ପୁସ୍ତକ ପଠନ, ଜୀବନ ଗଠନ

ଡ. ମନୋରଞ୍ଜନ ପ୍ରଧାନ

ପିଲା ବେଳରୁ ବିଭିନ୍ନ ବହି ପଢ଼ିବାର ଆଗ୍ରହ କେମିତି ମୋ ଭିତରେ ଉନ୍ମେଷ ହୋଇଥିଲା ମୋର ମନେନାହିଁ। କିନ୍ତୁ ବହିଟି ପାଇଲେ ଆମୂଳଚୂଳ ପଢ଼ିବାର କ୍ଷୁଧା ଛୋଟ ବେଳରୁ ଆଜିଯାଏଁ ବଳବତ୍ତର ରହିଛି। ଦିନ କର ଘଟଣା। ଘର ବାରଣ୍ଡାର ସିମେଣ୍ଟ ଚୌକି ଉପରେ ବସି ପଢୁଥାଏ ଏକ ଉପନ୍ୟାସ; ଯାହା କି ଜଣେ ବୁଲା ବିକାଳିଠାରୁ ସାତ ଟଙ୍କା ଦେଇ କିଣିଥିଲି। ପଛ ପଟୁ ଜଣେ ସମ୍ପର୍କୀୟ ମଉସା ବହିଟିକୁ ଛଡ଼େଇ ନେଇ କହିଲେ-ମୂର୍ଖ ଏ ବହି କ’ଣ ଛୋଟ ପିଲା ପଢ଼ନ୍ତି, ଭଲ ବହି ପଢ଼ି ଭଲ ମଣିଷ ହୁଅ। ଏଗୁଡ଼ାକ ସବୁ ଟାଇମ ପାସ୍‌ ବହି। ପ୍ରକୃତରେ ସେ ବହି କ’ଣ, ସେଥିରେ କ’ଣ ଲେଖା ଅଛି ମୁଁ ଜାଣି ନ ଥିଲି। କିନ୍ତୁ ଭଦ୍ରବ୍ୟକ୍ତି ଜଣକ ପିଲାଟି ବେଳରୁ(ବୋଧହୁଏ ଦଶମ ଶ୍ରେଣୀରୁ) ଭଲ ବହିର ଉପାଦେୟତା ସମ୍ପର୍କରେ ବୁଝେଇ ଥିଲେ । ବିଶେଷକରି ବଡ଼ ଲୋକଙ୍କ ଜୀବନୀ, ଭଲ ଉପନ୍ୟାସ, ଛୋଟ ଛୋଟ କାହାଣୀ, ପଞ୍ଚତନ୍ତ୍ର ଓ ଜହ୍ନମାମୁଁ ଭଳି ପତ୍ରିକା ପଢ଼ିବାକୁ ପରାମର୍ଶ ଦେଇଥିଲେ। ନିପଟ ପଲ୍ଲୀ ଗାଁର ପିଲା ହୋଇଥିବାରୁ ସେ ସବୁ କିଣି ପଢ଼ିବାର ସୁଯୋଗ ଓ ସମ୍ବଳ ନ ଥିଲେ ମଧ୍ୟ ବିଦ୍ୟାଳୟ ପାଠାଗାରରୁ କିଛି ବହି ସଂଗ୍ରହ କରି ପଢ଼ିବାର ଲାଭ ଜୀବନ ଗଠନରେ ବହୁ ପରିମାଣରେ ସହାୟକ ହୋଇଥିଲା। ତେଣୁ ସେ ଶୁଭଚିନ୍ତକ ମହାଭାଗଙ୍କୁ ଅଜସ୍ର କୃତଜ୍ଞତା।
ବାସ୍ତବରେ ବହି ପଢ଼ିବା ବିଶେଷକରି ଭଲ ବହି ସଂଗ୍ରହ କରି ପଢ଼ିବାର ଇଚ୍ଛା ଓ ନିଶା ବ୍ୟକ୍ତିକୁ ଜୀବନରେ ଜଣେ ସଫଳ ମଣିଷ ଭାବରେ ପ୍ରତିଷ୍ଠିତ କରାଇଥାଏ। ଏପରି କି ଜୀବନରେ ଆସୁଥିବା ବାଧାବିଘ୍ନର ସମାଧାନ ସୂତ୍ର ଭଲ ବହି ଦ୍ୱାରା ହୋଇପାରିଥାଏ। ଯେମିତି ଶ୍ରୀମଦ୍‌ ଭଗବତ ଗୀତା ଭଳି ଅନନ୍ୟ ମହାଗ୍ରନ୍ଥ ଯେକୌଣସି ସମସ୍ୟା, ଦ୍ୱନ୍ଦ୍ୱ ଓ ଚାପଗ୍ରସ୍ତ ମଣିଷକୁ ସମାଧାନର ସୂତ୍ର ବତାଇଥାଏ। ସେହିପରି ବଡ଼ ଲୋକଙ୍କ ଜୀବନୀ ବା ଆତ୍ମଜୀବନୀ ପଢ଼ିଲେ କେବଳ ଜୀବନ ଯୁଦ୍ଧରେ ବିଜୟୀ ସାରଥି ହେବାରେ ସହାୟତା କରେ ତାହା ନୁହଁ, ଜୀବନର ସମସ୍ତ ସଂଘର୍ଷ ଓ ସଂଘାତକୁ ପ୍ରତିରୋଧ କରି ନୂତନ ଆଶା ସଂଚାର କରେ। କାରଣ ସେଗୁଡ଼ିକରେ ମହାପୁରୁଷମାନେ ନିଜେ ଅଙ୍ଗେ ନିଭେଇଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ମନ୍ତ୍ରଗୁଡ଼ିକ ଉଲ୍ଲେଖ କରିଥାନ୍ତି, ଯାହା କି ଅନ୍ୟକୁ ଆଉ ବିଶେଷ ଚିନ୍ତା ନ କରି ସିଧାସଳଖ ନିଜ ଜୀବନରେ ଉତାରିବା ପାଇଁ ସହାୟତା ପ୍ରଦାନ କରିଥାଏ।
ଜୀବନର ଏକ ଦୁଃଖଦ ସମୟର କିୟଦଂଶ ଉପସ୍ଥାପନା କରୁଛି। କିଛି ବର୍ଷ ତଳେ ଏକ ଭ୍ରାନ୍ତ ଧାରଣା ମନକୁ ଆକ୍ରାନ୍ତ କଲା। ଅଜଣା ଭୟ କେବଳ ରକ୍ତଚାପ ବଢ଼େଇ ଦେଲା ତାହା ନୁହଁ, ନିଦ ଛଡ଼େଇ ନେଲା, କାହା ସହ କଥାବାର୍ତ୍ତା ହେବାକୁ ବିରକ୍ତ ଲାଗିଲା। ଛାତି ସବୁବେଳେ ଧଡ଼ଧଡ଼। ସବୁବେଳେ ମୃତ୍ୟୁ ଭୟ। ଶରୀର କଳା ପଡ଼ିଗଲା ଏବଂ ଧୀରେଧୀରେ ଓଜନ ମଧ୍ୟ କମିଗଲା। ସାଙ୍ଗସାଥୀ, ଶୁଭେଚ୍ଛୁ ଓ ଗୁରୁଜନ ମଧ୍ୟ ଆଶ୍ଚର୍ଯ୍ୟ ହେଲେ। କିନ୍ତୁ ଡାକ୍ତର ଓ ଶୁଭାକାଂକ୍ଷୀ ମାନଙ୍କ ସବୁପ୍ରକାର ଉଦ୍ୟମ ଓ ପରାମର୍ଶ ମନ ଭିତରେ ଆତ୍ମବଳ ସୃଷ୍ଟି କରିପାରିଲା ନାହିଁ। କିଛି ଦିନ ଏ ଅଜଣା ଭୟ ପଢ଼ିବା ଅଭ୍ୟାସକୁ ମଧ୍ୟ ନଷ୍ଟ କରି ଦେଇଥିଲା। ହଠାତ୍‌ ଦିନେ ସ୍ବାମୀ ବିବେକାନନ୍ଦଙ୍କ ଏକ ଛୋଟ ବହି(ଇଂଲିଶ) ଯାହା କି ରାୟପୁର ରେଲୱେ ଷ୍ଟେସନରୁ ମାତ୍ର ଏଗାର ଟଙ୍କା ଦେଇ କିଣିଥିଲି ତାହା ବହିଥାକରୁ ବାହାର କଲି। ଛୋଟ ବହି ମୋ ମନରୁ ସବୁ ଭୟ, ଚାପ ଓ କ୍ଳାନ୍ତିକୁ ଦୂର କରିଦେବ ବିଶ୍ବାସ କରିପାରି ନ ଥିଲି। ସେ ବହିସ୍ଥିତ ଛୋଟ ଛୋଟ ଜୀବନ କାହାଣୀ ଓ ଓ୍ବିକନେସ ଇଜ ଡେଥ, ଷ୍ଟ୍ରେନ୍ଥ ଇଜ ଲାଇଫ ଭଳି ଶକ୍ତି ଓ ସାହସ ବର୍ଦ୍ଧକ ବାଣୀ ମୋ ଭିତରେ ସାତ ସିଂହର ବଳ ସୃଷ୍ଟି କଲା। ପରେ ପରେ ଭୟ ଚାଲିଗଲା, ରକ୍ତଚାପ କମିଗଲା ଏବଂ ପୁଣିଥରେ ମୁଁ ସ୍ବାଭାବିକ ହୋଇଗଲି। କହିବାର ତାତ୍ପର୍ଯ୍ୟ ହେଉଛି ପୁସ୍ତକ ପଠନ କେବଳ ଜ୍ଞାନ ବୃଦ୍ଧିରେ ସହାୟତା ହୁଏ ତାହା ନୁହେଁ,ଏହା ବହୁ ସମୟରେ ଥେରାପି ଭଳି ଅନେକ ଶାରୀରିକ ଓ ମାନସିକ କ୍ଳେଶକୁ ଦୂର କରିଦିଏ। ବହୁ ସମୟରେ ପଠନ ଯୁବ ସମାଜକୁ ଅବାଟରୁ ସୁବାଟକୁ ଯିବାକୁ ମାର୍ଗ ଦର୍ଶନ କରେ।
ଥରେ ଲୋକମାନ୍ୟ ତିଲକ କହିଥିଲେ, ଆର୍ଥିକ ଅଭାବ ଥିଲେ ଚିରା(ସଫା) ପୋଷାକ ପିନ୍ଧ କିନ୍ତୁ ବହି କିଣିବା ଓ ପଢ଼ିବା ଛାଡ ନାହିଁ। ସତରେ କେଡ଼େ ଚମତ୍କାର ଓ ପ୍ରେରଣାଦାୟୀ ଉପଦେଶଟିଏ। ମୁଁ ଦେଖିଛି ଓ ଶିଖିଛି ମୋ ବାପାଙ୍କଠାରୁ। ବହି କିଣି ପଢ଼ିବାର ନିଶା ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିରନ୍ତର ଥିଲା। ବିଭିନ୍ନ ପୁରାଣ, ରାମାୟଣ, ମହାଭାରତ, ଶାସ୍ତ୍ର, ଔଷଧୀୟ ଗୁଣ ସମ୍ବନ୍ଧୀୟ ପୁସ୍ତକ ଆଦି ଭରପୂର ପଢୁଥିଲେ। କ୍ରାନ୍ତିକାରୀ ଭଗତ ସିଂହ ଫାଶୀ ପୂର୍ବ ଦିନ ମଧ୍ୟ ସ୍ବାଧ୍ୟାୟ କରିଥିଲେ। ଅନେକ ସାଧାରଣ ମଣିଷ ପୁସ୍ତକ ପଠନରୁ ନୂଆ ଉତ୍ସାହ ପାଇ ମହାପୁରୁଷ ଭାବରେ ଇତିହାସରେ ବିଖ୍ୟାତ। ସତ କହିବାକୁ ଗଲେ ବହି କିଣିବା ଓ ପଢ଼ିବା ଏକ ପ୍ରକାର ପ୍ରବଣତା, ପ୍ରବୃତ୍ତି ତଥା ନିଶା କହିଲେ ଅତ୍ୟୁକ୍ତି ହେବ ନାହିଁ।
କିନ୍ତୁ ଆଜି ସମୟ ଓ ପରିସ୍ଥିତି ବଦଳି ଯାଇଛି। ଲେଖକ ସଂଖ୍ୟା ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ଘଟିଛି। ପୁସ୍ତକ ପ୍ରକାଶନ ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ହାରରେ ବଢ଼ିଛି କିନ୍ତୁ ପାଠକ ଓ ସମୀକ୍ଷକଙ୍କ ସଂଖ୍ୟା କ୍ରମବର୍ଦ୍ଧିଷ୍ଣୁ ହାରରେ କମି ଚାଲିଛି। ଛାତ୍ରୀଛାତ୍ରମାନଙ୍କ ଭିତରେ ପୁସ୍ତକ ପଠନର ଉତ୍ସୁକତା ଦେଖିବାକୁ ମିଳୁନାହିଁ। ଗ୍ରନ୍ଥାଗାରରେ ଆଉ ଭିଡ଼ ନାହିଁ। ଶିକ୍ଷକଙ୍କ ପ୍ରସ୍ତାବିତ ଭଲ ପାଠ୍ୟପୁସ୍ତକ ପଢ଼ିବା ପାଇଁ ଆଉ ପ୍ରତିଯୋଗିତା ନାହିଁ। ଶିକ୍ଷାଦାତାମାନେ ମଧ୍ୟ ନିଜେ ଭଲବହି ପଢ଼ି ପିଲେ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବାର ଉତ୍ସୁକତା ଦେଖଉ ନାହାନ୍ତି। ସ୍ମାର୍ଟ ଫୋନରେ ପିଲାଙ୍କ ଦିନ ଯାଉଛି। ସଂପାଦକୀୟରେ ଲେଖାଟି ପ୍ରକାଶିତ ହେଲେ ବୟସ୍କ ଲୋକଙ୍କ ଯେଭଳି ପ୍ରତିକ୍ରିୟା ବା ପାଠକୀୟ ସ୍ବୀକୃତି ତୁଳନାରେ ଯୁବଗୋଷ୍ଠୀଙ୍କଠାରୁ କ୍ୱେଚିତ ଆସୁଛି। ଆଜି ଯୁବଗୋଷ୍ଠୀ ପଢ଼ାପଢ଼ି ଠାରୁ ଦୂରେଇ ଯାଉଛନ୍ତି। ପରିସ୍ଥିତି ଏପରି ହେଲାଣି ରେଳରେ ଗଲାବେଳେ କେହିଜଣେ ଯଦି ଖବରକାଗଜ ଖଣ୍ଡିଏ କିଣି ପଢ଼ିବା ଦେଖିଲେ ଅନେକଙ୍କ ଲାଳ ଗଡ଼େ। ବିକଳିଆ ଭାବରେ କାଗଜ ଖଣ୍ଡିକ ମାଗି ହେଡ୍‌ ଲାଇନ ବିଶେଷକରି ରାଜନୀତି ଓ କ୍ରିକେଟ ଖବର ପଢ଼ି ବୀରଦର୍ପରେ ଅନ୍ତତଃ ଧନ୍ୟବାଦ ଟିକେ ନ ଜଣାଇ ଖବରକାଗଜଟି ଧରେଇ ଦେଉ, ବେଳେବେଳେ ଧରି ପଳେଇ ଯାଉ, ତାହା ବାସ୍ତବରେ ଲଜ୍ଜାଜନକ। ତେବେ ମନେ ରଖିବା ଉଚିତ ଯେଉଁ ଦେଶର ଲୋକ ଯେତେ ଅଧ୍ୟୟନପ୍ରିୟ ସେ ଦେଶ ସେତେ ବିକଶିତ। କାରଣ ପଠନ ଏକ ସଂସ୍କାର ଓ ସଂସ୍କୃତି। କର୍ତ୍ତବ୍ୟ ଏହା ପ୍ରବୀଣ ଓ ପ୍ରାଜ୍ଞ ହେବାର ଏକ ବଳିଷ୍ଠ ମାଧ୍ୟମ। ସ୍ବାଧ୍ୟାୟ ମଣିଷକୁ ସ୍ବାବଲମ୍ବୀ ସହ ସ୍ବାଭିମାନୀ କରେଇ ଥାଏ। ତେଣୁ ଆଜୀବନ ପୁସ୍ତକ ପଠନକୁ ଜୀବନର ବ୍ରତ ରୂପେ ଗ୍ରହଣ କରିବା ଏକ ଭଲ ଅଭ୍ୟାସ ହେବା ଉଚିତ। ତେଣୁ ଶଙ୍କରାଚାର୍ଯ୍ୟ ଶ୍ରୀ ଭାରତୀ କୃଷ୍ଣତୀର୍ଥ ଯଥାର୍ଥରେ କହିଥିଲେ – Goddess of Learning is still Learning.
ସହକାରୀ ପ୍ରାଧ୍ୟାପକ, ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ, ଜୟପୁର, କୋରାପୁଟ, ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?