ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା ମାନି ସୁନା କିଣିବା କମାଇ ଦେଇଥିବାରୁ ଦେଶର ଅର୍ଥ ସଞ୍ଚୟ ହୋଇପାରିଛି ବୋଲି ସେ କହିଛନ୍ତି। ଏହାସହ ଆଗାମୀ ଆଉ ଏକ ବର୍ଷ ପର୍ଯ୍ୟନ୍ତ ଅତି ଜରୁରୀ ନଥିଲେ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ବର୍ଷ ପୂର୍ବେ ମୁଁ ଦେଶବାସୀଙ୍କୁ ଅନୁରୋଧ କରିଥିଲି ଯେ ଯଦି ବହୁତ ଜରୁରୀ ନଥାଏ, ତେବେ ଦୟାକରି ଗୋଟିଏ ବର୍ଷ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ। ମୋତେ ଖୁସି ଲାଗୁଛି ଯେ ଯେପରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ଗୋଟିଏ ଓଳି ଉପବାସ ରହିବା ଅନୁରୋଧକୁ ଦେଶବାସୀ ମାନିଥିଲେ, ଆଜି ବି ମୋ ଦେଶର ଚରିତ୍ର ଠିକ୍ ସେହିପରି ରହିଛି। ମୋ ଭଳି ଜଣେ ସାଧାରଣ ବ୍ୟକ୍ତିଙ୍କ କଥାରେ ଦେଶବାସୀ ସୁନା କିଣିବା କମାଇ ଦେଇଛନ୍ତି, ଯାହାଫଳରେ ସୁନା ଦର ହ୍ରାସ ପାଇଛି ଏବଂ ଲୋକଙ୍କ ଟଙ୍କା ବଞ୍ଚିଯାଇଛି।”
ଏହି ଅବସରରେ ପ୍ରଧାନମନ୍ତ୍ରୀ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଦେଶରେ IIT ଛାତ୍ରଛାତ୍ରୀଙ୍କୁ ଯେଉଁ ସମ୍ମାନ ମିଳେ, ITI (ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍)ରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ସମାନ ସମ୍ମାନ ମିଳିବ।
ସେ ଆହୁରି କହିଛନ୍ତି, “ଉତ୍ତରପ୍ରଦେଶର ଜଣେ MP ଭାବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ସାଥୀମାନଙ୍କୁ ସ୍ୱାଗତ କରିବା ମୋ ପାଇଁ ଗର୍ବ ଓ ସୌଭାଗ୍ୟର ବିଷୟ। ଆଜି ସକାଳେ ମୋର ପ୍ରଥମ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗର IITରେ ଥିଲା। ମୁଁ ଯେଉଁ ଉତ୍ସାହ ଓ ଆଶା ନେଇ IIT ଛାତ୍ରଛାତ୍ରୀଙ୍କ ଗହଣକୁ ଯାଇଥିଲି, ଠିକ୍ ସେହି ଉତ୍ସାହ ନେଇ ITI ଛାତ୍ରଛାତ୍ରୀଙ୍କ ପାଖକୁ ଆସିଛି। IIT ହେଉ ବା ITI, ଉଭୟ ମୋ ଦେଶର ପ୍ରକୃତ ସମ୍ପତ୍ତି, ସାମର୍ଥ୍ୟ ଏବଂ ଭବିଷ୍ୟତ।”
ITI ଛାତ୍ରଛାତ୍ରୀଙ୍କ ଉତ୍ସାହ ବଢ଼ାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନିଜେ ବଙ୍ଗଳାରୁ ଧାଇଁ ଆସି ITI ପିଲାମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରୁଛନ୍ତି। ITI ଛାତ୍ରଛାତ୍ରୀଙ୍କ ଠାଣି ଏବଂ ସେମାନଙ୍କ ଡିଜାଇନର୍ ପୋଷାକ ବଡ଼ ବଡ଼ ବିଶ୍ୱବିଦ୍ୟାଳୟର ପିଲାମାନଙ୍କୁ ମଧ୍ୟ ମିଳିନଥାଏ ବୋଲି ସେ ପ୍ରଶଂସା କରିଛନ୍ତି।

