ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବରଗଡ଼ କଲ୍ୟାଣ ମଣ୍ଡପରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିଲେ।
ଗାନ୍ଧୀଛକରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହା ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସାଧୁଚରଣ ନେପାକ, ଯୁଗଳ ପ୍ରସାଦ ସିଂହ, ସରୋଜ କୁମାର ଷଡ଼ଙ୍ଗୀ, ହରଦୀପ ସିଂହ, ଅନନ୍ତ ଶୟନ ପାଢୀଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

