ସ୍ନେହମୟୀ ମାଆ ଓ ସବା ସାନପୁଅ

ଡ. ଶରତ ଚନ୍ଦ୍ର ରଥ

ଖରାଦିନେ ଅସହ୍ୟ ଗରମ ହେଲେ ଲୋକମାନେ ଅତିଷ୍ଠ ହୋଇପଡ଼ନ୍ତି, ଜୀବଜନ୍ତୁ ଗଛପତ୍ର ଆକୁଳ ବିକଳ ହୋଇପଡ଼ନ୍ତି। ବର୍ଷା ଟିକିଏ ହୁଅନ୍ତା କି! ଏହି କଥା ପରସ୍ପର ଭିତରେ ଲୋକମାନେ କଥା ହୁଅନ୍ତି। ଦିନେ ଦୁଇଦିନ ଭିତରେ କଳାମେଘ ଘୋଟିଆସେ, ବର୍ଷା ହୁଏ, ପରିବେଶ ଶୀତଳି ଯାଏ। ଲୋକେ ଆଶ୍ୱସ୍ତ ହୁଅନ୍ତି। ମାତ୍ର କାହାକୁ କୃତଜ୍ଞତା ଦେବାକୁ ହେବ ଜାଣନ୍ତି ନାହିଁ, ଜାଣିଲେ ମଧ୍ୟ ଦିଅନ୍ତି ନାହିଁ। ଏତେ କଷ୍ଟ କରିବ କିଏ? କାହିଁକି ବା କରିବ। ମାଆର କାମ ଆମର ଯତ୍ନ ନେବା, ନେଲା, ଏଥିପାଇଁ କୃତଜ୍ଞତା ଜଣାଇବା କ’ଣ ଦରକାର? ଆମ ପାଇଁ ଚିନ୍ତା କରିବା ତ ତା’ର କାମ, ଆମ ଶୁଭ ମନାସିବା ତ ତା’ର କାମ, ତାକୁ କୃତଜ୍ଞତା ଜଣାଇଲେ ସେ କହିବ ନ ଜଣାଇଲେ ମଧ୍ୟ କହିବ, ଆଦର କଲେ ସେ କହିବ, ହତାଦର କଲେ ମଧ୍ୟ କହିବ। ମାଆ ହୋଇଛି ପରା…।
ଏଠାରେ ମାଆ ଅର୍ଥରେ ପ୍ରକୃତିର କଥା କୁହାଯାଉଛି। ଅହରହ ପ୍ରକୃତିମାତା ସମସ୍ତଙ୍କର କଲ୍ୟାଣ ପାଇଁ କର୍ମ କରୁଛି, ନିଜ କଥା ଭାବିବାକୁ ତାକୁ ବେଳ ନାହିଁ। ଏ ସମଗ୍ର ସୃଷ୍ଟି ତା’ର। ସମସ୍ତେ ତା’ର ସନ୍ତାନ। କେବଳ ଆମେ ନୁହେଁ ହାତୀ ମଧ୍ୟ, ଝିଟିପିଟି ମଧ୍ୟ ଓ ପିମ୍ପୁଡି ମଧ୍ୟ। ଏତେ ଟିକିଏ ଝିଟିପିଟି ଛୁଆଟିକୁ କିଏ ଶିଖାଇଛି ଚୁପ୍‌ ହୋଇ କାନ୍ଥରେ ଲାଖି ରହିବାକୁ, ମଝିରେ ମଝିରେ ଟିକି ଲାଙ୍ଗୁଡ଼ଟିକୁ ଟିକିଏ ହଲେଇ ଦେବାକୁ, ପାଖକୁ ଟିକି ପୋକଟି ଆସିଲେ ଟକ୍‌କିନା ପାଟିରେ ପକାଇ ଦେବାକୁ। ଯିଏ ଶିଖାଇଛି ସେ ହେଉଛି ପ୍ରକୃତି ମାଆ। ଗଛପତ୍ରକୁ ସୂର୍ଯ୍ୟକିରଣ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତି ଶିଖାଇଛି, କିଏ ପୁଣି କହିଛି ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଦେବାକୁ; ଯାହା ଏକାନ୍ତ ଆବଶ୍ୟକ ଜୀବଜନ୍ତୁ ଏବଂ ମନୁଷ୍ୟମାନଙ୍କ ପାଇଁ। ସେ ଆଉ କେହି ନୁହେଁ, ପ୍ରକୃତିମାତା। କେଉଁ ପିଲା କ’ଣ ଖାଇବେ- ସେ ଚିନ୍ତା ମାଆର। କିଏ ଭାତ ଖାଇବ ତ କିଏ ରୁଟି ଖାଇବ- ସେ ଚିନ୍ତା ମାଆର। ବାଘ ଯାହା ଖାଇବ, ହାତୀ ତାହା ଖାଇବ ନାହିଁ, ବିଲୁଆ ଯାହା ଖାଇବ, ଠେକୁଆ ତାହା ଖାଇବ ନାହିଁ। ବଣିଚଢ଼େଇ ଯାହା ଖାଇବ, ପାଣିକୁଆ ତାହା ଖାଇବ ନାହିଁ। ଯିଏ ସମସ୍ତଙ୍କ ପେଟ ଚିହ୍ନିଛି ସେ ହେଉଛି ପ୍ରକୃତି ମାତା। ଦୃଶ୍ୟମାନ ହେଉନି ସିନା, ଅଦୃଶ୍ୟରେ ରହି ସମସ୍ତଙ୍କ ପାଇଁ ସବୁକିଛି ସଜାଡ଼ି ରଖିଛି।
ମଣିଷ ହେଉଛି ପ୍ରକୃତି ମାତାର ସବା ସାନପୁଅ, ବୋଧହୁଏ ଅଧିକ ଗେହ୍ଲା। ତା’ ପାଇଁ ଅଧିକ ଆୟୋଜନ ମା’ର। ତା’ର ଶରୀରର ସୁସ୍ଥତା ପାଇଁ କେଉଁ ଋତୁରେ କେଉଁ ଫଳ ଲୋଡ଼ା, କେଉଁ ଭିଟାମିନ୍‌ କେଉଁ ଫଳରେ ରଖାଗଲେ ସେ ତାକୁ ଗ୍ରହଣ କରି ସୁସ୍ଥ ରହିବ, ଏତେ ସବୁ ଚିନ୍ତା ସେ କରିଛି। ସାନପୁଅ ଟିକିଏ ଅଧିକ ସୁକୁମାରିଆ, ସେ ପୃଥିବୀକୁ ଆସିବା ଆଗରୁ ଏତେ ସବୁ ଫଳଗଛ ଓ ଫଳର ଆୟୋଜନ ମାଆ ହିଁ କରିଛି।
ମାଟି, ପାଣି, ପବନ, ଆଲୋକ ଓ ଆକାଶ ପ୍ରଭୃତି ପଞ୍ଚଭୂତ ମାଆର ପ୍ରଥମ ସନ୍ତାନ। ପ୍ରଥମ ସନ୍ତାନକୁ ଅନ୍ୟ ସାନମାନଙ୍କୁ ଶ୍ରଦ୍ଧା ଓ ଆଦର କରିବାକୁ ମାଆ ହିଁ ଶିଖାଇଛି। ସେ ଶିଖାଇଛି ଯେମିତି ବଡ଼ ପିଲାଟି ଶିଖିଛି ସେମିତି। ପରିବାରର ବଡ଼ ପିଲାଟି ପରା, ତା’ର ଦାୟିତ୍ୱଜ୍ଞାନ ସ୍ବତନ୍ତ୍ର। ସେ ଦାୟିତ୍ୱଜ୍ଞାନ ପାଇଁ ଯୁକ୍ତି ଲୋଡ଼ାହୁଏ ନାହିଁ, ଏହା ଏପରି ସ୍ବତଃ ଯେ ତାହାକୁ କଳ୍ପନା କରିହେବ ନାହିଁ। ଏ ଲେଖାଟିର ପାଠକମାନଙ୍କ ଭିତରୁ ଯଦି କିଏ କିଏ ପରିବାରର ବଡ଼ପିଲା ହୋଇଥିବେ, ସେମାନେ ଏକଥାର ମର୍ମକୁ ଅଧିକ ଅନୁଭବ କରିପାରିବେ। ମା’ଙ୍କର କଥା ମାନି ବଡ଼ପୁଅ ଅର୍ଥାତ୍‌ ପଞ୍ଚଭୂତ କେବେ ହେଲେ ସାନମାନଙ୍କୁ ଅବହେଳା କରିନାହାନ୍ତି, ଅସୁବିଧାରେ ପକାଇବା ତ ଦୂରର କଥା। ସାନମାନେ ମଧ୍ୟ ବଡ଼କୁ ମାନିଛନ୍ତି, ସ୍ନେହ ଋଣୀ ହୋଇଛନ୍ତି। କେବଳ ସବା ସାନକୁ ଛାଡ଼ି ଅର୍ଥାତ୍‌ ମଣିଷକୁ ଛାଡ଼ି।
ସବା ସାନ ନିଜର ଅହଂ ଓ ସ୍ବାର୍ଥ ପାଇଁ ମାଟିକୁ ଧ୍ୱସ୍ତ ବିଧ୍ୱସ୍ତ କରୁଛି, ଜଳକୁ ଦୁଇ ଭାଗ ନୁହେଁ କେତେ କେତେ ଭାଗରେ ବିଭକ୍ତ କରୁଛି। ଆକାଶର ବକ୍ଷକୁ ବିଦୀର୍ଣ୍ଣ କରିଦେଉଛି, ବାୟୁମଣ୍ଡଳକୁ ଭରିଦେଉଛି ଧୂଳି ଓ ଧୂଅଁାରେ। ଫଳରେ କେତେ ନା କେତେ ଅଘଟଣ ଘଟୁଛି ଦିନକୁ ଦିନ। ପୃଥିବୀର ବାୟୁମଣ୍ଡଳର ଟ୍ରପୋସ୍ପିୟରରେ ଛିଦ୍ର ଦେବା ଫଳରେ ଅଧିକ ସୂର୍ଯ୍ୟକିରଣ ପୃଥିବୀକୁ ଚାଲି ଆସୁଛି ଏବଂ ପୃଥିବୀର ଉତ୍ତାପ ବୃଦ୍ଧି ହେଉଛି। ଷ୍ଟ୍ରାଟୋସ୍ପିୟର ମଧ୍ୟ ଦିନକୁ ଦିନ କଳୁଷିତ ହୋଇଗଲାଣି। ବିଭିନ୍ନ କାରଣରୁ ବାୟୁମଣ୍ଡଳରୁ ଅମ୍ଳଜାନର ମାତ୍ରା କମିଗଲାଣି ଓ ଅଙ୍ଗାରକାମ୍ଳର ମାତ୍ରା ବଢ଼ିଗଲାଣି। ଫଳରେ ଗ୍ଲୋବାଲ ଓ୍ବାର୍ମିଂର ଭୟାବହତା କ୍ରମେ କ୍ରମେ ଦେଖାଦେଲାଣି। ଏହାର ପ୍ରଭାବରେ ଗ୍ଲାସିୟର ତରଳିଯାଉଛି ଏବଂ ସମୁଦ୍ରର ଜଳପତନ ଆସ୍ତେ ଆସ୍ତେ ବୃଦ୍ଧି ପାଉଛି। ମେରୁ ଅଞ୍ଚଳର ବରଫ ଅସ୍ବାଭାବିକ ଭାବେ ତରଳିବାର ଅବସ୍ଥା ବୈଜ୍ଞାନିକ ତଥା ପରିବେଶବିତ୍‌ମାନଙ୍କୁ ବିବ୍ରତ କରିପକାଉଛି। ଭାରତରେ ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ ଅନୁଭୂତ ହେଉଛି। ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲାସିୟର ତରଳି ଯିବାରୁ ଯେଉଁ ଦାରୁଣ ବିପଦ ସୃଷ୍ଟି ହେଲା ତାହା ସମସ୍ତେ ଜାଣନ୍ତି। ସେତେବେଳେ ଅନେକ ଶ୍ରମିକ ଭୂମିଗତ ଟନେଲ ଭିତରେ ରହି ପ୍ରାଣ ହରାଇଲେ, ପୁଣି ନିର୍ମାଣାଧୀନ ତପୋବନ ଡ୍ୟାମ ଜଳର ସ୍ରୋତରେ ଭାସିଗଲା। ଗବେଷଣାରୁ ଜଣାଗଲା ଯେ, ଏହାର କାରଣ ଥିଲା ଗ୍ଲୋବାଲ ଓ୍ବାର୍ମିଂ।
ଅଙ୍ଗାରକାମ୍ଳ ଗ୍ୟାସର ଆଧିକ୍ୟ ହେତୁ ଦିଲ୍ଲୀରେ ମଝିରେ ମଝିରେ ଏପରି ଅବସ୍ଥା ସୃଷ୍ଟି ହେଉଛି ଯେ ଲୋକମାନେ ନିଃଶ୍ୱାସ ପ୍ରଶ୍ୱାସଜନିତ କଷ୍ଟ ଭୋଗ କରୁଛନ୍ତି। ଗ୍ଲେ୍‌ାବାଲ ଓ୍ବାର୍ମିଂର ମୁଖ୍ୟ କାରଣଗୁଡ଼ିକ ଭିତରୁ ପ୍ରାୟ ମଣିଷକୃତ। ଜଙ୍ଗଲରେ ନିଅଁା ଲଗାଇବା, ଜଙ୍ଗଲକ୍ଷୟ କରି ଅକାର୍ଯ୍ୟ ଆଉ କେହି କରୁନାହାନ୍ତି, କରୁଛି ମଣିଷ। ଆବଶ୍ୟକତାଠାରୁ ଅଧିକ କଳକାରଖାନା ପ୍ରତିଷ୍ଠା କରି ବାୟୁମଣ୍ଡଳକୁ ଅତ୍ୟଧିକ ଧୂଆଁ ଓ ଅନ୍ୟାନ୍ୟ ଦୂଷିତ ପଦାର୍ଥ ଛାଡ଼ିବା ଦ୍ୱାରା ବାୟୁମଣ୍ଡଳ ବିପର୍ଯ୍ୟସ୍ତ ହୋଇଯାଉଛି। ମଣିଷର ବସ୍ତୁ ପ୍ରାପ୍ତିର ଲାଳସା ଏତେ ବଢ଼ିଯାଇଛି ଯେ ଜୀବନ ମପା ହେଉଛି ବସ୍ତୁର ମାନଦଣ୍ଡରେ। ବସ୍ତୁ ହିଁ ଜୀବନ ଏବଂ ଜୀବନ ହିଁ ବସ୍ତୁ। ଏକ ପ୍ରକାର ହୋଇଗଲାଣି। ଏଇ ପ୍ରସଙ୍ଗରେ ମନେ ପଡ଼େ ସ୍ବାମୀ ବିବେକାନନ୍ଦଙ୍କର କଥା ପଦେ ଦୁଇପଦ। ସେ କହିଥିଲେ ଯେ, ଆବଶ୍ୟକତା ବଢ଼ୁ, ମାତ୍ର ସେଇ ବଢ଼ିବା ଏକ ସୀମା ଭିତରେ ରହୁ। ସୀମାପାର ହୋଇ ବଢ଼ି ନ ଯାଉ।
ବାସ୍ତବରେ ଏଇ ସୀମା ରେଖାଟିକୁ ମଣିଷ ଏକ ପ୍ରକାର ଭୁଲିଗଲାଣି। ସେ ନିଜ କୁରାଢ଼ି ନିଜ ଗୋଡ଼ରେ ମାରିବାକୁ ଯାଉଛି- ଏକଥା ଜାଣି ପାରୁନାହିଁ। ହୁଏତ ବେଳେବେଳେ ଜାଣିପାରୁଛି ମାତ୍ର ସେଥିରୁ ନିବୃତ୍ତ ରହିପାରୁ ନାହିଁ। ମାଆ ତା’ର କ୍ଷତାକ୍ତ ହେଉ ଅଥବା ରକ୍ତାକ୍ତ ହେଉ, ବିପର୍ଯ୍ୟସ୍ତ ହେଉ ଅଥବା ଧ୍ୱସ୍ତ ବିଧ୍ୱସ୍ତ ହେଉ, ସେ ଆଡ଼କୁ ତା’ର ନିଘାନାହିଁ। ଏହା କ’ଣ କେଉଁଠି ହୁଏ? ମାଆ ଭଲରେ ନ ରହିଲେ ପୁଅ କ’ଣ ଭଲରେ ରହେ କିମ୍ବା ପୁଅ ଭଲରେ ନ ରହିଲେ ମା’ କ’ଣ ଭଲରେ ରହେ। ମାଆର ଆଖିରୁ ଲୁହ ଝରାଇ ପୁଅ କ’ଣ ସୁଖରେ ରହେ? ପ୍ରକୃତି କେବଳ ମାଆ ନୁହେଁ, ଗୁରୁ, ଗୁରୁଜନ ଭୂମିକାରେ ଅବତୀର୍ଣ୍ଣ ମଧ୍ୟ। ଶିକ୍ଷାବିତ୍‌ ରୁଷୋଙ୍କ ମତରେ “Nature is the Great master, Follow th master”, ସମଗ୍ର ମାନବ ଜାତିର ଆଦର ଓ ସମ୍ମାନ ପ୍ରକୃତି ମାତା ପ୍ରତି ଯେତେ ବଢ଼ିବା କଥା ସେତେ ବଢ଼ୁ ନାହିଁ-ଏହା ହିଁ ପରିତାପର ବିଷୟ।
ପ୍ରାକ୍ତନ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ମୋ:୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?