ପଟ୍ଟାଙ୍ଗି,୨୦ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତର ୩ ଗ୍ରାମରେ ହେବାକୁ ଥିବା ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ ତାରିଖକୁ ଆନ୍ଧ୍ର ପରିବର୍ତ୍ତନ କରିଛି। ଏ ନେଇ ଆନ୍ଧ୍ର ନିର୍ବାଚନ ଅଧିକାରୀ ଅନିଲ ଚନ୍ଦ୍ର ପୁନେଥାଙ୍କ ପକ୍ଷରୁ ବିଜ୍ଞପ୍ତ ଜାରି କରାଯାଇଛି। ଆନ୍ଧ୍ରର ଏହି ନିଷ୍ପତ୍ତି ପରେ ଓଡ଼ିଶାର ରାଜନୈତିକ ଦଳ ଏବଂ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ଏ ନେଇ ସମସ୍ତଙ୍କ ନଜର ରହିଛି। ଏକ ସୂତ୍ର ଅନୁଯାୟୀ, ଆନ୍ଧ୍ରର ନିର୍ବାଚନ ତାରିଖ ପରିବର୍ତ୍ତନ ପରେ କୋରାପୁଟ ଜିଲା ଏବଂ ପଟ୍ଟାଙ୍ଗି ବ୍ଲକ୍ ପ୍ରଶାସନ ୨ ତାରିଖରେ ପରବ ପାଳନ କରିବାକୁ ପ୍ରସ୍ତୁତ ହେଉଛି। ଏହାଦ୍ୱାରା ସୀମାନ୍ତବାସୀ କୋରାପୁଟର ପରବ ମହୋତ୍ସବରେ ସାମିଲ ହେବେ ଏବଂ ଆନ୍ଧ୍ର ନିର୍ବାଚନରେ ମତଦାନ ସାବ୍ୟସ୍ତରୁ ଦୂରେଇରହିବା ଆଶାରେ ଏହି ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଗୁରୁବାର ଆନ୍ଧ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଚଳିତମାସ ୨୯ ତାରିଖରେ ସାଲୁର ନିର୍ବାଚନମଣ୍ଡଳୀ ତଥା ବ୍ଲକ୍ ଅଧୀନ ୨୯ଟି ପଞ୍ଚାୟତରେ ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ କରାଯାଇ ଡିସେମ୍ବର ୨ରେ ନିର୍ବାଚନ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ କୋଟିଆର ତଳ ଗଞ୍ଜେଇପଦର, ଫଗୁଣସିନେରୀ, ଫାଟୁସିନେରୀ ଗ୍ରାମରେ ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ପାଇଁ ନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ଆନ୍ଧ୍ରର ନିର୍ଦ୍ଧାରିତ ପୂର୍ବ ତାରିଖରେ କୋଟିଆରେ ପରବ ପାଳନ କରିବାକୁ କୋରାପୁଟ ଜିଲା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜିଲାସ୍ତରୀୟ ପ୍ରସ୍ତୁତି ବୈଠକରେ ପ୍ରସ୍ତାବ ଦେଇଥିଲେ। ପ୍ରଶାସନ ମଧ୍ୟ ଉକ୍ତ ପ୍ରସ୍ତାବରେ ସହମତି ପ୍ରକାଶକରି ଏଥିପାଇଁ ପ୍ରସ୍ତୁତ ହେଉଥିଲା। କିନ୍ତୁ ବର୍ତ୍ତମାନ ଆନ୍ଧ୍ର ନିର୍ବାଚନ ତାରିଖ ପରିବର୍ତ୍ତନ ପରେ କୋରାପୁଟ ଜିଲା ପ୍ରଶାସନର ପଦକ୍ଷେପ କ’ଣ ହେବ ଏହା ଦେଖିବାକୁ ବାକି ରହିଲା। ଆନ୍ଧ୍ର ଉକ୍ତ ନିର୍ବାଚନରେ କୋଟିଆ ସୀମାନ୍ତବାସୀ ପଛଘୁଞ୍ଚା ନ ଦେଇ ନିଜର ମତଦାନ ସାବ୍ୟସ୍ତ କରିବେ, ଏଥିରେ କୌଣସି ବାଧା ଉପୁଜିଲେ ଆଗକୁ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ସହଯୋଗ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଆନ୍ଧ୍ର ପରିବର୍ତ୍ତନ କରିଥିବା ତାରିଖରେ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏ ମତଦାନ ସମୟ ରଖିଛି। ଅପରାହ୍ନ ୨ଟା ପରେ ଭୋଟ ଗଣିତ ସମୟ ଧାର୍ଯ୍ୟ କରି ବିଜେତାଙ୍କ ନଁା ଘୋଷଣା କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ କରିଛି। ପ୍ରକାଶ ଯେ, ୨୦୨୧ରେ ଆନ୍ଧ୍ର ପକ୍ଷରୁ କୋଟିଆର ୩ ଗ୍ରାମରେ ହୋଇଥିବା ସରପଞ୍ଚ ନିର୍ବାଚନରେ ଫାଟୁସିନେରୀ ଗ୍ରାମର ଏକ ଚର୍ଚ୍ଚରେ ମତଦାନ କେନ୍ଦ୍ର କରାଯାଇଥିଲା। ଏଥିରେ ଗ୍ରାମର ସେଦାରାପୋ କାମି ନାମକ ଜଣେ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଅନ୍ୟ ୨ ଗ୍ରାମ ତଳ ଗଞ୍ଜେଇପଦର ଏବଂ ଫଗୁଣସିନେରୀରେ ୨ ସରପଞ୍ଚ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ହୋଇଥିଲେ।
Dharitri – Odisha’s No.1 Odia Daily

