ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍ଏଚ୍ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ କନ୍ଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ), ପୂର୍ବାଞ୍ଚଳ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ‘ଏସ୍ଏଚ୍ଇ ଏକ୍ସଲେନ୍ସ ଆୱାର୍ଡ ୨୦୨୫-୨୬’ରେ ଖଣ୍ଡବନ୍ଧ ଲୁହାପଥର ଖଣି ଲାର୍ଜ ସ୍କେଲ ମାଇନିଂ ସେକ୍ଟର ବା ବୃହତ୍ ଆକାରର ଖଣି କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ (ଓଡ଼ିଶା) ବିଜେତା ପୁରସ୍କାରପ୍ରାପ୍ତ କରିଛି। ଖଣି ଅଞ୍ଚଳରେ ଶ୍ରେଷ୍ଠତମ ସୁରକ୍ଷା ବ୍ୟବସ୍ଥା, କର୍ମଚାରୀଙ୍କ ସ୍ବାସ୍ଥ୍ୟସୁରକ୍ଷା ଏବଂ ନିରନ୍ତର ପରିବେଶ ଅନୁକୂଳ ପରିଚାଳନା ନୀତି ପାଳନ ପାଇଁ ଖଣ୍ଡବନ୍ଧ ଲୁହାପଥର ଖଣି ଏହି ସମ୍ମାନ ଲାଭ କରିଛି। କୋଲକାତାଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ପକ୍ଷରୁ ସିନିୟର ଏରିଆ ମ୍ୟାନେଜର (ଏକ୍ସକାଭେସନ) ଅଭିଷେକ ସିଂହ ଏବଂ ଏରିଆ ମ୍ୟାନେଜର (ସେଫ୍ଟି) ଜୀବିତେଶ କୁମାର ଅନୋଖେ ଏହି ପୁରସ୍କାର ଗ୍ରହଣ କରିଥିଲେ।

