ସୀମିତ ଅଧିକାର

ପଶ୍ଚିମବଙ୍ଗରେ ଭାଜପା କ୍ଷମତାକୁ ଆସିବା ପରେ ବଙ୍ଗୀୟ ଖ୍ରୀଷ୍ଟିଆନଙ୍କ ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଗତ ସପ୍ତାହରେ କାରୱାନ-ଇ-ମୋହବତ (ପୂର୍ବତନ ଆଇଏଏସ୍‌ ଅଧିକାରୀ ହର୍ଷ ମନ୍ଦରଙ୍କ ସଂଗଠନ) ନେତୃତ୍ୱରେ ଆମ ଭିତରୁ ଏକ ଗୋଷ୍ଠୀ ସାରା ରାଜ୍ୟରେ ଖ୍ରୀଷ୍ଟିଆନଙ୍କ ଅନୁଭୂତି ଓ ନିର୍ଯାତନା ବିଷୟ ଶୁଣିଥିଲା। ଏହା ସମ୍ପୂର୍ଣ୍ଣ ନୂଆ ଘଟଣା ବୋଲି ଆମେ ନିଷ୍କର୍ଷରେ ପହଞ୍ଚିଥିଲୁ। ସରକାର ଏଭଳି ଘଟଣାକୁ ସିଧାସଳଖ ପ୍ରୋତ୍ସାହିତ କରୁ ନ ଥିଲେ ମଧ୍ୟ ଏହାକୁ ଅଣଦେଖା କରୁଥିବା ଜାଣିପାରିଲୁ। ସମୟକ୍ରମେ ଏଭଳି ଆକ୍ରମଣ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଆମ ମଧ୍ୟରେ ଥିବା ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଜବାହର ସରକାର ମତ ଦେଇଛନ୍ତି ଯେ ଆକ୍ରମଣକାରୀମାନେ ନିଜକୁ ଦଳୀୟ ନେତା ଭାବେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଥିବାରୁ ଏହି ଆକ୍ରମଣଗୁଡ଼ିକ ଘଟୁଛି। କାରଣ ରାଜ୍ୟରେ ସ୍ଥାନୀୟ ଭାଜପା ସଂଗଠନ ତୁଳନାତ୍ମକ ଭାବେ ଦୁର୍ବଳ ଥିବାରୁ ହିଂସା ମାଧ୍ୟମରେ ଦଳୀୟ ସମର୍ଥକମାନେ ନିଜର ପରିଚୟ ଓ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ପୀଡ଼ିତଙ୍କଠାରୁ ସବୁକଥା ଶୁଣିବା ପରେ ଏହା ଯୁକ୍ତିଯୁକ୍ତ ମନେହେଉଛି। ଏହି କାରଣରୁ ଆକ୍ରମଣଗୁଡ଼ିକ ଆଗକୁ ବଢ଼ିପାରେ।
ଏହିସବୁ ଘଟଣା ଭାଜପା ଶାସିତ ଓଡ଼ିଶା ଏବଂ ଛତିଶଗଡ଼ରେ ଘଟୁଥିବା ଘଟଣାଗୁଡ଼ିକ ସହିତ ସମାନ। ପ୍ରାର୍ଥନା ସ୍ଥଳକୁ ଉତ୍ତ୍ୟକ୍ତ ଲୋକେ ଦଳବଦ୍ଧ ଆକ୍ରମଣ କରୁଛନ୍ତି। ଗଁାର ଚର୍ଚ୍ଚରେ କିମ୍ବା ବ୍ୟକ୍ତିଙ୍କ ଘରେ ପଶି ଆକ୍ରମଣ କରାଯାଉଛି। ଚର୍ଚ୍ଚଗୁଡ଼ିକରେ ସମବେତ ଲୋକଙ୍କୁ ଗାଳିଗୁଲଜ ଓ ମାଡ଼ ମରାଯାଉଛି। ମହିଳାମାନେ ବି ଏଥିରୁ ବାଦ ପଡ଼ୁନାହାନ୍ତି, ଏପରି କି କେତେକ କ୍ଷେତ୍ରରେ ସେମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ଖ୍ରୀଷ୍ଟିଆନ ପିଲାମାନଙ୍କୁ ଚାପୁଡ଼ା ମରାଯାଉଛି। ପାଦ୍ରୀଙ୍କୁ ସବୁଠାରୁ ଅଧିକ ନିର୍ଯାତନା ଦିଆଯାଉଛି। ସମ୍ପତ୍ତି ଲୁଟ କରାଯାଉଛି ଏବଂ ପୀଡ଼ିତଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏକ ଅଧ୍ୟୟନ ଅନୁସାରେ, ମେ ମାସରେ ଭାଜପା କ୍ଷମତାକୁ ଆସିବା ପରଠାରୁ ୪୮ଟି ଆକ୍ରମଣ ହୋଇଛି ଏବଂ ସେଥିମଧ୍ୟରୁ ୩୩ଟି ଘଟଣାରେ କୌଣସି ଏଫ୍‌ଆଇଆର୍‌ ପଞ୍ଜୀକୃତ ହୋଇନାହିଁ।
ଗୋଟିଏ ଘଟଣାରେ ଆକ୍ରମଣକାରୀମାନେ ଜଣେ ପାଦ୍ରୀଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିଲେ। ଏହା ସତ୍ତ୍ୱେ ପାଦ୍ରୀଙ୍କୁ ଅଭିଯୁକ୍ତ କରାଯାଇ ତାଙ୍କୁ ଏକ ମାସରୁ ଅଧିକ ସମୟ ଜେଲରେ ରଖାଯାଇଥିଲା। ପୋଲିସ ସରକାରଙ୍କ ଚିନ୍ତାଧାରା ଅନୁସାରେ କାର୍ଯ୍ୟ କରୁଛି ଏବଂ ଏହି ପ୍ରସଙ୍ଗରେ ଭାଜପାର ଆଭିମୁଖ୍ୟ ଆମକୁ ଅଜଣା ନୁହେଁ। ଆକ୍ରମଣକାରୀମାନେ ଆପତ୍ତି ଉଠାଉଛନ୍ତି ଯେ, କେତେକ ଖ୍ରୀଷ୍ଟିଆନ ମହିଳା ହାତରେ ଚୁଡ଼ି ପିନ୍ଧୁଛନ୍ତି ଏବଂ ମଥାରେ ସିନ୍ଦୂର ଲଗାଉଛନ୍ତି। ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଜଣେ ବ୍ୟକ୍ତି ମନ୍ଦିର, ଗୁରୁଦ୍ୱାର ଏବଂ ଦରଘାକୁ ଯାଇପାରିବେ ଏବଂ ଏସବୁ ସ୍ଥାନ ଉପରେ ବିଶ୍ୱାସ ରଖିପାରିବେ। ଏବେ ଏହି ଚିନ୍ତାଧାରା ଗ୍ରହଣୀୟ ହେଉନାହିଁ।
ଏଠାରେ ଆଉ କେତୋଟି କଥା ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେହୁଏ। ପ୍ରଥମ କଥା ହେଉଛି, ଅନ୍ତତଃ ପକ୍ଷେ ଏପର୍ଯ୍ୟନ୍ତ ମୁଖ୍ୟ ଧାରାର ଚର୍ଚ୍ଚଗୁଡ଼ିକ ଉପରେ ଆକ୍ରମଣ ହୋଇନାହିଁ। ରୋମାନ କ୍ୟାଥୋଲିକ ଗୋଷ୍ଠୀ ଏବଂ କୋଲକାତା ଓ ଅନ୍ୟାନ୍ୟ ସହରରେ ଥିବା ଅନ୍ୟ ପ୍ରତିଷ୍ଠିତ ଚର୍ଚ୍ଚଗୁଡ଼ିକୁ ଆକ୍ରମଣକାରୀମାନେ ଏଡ଼ାଇ ଯାଉଛନ୍ତି। ଏହା ପଛରେ କିଛି ରଣନୀତି ଥାଇପାରେ। କାରଣ ଯଦି ଭାଜପା ସମର୍ଥିତ ଉତ୍ତ୍ୟକ୍ତ ଗୋଷ୍ଠୀ ମଦର ଟେରେସାଙ୍କ ମିଶନାରିଜ୍‌ ଅଫ୍‌ ଚାରିଟିକୁ ଭଙ୍ଗାରୁଜା କରନ୍ତି, ତେବେ ଏହାକୁ ନେଇ ଭାରତ ଏବଂ ସମଗ୍ର ବିଶ୍ୱରେ ବଡ଼ ଧରଣର ବିରୋଧ ସୃଷ୍ଟି ହେବ। ଦ୍ୱିତୀୟ କଥା ହେଉଛି, ବଙ୍ଗୀୟମାନେ କେବଳ ସେମାନଙ୍କ ପରମ୍ପରା ଏବଂ ଉଦାରବାଦୀ ମନୋଭାବ ଯୋଗୁ ଏଭଳି ଘୃଣାରୁ ସୁରକ୍ଷିତ ବୋଲି ଭାବିବା ଉଚିତ ନୁହେଁ। ଭାରତର ଅନ୍ୟ ରାଜ୍ୟ ଏଭଳି ଆକ୍ରମଣ ଯୋଗୁ କେତେ ତଳକୁ ଖସିଯାଇପାରେ ଏବଂ ସେଠାକାର ସରକାର ଏହାକୁ ପ୍ରତିରୋଧ କରିବା ସକାଶେ କିଭଳି କମ୍‌ ଉଦ୍ୟମ କରନ୍ତି ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ରହିଛି। ସରକାର ଯାହା ଚାହୁଁଛନ୍ତି ତାହା କରିବା ପରିବର୍ତ୍ତେ ନିଜର କର୍ତ୍ତବ୍ୟ ଓ ନୈତିକତା ଅନୁସାରେ କାମ କରିବା ପାଇଁ ଆଇପିଏସ୍‌ ଅଫିସର ଏବଂ ବରିଷ୍ଠ ଅମଲାତନ୍ତ୍ରୀଙ୍କ ମଧ୍ୟରେ ଆଗ୍ରହ ପ୍ରାୟ ରହୁନାହିଁ। ଅନ୍ୟମାନେ ଥାଇପାରନ୍ତି, କିନ୍ତୁ ମୋ ଜୀବନକାଳ ମଧ୍ୟରେ ମୁଁ କେବଳ ଦୁଇଜଣ ଆଇଏଏସ୍‌ ଅଫିସରଙ୍କ କଥା ଭାବିପାରୁଛି, ଯେଉଁମାନେ ସରକାର ପ୍ରୋତ୍ସାହିତ ସାମ୍ପ୍ରଦାୟିକତା ମାମଲାରେ ନିଜ ନୀତି ଆଦର୍ଶ ରକ୍ଷାକରି ଇସ୍ତଫା ଦେଇଥିଲେ। ଜଣେ ଥିଲେ ହର୍ଷ ମନ୍ଦର, ଯିଏ ୨୦୦୨ ଗଣହତ୍ୟା ପରେ ଚାକିରି ଛାଡ଼ିଥିଲେ। ଅନ୍ୟ ଜଣେ କନ୍ନନ ଗୋପୀନାଥନ ଏବଂ ସେ ୨୦୧୯ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇସ୍ତଫା ଦେଇଥିଲେ। ବାସ୍‌ ଏତିକି। ରାଜ୍ୟ ସଭାରେ କାର୍ଯ୍ୟକାଳ ଆହୁରି ଦୁଇ ବର୍ଷ ବାକି ଥିବାସତ୍ତ୍ୱେ ଜବାହର ସରକାର ୨୦୨୪ରେ ଆର୍‌.ଜି. କର ହସ୍ପିଟାଲ ଦୁଷ୍କର୍ମ ମାମଲାରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଅନେକ ଦଶନ୍ଧି ଧରି ସାଧାରଣ ଓ ସ୍ବାଭାବିକ ଦେଖାଯାଉଥିବା ମଣିଷମାନେ ମାତ୍ର କ୍ଷଣକ ମଧ୍ୟରେ ନିଜର ଆଭିମୁଖ୍ୟ ବଦଳାଇ ସଂଖ୍ୟାଗରିଷ୍ଠତାବାଦୀ ଚିନ୍ତାଧାରାର ସମର୍ଥକ ପାଲଟିଯାଆନ୍ତି। ଆମର ବୈଦେଶିକ ମନ୍ତ୍ରୀଙ୍କ ଉଦାହରଣକୁ ଦେଖନ୍ତୁ। ଦେଖାଯାଉଛି, ଯେଉଁମାନେ ଏକ ଧର୍ମନିରପେକ୍ଷ ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେଇଛନ୍ତି, ସେମାନେ କ୍ଷମତା ଓ ପଦପଦବୀର ଲୋଭରେ ନିଜର ନୀତି ଓ ଆଦର୍ଶକୁ ବିକ୍ରି କରିଦେଉଛନ୍ତି। ତୃତୀୟ କଥା ହେଉଛି ଯେ, ଭାଜପା ଶାସନରେ ନିରନ୍ତର ଭାବେ ଆମ ସମ୍ବିଧାନର ଯେଉଁ ଅବକ୍ଷୟ ଘଟୁଛି। ସମ୍ବିଧାନର ଧାରା ୧୯ ଅନ୍ତର୍ଗତ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେବାର ଅଧିକାର ଆଜି ମୃତପ୍ରାୟ ସୀମିତ। ପୂର୍ବରୁ ‘ଜନ୍ତରମନ୍ତର’ରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଥିଲା, ଏବେ ତାହାକୁ ମନା କରାଯାଉଛି। ସେହିପରି, ଧାରା ୨୫ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କର ନିଜ ଧର୍ମକୁ ସ୍ବାଧୀନ ଭାବରେ ମାନିବା, ପାଳନ କରିବା ଏବଂ ପ୍ରଚାର କରିବାର ଅଧିକାର ରହିଛି। ଏବେ ଏହା ମୌଳିକ ଅଧିକାର ହୋଇ ରହିନାହିଁ, କେବଳ ଶବ୍ଦରେ ସୀମିତ। ଯେଉଁ ଦେଶରେ ଧର୍ମ ପ୍ରଚାର ଓ ପାଳନକୁ ଅପରାଧ ବୋଲି ଗଣାଯାଉଛି, ସେଠାରେ ‘ବସୁଧୈବ କୁଟୁମ୍ବକମ୍‌’ ଏବଂ ‘ସର୍ବଧର୍ମ ସମଭାବ’ ସ୍ଳୋଗାନ ଦେଇ ଆମେ ସାରା ବିଶ୍ୱକୁ ମିଛ କହୁଛୁ। ସମଗ୍ର ଭାରତର ମୁସଲମାନମାନେ ଦୀର୍ଘଦିନରୁ ହିନ୍ଦୁତ୍ୱର ପ୍ରକୃତ ଏବଂ ଏକମାତ୍ର ଉଦ୍ଦେଶ୍ୟକୁ ଚିହ୍ନି ସାରିଛନ୍ତି। ଦୁର୍ଭାଗ୍ୟବଶତଃ ଏବେ ପଶ୍ଚିମବଙ୍ଗର ଖ୍ରୀଷ୍ଟିୟାନମାନେ ତାହା ଅନୁଭବ କରିବା ଆରମ୍ଭ କଲେଣି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶାଦ୍ରବ୍ୟ କାରବାର ମାମଲାରେ ଅଭିଯୁକ୍ତ ଅଟକ, ରହିଛି ପଶ୍ଚିମବଙ୍ଗ ଲିଙ୍କ

ହାଟଡିହୀ/ଛେନାପଦୀ,୮ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ କେନ୍ଦୁଝର…

ଏଇ ଭାରତରେ

ଗୁଜରାଟରେ ସବୁଠୁ ଅଧିକ ଜଳାଭାବର ସମ୍ମୁଖୀନ ହେଉଥିବା ଆଦିବାସୀ ଅଧ୍ୟୁଷିତ ଡାଙ୍ଗ, ନର୍ମଦା ଓ ବରୁଚ ଜିଲାରେ ନୀତା ପଟେଲ ଚେକ୍‌ ଡ୍ୟାମ ଓ ଜଳାଶୟର ପୁନରୁଦ୍ଧାର…

ପ୍ରଜ୍ୱଳିତ ପ୍ରଦୀପର ମହାପାର୍ବଣ

ଦୀପାବଳି ହେଉଛି ଶୁଭରାତ୍ରି ଓ ମହାନିଶା। ଦୀପାବଳି ଶବ୍ଦର ଅନେକ ଅର୍ଥ ରହିଥିଲେ ମଧ୍ୟ ଏହାର ଅନ୍ତର୍ନିହିତ ଚିନ୍ତା ଚେତନାଟି ହେଉଛି ଅନ୍ଧକାର ଉପରେ ପ୍ରକାଶ ଏବଂ…

ପତନମୁଖୀ ସାମ୍ରାଜ୍ୟବାଦୀ ନେତୃତ୍ୱ

ବିଶ୍ୱ ନେତୃତ୍ୱ ବହନ କରିଆସିଥିବା ଆମେରିକା ଏବେ ୧୨୦ ବର୍ଷ ପରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜର ଅହଂକାରିତା ଓ…

ପାର୍କିଂକୁ ନେଇ ବିଜ୍‌ନେସ୍‌ ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା

ଫରିଦାବାଦ,୮ା୧୧: ପୁତୁରା ବାହାଘର ପାଇଁ ସିଙ୍ଗାପୁରରୁ ହରିୟାଣାର ଫରିଦାବାଦସ୍ଥିତ ଘରକୁ ଫେରିଥିବା ପ୍ରଯୁକ୍ତି ବିଜ୍‌ନେସ ଏକ୍‌ଜିକ୍ୟୁଟିଭ ପରମଜିତ୍‌ଙ୍କୁ ଶୁକ୍ରବାର ରାତିରେ ତାଙ୍କ ପଡ଼ୋଶୀ ଗୁଳିକରି ହତ୍ୟା କରିଛନ୍ତି।…

ପୃଥିବୀର ପ୍ରତିରକ୍ଷା ପ୍ରାଚୀର ଭେଦକଲେ ‘କିଲର ଇଲେକ୍ଟ୍ରୋନ୍‌’

ଟୋକିଓ, ୮ା୧୧ ବିଜ୍ଞାନ ଜଗତରେ ଏକ ଚମକାଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀର ଅଭେଦ୍ୟ ଦୁର୍ଗ କୁହାଯାଉଥିବା ପ୍ରାକୃତିକ ବିକିରଣ ପ୍ରାଚୀର ବା ରେଡିଏଶନ ବ୍ୟାରିଅର…

୩ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୮।୧୧,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୃତୀୟ ଦିନରେ ରାଜ୍ୟର କୃଷି, ସ୍ବାସ୍ଥ୍ୟ, ବ୍ୟାଙ୍କିଙ୍ଗ୍‌ ଏବଂ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମିକୁ…

ଗୋଟିଏ ରାତିରେ ୨ ହତ୍ୟାକାଣ୍ଡ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ବମିଖାଲ କଟକ ରୋଡ ଝାରପଡ଼ା ବ୍ରିଜ୍‌ ନିକଟରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?