ନୂଆଦିଲ୍ଲୀ, ୧୯।୮: ଭାରତରେ ଆମେରିକାର ରାଜଦୂତ ସର୍ଗିଓ ଗୋର୍ ବୁଧବାର ଜମ୍ମୁ-କଶ୍ମୀରକୁ ନେଇ ଭାରତର ଆଭିମୁଖ୍ୟ ସହ ସମାନ ମତ ରଖିଛନ୍ତି । ସେ ଜମ୍ମୁ-କଶ୍ମୀରକୁ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଛନ୍ତି । ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ସାକ୍ଷାତ ପରେ ସେ ଏହି ମତ ଦେଇଛନ୍ତି ।
ସାକ୍ଷାତ ପରେ ଗୋର୍ କହିଛନ୍ତି, “କଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମୁଁ ପ୍ରଥମ ଥର ପାଇଁ ଏଠାକୁ ଆସିଛି । ଏହା ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ ।” ଓମାର ଅବଦୁଲ୍ଲାଙ୍କ ସହ ଖବରଦାତାଙ୍କୁ ସମ୍ବୋଧିତ କରି ସେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଶା ପ୍ରକାଶ କରିଛନ୍ତି ।
ସର୍ଗିଓ ଗୋରଙ୍କ ସହ ସାକ୍ଷାତ ସମ୍ପର୍କରେ ଓମାର ଅବଦୁଲ୍ଲା କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ବିଶେଷ କରି ଜମ୍ମୁ-କଶ୍ମୀର ପାଇଁ ଆମେରିକା କିଭଳି ସହଯୋଗ କରିପାରିବ, ତାହା ଉପରେ ଆଲୋଚନା ହୋଇଥିବା ସେ କହିଛନ୍ତି।ଓମାର କହିଛନ୍ତି ଯେ କିଛି ପୁରୁଣା ପ୍ରସଙ୍ଗ ରହିଛି, ଯାହାକୁ ସମୟ ସହିତ ସମାଧାନ କରିବାକୁ ଚେଷ୍ଟା କରାଯିବ । ଆଗାମୀ ଦିନରେ ଆମେରିକା ଓ ଜମ୍ମୁ-କଶ୍ମୀର ମଧ୍ୟରେ ସମ୍ପର୍କ ଆହୁରି ଗଭୀର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସର୍ଗିଓ ଗୋର୍ କଶ୍ମୀର ଉପତ୍ୟକାରେ ଥିବା ସୁରକ୍ଷା ପ୍ରଣାଳୀକୁ ପ୍ରଶଂସା କରିଛନ୍ତି । ଆମେରିକୀୟ ନାଗରିକଙ୍କ ପାଇଁ ଜାରି ଟ୍ରାଭେଲ୍ ଆଡଭାଇଜରିରେ ତୁରନ୍ତ କୌଣସି ବଡ଼ ପରିବର୍ତ୍ତନ ଘୋଷଣା କରିପାରିବେ ନାହିଁ ବୋଲି ସେ କହିଥିଲେ।
ତେବେ ପରିସ୍ଥିତିରେ ସୁଧାର ହୋଇଥିବାରୁ ଆମେରିକା ପକ୍ଷରୁ ଜାରି ଟ୍ରାଭେଲ୍ ଓ୍ବାର୍ନିଂର ସ୍ତର କମାଇବା ନେଇ ବିଚାର କରାଯାଇପାରେ ବୋଲି ଗୋର୍ କହିଛନ୍ତି । ସେ କହିଛନ୍ତି ଯେ ନୂଆଦିଲ୍ଲୀ ଓ ଜମ୍ମୁ-କଶ୍ମୀର ସରକାର ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଭଲ ପଦକ୍ଷେପ ନେଇଛନ୍ତି । କଶ୍ମୀରର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଅନେକ ଆମେରିକୀୟ ଏଠାକୁ ଆସିବେ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି । ସର୍ଗିଓ ଗୋରଙ୍କ ଏହା ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ ହୋଇଥିବା ବେଳେ, ଅଞ୍ଚଳରେ ବଢ଼ୁଥିବା ରଣନୈତିକ ଗତିବିଧି ମଧ୍ୟରେ ତାଙ୍କ ଗସ୍ତକୁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଭାବେ ଦେଖାଯାଉଛି ।

