ରାମରାଜ୍ୟ କେତେ ବାସ୍ତବ

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ଯୁଗର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଅର୍ଥାତ୍‌ ‘ଅଚ୍ଛେଦିନ୍‌’ସ୍ଲୋଗାନ ପରେ ‘ରାମ ରାଜ୍ୟ’ କଥା କୁହାଯାଉଛି। ମହାତ୍ମା ଗାନ୍ଧୀ ‘ରାମରାଜ୍ୟ’ କଥା ଉଠାଇଥିଲେ। ସେ ରାମାୟଣର ଶିକ୍ଷା ଦ୍ୱାରା ବହୁ ପ୍ରଭାବିତ ହୋଇଥିଲେ। ‘ରାମରାଜ୍ୟ’ ଏକ ଶାସନ ବ୍ୟବସ୍ଥା ଯେଉଁଠି ମହାନତା, ନୈତିକତା ଏବଂ ନ୍ୟାୟ ହେଉଛି ମୂଳ ଆଦର୍ଶ। ଶ୍ରେଷ୍ଠ ରାଜା ଭାବରେ ପ୍ରଭୁ ଶ୍ରୀରାମ ଏକ ଦୟାଳୁ ଏବଂ ନ୍ୟାୟପୂର୍ଣ୍ଣ ପ୍ରଶାସନର ଉଦାହରଣ ଥିଲେ। ରାମରାଜ୍ୟ ଅର୍ଥ ହିନ୍ଦୁ ରାଜ ନୁହେଁ। ରାମରାଜ୍ୟର ଅର୍ଥ ହେଉଛି ଈଶ୍ୱରଙ୍କ ରାଜ୍ୟ। ଗାନ୍ଧୀଙ୍କ ପାଇଁ ରାମ ଏବଂ ରହିମ ଏକ ଏବଂ ସମାନ। ଗାନ୍ଧିଜୀ କହିଛନ୍ତି, ମୁଁ ଅନ୍ୟ କୌଣସି ଭଗବାନ୍‌ଙ୍କୁ ସ୍ବୀକାରକରେ ନାହିଁ ବରଂ ସତ୍ୟ ଓ ନ୍ୟାୟର ଭଗବାନ୍‌କୁ ସ୍ବୀକାର କରେ। କିନ୍ତୁ ଶାସକ ଶ୍ରେଣୀ , ଅଧିକାଂଶ ରାଜନେତା ଭଗବାନ୍‌ ରାମଙ୍କ ଦର୍ଶନକୁ ମାନନ୍ତି ନାହିଁ। ଶ୍ରୀରାମଙ୍କ ତ୍ୟାଗ ଓ ବଳିଦାନକୁ ଅନୁସରଣ କରନ୍ତି ନାହିଁ। ସର୍ବଦା ଲୋକଙ୍କ ସମସ୍ୟା, ଭାବନା ପ୍ରତି ଉଦାସୀନ। କ୍ଷମତା ହାସଲ କରିବା ବା ବଜାୟ ରଖିବାପାଇଁ ସର୍ବଦା ପ୍ରୟାସ କରିବା ସହ ଆତ୍ମ ପ୍ରଚାରରେ ଲିପ୍ତ ରହୁଛନ୍ତି। ଅପରପକ୍ଷରେ ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜର ବିଫଳତାକୁ ଘୋଡ଼ାଇବା ପାଇଁ ଲୋକଙ୍କ ଧାର୍ମିକ ଭାବନାର ଫାଇଦା ନେଉଛନ୍ତି।
ପ୍ରଭୁ ଶ୍ରୀରାମ ପିତୃସତ୍ୟ ପାଳନ କରିବାକୁ ଯାଇ ୧୪ ବର୍ଷ ବନବାସ ଯାଇଥିଲେ ଓ ସନ୍ନ୍ୟାସୀ ଜୀବନ ବିତାଇଥିଲେ। କିନ୍ତୁ ଯେତେବେଳେ ଧର୍ମୀୟ ସ୍ଥଳକୁ ଯିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି, କୋଟି କୋଟି ଲୋକ ଶ୍ରୀରାମଙ୍କୁ ପୂଜାକରୁଛନ୍ତି, ସେତେବେଳେ କୋଟି କୋଟି ବୟସ୍କ ଲୋକ ତାଙ୍କ ପିଲାଙ୍କ ଦ୍ୱାରା ଅବହେଳିତ। ଅନେକେ ଜରାଶ୍ରମରେ ରହୁଛନ୍ତି। କର୍ନାଟକ ଉଚ୍ଚ ନ୍ୟାୟାଳୟ ମଧ୍ୟ ଏକ ରାୟରେ ଉଦ୍‌ବେଗ ପ୍ରକାଶ କରିଥିଲେ। ଯୌଥ ପରିବାର ଆଜି ବିଲୁପ୍ତହେବାକୁ ବସିଲାଣି। ଆଜିର ପରିବାର କହିଲେ ସ୍ବାମୀ, ସ୍ତ୍ରୀ ଓ ପିଲାଙ୍କୁ ବୁଝାଯାଉଛି। ଲୋକ କୋଟି କୋଟି ଟଙ୍କା ବ୍ୟୟକରି ଘର, ଗାଡ଼ି କିଣୁଛନ୍ତି। କିନ୍ତୁ ନିଜ ଭାଇ, ଭଉଣୀ ବାପା ମା’ଙ୍କ ପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ଅନିଚ୍ଛୁକ। ଆସ୍ତେ ଆସ୍ତେ ସେବା ମନୋବୃତ୍ତି ହ୍ରାସ ପାଉଛି। ରାମରାଜ୍ୟ କଥା କହିଲେ ଲୋକ ସୁଖ ଓ ଶାନ୍ତିରେ ରହିବା ଆବଶ୍ୟକ। ବିଶ୍ୱ ସୁଖ ସୂଚକାଙ୍କ ୨୦୨୩ (୧୪୬ଦେଶ ମଧ୍ୟରୁ୧୩୬), ବିଶ୍ୱ ଶାନ୍ତି ସୂଚକାଙ୍କ ୨୦୨୨ (୧୬୩ଦେଶ ମଧ୍ୟରେ୧୩୫)ରେ ଭାରତ ରହିଛି। ଭାରତ ନିମ୍ନ ଶାନ୍ତି ଦେଶ ଭାବେ ସ୍ଥାନିତ ହୋଇଛି। ଭାରତରେ ଅଶାନ୍ତି, ଆତ୍ମହତ୍ୟା, ଅପରାଧ ବୃଦ୍ଧି ପାଇଛି।
ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ୨୦୨୨ ଅନୁଯାୟୀ, ପ୍ରତିଦିନ ଭାରତରେ ୪୬୮ ଜଣ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟା ହାର ଯାହା ୨୦୧୮ରେ ୧ ଲକ୍ଷରେ ୧୦.୨ ଥିଲା, ତାହା ୨୦୨୨ରେ ୧୨.୪କୁ ବୃଦ୍ଧି ପାଇଛି। ୨୦୧୭ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧,୩୪,୫୧୬ ଥିଲାବେଳେ ୨୦୨୧ରେ ୧,୬୫, ୦୩୩,୨୦୨୨ରେ ୧,୭୧,୦୦୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୨୦୨୨ରେ ଆତ୍ମହତ୍ୟା ହାର ୨୦୨୧ ତୁଳନାରେ ୪.୩% ଏବଂ ୨୦୧୮ ତୁଳନାରେ ୨୭% ଅଧିକ। କେବଳ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ଦିନ ମଜୁରିଆ ୨୬%। ୨୦୨୨ରେ ୧୫୦ ପରିବାର ସମ୍ପୂର୍ଣ୍ଣ ଭାବେ ଆତ୍ମହତ୍ୟା କରିଥିଲେ। ୨୦୧୩ ରୁ ୨୦୨୨ ମଧ୍ୟରେ ଅତ୍ୟଧିକ ଥଣ୍ଡା ଯୋଗୁ କେବଳ ୮୦୦ ଲୋକ ପ୍ରାଣ ହରାଇଛନ୍ତି।
ରାମରାଜ୍ୟ କଥା ଭାବିଲେ ପ୍ରଥମେ ଆଇନ ପ୍ରଣେତା ଅପରାଧରେ ସଂଶ୍ଳିଷ୍ଟ ହେବା ଅନୁଚିତ। କିନ୍ତୁ ଲୋକ ସଭା ଏବଂ ରାଜ୍ୟ ସଭାର ୭୬୩ ସାଂସଦଙ୍କ ମଧ୍ୟରୁ ୪୦% ବା ୩୦୬ଜଣ ସାଂସଦଙ୍କ ବିରୋଧରେ ଆପରାଧିକ ମାମଲା ରହିଛି ବୋଲି ସେମାନେ ନିଜେ ଘୋଷଣା କରିଛନ୍ତି। ପୁନଶ୍ଚ ୨୫% ବା ୧୯୪ ସାଂସଦଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଅପରାଧ ଭଳି ମାମଲା ସହ ଗୁରୁତର ଆପରାଧିକ ମାମଲା ରହିଛି। ସାଂସଦଙ୍କ ହାରାହାରି ସମ୍ପତ୍ତି ୩୮.୩ କୋଟି ଟଙ୍କା ଏବଂ ୫୩% ସାଂସଦ ଅରବପତି । ପୁନଶ୍ଚ ଗାନ୍ଧିଜୀଙ୍କ ଅନୁଯାୟୀ ରାମରାଜ୍ୟରେ ଉଭୟ ରାଜକୁମାର ବା ଧନୀ ଏବଂ ଗରିବଙ୍କର ସମାନ ଅଧିକାର ରହିଥାଏ। କିନ୍ତୁ ଆଜି ଗରିବ ଓ ଧନୀ ମଧ୍ୟରେ ବୈଷମ୍ୟ ବୃଦ୍ଧି ପାଇଛି। କର୍ପୋରେଟ, ସେଲିବ୍ରିଟି ଏବଂ ଧନୀମାନେ ଦେଶର ସମ୍ବଳକୁ ଲୁଟ କରୁଛନ୍ତି , ବ୍ୟାଙ୍କ ଋଣ ଶୁଝୁନାହାନ୍ତି, ଟିକସ ଫାଙ୍କୁଛନ୍ତି। ଆଇନ ତାଙ୍କୁ ସ୍ପର୍ଶ କରିପାରୁନାହିଁ।
ବିଶ୍ୱରେ ରୁଷିଆ ପରେ ଭାରତ ଦ୍ୱିତୀୟ ସର୍ବାଧିକ ବୈଷମ୍ୟପୂର୍ଣ୍ଣ ରାଷ୍ଟ୍ର। ବିଗତ ୧ ଦଶନ୍ଧିରେ (୨୦୧୨-୨୦୨୧) ମଧ୍ୟରେ ଦେଶରେ ଯେତିକି ସମ୍ପଦ ସୃଷ୍ଟି ହୋଇଛି ତା’ର ୪୦%ରୁ ଊର୍ଦ୍ଧ୍ୱ କେବଳ ଉପର ଶ୍ରେଷ୍ଠ ଧନୀ ୧% ଲୋକଙ୍କ ପାଖକୁ ଯାଇଥିବାବେଳେ ନିମ୍ନରେ ଥିବା ୫୦% ଲୋକଙ୍କ ପାଖକୁ ମାତ୍ର ୩% ସମ୍ପଦ ଯାଇଥିବା ଜଣାପଡ଼ିଛି। କରୋନା ମହାମାରୀ ସମୟରେ ଲୋକ ମୃତ୍ୟୁବରଣ କରିବା ସହ ଓ ତାଙ୍କ ଆୟ ହ୍ରାସ ଘଟିଥିଲା ଏବଂ ୧,୪୭,୪୯୨ ଜଣ ଶିଶୁ ତାଙ୍କର ବାପା ବା ମା’ ବା ଉଭୟ ବାପା ଓ ମା’ଙ୍କୁ ହରାଇଥିଲେ। କିନ୍ତୁ ଏହି ସମୟରେ ଅରବପତିଙ୍କ ସମ୍ପଦ ୩୫% ବୃଦ୍ଧି ପାଇଥିଲା।
‘ରାମରାଜ୍ୟ’ ଅର୍ଥ ଲୋକଙ୍କ ସ୍ବାଧୀନ ମତ ଦେବାର ଅଧିକାର ବଳବତ୍ତର ରହିବା ଅର୍ଥାତ୍‌ ଗଣମାଧ୍ୟମ ସ୍ବାଧୀନ ଭାବେ କାର୍ଯ୍ୟକରିବା , ଯାହା ଆଜି ନିମ୍ନମୁଖୀ। ଲୋକଙ୍କ ପାଖରେ ଠିକ୍‌ ତଥ୍ୟ ପହଞ୍ଚୁନାହିଁ। ବିଶ୍ୱ ଅର୍ଥନୈତିକ ଫୋରମର ବିଶ୍ବ ବିପଦ ରିପୋର୍ଟ ୨୦୨୪ ଅନୁସାରେ ୩୪ଟି ବିପଦ ମଧ୍ୟରୁ ମିଛ ତଥ୍ୟ ଓ ସୂଚନା ପ୍ରସାରଣ ଓ ପ୍ରଚାରରେ ଭାରତ ବିଶ୍ୱରେ ପ୍ରଥମ। କିନ୍ତୁ ଜନସାଧାରଙ୍କ ଗଣତାନ୍ତ୍ରିକ ଅଧିକାର ଆଜି ବିପନ୍ନ। ଚାରୋଟି ପ୍ରସିଦ୍ଧ ରିପୋର୍ଟ, ଫ୍ରିଡମ୍‌ ହାଉସ୍‌ ରିପୋର୍ଟ, ଗ୍ଲୋବାଲ ଡେମୋକ୍ରାସି ଇଣ୍ଡେକ୍ସ ଏବଂ ବିଶ୍ବ ପ୍ରେସ୍‌ ଇଣ୍ଡେକ୍ସ, ଭି-ଡେମ୍‌ ରିପୋର୍ଟର ବିଶ୍ଳେଷଣର ଏହା ମଧ୍ୟ ପ୍ରତିପାଦନ ହୋଇଛି। ବାସ୍ତବରେ ଭାରତୀୟ ଗଣତନ୍ତ୍ରକୁ ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର ବୋଲି କୁହାଯାଉଛି।
ନିଶ୍ଚୟ ରାମରାଜ୍ୟ ପ୍ରତିଷ୍ଠା ହେଲେ ସମସ୍ତେ ଖୁସି ହେବେ। କିନ୍ତୁ ଏହା କ’ଣ ମୁକ୍ତ ଓ ବଜାରଭିତ୍ତିକ ଅର୍ଥନୀତି, ତ୍ରୁଟିପୂର୍ଣ ତଥା ଶୋଷଣଭିତ୍ତିକ ବ୍ୟବସ୍ଥାରେ ସମ୍ଭବ? ଯେତେବେଳେ ସମାଜ ଦିନକୁ ଦିନ ଅଧିକ କଳୁଷିତ ହେବା ସହ ଅପରାଧ, ଦୁର୍ନୀତି, ହିଂସା, ଦ୍ୱେଷ, ଲୁଣ୍ଠନ, ଠକାମି ଓ ଶୋଷଣ ବୃଦ୍ଧିପାଉଛି; ଦିନକୁ ଦିନ ଲୋକ ବିଶେଷକରି କ୍ଷମତାଶାଳୀ, ବିତ୍ତଶାଳୀ ଅଧିକ ଗର୍ବୀ, ଅହଂକାରୀ, ସମ୍ବେଦନହୀନ ଓ ସ୍ବାର୍ଥପର ହେଉଛନ୍ତି, ସେତେବେଳେ ଏକ ନ୍ୟାୟପୂର୍ଣ୍ଣ ବ୍ୟବସ୍ଥା ଓ ସୁସ୍ଥ ସମାଜ ଆଶା କରିବା ଅସମ୍ଭବ। ରାମରାଜ୍ୟ ପ୍ରତିଷ୍ଠା କରିବା ଏକ ମରୀଚିକା। ଆମ ଦେଶରେ ଏକ ବିଡ଼ମ୍ବନା ହେଉଛି, ଯେତେବେଳେ ମନ୍ଦିର ଭିତରେ ଧନୀ, କର୍ପୋରେଟ, ରାଜନେତା ଓ ମଧ୍ୟବିତ୍ତ ନିଜ ନିଜର ଉନ୍ନତି ପାଇଁ ପ୍ରାର୍ଥନା କରୁଛନ୍ତି, ସେତିକି ବେଳେ ଗରିବ, ଭିକାରୀ ମନ୍ଦିର ପାର୍ଶରେ ବସି ପେଟ ପାଇଁ ଭିକ୍ଷା ମାଗୁଛନ୍ତି।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ:୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?