ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ କାହିଁକି ଠିଆ ହୋଇଛ? ଘରେ ଜାଣନ୍ତି? ଘଟଣାଟି ଦେଖି ଲାଗୁଥିଲା, ଯେମିତି ସହରରେ ଚୋରି, ଡକାୟତି କିମ୍ବା ଅପରାଧ ହୋଇଯାଇଛି। କିନ୍ତୁ ନା! ଦୁଇଜଣ ମଣିଷ କେବଳ କଥା ହେଉଥିଲେ। ଜଣେ ‘ନୈତିକ ପୋଲିସ୍‌’ ମୋବାଇଲ୍‌ ବାହାର କରି ଭିଡିଓ କରୁଥିଲେ। ଲାଗୁଥିଲା, ତାଙ୍କୁ ଯେମିତି ‘ନୈତିକ ପୋଲିସ ବିଭାଗ-ସ୍ବଘୋଷିତ ବିଶେଷ ଶାଖା’ରୁ ଡ୍ୟୁଟି ମିଳିଛି! ସବୁଠାରୁ ମଜାର କଥା- ଏହି ବିଭାଗର କୌଣସି ୟୁନିଫର୍ମ ନାହିଁ, ନିଯୁକ୍ତି ପତ୍ର ନାହିଁ, ପରୀକ୍ଷା ନାହିଁ, ପ୍ରଶିକ୍ଷଣ ନାହିଁ, କେବଳ ଅତ୍ୟଧିକ ଆତ୍ମବିଶ୍ୱାସ ଥିଲେ ହେଲା! ଏହି ଘଟଣା ଆମକୁ ଏକ ଗମ୍ଭୀର ପ୍ରଶ୍ନ ପଚାରେ- ନୀତି ରକ୍ଷାକରିବା ନାମରେ ଆମେ କେବେଠାରୁ ଅନ୍ୟମାନଙ୍କ ଜୀବନର ସ୍ବଘୋଷିତ ଇନ୍ସପେକ୍ଟର ହୋଇଗଲୁ?
ସମାଜରେ ନୀତି ଓ ମୂଲ୍ୟବୋଧ ଆବଶ୍ୟକ। କିନ୍ତୁ ଆଜିକାଲି କିଛି ଲୋକଙ୍କ ଆଚରଣ ଦେଖି ଲାଗେ, ଯେମିତି ସେମାନଙ୍କ ପାଖରେ ନୈତିକତାର ରିମୋଟ୍‌ ଅଛି। କିଏ କ’ଣ ପିନ୍ଧିବ- ସେମାନେ କହିବେ। କିଏ କାହା ସହ ବନ୍ଧୁତ୍ୱ କରିବ- ସେମାନେ ନିଷ୍ପତ୍ତି ନେବେ। କିଏ କେତେବେଳେ ବାହାରେ ରହିବ- ସେମାନେ ନିର୍ଦ୍ଧାରଣ କରିବେ। କେବଳ ଗୋଟିଏ କଥା ବାକି- କାଲିଠାରୁ ସମସ୍ତଙ୍କ ଆଲାର୍ମ କେତେବେଳେ ବାଜିବ, ସେଥିପାଇଁ ମଧ୍ୟ ନୋଟିସ୍‌ ଜାରି କରିଦିଅନ୍ତୁ!
ମୋରାଲ୍‌ ପୋଲିସିଂର ସବୁଠାରୁ ଅଦ୍ଭୁତ ଦିଗ ହେଉଛି- କେହି କେମିତି ପୋଷାକ ପିନ୍ଧିଛନ୍ତି, ତାହା ଦେଖି ତାଙ୍କ ଚରିତ୍ରର ମାର୍କଶିଟ୍‌ ପ୍ରସ୍ତୁତ କରିଦିଆଯାଏ। ଯେମିତି-ପୋଷାକ ଛୋଟ, ଚରିତ୍ରର ମାର୍କ କମ୍‌! ପୋଷାକ ଲମ୍ବା, ଚରିତ୍ରର ମାର୍କ ଅଧିକ! ଏମିତି ହିସାବ କଲେ ତ ଚରିତ୍ର ଗଠନ ନୁହେଁ, ପୋଷାକ ଆଧାରିତ ଚରିତ୍ର ମୂଲ୍ୟାଙ୍କନ ପାଇଁ ଏକ ନୂଆ ବୋର୍ଡ ଖୋଲିବାକୁ ପଡ଼ିବ!
କିନ୍ତୁ ସତ କଥା ହେଉଛି- ଜଣେ ମଣିଷର ଚରିତ୍ର ତାଙ୍କ ପୋଷାକର ଲମ୍ବରେ ନୁହେଁ, ତାଙ୍କ ଆଚରଣର ଗଭୀରତାରେ ମପାଯାଏ। ପ୍ରେମ ଦେଖିଲେ ସାଇରନ୍‌ ବାଜେ! ଦୁଇଜଣ ଯୁବକ-ଯୁବତୀ ଏକାଠି ବସିଲେ-ସନ୍ଦେହ। କଥା ହେଲେ-ଅଧିକ ସନ୍ଦେହ। ହସିଲେ-ସନ୍ଦେହ ନିଶ୍ଚିତ! କିଛି ମୋରାଲ୍‌ ପୋଲିସଙ୍କ ଆଚରଣ ଦେଖି ଲାଗେ, ଯେମିତି ଦୁଇଜଣ ଯୁବକ-ଯୁବତୀ ହସିଲେ ହିଁ ସହରର ନୈତିକତାର ଆଲାର୍ମ ବାଜିଯାଏ! ବନ୍ଧୁତ୍ୱ ଓ ପ୍ରେମ ମାନବଜୀବନର ସ୍ବାଭାବିକ ଭାବନା। ସମସ୍ୟା ସେତେବେଳେ ଆସେ, ଯେତେବେଳେ ଅନ୍ୟର ବ୍ୟକ୍ତିଗତ ସମ୍ପର୍କକୁ ନିଜର ସାମାଜିକ ଅନୁମତିର ଆବଶ୍ୟକତା ଥିବା ବୋଲି ଭାବାଯାଏ। ପୂର୍ବରୁ ମୋରାଲ୍‌ ପୋଲିସିଂ ପାଇଁ ରାସ୍ତାକୁ ଯିବାକୁ ପଡ଼ୁଥିଲା। ଏବେ ସ୍ମାର୍ଟଫୋନ୍‌ ଥିଲେ ଘରେ ବସି ମଧ୍ୟ ଡ୍ୟୁଟି କରିହେବ! ଗୋଟିଏ ଫଟୋ ଦେଖିଲେ- ମନ୍ତବ୍ୟ। ଗୋଟିଏ ଭିଡିଓ ଦେଖିଲେ-ରାୟ। ଗୋଟିଏ ଘଟଣା ଶୁଣିଲେ- ଚରିତ୍ରର ରିପୋର୍ଟ! ଅର୍ଥାତ୍‌ ନ୍ୟାୟାଳୟରେ ତଦନ୍ତ ହେବା ପୂର୍ବରୁ ଫେସବୁକ୍‌ କୋର୍ଟରେ ରାୟ ପ୍ରସ୍ତୁତ!
ବିପଜ୍ଜନକ କଥା ହେଉଛି- ସତ୍ୟ ଜାଣିବାର ଧୈର୍ଯ୍ୟ ଆମର କମିଯାଉଛି, କିନ୍ତୁ ରାୟ ଦେବାର ଉତ୍ସାହ ବଢ଼ିଯାଉଛି। ତେବେ ନୈତିକତାର ଅର୍ଥ ଅନ୍ୟକୁ ନିୟନ୍ତ୍ରଣ କରିବା ନୁହେଁ। ନୈତିକତା ଅର୍ଥ-ନିଜକୁ ନିୟନ୍ତ୍ରଣ କରିବା। ଅନ୍ୟର ପୋଷାକ ଉପରେ ମନ୍ତବ୍ୟ କରିବା ସହଜ; ନିଜ ଭାଷାକୁ ସଂଯମ କରିବା କଷ୍ଟକର। ଅନ୍ୟର ବନ୍ଧୁତ୍ୱକୁ ପ୍ରଶ୍ନ କରିବା ସହଜ; ନିଜର ଅସହିଷ୍ଣୁତାକୁ ପ୍ରଶ୍ନ କରିବା କଷ୍ଟକର। ଅନ୍ୟକୁ ‘ସଂସ୍କାର’ର ପାଠ ପଢ଼ାଇବା ସହଜ; ନିଜ ଆଚରଣରେ ସଂସ୍କାର ଦେଖାଇବା କଷ୍ଟକର। ଆମେ କେଉଁ ସମାଜ ଚାହୁଁଛୁ? ଏକ ଏମିତି ସମାଜ, ଯେଉଁଠି ପ୍ରତ୍ୟେକ ମଣିଷ ଅନ୍ୟର ଜୀବନକୁ ନଜର ରଖିବ? ନା ଏକ ଏମିତି ସମାଜ, ଯେଉଁଠି ଆମେ ଭିନ୍ନତାକୁ ସମ୍ମାନ କରିବା ଶିଖିବା? ଆମକୁ ନୀତିର ପ୍ରହରାଦାର ଦରକାର, କିନ୍ତୁ ସ୍ବଘୋଷିତ ନୈତିକ ପୋଲିସ୍‌ ନୁହେଁ। ଆମକୁ ଦରକାର ଏମିତି ପରିବାର, ଯେଉଁଠି ପିଲାମାନଙ୍କୁ କେବଳ ଏହା କରନି କୁହାଯିବ ନାହିଁ, ବରଂ କାହିଁକି କରନି ବୁଝାଯିବ। ଆମକୁ ଦରକାର ଏମିତି ଶିକ୍ଷା, ଯେଉଁଠି ନୈତିକତା ମାନେ ଅନ୍ୟକୁ ଜଜ୍‌ କରିବା ନୁହେଁ, ନିଜକୁ ଜଜ୍‌ କରିବା ବୋଲି ଶିଖାଯିବ। ସମାଜର ପ୍ରତ୍ୟେକ ମଣିଷ ଯଦି ଅନ୍ୟର ଜୀବନର ଇନ୍ସପେକ୍ଟର ହୋଇଯାଏ, ତେବେ ଆମ ନିଜ ଜୀବନର ଦାୟିତ୍ୱ କିଏ ନେବ? ତେଣୁ ଆସନ୍ତୁ, ଅନ୍ୟର ପୋଷାକ ମାପିବା ପୂର୍ବରୁ ନିଜ ଚରିତ୍ରର ମାପନେବା। ଅନ୍ୟର ଜୀବନରେ ନାକ ଗଳାଇବା ପୂର୍ବରୁ ନିଜ ବିବେକକୁ ଥରେ ପଚାରିବା। କାରଣ ନୈତିକତାର ସବୁଠାରୁ ବଡ଼ ପରୀକ୍ଷା ଅନ୍ୟକୁ ଠିକ୍‌ କରିବାରେ ନୁହେଁ- ନିଜକୁ ଠିକ୍‌ ରଖିବାରେ। ଆଉ ଯଦି ତଥାପି ‘ମୋରାଲ୍‌ ପୋଲିସ୍‌’ ହେବାର ବହୁତ ଇଚ୍ଛା ଥାଏ, ତେବେ ପ୍ରଥମ ଡ୍ୟୁଟିଟା ନିଜ ଉପରେ ହିଁ ଦିଅନ୍ତୁ! ନୈତିକତାର ଧଣ୍ଡା ଧରିବା ପୂର୍ବରୁ ନିଜ ବିବେକକୁ ଥରେ ଜଗାନ୍ତୁ।
ଶିକ୍ଷୟିତ୍ରୀ, ଡି.ଏ.ଭି. ପବ୍ଲିକ୍‌ ସ୍କୁଲ, ପୁରୀ
ମୋ: ୭୮୫୪୮୦୨୮୦୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?