ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଶିକ୍ଷକଙ୍କଠାରୁ ଅବଗତ ହୋଇ ମୁଁ ଗଣମାଧ୍ୟମ ‘X’ ଦ୍ବାରା ମଧ୍ୟ ରାଜ୍ୟ ଏବଂ ଜାତୀୟ ସ୍ତର ଉଚ୍ଚ କର୍ମକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ଭୁଲ୍‌ ବହିଗୁଡ଼ିକୁ ବହୁସଂଖ୍ୟାରେ ଛାପିଚାଲିବା ସହ ଶୁଦ୍ଧିପତ୍ର ତିଆରି କରାଇ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକାଙ୍କ ଦାୟିତ୍ୱ ସାରିବା ଶିଶୁ-କଠୋର ହୃଦୟର ପରିଚାୟକ। ବଡ଼ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକକୁ ତେବେ କ’ଣ ଛୋଟପିଲା ଲେଖିଥିଲେ କି? ଯଦିଓ ରାଜ୍ୟ ସରକାର ବସାଇଥିବା କମିଟି ତଦନ୍ତ ରିପୋର୍ଟ ଆସିନାହିଁ, ତେଣୁ ନିର୍ଦ୍ଦେଶିକାଙ୍କ ବକ୍ତବ୍ୟ ବିଭ୍ରାନ୍ତିକର। ବର୍ତ୍ତମାନ ରାଜନୀତିକ ଦଳମତ ନିର୍ବିଶେଷରେ ସଂକୀର୍ଣ୍ଣତା, ଅହଂକାରକୁ ତ୍ୟାଗକରି ଶିଶୁଙ୍କୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହାସହ ଏ ସଂକ୍ରାନ୍ତରେ ମତ ରଖିବା ଯଥାର୍ଥ ମନେକରୁଛି।
ତଦନ୍ତ ପ୍ରକ୍ରିୟା ଜାରି ରହେ ଅନେକ ଦିଗ ସମ୍ପର୍କରେ। ତାହା ସମୟସାପେକ୍ଷ। କିନ୍ତୁ ତତ୍କାଳ ପଦକ୍ଷେପ ବା ନିଷ୍ପତ୍ତି ଗ୍ରହଣ ଜରୁରୀ ଥାଏ, କିପରି ସାମାଜିକ ଶୃଙ୍ଖଳା ରକ୍ଷା କରାଯାଇ ଜନମାନସକୁ ସନ୍ତୁଷ୍ଟ କରାଯିବ, ତାହା ପୁଣି ସମ୍ବେଦନଶୀଳତାର ସହ ତାହାହିଁ କରଣୀୟ। ସରକାର ସବୁ ଶିଶୁ-ଛାତ୍ରୀଛାତ୍ରଙ୍କ ମାତାପିତା, ଅଭିଭାବକ ଓ ଭବିଷ୍ୟତ ନିର୍ଣ୍ଣାୟକ। ତେଣୁ ତ୍ୱରିତ ନିଷ୍ପତ୍ତି ନେଇ ଉଦାହରଣୀୟ ଦୃଷ୍ଟାନ୍ତ ହୁଅନ୍ତୁ।
୧.କିଛି ଅନାମଧ୍ୟେୟ ତଥା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅନଭିଜ୍ଞ ଶିକ୍ଷକ, ଅପରିପକ୍ୱ ପରିଚାଳକଙ୍କ ହାତରେ ରାଜ୍ୟର ପାଠ୍ୟପୁସ୍ତକ ଲେଖା ଦାୟିତ୍ୱ ଦେଇ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, ଅଭିଭାବକ ଏବଂ ସର୍ବୋପରି ସରକାରଙ୍କୁ ଚରମ ଅସୁବିଧାରେ ପକାଯାଇଛି। ଏହା ଏକ ଗୋଷ୍ଠୀବଦ୍ଧ ଅକ୍ଷମଣୀୟ ଅପରାଧ ଓ ବିଦ୍ୟାମାରଣ କାର୍ଯ୍ୟ।
ନିର୍ଭୁଲ୍‌ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ବର୍ଷବ୍ୟାପୀ ସାଧନା ଓ ପ୍ରସ୍ତୁତି ଆବଶ୍ୟକ। ଏଥିରେ ଅସାବଧାନତା ଅବଲମ୍ବନ କରାଗଲେ ବହୁ କୋଟି ଟଙ୍କା (ସର୍ବସାଧାରଣଙ୍କ ଅର୍ଥ)ନଷ୍ଟ ହୁଏ। ସରକାର ସମାଲୋଚନାର ଶରବ୍ୟ ହୁଅନ୍ତି। ଏହି ଜ୍ଞାନ ବା ଧାରଣା ଅଦୂରଦର୍ଶୀ ସମ୍ପୃକ୍ତ ସମ୍ପାଦକ, ସମୀକ୍ଷକ, ସଦସ୍ୟ, ସଂଯୋଜକ, ଅଧିକାରୀଙ୍କର ନାହିଁ। ନିକଟ ଅତୀତରେ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଭ୍ରମାତ୍ମକ ତଥ୍ୟ ଛପାଯାଇଥିବା ହେତୁ ଏନ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶରେ ସମସ୍ତ ପାଠ୍ୟପୁସ୍ତକ ପ୍ରତ୍ୟାହାର କରିବାକୁ ବାଧ୍ୟହୋଇଛନ୍ତି, ଏହା ସମସ୍ତଙ୍କୁ ଜଣା। ଏପରି ସ୍ଥିତିରେ ଏସ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ନିର୍ଭୟରେ ଭୁଲ୍‌ ତଥ୍ୟ ଛାପି ଛାତ୍ରୀଛାତ୍ରଙ୍କୁ ପଢ଼ିବାକୁ ବାଧ୍ୟ କରିବା ଅଯୌକ୍ତିକ, ଅଗଣତାନ୍ତ୍ରିକ, ସମ୍ବେଦନହୀନ, ବିବେକଶୂନ୍ୟ କାର୍ଯ୍ୟ। ପାଠ୍ୟପୁସ୍ତକରେ ପରୀକ୍ଷାମୂଳକ ସଂସ୍କରଣ ଲେଖାଥିଲେ ମଧ୍ୟ ସଫଳତା ପରୀକ୍ଷଣ କରାଯାଇନାହିଁ।
୨.ସରକାରୀ ଗଣତିରେ ତ୍ରୁଟି ସଂଖ୍ୟା ଯାହା ଅଛି, ତାହାଠାରୁ ଦୁଇ ତିନି ଗୁଣ ତ୍ରୁଟି ଥିବା ବିଭିନ୍ନ ମହଲରେ ବର୍ତ୍ତମାନ ଆଲୋଚିତ। ହାସ୍ୟାସ୍ପଦ କଥା ଏହି ଯେ, ଶୁଦ୍ଧିପତ୍ରରେ ମଧ୍ୟ ତ୍ରୁଟି ଦେଖାଦେଲାଣି। କେଉଁ ପ୍ରକାର ତ୍ରୁଟିକୁ ସଜଡ଼ାଯାଇଛି, ତାହା ମଧ୍ୟ ସ୍ପଷ୍ଟ ନୁହେଁ। ପାଠ୍ୟପୁସ୍ତକ ପୋଡ଼ା ତିଅଣ ପାଲଟି ଯାଇଛି, ଯାହାକି ସଂଶୋଧନ ଯୋଗ୍ୟ ଅବସ୍ଥାରେ ନାହିଁ।
ଭାଷା, ଭାବ, ବନାନ, ବାକ୍ୟ, ଧାରଣାଗତ ତ୍ରୁଟି ପାଇଁ କିଏ ଉତ୍ତରଦାୟୀ? କାହାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାମ କରାଯାଇଛି, ତାଙ୍କ ବିରୋଧରେ ପ୍ରଥମେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଛାତ୍ରୀଛାତ୍ରଙ୍କ ସମୂହହିତ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅବିଳମ୍ବେ ବାତିଲ ବା ପ୍ରତ୍ୟାହାର କରାଯାଇ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତହେବା ପର୍ଯ୍ୟନ୍ତ ବର୍ତ୍ତମାନ ପରିପ୍ରେକ୍ଷୀରେ ପୁରୁଣା ପାଠ୍ୟପୁସ୍ତକ ପଢ଼ାଯାଉ। କାରଣ ଶିଶୁ ମସ୍ତିଷ୍କକୁ ବିଭ୍ରାନ୍ତ, ଭାରାକ୍ରାନ୍ତ, ମାନସିକ ଚାପଯୁକ୍ତ କରିବାର ଅନ୍ୟନାମ ଶିଶୁ ନିର୍ଯାତନା। ଆଧ୍ୟାତ୍ମିକ ଦୃଷ୍ଟିରୁ ମହାପାପ। ତେଣୁ ଶୁଦ୍ଧିପତ୍ର ଉପଯୁକ୍ତ ସମାଧାନ ନୁହେଁ। ଅନୁପଯୁକ୍ତ ଉପହାର ପିଲାଙ୍କୁ ନ ଧରାଇ ପ୍ରତ୍ୟାହୃତ ହେଉ। ନିମ୍ନଶ୍ରେଣୀମାନଙ୍କରେ ଶୁଦ୍ଧିପତ୍ର ମିଳାଇ ପଢ଼ିବା, ଛାତ୍ରୀଛାତ୍ରଙ୍କ ବୟସ, ମାନସିକ ସ୍ତର ଏବଂ ପ୍ରୟୋଗ ଦୃଷ୍ଟିରୁ ଆଦୌ ଯୁକ୍ତିଯୁକ୍ତ କିମ୍ବା ମନୋବିଜ୍ଞାନଭିତ୍ତିକ ବ୍ୟବସ୍ଥା ନୁହେଁ। ପାଠ ପଢ଼ାଇବାକୁ ନିଯୁକ୍ତ ଶିକ୍ଷକମାନଙ୍କ ଉପରେ ପାରିଶ୍ରମିକ ପ୍ରାପ୍ତ, ବ୍ୟକ୍ତିକୃତ ଦୋଷର ବୋଝ ଲଦିବା ସର୍ବଥା ଅଯୌକ୍ତିକ। ଏହା ବିଷୟ ଶିକ୍ଷକଙ୍କ ପ୍ରତି ଅସମ୍ମାନ ଓ ଅସନ୍ତୋଷର କାରଣ ହେବ।
୩.ମିଥ୍ୟା ତଥା ଚଞ୍ଚକତାପୂର୍ଣ୍ଣ ଭାବରେ ବିଷୟ ବିଶେଷଜ୍ଞ ବୋଲି ପାଠ୍ୟପୁସ୍ତକରେ ଯେଉଁମାନେ ଲେଖାଇଛନ୍ତି, ତାହା ଅନୁସନ୍ଧାନସାପେକ୍ଷ। ପ୍ରକାଶ ଥାଉ କି ସମଗ୍ର ଓଡ଼ିଶାରେ ବିଷୟ ବିଶେଷଜ୍ଞ ପଦବୀ କେବଳ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାରେ ବିଭିନ୍ନ ବିଷୟ ପାଇଁ ରହିଛି। ୨୦୧୮ ଅଗଷ୍ଟରୁ ସମସ୍ତ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ପ୍ରୋକ୍ତ ବ୍ୟକ୍ତିମାନେ କେଉଁଠି ବିଷୟ ବିଶେଷଜ୍ଞ ଥିଲେ କିମ୍ବା ଅଛନ୍ତି ସ୍ପଷ୍ଟ କରନ୍ତୁ।
୪.ଯେଉଁମାନେ ସମ୍ପାଦକ ହେବେ ସେମାନେ ସମୀକ୍ଷକ ହୋଇପାରିବେ ନାହିଁ। କାରଣ ନିଜ ଭୁଲ୍‌ ତ୍ରୁଟି ସେମାନେ ଠଉରାଇ ପାରିବେ ନାହିଁ। ତାହାର ଉଲ୍ଲଂଘନ ହୋଇଛି। ଜାତୀୟ ଶିକ୍ଷାନୀତିକୁ ଆଧାରକରି ପାଠ୍ୟପୁସ୍ତକ ପ୍ରସ୍ତୁତ ହେବାବେଳେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନ୍‌ସିଇଆର୍‌ଟି ଅଧୀନରେ ପରିଚାଳିତ, ସଂସ୍ଥାର ବିଭିନ୍ନ ବିଷୟର ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସରମାନଙ୍କୁ ସମ୍ପାଦନା ମଣ୍ଡଳୀର ଅନ୍ତର୍ଭୁକ୍ତ କରାଯାଏ। ଏସ୍‌ସିଇଆର୍‌ଟି କର୍ତ୍ତୃପକ୍ଷ ଏପରି ଏକପାଖିଆ ଭୁଲ୍‌ ନିଷ୍ପତ୍ତି ନେବା ଅନୁଚିତ।
୫.ସମ୍ପାଦକ/ସମୀକ୍ଷକ/ଛାପା ସଂଶୋଧକ ତାଲିକା କିଏ, କେଉଁ ଆଧାରରେ ପ୍ରସ୍ତୁତ କଲେ, ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା, ନିର୍ଦ୍ଦିଷ୍ଟ ବିଷୟରେ ସେମାନେ ଚାକିରିରେ ନିଯୁକ୍ତି ପ୍ରାପ୍ତ କି ନାହିଁ, ସରକାରୀ କିମ୍ବା ବେସରକାରୀ ବିଦ୍ୟାଳୟର ଶିକ୍ଷକ, ପାଠ୍ୟପୁସ୍ତକ ପ୍ରସ୍ତୁତି ସମ୍ପର୍କରେ ପୂର୍ବ ଅଭିଜ୍ଞତା କ’ଣ, କେଉଁ ପଦବୀରେ ଅଧିଷ୍ଠିତ ଅଛନ୍ତି ବା ଥିଲେ, ସରକାରୀ ନା ବେସରକାରୀ, ସେମାନଙ୍କ ଠାରୁ କ୍ଷତିପୂରଣ ଆଦାୟ କରାଯିବାର ଉତ୍ସ କ’ଣ ତାହା ବିଚାରଯୋଗ୍ୟ।
୬.ସପ୍ତମ ଶ୍ରେଣୀର ଓଡ଼ିଆ ମୁଖ୍ୟ ପାଠ୍ୟପୁସ୍ତକରେ ସଂସ୍କୃତ ଶିକ୍ଷକମାନଙ୍କୁ ସମ୍ପାଦକ ସମୀକ୍ଷକ ରୂପେ ନେବା କାରଣ କ’ଣ? ସେମାନଙ୍କର ଶିକ୍ଷା ମନୋବିଜ୍ଞାନ, ଓଡ଼ିଆ ବିଷୟ ପଢ଼ାରେ ଅନୁସୃତ ପାଠଦାନ ପଦ୍ଧତି, ମୂଲ୍ୟାୟନ ପ୍ରକ୍ରିୟା ଦୃଷ୍ଟିରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା, ଶୈକ୍ଷିକ ମୂଲ୍ୟବୋଧସମ୍ପନ୍ନ ଲେଖା ବାଛିବା, ଆଦର୍ଶ ପ୍ରଶ୍ନ ପ୍ରସ୍ତୁତିର କଳାକୌଶଳ ସମ୍ପର୍କିତ ତାଲିମ ସେମାନଙ୍କର ନ ଥିବାରୁ ଶୈକ୍ଷିକ ମୂଲ୍ୟବୋଧର ପରିପୂର୍ତ୍ତି, ସ୍ପଷ୍ଟତା ପାଠ୍ୟପୁସ୍ତକରେ ପ୍ରତିଫଳିତ ହୋଇନାହିଁ। ଗୋପନୀୟତା ରକ୍ଷା କରିବାରେ ବିଫଳତା ଓ ତୁଷ୍ଟୀକରଣ ହୋଇଛି। ତେଣୁ ଏହା ଅବିଚାରିତ, ଅବ୍ୟବସ୍ଥିତ, ମନମୁଖି ଚୟନ।
୭.ସିଲାବସ୍‌ ଓ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ ଗଠିତ କୋର୍‌ କମିଟି ସଦସ୍ୟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା କଥା। ସେମାନେ ସମ୍ପାଦକ, ସମୀକ୍ଷକ ପ୍ରଭୃତି ଆଳରେ ପାଠ୍ୟପୁସ୍ତକ ସମ୍ପାଦନା ତାଲିକାରେ ପ୍ରବେଶ କରିବା ଅନୁଚିତ; ଯାହାକି ବିଭିନ୍ନ ବିଷୟରେ ଉଲ୍ଲଂଘନ ହୋଇଛି। ଗୋଟିଏ ପଦବୀ ଅକ୍ଷୁଣ୍ଣ ରଖି ଅନ୍ୟ ପଦବୀର ପାରିଶ୍ରମିକ ଆଦାୟ କରାଯାଉ। ଗୋଷ୍ଠୀବଦ୍ଧ ଦାୟିତ୍ୱହୀନତା,ଚଞ୍ଚକତାପୂର୍ଣ୍ଣ ଆଚରଣ, ସଲାସୁତୁରା ହେତୁ ପାଠ୍ୟପୁସ୍ତକ ବଳି ପଡ଼ିଯାଇଛି। ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଇଚ୍ଛାକୃତ ଭାବରେ ଅନ୍ଧକାରକୁ ଠେଲିଦିଆଯାଇଛି। ଏହା ଜଳଜଳ ହୋଇ ଦିଶୁଛି। ପିଲାଙ୍କ ଭବିଷ୍ୟତ ନିକଟରେ କୌଣସି ଲେଖକ, ପଦବୀ କିମ୍ବା ଅର୍ଥ ବଡ଼ ନୁହେଁ। ସତ୍ୟ, ତଥ୍ୟ ଓ ମନସ୍ତାତ୍ତ୍ୱିକ ଭିତ୍ତିଭୂମି ବଡ଼। ୫୫ଖଣ୍ଡ ପାଠ୍ୟପୁସ୍ତକ ପ୍ରସ୍ତୁତି କାର୍ଯ୍ୟର ମୁଣ୍ଡିଆଳ ଭୂମିକାରେ ଏସ୍‌ସିଇଆର୍‌ଟି କାହାକୁ ନିୟୋଜିତ କରିଥିଲେ, ସ୍ପଷ୍ଟ ହେବା ଦରକାର।
ତୁରନ୍ତ ସରକାର ଏହି ପାଠ୍ୟପୁସ୍ତକଗୁଡ଼ିକୁ ପ୍ରତ୍ୟାହାର କରନ୍ତୁ। ଏହାକୁ ସଜାଡ଼ିବା ଅସମ୍ଭବ,ବୃଥା ଓ ବ୍ୟର୍ଥ ପ୍ରୟାସ। ସେଗୁଡ଼ିକୁ ନଷ୍ଟ ଦ୍ରବ୍ୟ ରୂପେ ସ୍ବୀକାର କରାଯାଉ। ଚଳାଚଳି ବେପାର ଶିକ୍ଷା କ୍ଷେତ୍ରରେ ସ୍ପୃହଣୀୟ କି ଗ୍ରହଣୀୟ ନୁହେଁ। ସୁଯୋଗ୍ୟ ବ୍ୟକ୍ତିଙ୍କ ଦ୍ବାରା ପାଠ୍ୟପୁସ୍ତକ ଲେଖାନ୍ତୁ। ଆବଶ୍ୟକ ପଡ଼ିଲେ, ବିଜ୍ଞାପନ ମାଧ୍ୟମରେ ଉଚ୍ଚକୋଟୀର ଲେଖାମାନ ସଂଗ୍ରହକରି ପ୍ରସଙ୍ଗ ଚୟନ କରାନ୍ତୁ। ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନର ମୂଳପିଣ୍ଡ ପାଠ୍ୟପୁସ୍ତକ। ଏହାକୁ କଳୁଷିତ କରା ନ ଯାଉ। ପାରିଶ୍ରମିକ ପ୍ରତ୍ୟାହାର ହେଉ। ସେମାନଙ୍କ ବିରୋଧରେ ଫୌଜଦାରି ମକଦ୍ଦମା କରାଯାଉ। ସରକାରଙ୍କ ପାଖରେ ଯଦି ବିଜ୍ଞଜନର ଅଭାବ ରହିଛି, ତେବେ ଉଚ୍ଚଶିକ୍ଷା ବିଭାଗର ବ୍ୟକ୍ତିଙ୍କୁ ନିୟୋଜିତ କରନ୍ତୁ। ନାମତାଲିକା ପ୍ରସ୍ତୁତ କରିଥିବା ଲୋକଟିକୁ ଚିହ୍ନଟକରି ବାହାର କରାଯାଉ। ପାଠ୍ୟପୁସ୍ତକ ଜାତୀୟ ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହେଁ। ତେଣୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନଷ୍ଟ ମୁହଁକୁ ଠେଲିଦେବା ଅଧିକାର କାହାର ନାହିଁ।
ଓଡ଼ିଆ ବିଷୟ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଶୈକ୍ଷିକ ଅଧିକାରୀ
ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
ମୋ: ୭୦୦୮୪୪୫୨୦୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?