ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ

ରାଜୀବ କର୍ମି

ସରକାର ନିଜସ୍ବ ବିଦ୍ୟାଳୟକୁ ପିଲା ଅଭାବରୁ ବନ୍ଦ କରୁଛନ୍ତି, ଅଥଚ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଗଢ଼ିଥିବା ହଜାର ହଜାର ହାଇସ୍କୁଲକୁ ସମ୍ପୂର୍ଣ୍ଣ ଅନୁଦାନ ଦେଉ ନାହାନ୍ତି। କାରଣ ଯାହା ହେଉନା କାହିଁକି ସରକାରୀ କଳ ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ରଖିପାରିଲେ ନାହିଁ। କୋଟି କୋଟି ଟଙ୍କାର ଅନୁଦାନ, ହଜାର ହଜାର କର୍ମଚାରୀ ଦିନ ରାତି ପରିଶ୍ରମ କରି ବି ନିଜ ବିଦ୍ୟାଳୟକୁ ବଞ୍ଚେଇ ପାରୁ ନାହାନ୍ତି; ଯାହାଫଳରେ ସରକାର ହାତ ଟେକି ଦେଇ ମୂଳୁ ମାଇଲେ ଯିବ ସରି ଲକ୍ଷ୍ୟରେ ବାଧ୍ୟ ହୋଇ ବିଦ୍ୟାଳୟକୁ ବନ୍ଦ କରୁଛନ୍ତି। ଅନ୍ୟ ଦିଗରେ ପରିଚାଳନା କମିଟିମାନେ ନିଜସ୍ବ ଉଦ୍‌ଯୋଗରେ ପଞ୍ଚାୟତ ସ୍ତରରେ ଉଚ୍ଚ ବିଦ୍ୟାଳୟଟିଏ ଖୋଲି ଅନେକ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି। ସେହି ଅଞ୍ଚଳରେ ଯଦି ବେସରକାରୀ ଉଦ୍ୟମରେ ବିଦ୍ୟାଳୟଟିଏ ଖୋଲାଯାଇ ନ ଥାନ୍ତା ତେବେ ସେହି ପିଲାମାନେ ନିଶ୍ଚିତ ଭାବରେ ଅଧାରେ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତେ। ଆଉ ଯଦି ସରକାରଙ୍କୁ ଭରସା କରାଯାଇଥାନ୍ତା ତେବେ ଆହୁରି ଅନେକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାନ୍ତା। କହିବା ବାହୁଲ୍ୟ ଯେ ସରକାରଙ୍କ ଅଧିକାଂଶ ବୋଝକୁ କମିଟି ଦ୍ୱାରା ପରିଚାଳିତ ଏହି ବ୍ଲକ୍‌ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକ ହିଁ ହାଲୁକା କରୁଛନ୍ତି। କିନ୍ତୁ ଏମାନଙ୍କୁ ପୂର୍ଣ୍ଣ ଅନୁଦାନ ଦେଇ ସରକାରୀ ବିଦ୍ୟାଳୟର ମାନ୍ୟତା ଦେବାରେ ସରକାର କୁନ୍ଥୁ କୁନ୍ଥୁ ହେଉଛନ୍ତି।
ବେସରକାରୀ ବ୍ୟତିରେକ ଆମ ରାଜ୍ୟରେ ଦୁଇ ପ୍ରକାର ବ୍ୟବସ୍ଥାରେ ହାଇସ୍କୁଲ ଚାଲିଛି। ଗୋଟିଏ ସରକାର ନିଜେ ଗଢ଼ିଥିବା ବିଦ୍ୟାଳୟ ସମୂହ ଏବଂ ଅନ୍ୟଟି କମିଟି ପରିଚାଳିତ ଅର୍ଥାତ୍‌ ସରକାରୀ ସ୍ବୀକୃତ ଏବଂ ଅନୁଦାନପ୍ରାପ୍ତ। ସରକାରଙ୍କ ୨୦ା୦୩ା୧୯୮୯ର ନିଷ୍ପତ୍ତି ଅନୁସାରେ କମିଟିମାନେ ନିଜସ୍ବ ଉଦ୍ୟମରେ ବିଦ୍ୟାଳୟ ଖୋଲିବେ ଏବଂ ସରକାର ସେହି ବିଦ୍ୟାଳୟଗୁଡ଼ିକୁ ପର୍ଯ୍ୟାୟ କ୍ରମେ ହାତକୁ ନେବେ। କ୍ରମଶଃ ସରକାର ଅନୁଦାନ ଦେଇ ସେହି ବିଦ୍ୟାଳୟଗୁଡ଼ିକର ଉନ୍ନତି ସାଧନ କରିବେ। କିନ୍ତୁ ବିଗତ ଦିନଗୁଡ଼ିକର ଅଭିଜ୍ଞତାରୁ ଦେଖାଯାଉଛି ସରକାର ଏହି ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଅବହେଳା କରିଆସୁଛନ୍ତି। ଯଦିଓ ଉଭୟ ବିଦ୍ୟାଳୟରେ ସମସ୍ୟା ରହିଛି କିନ୍ତୁ କମିଟି ପରିଚାଳିତ ବିଦ୍ୟାଳୟଗୁଡ଼ିକ ସରକାରୀ ସ୍ନେହରୁ ବିଭିନ୍ନ ଭାବରେ ବଞ୍ଚିତ। ସରକାରୀ ବିଦ୍ୟାଳୟଗୁଡ଼ିକ ସରକାର ନିଜସ୍ବ ଢଙ୍ଗରେ ପରିଚାଳନା କରୁଥିବା ବେଳେ, କମିଟି ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ସରକାର ସାବତ ମା’ର ପୁଅ ଭଳି ପରିଚାଳନା କରୁଛନ୍ତି। ଆମ ରାଜ୍ୟରେ ପାଖାପାଖି ୩୦୦୦ ହାଇସ୍କୁଲ ପରିଚାଳନା କମିଟି ଉଦ୍ୟମରେ ଆରମ୍ଭ କରାଯାଇ ଚାଲି ଆସୁଛି; ଯେଉଁଥିରୁ ୭୦ ଭାଗ ବିଦ୍ୟାଳୟକୁ ସରକାର ବିଭିନ୍ନ ସମୟରେ ଅଳ୍ପ ଅଳ୍ପ କରି ଅନୁଦାନ ଦେଇ ଆସୁଛନ୍ତି। କେତେକ ବିଦ୍ୟାଳୟ ୧୦୦ ଭାଗ, କିଛି ୭୫ଭାଗ, କିଛି ୬୦ ଭାଗ ଏବଂ କିଛି ୪୦ ଭାଗ ଅନୁଦାନ ପାଇ ଆସୁଛନ୍ତି। ଆଉ କିଛି ବିଦ୍ୟାଳୟ ଅଛି ଯେଉଁମାନେ କି ଉପରୋକ୍ତ କୌଣସି ଶ୍ରେଣୀଭୁକ୍ତ ନୁହନ୍ତି। ସେହି ବିଦ୍ୟାଳୟଗୁଡ଼ିକ ୧୦୦ ଭାଗ ନିଜସ୍ବ ଖର୍ଚ୍ଚରେ ବିଦ୍ୟାଳୟ ଚଳାଉଛନ୍ତି। ସରକାର ୧୦୦ ଭାଗ ଅନୁଦାନ ଦେଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବରେ ସରକାରୀ ନୁହେଁ।
ଏହି ବିଦ୍ୟାଳୟଗୁଡ଼ିକ ଭୋଗୁଥିବା ବିଭିନ୍ନ ଅସୁବିଧାର ଏକ ଉଦାହରଣ ଏଠାରେ ନିଆଯାଇ ପାରେ। ଆମ ଅଞ୍ଚଳରେ ସ୍ଥାନୀୟ ନେତୃତ୍ୱରେ କମିଟି ତରଫରୁ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ କରାଯାଇଥିଲା ୧୯୮୭ ମସିହାରେ। ପ୍ରଥମେ ବିଦ୍ୟାଳୟରେ ପିଲାସଂଖ୍ୟା ବୃଦ୍ଧି ପାଇଁ ୪/୫ ବର୍ଷ ପାଠ ଛାଡ଼ି ବାହାରେ ବୁଲୁଥିବା ପିଲାଙ୍କୁ ଖୋଜି ଖୋଜି ଭର୍ତ୍ତି କରାଯାଇଥିଲା। ଅନେକ ପିଲା ଏଠାରେ ଶିକ୍ଷା ପାଇ ବିଭିନ୍ନ ସମ୍ମାନାସ୍ପଦ ପଦ ପଦବୀରେ ଅଛନ୍ତି ତ କିଛି ଭଲ ଚାକିରି କରୁଛନ୍ତି। ସେହି ବିଦ୍ୟାଳୟ ଶହ ଶହ ପିଲାଙ୍କର ଉଚ୍ଚ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି। ହେଲେ ତା’ ତୁଳନାରେ ବିଗତ ୩୪ ବର୍ଷ ଭିତରେ ସେହି ବିଦ୍ୟାଳୟର କୌଣସି କ୍ଷେତ୍ରରେ ବି ଉନ୍ନତି ହୋଇନାହିଁ। ତିନୋଟି ପଞ୍ଚାୟତରେ ଗୋଟିଏ ବିଦ୍ୟାଳୟ ପୁଣି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଥଚ ସରକାର ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ସରକାରଙ୍କ ତରଫରୁ ୧୦୦ ଭାଗ ବ୍ଲକ୍‌ ଗ୍ରାଣ୍ଟ ପାଉଛି ଅଥଚ କୌଣସି ଶିକ୍ଷକ ଆଜି ବି ସରକାରୀ ବିଦ୍ୟାଳୟ ପରି ପୂରା ସ୍କେଲର ଦରମା ପାଉ ନାହାନ୍ତି। ପୂରା ଦରମା ମିଳିବା ପୂର୍ବରୁ କେତେକ ଶିକ୍ଷକ ଅବସର ନେଇ ସାରିଲେଣି। ଉପଯୁକ୍ତ ଶ୍ରେଣୀ ଗୃହ ନାହିଁ। ନବମ ଏବଂ ଦଶମ ଶ୍ରେଣୀ ଉଭୟରେ ୩୬୫ ପିଲା ଅଛନ୍ତି। ପିଲା ତୁଳନାରେ ଭିତ୍ତି ଭୂମି ନାହିଁ। ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀର ଘୋର ଅଭାବ ରହିଛି। ସମ୍ପୂର୍ଣ୍ଣ ସରକାରୀ ଅନୁଦାନ ମିଳୁ ନ ଥିବାରୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ମାଟ୍ରିକ୍‌ ପାସ୍‌ ହାର ମଧ୍ୟ ଖରାପ ନୁହେଁ। ସରକାରଙ୍କ ନିଜସ୍ବ ବିଦ୍ୟାଳୟର ସମକକ୍ଷ ବିଦ୍ୟାଳୟଟିଏ, ହେଲେ ସରକାରଙ୍କ ସମ୍ପୂର୍ଣ୍ଣ ଦୃଷ୍ଟି ୩୪ ବର୍ଷ ପରେ ବି ପଡ଼ିପାରିଲା ନାହିଁ। ଏଭଳି ସ୍ଥିତି ସବୁ ଜିଲାରେ ଅଛି।
ଜଣେ ସରକାରୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କଲେ ସିଧାସଳଖ ମୋଟା ଅଙ୍କର ଦରମା ପାଇଥାଏ ନତୁବା ୬ ବର୍ଷ ପରେ ନିୟମିତ ହୋଇ ସରକାରୀ ଶିକ୍ଷକ ଭାବରେ ପରିଗଣିତ ହୋଇଥାଏ। କିନ୍ତୁ ସ୍ବୀକୃତ ଏବଂ ଅନୁଦାନପ୍ରାପ୍ତ ଶିକ୍ଷକମାନେ ବର୍ଷ ବର୍ଷ ଧରି ବିନା ଦରମା କିମ୍ବା କମ୍‌ ଦରମାରେ ସେଇ ସମାନ କାମ କରନ୍ତି। ନିଜର ପରିବାର ଚଳେଇବା ପାଇଁ ଅନ୍ୟ ଆୟ ପନ୍ଥାରେ ନିର୍ଭର କରିବାକୁ ପଡ଼ୁଥିବାରୁ ସକାଳୁ ବିଲରେ ଯାଇ ଚାଷ କରିବେ ଏବଂ ସମୟ ହେଲେ ବିଦ୍ୟାଳୟକୁ ଯାଇ ସନ୍ଧ୍ୟାରେ ଫେରି ପୁଣି ବିଲକୁ ଯିବେ। ଏହି ଭଳିଆ ଅନୁଭବ ଅନେକ ଶିକ୍ଷକଙ୍କର ଥିବ। କେବେ ସରକାରୀ ଅନୁଦାନ ମିଳିବ ସେଇ ଆଶାରେ ବର୍ଷ ବର୍ଷ ଧରି ଆଶା ଆଉ ସରକାରୀ ଆଶ୍ୱାସନାରେ କିଛି ଶିକ୍ଷକଙ୍କର ଜୀବନ ବିତିଯାଏ। ପୂରା ଦରମା ପାଇଲା ବେଳକୁ ଚାକିରି ସରିଯାଇଥାଏ। କିନ୍ତୁ ସେମାନେ ପାଠ ପଢ଼ାରେ ଅବହେଳା କରନ୍ତି ନାହିଁ। ସରକାରଙ୍କର କିନ୍ତୁ ଏହିଭଳି ବିଦ୍ୟାଳୟ ପ୍ରତି ସବୁପ୍ରକାର ଲଗାମ ଥାଏ। ଯେପରି କି ଜନଗଣନା, ଭୋଟ କାର୍ଯ୍ୟକ୍ରମରେ ସାମିଲ କରିବା ଇତ୍ୟାଦି। ଏହି ବିଦ୍ୟାଳୟର ଶିକ୍ଷକମାନେ ଅବସର କାଳୀନ ପେନ୍‌ସନର ଅନ୍ତର୍ଭୁକ୍ତ ନୁହନ୍ତି କି ସପ୍ତମ ବେତନ ଆୟୋଗଙ୍କ ପରିସରଭୁକ୍ତ ମଧ୍ୟ ନୁହନ୍ତି। ଏହି ବିଦ୍ୟାଳୟଗୁଡ଼ିକୁ ସରକାର ଭିତ୍ତିଭୂମିର ବିକାଶ ପାଇଁ ଅନୁଦାନ ଦିଅନ୍ତି ନାହିଁ। ଏଥିପାଇଁ କେତେବେଳେ ବିଧାୟକ ପାଣ୍ଠି ତ କେତେବେଳେ ସାଂସଦ ପାଣ୍ଠି ଉପରେ ନିର୍ଭର କରିବାକୁ ପଡ଼େ। ସମ୍ପୂର୍ଣ୍ଣ ସରକାରୀ ହୋଇ ନ ଥିବାରୁ ସ୍ଥାନୀୟ ନେତାଙ୍କ ହସ୍ତକ୍ଷେପ ରହେ। ଫଳରେ ବିଦ୍ୟାଳୟ ଚଳେଇବା ଆହୁରି ଜଟିଳ ହୋଇପଡ଼େ।
ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଅଛି। ତେଣୁ ହାଇସ୍କୁଲଗୁଡ଼ିକ ଏହାର ପରିସରଭୁକ୍ତ ହେଉ ନାହାନ୍ତି। ସରକାର କୌଶଳ କ୍ରମେ ଅଷ୍ଟମ ଶ୍ରେଣୀକୁ ହାଇସ୍କୁଲରୁ ଅଲଗା କରି ସମସ୍ତ ହାଇସ୍କୁଲଗୁଡ଼ିକୁ ଶିକ୍ଷା ଅଧିକାରରୁ ବାଦ୍‌ ଦେଇଛନ୍ତି। କିଛି ମାଧ୍ୟମିକ ବିଦ୍ୟାଳୟକୁ ମଧ୍ୟ ହାଇସ୍କୁଲକୁ ଉନ୍ନୀତ କରାଯାଇଛି। ଆଉ କିଛି ବିଦ୍ୟାଳୟରେ ନାମକୁ ମାତ୍ର ନବମ ଏବଂ ଦଶମ ଶ୍ରେଣୀ ଖୋଲା ଯାଇଛି। କିନ୍ତୁ ସେହି ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ଆହୁରି ନଗଣ୍ୟ। ଅନେକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ହାଇସ୍କୁଲ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ଅର୍ଥାତ୍‌ ପିଲାମାନଙ୍କୁ ନିଜର ଭାଗ୍ୟ ଉପରେ ଛାଡ଼ି ଦିଆଯାଇଛି।
ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ହେଉ କି ଅଣ-ଅନୁଦାନପ୍ରାପ୍ତ ହାଇସ୍କୁଲ ହେଉ ଉଭୟଙ୍କର ସ୍ଥିତି ଶୋଚନୀୟ। ଏପରି କି ସରକାରଙ୍କ ନିଜସ୍ବ ବିଦ୍ୟାଳୟର ଅବସ୍ଥା ବି କିଛି ଭଲ ନୁହଁ। ମାତ୍ର ଅନୁଦାନପ୍ରାପ୍ତ ବିଦ୍ୟାଳୟ ତୁଳନାରେ ଭଲ। ସରକାର ଏ ବିଷୟକୁ ହୃଦୟଙ୍ଗମ କରି ବିହିତ ପଦକ୍ଷେପ ନେବା ଜରୁରୀ। ପ୍ରଥମତଃ ଏହି ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ସିଧାସଳଖ ସରକାରୀ ଅନୁଦାନର ବ୍ୟବସ୍ଥା। ଦ୍ୱିତୀୟତଃ ସରକାରୀ ବିଦ୍ୟାଳୟ ପରି ଏହି ବିଦ୍ୟାଳୟରେ ମଧ୍ୟ ପିଲାଙ୍କ ଶିକ୍ଷଣ ସ୍ତର ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ଅନୁଦାନ ଏବଂ ପଦକ୍ଷେପ। ତୃତୀୟତଃ ଆବଶ୍ୟକତା ଅନୁସାରେ ସରକାରୀ ଶିକ୍ଷକ ନିଯୁକ୍ତି। ଚତୁର୍ଥତଃ ଏହି ଅନୁଦାନପ୍ରାପ୍ତ ବିଦ୍ୟାଳୟରୁ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ସରକାରୀ ବିଦ୍ୟାଳୟର ମାନ୍ୟତା ଜରୁରୀ। ଶେଷରେ ଏହି ବ୍ଲକ୍‌ ଗ୍ରାଣ୍ଟ ହାଇସ୍କୁଲର ପିଲାମାନଙ୍କୁ ପାତରଅନ୍ତର ନ କରି ସରକାରୀ ବିଦ୍ୟାଳୟର ପିଲା ପାଉଥିବା ସୁବିଧା ସୁଯୋଗ ଦେବା ଉଚିତ।
ଶଗଡ଼ା, ବୌଦ୍ଧ, ମୋ: ୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?