ଭୁବନେଶ୍ୱର,୮ା୮(ସୁଚିସ୍ମିତା ସାହୁ): ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର (ପି.ଜି.) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୧,୧୨୧ଜଣ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬,୯୧୮ଜଣ ଛାତ୍ର, ୧୪,୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି।
ଚଳିତବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨,୫୬୩ଟି ସିଟ୍ ପାଇଁ ୫୮,୬୧୩ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏକକ ପିଜି ପ୍ରବେଶିକା ପରୀକ୍ଷାରେ ୫୦,୯୦୧ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ୩୭,୩୦୩ ଜଣ ପ୍ରାର୍ଥୀ ନିଜ ପସନ୍ଦ ଶିକ୍ଷାନୁଷ୍ଠାନ ବାଛିଛନ୍ତି। ସେହିପରି ‘ଫ୍ରିଜ୍’ ବିକଳ୍ପ ବାଛିଥିବା ଛାତ୍ରୀଛାତ୍ର ଅନ୍ଲାଇନରେ ନାମଲେଖା ଶୁଳ୍କ ପୈଠ କରିବା ପରେ ଇଣ୍ଟିମେଶନ ଲେଟର ଡାଉନଲୋଡ୍ କରି ୮ରୁ ୧୧ ତାରିଖ ମଧ୍ୟରେ (ଛୁଟି ଦିନ ବ୍ୟତୀତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ) ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ।

