ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ ତାଙ୍କ ଶ୍ୱଶୁର ବାଶୁ ଭଗନାନୀଙ୍କ ସହ ଜଡ଼ିତ ୧୨ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଏହାର ପ୍ରାୟ ସପ୍ତାହେ ପରେ ରକୁଲ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି। ରକୁଲ ନିଜକୁ ଆମର୍ଡ ଫୋର୍ସେସ ପରିବାରରୁ ଆସିଥିବା ଜଣେ ସେଲ୍ଫ-ମେଡ ଆର୍ଟିଷ୍ଟ ବୋଲି କହିଛନ୍ତି। ସେ ସବୁବେଳେ ଆଇନକୁ ସମ୍ମାନ କରିଆସିଛନ୍ତି ଏବଂ ୨୦ ବର୍ଷ ବୟସରୁ ଟିକସ ଦେଇଆସୁଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଗଡ୍ଫାଦରଙ୍କ ସହାୟତା ବିନା ନିଜ ପରିଶ୍ରମରେ ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ବ୍ୟକ୍ତିଗତ ଭାବେ କିମ୍ବା ପ୍ରଡକ୍ସନ ସମ୍ପର୍କିତ କୌଣସି ଭାବେ ସେ ବିଦେଶୀ ଲେନଦେନରେ ସମ୍ପୃକ୍ତ ନୁହନ୍ତି ବୋଲି କହିଛନ୍ତି। ଦେଶ କିମ୍ବା ବିଦେଶରେ ତାଙ୍କର କୌଣସି ବେନାମୀ ସମ୍ପତ୍ତି ନାହିଁ। ତଥ୍ୟ ଯାଞ୍ଚ ନକରି ଖବରକୁ ଅତିରଞ୍ଜିତ ଭାବେ ପ୍ରସ୍ତୁତ କରିବାର ପ୍ରବୃତ୍ତି ବଢ଼ିଚାଲିଛି। ତେଣୁ ସେ ଏହି ମାମଲାର ପ୍ରକୃତ ତଥ୍ୟ ସ୍ପଷ୍ଟ କରିବାକୁ ଚାହୁଁଥିବା କହିଛନ୍ତି।
ନିଜକୁ ନେଇ ପ୍ରକାଶିତ ଅନୁମାନ ଓ ଦୁର୍ଭାବନାପୂର୍ଣ୍ଣ ରିପୋର୍ଟ ପ୍ରକାଶ କରୁଥିବା ଗଣମାଧ୍ୟମକୁ ରକୁଲ ଏପରି ଖବର ପ୍ରତ୍ୟାହାର କରି ପ୍ରକୃତ ତଥ୍ୟ ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ମିଡିଆ ଉପରେ ବ୍ୟବସାୟିକ ଚାପ ରହିପାରେ, କିନ୍ତୁ ତଥ୍ୟର ମୂଲ୍ୟରେ ଖବର ପ୍ରସ୍ତୁତ କରାଯିବା ଉଚିତ ନୁହେଁ। କୌଣସି ବ୍ୟକ୍ତିଙ୍କ ସମ୍ମାନ ଓ ଜୀବିକାକୁ କ୍ଷତି ପହଞ୍ଚାଇ ଖବର ପ୍ରକାଶ କରିବା ଠିକ ନୁହେଁ ବୋଲି ସେ ମତ ଦେଇଛନ୍ତି
ରକୁଲ ପ୍ରୀତ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ ପାର୍ଟ-୧’ ନଜର ଆସିବେ। ଫିଲ୍ମରେ ରକୁଲ ଲଙ୍କାଧିପତି ରାବଣଙ୍କ ଭଉଣୀ ଶୂର୍ପଣଖା ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରଣବୀର କପୁର ଭଗବାନ ଶ୍ରୀରାମଙ୍କ ଭୂମିକାରେ ଥିବା ବେଳେ ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଦୀପାବଳି ଅବସରରେ ଫିଲ୍ମଟି ରିଲିଜ ହେବାକୁ ଥିବାରୁ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
Dharitri – Odisha’s No.1 Odia Daily

