ ଦୂର କରିବା ଉଚିତ।
ଏବକାର ସମୟକୁ ଫେରିବା। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଯୋଗୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଇବା ପରେ ସରକାର ଉତ୍ତରଦାୟିତ୍ୱ ସିଦ୍ଧାନ୍ତକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ। ସରକାର ଏବେ ମୁଖ୍ୟ ନିର୍ୱାଚନ କମିଶନରଙ୍କୁ ପଦରୁ ହଟାଇବା ପ୍ରସ୍ତାବକୁ ପ୍ରତିରୋଧ କରୁଛନ୍ତି। ତେବେ ଏସ୍‌ଆଇଆର୍‌କୁ ନେଇ ସରକାରଙ୍କ ପଛଘୁଞ୍ଚା ଦର୍ଶାଉଛି ଯେ ସରକାର ଚିନ୍ତିତ ହୋଇପଡ଼ିଛନ୍ତି ଏବଂ ଲୋକଙ୍କ ଅସନ୍ତୋଷ କମାଇବା ପାଇଁ କିଛି କୋହଳ କରୁଛନ୍ତି ବୋଲି ଜଣାଇବାକୁ ଚାହଁୁଛନ୍ତି। ପ୍ରକ୍ରିୟାରେ ଟିକେ ପରିବର୍ତ୍ତନ କରି ଏକ ନୂଆ ଫର୍ମ ପୂରଣ କରିବାର ପଦକ୍ଷେପ ନିଆଯାଇଛି। କିନ୍ତୁ ଦୁର୍ଭାଗ୍ୟବଶତଃ, ଏହା କାମ କରିନାହିଁ କାରଣ ନାଗରିକମାନେ ସମ୍ପୂର୍ଣ୍ଣ ଭୋଟରତାଲିକା ଦୁର୍ନୀତି କେତେ ଗୁରୁତର ତାହା ବୁଝିପାରିଛନ୍ତି। ସମସ୍ୟା ହେଉଛି, ନାଗରିକଙ୍କର ଏକ ବଡ଼ ଗୋଷ୍ଠୀ ରାଜପଥକୁ ଓହ୍ଲାଇ ଆସିଲେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼େ। ଏହା ଚାଷୀମାନଙ୍କ କ୍ଷେତ୍ରରେ, ଏନ୍‌ଆର୍‌ସି ପ୍ରସଙ୍ଗରେ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ଘଟିଥିଲା। ଏହା ପୁଣି ଥରେ ଘଟିବ, କାରଣ ଏହାର କୌଣସି ବିକଳ୍ପ ନାହିଁ। ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଆହୁରି ଅଢ଼େଇ ବର୍ଷ ବାକି ଅଛି ଅର୍ଥାତ୍‌ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ରହିଛି। ସରକାର ସେ ପର୍ଯ୍ୟନ୍ତ ତାଙ୍କୁ ରଖିପାରିବେ ବୋଲି ମନେ ହେଉନାହିଁ। ଯଦି ଆନ୍ଦୋଳନକାରୀମାନେ ଏକଜୁଟ ହୋଇ ରହନ୍ତି, ତେବେ ସରକାର ଶେଷରେ ଠିକ୍‌ ପଦକ୍ଷେପ ନେବାକୁ ଏବଂ ଉତ୍ତରଦାୟିତ୍ୱର ସିଦ୍ଧାନ୍ତକୁ ପୁନର୍ୱାର ସ୍ୱୀକାର କରିବାକୁ ବାଧ୍ୟ ହେବେ। ଏହା କହିବା ହୁଏତ ଅଯୌକ୍ତିକ ମନେ ହୋଇପାରେ, କିନ୍ତୁ ଏହା ହିଁ ବାସ୍ତବତା। ମୋଦି ସରକାର ଚମ୍ପାରଣରେ ଗାନ୍ଧୀଙ୍କ ସହ ହୋଇଥିବା ବ୍ରିଟିଶ ଶାସନର ବ୍ୟବହାରରୁ ଶିକ୍ଷା ନେବା ଉଚିତ। ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାରକୁ ସ୍ୱୀକାର କରନ୍ତୁ। କୋଟି କୋଟି ଭୋଟରଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବଦଳାନ୍ତୁ ଏବଂ ଦାୟୀ ବ୍ୟକ୍ତିଙ୍କୁ ଦଣ୍ଡିତ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?